Unknown

ବ୍ରହ୍ମଶାଙ୍କୁଳି

ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଗୋସ୍ୱାମୀ

 

ମୁଖବନ୍ଧ

ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଗୋସ୍ୱାମୀ

ଭକ୍ତ ହୃଦୟର ଦୁଃଖ ନିବାରଣ, ପାପର ଉଚ୍ଛେଦସାଧନ ଓ ସାଧୁଙ୍କ ପରିତ୍ରାଣ ଛଳରେ ଭଗବାନ ହରି ସ୍ୱଲୀଳାଚ ଆସ୍ୱାଦନ ନିମିତ୍ତ ଶୁଦ୍ଧଚୈତନ୍ୟ ପ୍ରେମମୂର୍ତ୍ତି ଶ୍ରୀକୃଷ୍ଣଚୈତନ୍ୟରୂପ ମାନବବିଗ୍ରହ ପରିଗ୍ରହପୂର୍ବକ ଧରାଧାମରେ ଅବତୀର୍ଣ୍ଣ ହେଲେ । ପ୍ରଭୁ ଚୈତନ୍ୟଚନ୍ଦ୍ରଙ୍କ ପ୍ରୀତିମୟୀ ମୂର୍ତ୍ତିରେ ରାଧାକୃଷ୍ଣ ଯୁଗଳ ମୂର୍ତ୍ତିଙ୍କର ଅପୂର୍ବ ମଧୁର ମିଳନ ପ୍ରକଟିତ । ସ୍ୱଲୀଳା ଆସ୍ୱାଦନ କ୍ରିୟାରେ ସ୍ୱୀୟ ପରିକରବର୍ଗଙ୍କର ଉପସ୍ଥିତି ଅପରିତ୍ୟାଜ୍ୟ ସେହି ପରିକରବର୍ଗ ମଧ୍ୟ ଧରାଧାମରେ ଅବତୀର୍ଣ୍ଣ ହୋଇଥିଲେ ।

 

‘‘ତୁମ୍ଭ ପଞ୍ଚସଖାଙ୍କୁ ମୋ ଜନ୍ମେ ଜନ୍ମେ ଆଶ ।

ତୁମ୍ଭପାଇଁ ଅବତାଇଁ ଲୀଳା ଅଭିଳାଷ ।’’

ଶୂନ୍ୟସଂହିତା ୧୦ମ ଅଧ୍ୟାୟ ।

 

ପୂଣ୍ୟଭୂମି ଉତ୍କଳଖଣ୍ଡରେ ଯେ ମଧୁର ପ୍ରେମଲୀଳାର ଉଲ୍ଲୋଳ କଲ୍ଲୋଳ ପ୍ରବାହିତ ହୋଇଥିଲା ତାହାର ପ୍ରଧାନ କାରଣ ଶ୍ରୀ ଚୈତନ୍ୟ ଚନ୍ଦ୍ର ଓ ତାହାଙ୍କର ପରିକରବର୍ଗ । ସେହି ପରିକରବର୍ଗ ଦୁଇଶ୍ରେଣୀରେ ବିଭକ୍ତ, ଯଥା-ଅନ୍ତରଙ୍ଗ ଓ ବହିରଙ୍ଗ । ପଞ୍ଚସଖା ତଥା ପଞ୍ଚଶାଖା-ବଳରାମ, ଜଗନ୍ନାଥ, ଯଶୋବନ୍ତ, ଅନନ୍ତ ଓ ଅଚ୍ୟୁତଙ୍କ ମତରେ ସେମାନେ ପ୍ରଭୁଙ୍କର ଅନ୍ତରଙ୍ଗ ସଖା ।

 

‘‘ତୁମ୍ଭେ ମୋର ପଞ୍ଚଆତ୍ମା ଅଟ ପାଞ୍ଚଜଣ

ଅବତାରଶ୍ରେଣୀ ଯେତେ ତୁମ୍ଭପାଇଁ ଶୁଣ

ଯାଅ ଅଚ୍ୟୁତ ଅନନ୍ତ ଯଶୋବନ୍ତ ଦାସ

ବଳରାମ ଜଗନ୍ନାଥ କର ଯା ପ୍ରକାଶ

 

 

୧୧ଶ ଅଧ୍ୟାୟ ଶୃ, ସଂ;

 

ପୁନଶ୍ଚ-

ଆମ୍ଭର ଆତ୍ମା ତୁମ୍ଭେ ପାଞ୍ଚଜଣ

ତେଣୁ ତୁମ୍ଭ ଆଗେ କହିଲୁ ପୁଣ

ଆମ୍ଭେ ପାଞ୍ଚଶାଖା ରହି ନିଶ୍ଚଳେ

ଧ୍ୟାଇଲୁ ତାଙ୍କ ଚରଣ କମଳେ

 

 

୨୪ ଅଧ୍ୟାୟ ଶୂନ୍ୟସଂହିତା

 

ଅବତାର ଶ୍ରେଣୀକି ଅନୁସରି

ଜନ୍ମ ଲଭିବେ ପୁଣି ଶ୍ରୀହରି

ଅଚ୍ୟୁତ ଅନନ୍ତ ଯେ ଯଶୋବନ୍ତ

ବଳରାମ ପୁଣି ଯେ ଜଗନ୍ନାଥ

କଳିଯୁଗେ ଲୀଳା ପ୍ରକାଶ କରି

ତୁମ୍ଭ ଆଜ୍ଞାକୁ ଥିବେ ଶିରେ ଧରି

 

 

୨୭ ଅଧ୍ୟାୟ ଶୂନ୍ୟସଂହିତା

 

ଅନନ୍ତ ଯଶୋବନ୍ତାଦି ମଧ୍ୟ ଏହି ରୂପ ଉକ୍ତି କରିଅଛନ୍ତି ।

 

ଏବଂଭୂତ ଯେଉଁ ପ୍ରଭୁ ତାଙ୍କ ପଞ୍ଚଭୂତ । ଏକଭୂତ ସଖା ସେ ଅଟଇ ଯଶୋବନ୍ତ ॥

 

ସ୍ୱରୋଦୟ-ଯଶୋବନ୍ତ ଦାସ ଇତ୍ୟାଦି ।୨।

 

ଏହି ପଞ୍ଚ ମହାପୁରୁଷଙ୍କ ନାମୋଲ୍ଲେଖ ପର୍ଯ୍ୟନ୍ତ ବଙ୍ଗୀୟ ବୈଷ୍ଣବ ବୃନ୍ଦାବନ ଦାସ, ଲୋଚନ ଦାସ ଓ କୃଷ୍ଣଦାସ କବିରାଜ କୃତ ଯଥାକ୍ରମେ ଚୈତନ୍ୟଭାଗବତ, ଚୈତନ୍ୟମଙ୍ଗଳ, ଚୈତନ୍ୟ ଚରିତାମୃତରେ ନାହିଁ । ବଙ୍ଗୀୟବୈଷ୍ଣବ ଦେବକୀନନ୍ଦନ ଦାସ ତାଙ୍କର ବୈଷ୍ଣବ ବନ୍ଦନାରେ ଜଗନ୍ନାଥ ଓ ବଳରାମଙ୍କୁ ଭକ୍ତରୂପରେ ଅତି ଉଚ୍ଚ ଆସନ ପ୍ରଦାନ କରି ଅଛନ୍ତି ।

 

ବନ୍ଦ ଉଡ଼ିୟା ବଳରାମ ଦାସ ମହାଶୟ । ଜଗନ୍ନାଥ ବଳରାମ ଯାର ବଂଶ ହୟ ॥

ଜଗନ୍ନାଥ ଦାସ ବନ୍ଦ ସଙ୍ଗୀତ ପଣ୍ଡିତ, ଯାର ଗାନ ରସେ ଜଗନ୍ନାଥ ବିମୋହିତ ॥

 

ସେ ଅନନ୍ତ ଅଚ୍ୟୁତ ଓ ଯଶୋବନ୍ତଙ୍କ ନାମୋଲ୍ଲେଖ କରିନାହାନ୍ତି ।

 

ଏହି ପଞ୍ଚଶାଖା ବା ପଞ୍ଚସଖା ଯନ୍ତ୍ର, ତନ୍ତ୍ର, ମନ୍ତ୍ରରେ ପ୍ରବୀଣ ଥିଲେ-ଯୋଗ, ଭୋଗ, ଲୟ, ଲୀଳାରେ ବିଳାସୀ ଥିଲେ । ଲୀଳା ଅଙ୍ଗରେ ସେମାନେ ଚୈତନ୍ୟଙ୍କର ପରିକର । ଗୌଡ଼ୀୟ ମତାନୁସାରେ ସେମାନେ ଚୈତନ୍ୟଙ୍କ ଧର୍ମ୍ମପଦ୍ଧତି ବା ମାର୍ଗର ପଥିକ ନ ଥିଲେ ବୋଲି ବୋଧହୁଏ ଚୈତନ୍ୟଲୀଳା ଲେଖକ ବଙ୍ଗୀୟ ବୈଷ୍ଣବ ବୃନ୍ଦାବନ ଦାସ, ଲୋଚନ ଦାସ ଓ କୃଷ୍ଣ ଦାସ କବିରାଜ ସେହି ପଞ୍ଚଶାଖାଙ୍କୁ ଚୈତନ୍ୟଚନ୍ଦ୍ରଙ୍କର ଲୀଳାର ପରିକରରୂପେ ଗ୍ରହଣ କରି ନାହାନ୍ତି । ସେହି ଯୁଗରେ ଉତ୍କଳରେ ବୌଦ୍ଧଧର୍ମର ପ୍ରଭାବ ନ୍ୟୁନାଧିକ ରୂପରେ ପରିଦର୍ଶିତ ହୁଏ । ଏହି ପଞ୍ଚଶାଖାଙ୍କ ଗ୍ରନ୍ଥରେ ମଧ୍ୟ ସ୍ଥାନେ ସ୍ଥାନେ ଆମ୍ଭେମାନେ ବୌଦ୍ଧମତର ପ୍ରଭାବ ଦେଖିବାକୁ ପାଉ ।

 

ବିଚାର କରି ଦେଖିଲେ ବୌଦ୍ଧଧର୍ମ ହିନ୍ଦୁଧର୍ମର ସନ୍ତାନ । ଉଭୟେ ଉଭୟଦ୍ୱାରା ପ୍ରଭାବିତ ହୋଇଅଛନ୍ତି । ସେ ବିଷୟର ସବିସ୍ତର ବିଚାରର ଏ ସ୍ଥଳ ନୁହେ । ତହୁଁ ରିଜ୍‌ଡେଭିଡ୍ସଙ୍କ ମତ ପ୍ରଖ୍ୟାପନ କରି ଉକ୍ତ ବିଚାରରୁ କ୍ଷାନ୍ତ ହେଲୁ । ରିଜ୍‌ଡେଭିଡ୍ସ (Rhysdavids) ତାଙ୍କର ବୌଦ୍ଧଧର୍ମ ବିଷୟକ ଗ୍ରନ୍ଥରେ ଲେଖିଅଛନ୍ତି ।

 

‘‘Budhism was the child-the product of Hinduism. Gautama's whole training was Brahmanism; he probably deemed himself to be the most correct exponent of the spirit from the letter of ancient faith; and it can only be claimend for him that he was the greatest and wisest and best of the Hindus.’’(Budhism P.85)

 

ଡାକ୍ତର ଓଲ୍‌ଡନ୍‌ବର୍ଗ ତାଙ୍କର ‘ବୁଦ୍ଧ’ ନାମକ ଗ୍ରନ୍ଥର ୧୮ ପୃଷ୍ଠାରେ କହିଅଛନ୍ତି ଯେ ‘‘We now proceed to trace step by step the process of that self-destruction of the Vedic religious thought which has produced Budhism as its positive outcome.’’

 

ବୌଦ୍ଧଧର୍ମର ଉତ୍କୃଷ୍ଟ ଅଂଶ ଅର୍ଥାତ୍ ଉପାଦେୟ ବିଷୟ ବୈଷ୍ଣବ ଧର୍ମର ଉପଯୋଗୀ । ଏଥିରେ ଦ୍ୱିଧାମତ ହୋଇ ନ ପାରେ ।

 

ଏହି ପଞ୍ଚଶାଖାଙ୍କର ନିରାକାର ଭଜନ, ଯନ୍ତ୍ର, ତନ୍ତ୍ର, ମନ୍ତ୍ର, ତଥା ଯୋଗଜ୍ଞାନରେ ଉତ୍କଳର ସ୍ମାର୍ତ୍ତ ବ୍ରାହ୍ମଣମଣ୍ଡଳୀ ଅତ୍ୟନ୍ତ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ । ତାନ୍ତ୍ରିକ ବ୍ରାହ୍ମଣମାନଙ୍କର ପ୍ରଭାବର ସମ୍ମୁଖୀନ ହେବାକୁ ଚୈତନ୍ୟଚନ୍ଦ୍ରଙ୍କୁ ମଧ୍ୟ ହୋଇଥିଲା । ସେହି ପ୍ରଭାବ ଚୈତନ୍ୟଚନ୍ଦ୍ରଙ୍କ ସମ୍ମୁଖରେ ପରାହତ ହୋଇଥିଲା । ଏହିସବୁ କାରଣରୁ ସେହି ପଞ୍ଚଶାଖାଙ୍କୁ ବହୁ କଷ୍ଟସ୍ୱୀକାର କରିବାକୁ ପଡ଼ିଥିଲା । ବହୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହୋଇଥିଲା ଓ ବହୁ ସତର୍କତା ସହିତ ନିଜର ଧର୍ମପ୍ରଚାର କରିବାକୁ ମଧ୍ୟ ହୋଇଥିଲା । ସେ ଯାହାହେଉ ଆମ୍ଭେମାନେ ଶୂନ୍ୟସଂହିତାରେ ଦେଖିବାକୁ ପାଉ ଯେ, ଏହି ପଞ୍ଚଶାଖା ଚୈତନ୍ୟଚନ୍ଦ୍ରଙ୍କ ସହ ନାମ କୀର୍ତ୍ତନରେ ନୃତ୍ୟ କରୁଥିଲେ ।

 

ବୈଷ୍ଣବ ମଣ୍ଡଳି ଖୋଳ କରତାଳି ବଜାଇ ବୋଲନ୍ତି ହରି ।

ଚୈତନ୍ୟଠାକୁର ମଧ୍ୟେ ନୃତ୍ୟକାର ଦଣ୍ଡ-କମଣ୍ଡଳ-ଧାରୀ ॥

ଅନନ୍ତ ଅଚ୍ୟୁତ ଘେନି ଯଶୋବନ୍ତ ବଳରାମ ଜଗନ୍ନାଥ ।

ଏ ପଞ୍ଚ ସଖାହିଁ ନୃତ୍ୟ କରିଗଲେ ଗୌରାଙ୍ଗଚନ୍ଦ୍ର ସଙ୍ଗତ ॥

ଶୂନ୍ୟସଂହିତା ୧ମ ଅଧ୍ୟାୟ ।

 

ଅଚ୍ୟୁତାନନ୍ଦ ତାଙ୍କର ଗୁରୁଭକ୍ତି ଗୀତାର ୨ୟ ଖଣ୍ଡ ୯ମ ପଟଳରେ ତାଙ୍କର ଶିଷ୍ୟମାନଙ୍କୁ କହୁଅଛନ୍ତି ।

 

କଳିଯୁଗେ ଶ୍ରୀଚୈତନ୍ୟ ଖୋଳ ନୃତ୍ୟ କରି

ଶ୍ରୀଚୈତନ୍ୟ ଲୀଳା କରି ପାଦେ ପାଦେ ଫେରି ॥

ଚୈତନ୍ୟ କରୁଣା, ଯେ ତୁମ୍ଭଙ୍କୁ ଛନ୍ତିକରି

ବାର ଗୋପ ରାହାସରେ ଅଟ ତୁମ୍ଭେ ସରି ॥

 

ଜଗନ୍ନାଥ ଦାସ ଉତ୍କଳରେ ସର୍ବତ୍ର ପରିଚିତ । ବଳରାମ ଦାସ ଓ ଅଚ୍ୟୁତାନନ୍ଦ ଦାସ ନ୍ୟୁନାଧିକ ଭାବରେ ପ୍ରାୟ ସମସ୍ତଙ୍କୁ ବିଦିତ । ଅନନ୍ତ ଓ ଯଶୋବନ୍ତ ସ୍ଥାନେ ସ୍ଥାନେ ମଧ୍ୟ ପରିଚିତ ଅଟନ୍ତି ।

 

ଜଗନ୍ନାଥ ଦାସଙ୍କର ପୁରୀ ଓଡ଼ିଆ ମଠ । ବଳରାମଙ୍କର ମଠ ବିଷୟ ଆମ୍ଭମାନଙ୍କ ଅବିଦିତ । ସେ ସମଙ୍ଗ ବା ସମଗ୍ରା ପାଟରେ ସମାଧିସ୍ଥ ହୋଇଥିଲେ ।

 

ଅଚ୍ୟୁତାନନ୍ଦଙ୍କର ଲୀଳାସ୍ଥାନ:-

 

୧-ଗୋପାଳମଠ, ପୁରୀ ବାଙ୍କି ମୁହାଣ (କୁଣ୍ଢେଇବେଣ୍ଟ ସାହି)

୨-ବଡ଼ମୂଳ ସାଇଲୋ ପ୍ରଗନା (କଟକ ଜିଲା)

୩-କୁଣ୍ଡବଳଦା ସାଇବିରି ପ୍ରଗନା (କଟକ ଜିଲା)

୪-ଧାନକୁଦ, ସା: ହାଜିପୁର, ପ୍ର: ହରିହର ପୁର (କଟକ ଜିଲା)

୫-ନେମାଳ (କଟକ ଜିଲା)

 

ଯଶୋବନ୍ତ ଦାସଙ୍କର ଲୀଳାସ୍ଥାନ:-ଅଢ଼ଙ୍ଗ, ଜଗତସିଂହ ପୁର ନିକଟ (କଟକ ଜିଲା)

ଶିଶୁ ଅନନ୍ତଙ୍କ ଲୀଳାସ୍ଥାନ:-ବାଲିପାଟଣା, ପ୍ର: କୋଠ ଦେଶ (ପୁରୀଜିଲା)

 

ଏମାନଙ୍କ ମଧ୍ୟରେ ଜଗନ୍ନାଥ ଦାସ ଅତିବଡ଼ୀ ସମ୍ପ୍ରଦାୟର ପ୍ରବର୍ତ୍ତକ ଓ ଅଚ୍ୟୁତାନନ୍ଦ ଉତ୍କଳର ଗୋପାଳ କୁଳର ଦୀକ୍ଷାଦାତା ଗୁରୁ ।

 

ଅଚ୍ୟୁତାନନ୍ଦଙ୍କ ଜନ୍ମ-ସ୍ୱର୍ଗୀୟ ସାହିତ୍ୟପ୍ରବୀଣ ମୃତ୍ୟୁଞ୍ଜୟ ରଥ ଅଚ୍ୟୁତାନନ୍ଦଙ୍କ ପିତା ଦୀନବନ୍ଧୁ ଖୁଣ୍ଟିଆଙ୍କୁ ବର୍ଣ୍ଣରେ ଗୋପାଳ ଥିଲେ ବୋଲି କହି ଅଛନ୍ତି । ଦୁଃଖରେ କଥା ଏହି ଉକ୍ତି ତାଙ୍କର ସମୀଚୀନ ନୁହେ । କାରଣ ଯେଉଁ ତିଳକଣା ଗ୍ରାମରେ ଅଚ୍ୟୁତାନନ୍ଦ ଜନ୍ମଗ୍ରହଣ କରିଅଛନ୍ତି ବୋଲି ସେ ତାଙ୍କର ଶୂନ୍ୟସଂହିତାରେ କହି ଅଛନ୍ତି । ସେହି ଗ୍ରାମ ତାଙ୍କ ପିତାଙ୍କର ଅଧିବାସ ଥିଲା । ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ । ସେହି ସ୍ଥାନ ନେମାଳର ଅଚ୍ୟୁତାନନ୍ଦ ଦାସଙ୍କ ବଂଶଧରଙ୍କ ଗୃହ ଓ ଅଚ୍ୟୁତାନନ୍ଦଙ୍କ ଗାଦିର ପ୍ରାୟ ଏକମାଇଲ ଦୂରରେ ଅବସ୍ଥିତ । ସେହି ଗ୍ରାମରେ ଆଜି ସୁଦ୍ଧା ଖୁଣ୍ଟିଆ ନାମଧାରୀ ଖଣ୍ଡାୟତ ଜାତିର ଲୋକେ ବାସ କରୁଅଛନ୍ତି । ତହୁଁ ଅଚ୍ୟୁତାନନ୍ଦଙ୍କ ପିତା ଦୀନବନ୍ଧୁ ଖୁଣ୍ଟିୟା ବର୍ଣ୍ଣରେ ଖଣ୍ଡାୟତ ଥିଲେ । ଈଶ୍ୱର ଦାସ କିନ୍ତୁ ସ୍ୱକୃତ ଚୈତନ୍ୟ ଭାଗବତରେ ଅଚ୍ୟୁତାନନ୍ଦଙ୍କୁ କରଣ ବୋଲି ଲେଖିଛନ୍ତି । ଦୀନବନ୍ଧୁଙ୍କ ଆର୍ଥିକ ଅବସ୍ଥା ମନ୍ଦ ଥିଲା । ସେ ଓ ତାଙ୍କର ପତ୍ନୀ ପଦ୍ମାବତୀ ପୁତ୍ର ଅଭାବ-ଜନିତ ଦୁଃଖରେ ବହୁକାଳ ଅତିବାହିତ କରିଥିଲେ । ରଥେ ଲେଖିଅଛନ୍ତି ଯେ ଦୀନବନ୍ଧୁ ସ୍ୱପତ୍ନୀ ସହିତ ପ୍ରଭୁ ଜଗନ୍ନାଥଙ୍କ ଉପାସନା ନିମିତ୍ତ ଶ୍ରୀକ୍ଷେତ୍ରକୁ ଯାତ୍ରା କରିଥିଲେ । ପତ୍ନୀଙ୍କ ସହିତ ପୁରୀଧାମକୁ ଯାତ୍ରା କରିବାର କୌଣସି ପ୍ରମାଣ ଆମ୍ଭେମାନେ ତାଙ୍କର ଗ୍ରନ୍ଥମାନଙ୍କରୁ, କିମ୍ୱଦନ୍ତୀରୁ କିମ୍ୱା ତାଙ୍କର ବଂଶଧରମାନଙ୍କଠାରୁ ପାଇ ନାହୁଁ । ଅତଏବ ସେ ଉକ୍ତିକୁ ଆମ୍ଭେମାନେ ଯଥାର୍ଥରୂପେ ଗ୍ରହଣ କରି ନ ପାରୁ ।

 

(ତିଳକଣାରେ ମୁଁ ଜନମ ଲଭିଲି କେହି ନ ଚିହ୍ନିଲେ ମୋରେ ।

ଅଗଣିତ ବୋଲି ମାତା ଡାକୁଥାନ୍ତି ଅନ୍ନ ନ ମିଳଇ ଘରେ ॥)

 

ଦୀନବନ୍ଧୁ ଶ୍ରୀକ୍ଷେତ୍ରରେ କିଛିକାଳ ଅବସ୍ଥାନ କଲା ପରେ ଜଗନ୍ନାଥ ପ୍ରସନ୍ନ ହୋଇ ତାହାଙ୍କୁ ସ୍ୱପ୍ନରେ ଆଦେଶ ଦେଲେ ।

 

ଲଭ ତୁ ବାଳକ କିଛି ସେ ବାଳକ ମନର କଳ୍ପନା ପାଅ

କାଲି ପ୍ରଭାତରେ ପହଡ଼ ଧୂପରେ ଗରୁଡ଼ ପଛକୁ ଚାହଁ

ହୋଇବେ ଯେ ସୂତ ତୋତେ ସେ ପ୍ରାପତ ମୋତେ ଏ ଆଜ୍ଞା ହୋଇଲା

ସ୍ୱପନକୁ ଚେତି ସେହି ଅଙ୍ଗ ଘିତି ଖୁଣ୍ଟିଆ ବେଗେ ଧାଇଁଲା ।

x            x            x            x

ଦିବ୍ୟ କଳେବର ହୋଇଶ କୁମର ପ୍ରଭୁଙ୍କ ଆଗେ ଖେଳୁଛି ।

x            x            x            x

ଦେଖନ୍ତେ ବାଳକ ହୋଇଗଲା ଗୋପ ଆଜ୍ଞା ହୋଇଥିଲା ଯାହା ।

 

ଏହାପରେ ଦୀନବନ୍ଧୁ ଗୃହକୁ ଫେରି ଆସିଥିଲେ ଏବଂ ଉକ୍ତ ଦିବସର ଦଶମାସ ଦଶ ଦିବସରେ ତାଙ୍କର ପତ୍ନୀ ପଦ୍ମାବତୀଙ୍କ ଗର୍ଭରେ ସେହି ପ୍ରଥିତଯଶା ମହାପୁରୂଷ ଜନ୍ମ ଗ୍ରହଣ କରିଥିଲେ ।

 

ଦଶମାସ ଦଶଦିବସ ମଧ୍ୟରେ ଶୁକ୍ଳ ମାଘ ଏକାଦଶୀ ।

ଜନମ ଲଭନ୍ତେ ପିତା ମୋ ଦେଖନ୍ତେ ଅପତ୍ରିକ ଦୋଷ ଧ୍ୱଂସି ॥

x            x            x            x

ଅଗଣା ଅପୋଛା କରିଣ ମୋ ନାମ ଅନେକ ପ୍ରକାରେ ଦେଲେ ।

 

ଅଚ୍ୟୁତାନନ୍ଦଙ୍କର ଆବିର୍ଭାବକାଳ ନିର୍ଣ୍ଣୟ ପ୍ରସଙ୍ଗରେ ରଥେ କହି ଅଛନ୍ତି ଯେ ପଞ୍ଚଶାଖାଙ୍କଠାରୁ ଶ୍ରୀଚୈତନ୍ୟ ବୟସରେ ଜ୍ୟେଷ୍ଠ । ପଞ୍ଚଶାଖାଙ୍କ ମଧ୍ୟରେ ଅଚ୍ୟୁତାନନ୍ଦ ବର୍ଷୀୟାନ୍ ବୋଲି ପ୍ରତୀତ ହୁଏ । ପୁନଶ୍ଚ ରଥେ ତାଙ୍କର ‘ବଳରାମ ଦାସ ଓ ବ୍ରହ୍ମାଣ୍ଡ ଭୂଗୋଳ’ ପ୍ରବନ୍ଧରେ ଲେଖି ଅଛନ୍ତି, ‘‘ବଳରାମ ଦାସଙ୍କର ଆବିର୍ଭାବ କାଳ ୧୪୭୦ ଖ୍ରୀଷ୍ଟାବ୍ଦ କିମ୍ୱା ତନ୍ନିକଟବର୍ତ୍ତୀ କୌଣସି ବର୍ଷ ହେବା ସମ୍ଭବ । ଏହି ଅନୁମାନରୁ ଦେଖା ଯାଉଅଛି ବଳରାମ ଦାସ ଜଗନ୍ନାଥ ଦାସଙ୍କଠାରୁ ବୟସରେ ପ୍ରାୟ କୋଡ଼ିଏ ବର୍ଷ ବଡ଼ ହେବେ । ଜଗନ୍ନାଥ ଶ୍ରୀଚୈତନ୍ୟଙ୍କଠାରୁ ନ୍ୟୂନବୟସ୍କ ନ ଥିଲେ । ତେଣୁ ଦାସେ ଯେତେବେଳେ ତାଙ୍କ ନିକଟରେ ଦୀକ୍ଷାର୍ଥ ଉପସ୍ଥିତ ହୋଇଥିଲେ ତେତେବେଳେ ସେ ମହାତ୍ମା ବଳରାମ ଦାସଙ୍କୁ ଦୀକ୍ଷା ଦେବା ନିମିତ୍ତ ଆଦେଶ ପ୍ରଦାନ କରିଥିଲେ ।’’ ଅଚ୍ୟୁତାନନ୍ଦ ଦାସ ଶୀର୍ଷକ ପ୍ରବନ୍ଧ ୧୩୦୭ କାର୍ତ୍ତିକ ଉତ୍କଳ-ସାହିତ୍ୟରେ ପ୍ରକାଶିତ । ବଳଦାସ ଓ ବ୍ରହ୍ମାଣ୍ଡ ଭୂଗୋଳ ଶୀର୍ଷକ ପ୍ରବନ୍ଧ ୧୩୨୯ ଶ୍ରାବଣ ଉତ୍କଳ-ସାହିତ୍ୟରେ ପ୍ରକାଶିତ । ଉଭୟର କାଳବ୍ୟବଧାନ ଦ୍ୱାଦଶବର୍ଷ; ତହୁଁ ରଥଙ୍କ ଉକ୍ତିରେ ବୈସାଦୃଶ୍ୟ ଲକ୍ଷିତ ହେଲା । ବଳରାମ ଦାସ ଚୈତନ୍ୟଙ୍କଠାରୁ ପ୍ରାୟ ବ୧୫ର୍ଷ ବର୍ଷୀୟାନ୍ ଥିଲେ । ଜଗନ୍ନାଥ ଦାସ ଚୈତନ୍ୟ ଚନ୍ଦ୍ରଙ୍କଠାରୁ ବୟସରେ ପ୍ରାୟ ବ୫ର୍ଷ କନୀୟାନ୍ ଥିଲେ କାରଣ ସେ ଖ୍ରୀ୧୪୯୦ଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ଚୈତନ୍ୟଚନ୍ଦ୍ର ୧୪୮୫ ଖ୍ରୀଷ୍ଟାବ୍ଦରେ ଧରା ଧାମରେ ଅବତୀର୍ଣ୍ଣ ହୋଇଥିଲେ । ସେ ୧୫୦୯ ଖ୍ରୀଷ୍ଟାବ୍ଦରେ ଉତ୍କଳକୁ ଶୁଭାଗମନ କରିଥିଲେ । ସେ ସମୟରେ ସେ କିଛିକାଳ ପୁରୀଧାମରେ ରହି ଦେଶାଟନରେ ପ୍ରେମଲୀଳା ବିତରଣପୂର୍ବକ ପୁନର୍ବାର ୧୫୧୫ ଖ୍ରୀଷ୍ଟାବ୍ଦରେ ଉକ୍ତ ଧାମକୁ ପ୍ରତ୍ୟାବର୍ତ୍ତନ କରି ସ୍ୱଭକ୍ତଙ୍କ ସହ ବ୧୮ର୍ଷ ଅତିବାହିତ କରିଥିଲେ ।

 

ପୂର୍ବେ କଥିତ ହୋଇଅଛି ଯେ ଚୈତନ୍ୟଚନ୍ଦ୍ର ୧୫୦୯ ଖ୍ରୀଷ୍ଟାବ୍ଦରେ ପୁରୀଧାମକୁ ଆଗମନ କରିଥିଲେ । ସେ କିୟତ୍‌କାଳ ସେଠାରେ ଅବସ୍ଥାନ କରି ପ୍ରେମଲୀଳା ବିତରଣାର୍ଥ ଦାକ୍ଷିଣାତ୍ୟର ପ୍ରଧାନ ପ୍ରଧାନ ସ୍ଥାନମାନଙ୍କୁ ଗମନ କରିଥିଲେ । ତତ୍‌ପରେ ଶ୍ରୀକ୍ଷେତ୍ରକୁ ପ୍ରତ୍ୟାବର୍ତ୍ତନ କରି ରାଜା ପ୍ରତାପରୁଦ୍ର ଦେବଙ୍କୁ ନିଜର ସାକ୍ଷାତ୍‌ ପ୍ରଦାନ କରିଥିଲେ । ତହୁଁ ସେ ନୀଳାଚଳରୁ ଭାରତର ଉତ୍ତରାଞ୍ଚଳ ସ୍ଥିତ ମଥୁରା, ବୃନ୍ଦାବନ, ପ୍ରୟାଗ, ବାରଣାସୀ ପ୍ରଭୃତି ତୀର୍ଥମାନଙ୍କୁ ଗମନ କରି ତତ୍ରତ୍ୟ ଲୋକଙ୍କୁ ଶ୍ରୀହରିପ୍ରେମରସାସ୍ୱାଦନ କରାଇଥିଲେ । ଏହି କାଳରେ ଚୈତନ୍ୟଚନ୍ଦ୍ରଙ୍କ ସହ ସନାତନଙ୍କର ମିଳନ ହୋଇଥିଲା । (ଚୈତନ୍ୟ ଚରିତାମୃତ ମଧ୍ୟଲୀଳା ୨୦ ପରିଚ୍ଛେଦ ଦ୍ରଷ୍ଟବ୍ୟ) । ଶ୍ରୀକୃଷ୍ଣଚୈତନ୍ୟ କାଶୀଧାମରୁ ନୀଳାଚଳଧାମକୁ ୧୫୧୫ ଖ୍ରୀଷ୍ଟାବ୍ଦରେ ଫେରି ଆସିଥିଲେ । ଏହି ସମତ୍ସରରେ ସନାତନ ମଧ୍ୟ ମଥୁରାରୁ ନୀଳାଚଳକୁ ଆଗମନ କରିଥିଲେ । ଇତିପୂର୍ବେ ସନାତନ ପୂରୀଧାମକୁ ଆଗମନ କରି ନ ଥିଲେ ।

 

ବିଷ୍ଣୁଙ୍କ ଆବିର୍ଭାବସହ ଅଚ୍ୟୁତାନନ୍ଦଙ୍କ ଆବିର୍ଭାବ ଯୁଗେ ଯୁଗେ ହୋଇଅଛି ଏହା ତାଙ୍କର ସ୍ୱଗ୍ରନ୍ଥ ଓ ସ୍ୱସଖାମାନଙ୍କ ଗ୍ରନ୍ଥରୁ ପ୍ରତିପାଦିତ । ସେ ସତ୍ୟଯୁଗରେ କୃପାଜଳ, ତ୍ରେତାରେ ନଳ, ଦ୍ୱାପରରେ ସୁଦାମ ଓ କଳିରେ ନବଦ୍ୱୀପରେ ସୁନ୍ଦରାନନ୍ଦ-ଏହି ସୁନ୍ଦରାନନ୍ଦ ଚୈତନ୍ୟଚନ୍ଦ୍ରଙ୍କ ବାଲ୍ୟ ସଖା । ସେ ଚୈତନ୍ୟଚନ୍ଦ୍ରଙ୍କ ସହ ପୁରୀଧାମକୁ ଆଗମନ କରିଥିଲେ । ପ୍ରାୟ ଦୁଇ ଏକ ବର୍ଷ ପୁରୀଧାମରେ ଅବସ୍ଥାନ କରି ସେ ଦେହତ୍ୟାଗ କରିଥିଲେ-ଏ ବିଷୟ ଅଚ୍ୟୁତାନନ୍ଦଙ୍କ ଶୂନ୍ୟ ସଂହିତାରେ ସୂଚିତ ହୋଇଅଛି । ଦ୍ୱାପର ସୁଦାମ ଗୌରାଙ୍ଗଙ୍କ ବାଲ୍ୟଲୀଳାର ସୁନ୍ଦର ଠାକୁରରୂପେ ଅବତୀର୍ଣ୍ଣ ହେବା ଗୌଡ଼ୀୟ ବୈଷ୍ଣବ ଗ୍ରନ୍ଥମାନଙ୍କର ଲିଖିତ ଅଛି ।

 

‘‘ନମଃ ଶ୍ରୀ ସୁଦାମଚନ୍ଦ୍ରଃ ସୁନ୍ଦରାନନ୍ଦବିଗ୍ରହଃ’’

ବ୍ରଜରାଖାଲଗଣ କୀର୍ତ୍ତନ-

ସୁଦାମ ଆଦି କଳାରେ ଜାତ ହେବେ କଳିରେ ଅଛି ବିଚାର

ସେ କଳିଯୁଗରେ ଆମ୍ଭର ସଙ୍ଗରେ ଜନ୍ମିବେ ନବଦ୍ୱୀପର ॥

 

ସୁଦାମ ସୁନ୍ଦରା ନାମକୁ ବହିବ ନୀଳାଚଳେ ହୁଅ ସ୍ଥିତି ।

`ତଦନ୍ତେ ଅଚ୍ୟୁତ ନାମକୁ ବହିବ ବ୍ରଜକୁଳେ ହୁଅ ଖ୍ୟାତି ॥ ୧-୮୧-୮୪

 

ଅଚ୍ୟୁତ ଦାସଟି ମୋ ନାମ ପ୍ରକାଶ ଶ୍ରୀହରି କରୁଣା ଯେଶୁ

ଚୈତନ୍ୟ ଠାକୁର ସଙ୍ଗେ ଅବତାର ସୁନ୍ଦରାନନ୍ଦଟି ତେଣୁ ॥ ୧-୧୧

 

ମୋ ଜନ୍ମ ବୃତ୍ତାନ୍ତ କହୁଁ ତୋ ଅଗ୍ରତ ସୁନ୍ଦରାନନ୍ଦ ମୋ ନାମ

ନୀଳାଚଳେ ଲୀଳା ଦେଖି ତାଙ୍କ ଭୋଗ ବହିଗଲା କେତେ ଦିନ ॥

 

କ୍ଷେତ୍ରବରରେ ମୋ ସେ ଅଙ୍ଗ ହଜିଲା ପାଲଟିଲା ଅନ୍ୟ ଅଙ୍ଗ

ପର୍ବ ଆଜ୍ଞା ମୋତେ ଯାହା ସେ କହିଲେ ଶ୍ରୀମୁଖେ ପ୍ରଭୁ ଶ୍ରୀରଙ୍ଗ ॥ ୧-୨୭-୨୮

 

ସୁନ୍ଦରାନନ୍ଦ ୧୫୧୦ ବା ୧୫୧୧ ଖ୍ରୀଷ୍ଟାବ୍ଦରେ ପୁରୀଧାମରେ ଦେହତ୍ୟାଗ କରିଥିବା ସମ୍ଭବପର । ଅଚ୍ୟୁତାନନ୍ଦ ପ୍ରାୟ ୧୫୧୧ ବା ୧୫୧୨ ଖ୍ରୀଷ୍ଟାବ୍ଦରେ (୧୫୩୩ ବା ୧୫୩୪ ଶକାବ୍ଦ ମାଘ ଶୁକ୍ଳ ଏକାଦଶୀରେ)ଜନ୍ମ ପରିଗ୍ରହ କରିଥିଲେ* । ପଞ୍ଚମବର୍ଷରେ ତାଙ୍କର ବିଦ୍ୟାରମ୍ଭ ହୋଇଥିଲା । ବିଦ୍ୟାପଠନରେ ମନଯୋଗ ନ ଦେବା ଓ ଉଦାସଭାବ ଦର୍ଶାଇବାରେ ତାଙ୍କର ପିତା ମାତା ତାଙ୍କଠାରେ ଦୁଃଖିତ ହୋଇଥିଲେ । ସେଥିହେତୁ ସେ ନିଜର ଆତ୍ମୀୟ ସ୍ୱଜନଙ୍କର ତିରସ୍କାରର ପାତ୍ର ହୋଇଥିଲେ ।

 

+ ବଙ୍ଗୀୟ ବୈଷ୍ଣବଙ୍କ ମତାନୁସାରେ ସୁନ୍ଦରାନନ୍ଦ ୧୫୩୦ ସାଲ ପର୍ଯ୍ୟନ୍ତ ଜୀବିତ ଥିଲେ ।

 

* ଶ୍ରୀ ବିଜୟଚନ୍ଦ୍ର ମଜୁମ୍‌ଦାର ତାଙ୍କ ସାହିତ୍ୟ ଦ୍ୱିତୀୟଖଣ୍ଡର ମୁଖବନ୍ଧରେ କହିଅଛନ୍ତି ଯେ ଅଚ୍ୟୁତାନନ୍ଦ ଅଭିମନ୍ୟୁ ସାମନ୍ତସିଂହାରଙ୍କ ମୃତ୍ୟୁପରେ ଓ ଉତ୍କଳରେ ଇଂରେଜ ସରକାରଙ୍କ ଆଧିପତ୍ୟର ପ୍ରାକ୍‌କାଳରେ ଜନ୍ମ ପରିଗ୍ରହ କରିଥିଲେ । ବିଜୟବାବୁଙ୍କର ଏପରି ଉକ୍ତି ତାଙ୍କର ଉତ୍କଳ ସାହିତ୍ୟ ଆଲୋଚନାର ଅଭାବ ପ୍ରକାଶ କରୁଅଛି ମାତ୍ର ।

ଧର୍ମଭାବ ତାଙ୍କ ହୃଦୟକୁ ଏପରି ଦୃଢ଼ଭାବରେ ଅଧିକାର କରିଥିଲା ସେ ବିଷୟ ବାସନାଦ୍ୱାରା ତାହା ବିଚଳିତ ହୋଇ ନ ଥିଲା । ବୃଦ୍ଧ ଦୀନବନ୍ଧୁ ସପୁତ୍ର ପୁରୀଧାମକୁ ଜଗନ୍ନାଥ ଦର୍ଶନ ନିମିତ୍ତ ଯାଇଥିଲେ । ପୁରୀ ବଡ଼ଦାଣ୍ଡରେ ଅଚ୍ୟୁତ ସ୍ୱପିତାଙ୍କ ସହ ଜଗତ୍‌ପାବନ ଚୈତନ୍ୟଚନ୍ଦ୍ରଙ୍କୁ ଦର୍ଶନ କରିଥିଲେ । ଦୀନବନ୍ଧୁ ଓ ତତ୍‌ପୁତ୍ର ଅଚ୍ୟୁତାନନ୍ଦଙ୍କ ଭକ୍ତିରେ ଚୈତନ୍ୟଚନ୍ଦ୍ର ଅତିଶୟ ପ୍ରୀତ ହୋଇ ଅଚ୍ୟୁତଙ୍କୁ ନାମକରଣ କରିବାକୁ ସନାତନ ଗୋସ୍ୱାମୀଙ୍କୁ ଆଦେଶ ପ୍ରଦାନ କରିଥିଲେ । ଏଥିରୁ ସ୍ପଷ୍ଟ ପ୍ରତୀତ ହୁଏ ଅଚ୍ୟୁତଙ୍କ ଷଷ୍ଠ ବା ସପ୍ତମ ବର୍ଷରେ (୧୫୧୭ ବା ୧୫୧୮ ଖ୍ରୀ.) ନାମକରଣ ହୋଇଥିଲା । ଉପରୋକ୍ତ ଉକ୍ତିର ସମର୍ଥନ ନିମିତ୍ତ ନିମ୍ନଲିଖିତ ପଙ୍‌କ୍ତିମାନ ଶୂନ୍ୟସଂହିତାରୁ ଉଦ୍ଧୃତ ହେଲା ।

 

ପାଞ୍ଚବରଷେ ବିଦ୍ୟାକର୍ମ କରିଣ ବିଦ୍ୟାପଠନକୁ ମୋତେ ।

ତର୍ଜନ କରିଣ ବିଦ୍ୟା ପଢ଼ିବାକୁ ପିତା ବୋଲୁଥାନ୍ତି କେତେ ॥

+            +            +            +
+            +            +            +

ଉଦାସ ମତ ଯେ ଦେଖି ମୋର ମାତା ଆଶ୍ୱସନା ମୋତେ କରି

ଗୃହର ବେପାର କରେ ନିରନ୍ତର ମୋପରେ ସେନେହ ଧରି ॥

ଥୋକେ ଗ୍ୟାଁତି ଲୋକ ବାନ୍ଧବ ସହିତ ବୋଲନ୍ତି କଟୁ ବାକ୍ୟରେ

ପର୍ବର ଚରିତ କର୍ମର ନିୟତ ଉଦାସ ହେଲା ମନରେ ॥

ସ୍ୱଗତି ଦିଶିଲା ବାସନା ବାସିଲା ଶ୍ରୀକୃଷ୍ଣେ ମନ ନିବେଶି ।

ଚୈତନ୍ୟ ଗୋସାଇଁ ବିଜେ କରିଛନ୍ତି ବଡ଼ଦାଣ୍ଡରେ ସେ ଆସି ॥

ପିତାଙ୍କ ସଙ୍ଗରେ ଦର୍ଶନ କଲି ମୁଁ ଚରଣେ ପଡ଼ିଲି ଯାଇ

ବାସନା ହେତୁ ମୋ ଅଙ୍ଗେ ବାଜେ ଯହୁଁ ଗ୍ୟାନ ପ୍ରକାଶିଲା ତହିଁ ॥

ନାମକରଣ ମୋତେ କରିବାକୁ ସେ ପ୍ରଭୁଙ୍କ ଆଜ୍ଞା ହୋଇଲା

ଶ୍ରୀଚରଣେ ଥୋଇ ପିଅର ମୋହୋର ସଞ୍ଚା ଗୋଟିଏ ଥୋଇଲା ॥

ଶ୍ରୀ ସନାତନ ଗୋସାଇଁଙ୍କି ଚାହିଣ ଆଜ୍ଞା ଦେଲେ ଶଚିସୂତ

ଅଚ୍ୟୁତାନନ୍ଦଙ୍କ ତୁମ୍ଭେ ଉପଦେଶ କର ହେ ଯାଇ ସୁଚିତ୍ତ ॥

ଆଜ୍ଞାକୁ ପାଇ ସନାତନ ଗୋସାଇଁ ସଙ୍ଗେ ସୁଖେ ଘେନିଗଲେ

ଦକ୍ଷିଣ ପାରୁଶ ବଟମୂଳେ ବସି କର୍ଣ୍ଣେ ଉପଦେଶ ଦେଲେ ॥

୧-୪୫-୫୩

ଏହି ଦୀକ୍ଷା ବା ନାମକରଣାନନ୍ତର ଅଚ୍ୟୁତ ପିତାଙ୍କ ସହ ତ୍ରିପୁର ବା ତିଳକଣା ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

 

ଉପରୋକ୍ତ ବିଷୟ ସହିତ ଗୁରୁଭକ୍ତି ଗୀତା ଖଣ୍ଡ ଦଶମପଟଳ ବର୍ଣ୍ଣିତ ବିଷୟ ସମ୍ପୂର୍ଣ୍ଣ ପୃଥ୍‌କରୂପେ ପରିଦୃଷ୍ଟ ହୁଏ ତାହା ନିମ୍ନରେ ଉଦ୍ଧୃତ କରା ହେଲା :- ଅଚ୍ୟୁତାନନ୍ଦ ତାଙ୍କ ଶିଷ୍ୟମାନଙ୍କୁ କହୁ ଅଛନ୍ତି –

 

ଶୁଣ ଯାହା ପଚାରିଲ ହେତୁ କରି ମନ ।

ଆମ୍ଭର ବିହାର ତିଳକଣା ନଗ୍ରସ୍ଥାନ ॥

ଚିତ୍ରୋତ୍ପଳା ନଦୀରୁ ଲବଣଧାର କୂଳ ।

ଦୀନବନ୍ଧୁ ପିତାଙ୍କର ତହିଁରେ ଯେ ଥଳ ॥

ପଦ୍ମାନାମ ମାତା ମୋର ସେ ସ୍ଥାନରେ ଘର ।

ବିଦ୍ୟା ପଢ଼ାଇଣ ଥିଲେ ବିପ୍ର ସୁଗ୍ୟଁନର ॥

ଗ୍ରାମ ପଶ୍ଚିମ ଭାଗ ଅଶ୍ୱତ୍ଥ ମୂଳରେ ।

ପାଞ୍ଚଗୋଟି ଚାଟ ବସିଥିଲୁଁ ସେହିଠାରେ ॥

ଅପୂର୍ବ ମୂରତି ଶୋଭା ଗଉର ସୁନ୍ଦର ।

ବିଶ୍ରାମ କଲେକ ଆସି ସେହି ଯେ ସ୍ଥାନର ॥

ପଚାରିଲେ ତୁମ୍ଭର ଯେ ମାତା ପିତା କେହୁ ।

ଡାକିଆଣ ଆମ୍ଭର ଯେ କଥା ରହିଥାଉ ॥

ଗ୍ୟାଁ ପାଇଗଲି ମୁହିଁ ପିତାଙ୍କର ପାଶ ।

ଦୀନବନ୍ଧୁ ପିତା ମୋର ହୋଇଲେ ପ୍ରବେଶ ॥

ପିତାଙ୍କୁ ବୋଇଲେ ଏହୁ ବାଳକ ଆମ୍ଭର

ହରିନାମ ଦେବୁ ଆମ୍ଭେ ଶରଧା ମନର ॥

ସନମତ କରି ପିତା ଗୃହକୁ ଚଳିଲେ ।

ହରି ଦୀକ୍ଷା ପୂଜାବିଧିମାନ ସଜାଡ଼ିଲେ ॥

ବୈଶାଖ ଶୁକଳପକ୍ଷ ଏକାଦଶୀ ତିଥି ।

ସୋମବାର ମହେନ୍ଦ୍ର ଯେ ଯୋଗବାର ସ୍ଥିତି ॥

ହରିନାମ ଦେଲେ ମୋତେ ସେ ଦିନରେ ପୁଣ

ପିତା ପଚାରିଲେ ପ୍ରଭୁ କିସ ତୁମ୍ଭ ନାମ ॥

କାହିଁ ତୁମ୍ଭଘର ବୃତ୍ତି କାହିଁ ତୁମ୍ଭ ସ୍ଥାନ ।

କେଉଁଠାରେ ଏ ବାଳକ କରିବ ଦର୍ଶନ ॥

ନୀଳଗିରି ଦକ୍ଷିଣ ଯେ ସମୂହ ତଟରେ

ଚୈତନ୍ୟମଣ୍ଡଳୀ ବୋଲି ପଚାରି ସେଠାରେ ॥

ଆମ୍ଭ ଦରଶନ ହେବ ସେହିଠାରେ ପୁଣ

ଆମ୍ଭ ଜନ ବୋଲି ଆମ୍ଭେ ଆଦରିଲୁ ଜାଣ ॥

ଆମ୍ଭେ ଅଟୁ ଶଚିସୂତ ଚୈତନ୍ୟ ଠାକୁର

ଶରଧା ବଳିଲା ଆମ୍ଭ ପୁତ୍ରଠାରେ ତୋର

ଅନ୍ତରୀକ୍ଷେ ନୀଳଗିରି ଠାବରୁ ଅଇଲୁ

ଓଡ଼ରାଷ୍ଟ୍ର ଉଦ୍ଧାରଣେ ଏ ପୁତ୍ରକୁ କଲୁ ॥

ଗଉରବର୍ଣ୍ଣ ଛାଡ଼ିଣ କୃଷ୍ଣବର୍ଣ୍ଣ ହେଲେ

ତ୍ରିଭଙ୍ଗୀ ହୋଇଣ ବଂଶୀ ହସ୍ତରେ ଧଇଲେ ॥

ବେନିଭୁଜେ ଧଇଲେ ଯେ ଦଣ୍ଡକମଣ୍ଡଳ

ଆର ବେନିଭୁଜେ ଅଛି ବାୟେଁ ଶର ହୁଳ ॥

ଅପୂର୍ବ ରୂପ ଦେଖିଣ ପଡ଼ି ପାଦତଳ ।

ସ୍ୱୟଂ କୃଷ୍ଣ ବିଜେ କଲେ ସ୍ଵଭାଗ୍ୟ କର୍ମର ॥

ଅପୂର୍ବ ମଣୋହି ସଞ୍ଚା କଲେକ ଭୋଜନ

ଏସନ ହୋଇଣ ଆମ୍ଭ ଗୁରୁଙ୍କ ଦର୍ଶନ ॥

ହରେ କୃଷ୍ଣ ମନ୍ତ୍ର କହି କାମବୀଜ ଦେଲେ

ଶୀରିଂ ବୀଜତେ ରାଧାମନ୍ତ୍ର ବୁଝାଇଲେ ॥

ଆଦିନାମ ତୁମ୍ଭର ଅଟଇ ପୁଣ କିସ

ଏକଥା କହିବା ହେଉ ଶୁଣିଥାନ୍ତୁ ଶିଷ ॥

ଆମ୍ଭନାମ ଗୌରହରି ସଂସାରେ ବିହରି

କଳିକାଳ ଦେଖିଣ ଯେ ଧଇଲୁ ଏ ଶିରୀ ॥

ବଇରାଗ ବେଶ ଧରି ଡୋର କଉପୁନି

ଆମ୍ଭ ଭେଖ ଧରିଭକ୍ତେ ବିହରି ମେଦିନୀ ॥

ଆବର ଅଚ୍ୟୁତ ତୁମ୍ଭେ ରାହାସ ରଞ୍ଚିବ

ଓଡ଼ରାଷ୍ଟ୍ରେ ତୁମ୍ଭର ଯେ କଥା ରହିଥିବ ॥

 

ଶୂନ୍ୟସଂହିତା ଓ ଗୁରୁଭକ୍ତି ଗୀତା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ରଚିତ ଏହା ଉଭୟ ଗ୍ରନ୍ଥର ଭଣିତାରୁ ସ୍ପଷ୍ଟ ଜଣାଯାଏ । ତେବେ ମହାପୁରୁଷଙ୍କ ମ୍ୱଉକ୍ତିରେ ଏପରି ବୈସାଦୃଶ୍ୟ ଲକ୍ଷିତ ହେବାର କାରଣ କଣ । ଶ୍ରୀଚୈତନ୍ୟଚନ୍ଦ୍ର ନିଜେ ଦୀକ୍ଷା ଦେବାକଥା ଗୁପ୍ତ ରଖିବା ଅଭିପ୍ରାୟରେ ଅଚ୍ୟୁତାନନ୍ଦଙ୍କୁ ପୁରୀଧାମ ଗମନାର୍ଥ ଆଦେଶ ଦେଇ ଯାଇଥିଲେ । ସନାତନାଦି ଗୋସ୍ୱାମୀମାନଙ୍କ ମାହାତ୍ମ୍ୟ ପ୍ରଖ୍ୟାପନରେ ବାଧା ଆଶଙ୍କାକରି ବୋଧହୁଏ ଏପରି ଉପାୟ ଅବଲମ୍ବିତ ହୋଇଥିଲା । କେହି କେହିବା କହି ପାରନ୍ତି ଯେ, ଚୈତନ୍ୟଚନ୍ଦ୍ରଙ୍କର ଅନ୍ତରୀକ୍ଷରେ ଯାଇ ଅଚ୍ୟୁତଙ୍କୁ ଦର୍ଶନ ଦେବା କାଳ୍ପନିକଛଡ଼ା ଅନ୍ୟ କିଛି ନୁହେଁ । ଏ ଉକ୍ତି ଜଡ଼ବାଦୀର ମୁଖରେ ସମ୍ଭବପର । ଚୈତନ୍ୟଙ୍କ ବିଭୂତିପ୍ରକାଶ ସ୍ଥାନେ ସ୍ଥାନେ ଚୈତନ୍ୟ ଚରିତ୍ରାମୃତାଦିରେ ବର୍ଣ୍ଣିତ ଅଛି । ସେ ନିଜେ ଭକ୍ତ ଓ ଭଗବାନ୍‌ ଥିଲେ । ତହୁଁ ଜପ, ତପ, ଜ୍ଞାନ, ଧ୍ୟାନ ଓ ଯୋଗଆଦି ସମସ୍ତ ବିଷୟ ତାଙ୍କଠାରେ ସମ୍ଭବପର ଥିଲା । କେହି କେହି କହିପାରନ୍ତି ଗୁରୁଭକ୍ତି ଗୀତା ଅଚ୍ୟୁତାନନ୍ଦଙ୍କ କୌଣସି ଶିଷ୍ୟ ପ୍ରଶିଷ୍ୟଙ୍କଦ୍ୱାରା ରଚିତ ହୋଇ ମହାପୁରୁଷଙ୍କ ନାମରେ ଭଣିତା ହୋଇଅଛି । ଏହା ସ୍ୱୀକାର୍ଯ୍ୟ ଯେ, ଭକ୍ତ ବୈଷ୍ଣବମାନେ ପ୍ରଧାନ ପ୍ରଧାନ ମହାପୁରୁଷଙ୍କ ନାମରେ ଗ୍ରନ୍ଥ ରଚନା କରିଅଛନ୍ତି । ତାହାର ନିଦର୍ଶନସ୍ୱରୂପ ଛତିଆ ଗାଦିର ପ୍ରତିଷ୍ଠାତା ହାଡ଼ିଦାସ । (ଯେ କି ଅଚ୍ୟୁତାନନ୍ଦଙ୍କର ଅବତାରରୂପେ ସେ ସମ୍ପ୍ରଦାୟର ଲୋକଙ୍କଦ୍ୱାରା ଗୃହୀତ ହୋଇ ଅଛନ୍ତି ) ଅଚ୍ୟୁତାନନ୍ଦଙ୍କ ନାମରେ ଅନେକ ଭଜନାଦି ରଚନା କରି ଅଛନ୍ତି । ଏ କଳ୍ପନା ଏ କ୍ଷେତ୍ରରେ ସମ୍ଭବପର ନୁହେ । କାରଣ ଶୂନ୍ୟସଂହିତା ଓ ଗୁରୁଭକ୍ତି ଗୀତା ସାଧାରଣ ବୈଷ୍ଣବ ସାଧକଙ୍କଦ୍ୱାରା ଲିଖିତହେବା ଅନୁମିତ ହେଉନାହିଁ । ଯେଉଁମାନେ ଏହି ଗ୍ରନ୍ଥଦ୍ୱୟ ବିଚାର ଓ ଶ୍ରମସ୍ୱୀକାର ପୂର୍ବକ ପାଠକରି ଅଛନ୍ତି ସେମାନେ ନିଶ୍ଚୟ କହିବେ ଯେ ଏହି ଦୁଇଗ୍ରନ୍ଥ ସେହି କ୍ଷଣଜନ୍ମା ଯୋଗିପ୍ରବର ଭକ୍ତ ଶିରୋମଣି ସିଦ୍ଧପୁରୁଷ କୃଷ୍ଣଲୀଳାରସପାୟୀ ମହାପୁରୁଷ ଅଚ୍ୟୁତାନନ୍ଦ ଗୋସ୍ୱାମୀ ପ୍ରସୂତ ।

 

ଏହି ଦୀକ୍ଷା ବା ନାମକରଣାନନ୍ତର ଅଚ୍ୟୁତ ପିତାଙ୍କ ସହ ତ୍ରିପୁର ବା ତିଳକଣା ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ନାମ କରଣର ‘ଦଶମାସ ଦଶବର୍ଷ’ ପରେ ଅର୍ଥାତ୍ ପ୍ରାୟ ୧୫୨୭ ବା ୧୫୨୮ ଖ୍ରୀଷ୍ଟାବ୍ଦରେ ତାଙ୍କ ଚିତ୍ତ ନିଶ୍ଚଳ ହୋଇ ଯାଇଥିଲା ଏବଂ ସେ ସେହି ସମୟରେ ସ୍ୱଗ୍ରାମ ତ୍ରିପୁରର ପଶ୍ଚିମ ବଟମୂଳରେ ଧ୍ୟାନସ୍ଥ ଥାଇ ବ୍ରହ୍ମାଣ୍ଡ ଠାକୁରଙ୍କ ଦର୍ଶନ ଅନୁଭବ କରିଥିଲେ । ସେହି ମହାନନ୍ଦମୟ ପୁରୁଷଙ୍କ ଦିବ୍ୟବାଣୀରେ ଅଚ୍ୟୁତଙ୍କ ହୃଦୟ ଜ୍ଞାନାମୃତରେ ଆପ୍ଳୁତ ହୋଇଥିଲା ଏବଂ ସର୍ବାଙ୍ଗ ଜ୍ୟୋତିରେ ବିଭାସିତ ହୋଇଥିଲା । ଧ୍ୟାନର ବିଲୟରେ ସ୍ୱପ୍ନର ତିରୋଧାନରେ ସେ ସମସ୍ତ ଅନୂଭୂତ ବିଷୟ ଭାବିବାକୁ ଲାଗିଥିଲେ ସେହି ପ୍ରଭୁଙ୍କ ପ୍ରାପ୍ତି ଉଦ୍ଦେଶ୍ୟରେ ମନ ଉଦ୍‌ବିଗ୍ନ, ହୃଦୟ ଆଲୋଡ଼ିତ ହୋଇଥିଲା କାରଣ ସେ ସମସ୍ତ ବିଷୟକୁ ସତ୍ୟରୂପେ ଅନୁଭବ କରିଥିଲେ । ସବୁ ବିଷୟରେ ତାଙ୍କର ଜ୍ଞାନର ସ୍ୱତ୍ୱଃ ସ୍ଫୁରଣ ହେଲା । ଗୀତା, ଭାଗବତ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ସିଦ୍ଧାନ୍ତ, ଯୋଗାନ୍ତ, ନାଗାନ୍ତ ବେଦାନ୍ତ ଆଦିରେ ବ୍ୟୁତ୍ପତ୍ତି ହେଲା । କ୍ରମଶଃ ତାଙ୍କ ଜ୍ଞାନର ପରିସର ଅଦ୍ଭୁତରୂପେ ବୃଦ୍ଧିଲାଭ କଲା । ତାହା ଯେପରି ବିଶାଳ ସେହିପରି ଗଭୀର ଥିଲା ।

 

‘‘ଦଶମାସ ଦଶବରଷ ଅନ୍ତରେ ହୋଇଲା ଏମନ୍ତ ପୁଣ ।

କର୍ନର କଷଣ ବନ୍ଧନ ଫିଟିଲା ପ୍ରବେଶ ହେଲା ନିର୍ଗୁଣ ॥

ଚଞ୍ଚଳ ଚିତ୍ତ ମୋ ନିଶ୍ଚଳ ହୋଇଲା ରସିଲା ନିରତେ ମଜ ।

ସୁଦୟା କଲେ ସେ ବ୍ରହ୍ମାଣ୍ଡ ଠାକୁର ବିଜେକଲେ ଗୁରୁବ୍ରହ୍ମ ॥’’

+            +            +            +

 

ଅଚ୍ୟୁତାନନ୍ଦ ତାହାଙ୍କୁ ନମସ୍କାର କରି ତାଙ୍କର ପରିଚୟ ଜିଜ୍ଞାସା କରିବାରୁ ସେ କହିଲେ ।

 

ଅନାଦି ପୁରୁଷ ଆମ୍ଭେ ତୋର ଗୁରୁ ଚିହ୍ନ ନ ପାରିଲୁ ଯେଣୁ ।

ମହାନନ୍ଦ ଆମ୍ଭ ନାମ ଯେ ଅଟଇ ମନୁଜାତ ହେଲୁ ଯେଣୁ ॥

ଆମ୍ଭ ଗୁରୁନାମ କହିବା କୁମର ପରମାନନ୍ଦ ଅଟନ୍ତି ।

ପରମାନନ୍ଦଙ୍କ ଗୁରୁ ନାମ ତହିଁ ବ୍ରହ୍ମାନନ୍ଦ ପ୍ରକଟନ୍ତି ॥

ବ୍ରହ୍ମାନନ୍ଦ ଯେହୁ ଅବିଦ୍ୟ ଅବ୍ୟକ୍ତ ଦିବ୍ୟାନନ୍ଦ ତହୁଁ ଜାଣ ।

ତାଙ୍କ ଗୁରୁନାମ ସଚ୍ଚିଦାନନ୍ଦଟି ସ୍ୱଂୟ ଅନାଦି ନିର୍ବାଣ ॥

x            x            x            x

‘‘ପ୍ରସନ୍ନ ହୋଇଣ ପରମବ୍ରହ୍ମ ଯେ ଅଣାକ୍ଷର ମନ୍ତ୍ର ଦେଲେ ।

ଉପଦେଶ ଦେଇ ବ୍ରହ୍ମାଣ୍ଡ ଠାକୁର ଅନ୍ତର୍ଦ୍ଧାନ ହୋଇଗଲେ ॥

ସ୍ୱପନ ଚେତି ମୁଁ ତତ୍‌କ୍ଷଣ ଉଠି ଚାହିଁଲି ମୁଁ ଦଶଦିଗ ।

କେଣେ ଗଲେ ପ୍ରଭୁ କୃପାଜଳନିଧି ମନହେଲା ଉଦ୍‌ବେଗ ॥

ପଶ୍ଚିମ ବଟର ମୂଳେ ବସି ମୁହିଁ ସ୍ୱପନ କଥା ପାଞ୍ଚିଲି ।

ସେ ରୂପକୁ ଧ୍ୟାନ କରିଣ ମୁହଁ ଯେ ସାକ୍ଷାତ୍‌ ପ୍ରାୟେ ମଣିଲି ॥

ସ୍ଫୁରିଲା ଯେ ପଦ ସେ ଜ୍ଞାନରେ ଭେଦ ଗୀତା ଭାଗବତ ଆଦି ।

ସିଦ୍ଧାନ୍ତ ବେଦାନ୍ତ ସର୍ବ ବିଧିମତ ମନ୍ତ୍ର ତନ୍ତ୍ର ଯେ ଇତ୍ୟାଦି ॥

 

ସେ ସ୍ନୀୟ ଜ୍ଞାନକୁ ତାଙ୍କର ଗୋପାଳ ଶିଷ୍ୟମାନଙ୍କ ମଧ୍ୟରେ ବିତରଣ କରିଥିଲେ । ରାମଚନ୍ଦ୍ର ଓ ଭରତଙ୍କ ସହ ଦ୍ୱାଦଶ ଗୋପାଳ ମୁକୁନ୍ଦ, ଅନନ୍ତ, ବତ୍ସ, ପବନ, ସୁଦାମ, ଯାଦବ, ବାଳକ, ମଧୁ, ମଥୁରି, ଉତ୍ଥାନ, ଗୋବିନ୍ଦ, ବୃନ୍ଦାବନଙ୍କ ମାଧ୍ୟରେ ବିତରଣ କରିଥିଲେ । ସେ ସେମାନଙ୍କ ସହ ପୁରୀଧାମକୁ ଯାତ୍ରା କରିଥିଲେ । ସେଠାରେ ଗୋପାଳଙ୍କ ସହ ପ୍ରଭୁଚୈତନ୍ୟଚନ୍ଦ୍ରଙ୍କଠାରୁ ଖୋଳ କରତାଳ ଗ୍ରହଣ କରି ଚୈତନ୍ୟମଣ୍ଡଳୀରୁ ଗୀତ, ବାଦ୍ୟ, ତାନ, ମାନ, ମୂର୍ଚ୍ଛନା ପ୍ରଭୃତି ଶିକ୍ଷା କରୁଥିଲେ । ଚୈତନ୍ୟଚନ୍ଦ୍ରଙ୍କଠାରୁ ମନ୍ତ୍ର ଉପଦେଶ ଓ କରତାଳି ଗ୍ରହଣକରି ଓ ଡୋର କୌପୀନ ପ୍ରାପ୍ତହୋଇ ବୈରାଗ୍ୟରେ ତୀର୍ଥ ପର୍ଯ୍ୟଟନ କରିଥିଲେ । ଦକ୍ଷିଣରେ ରାମେଶ୍ୱର ତହୁଁ ଉତ୍ତର ପଶ୍ଚିମାଭିମୁଖରେ ଚିତ୍ରକୂଟ ଦ୍ୱାରକା ଦେଇ ଅଯୋଧ୍ୟା, କାଶୀ, ପ୍ରୟାଗ, ମଥୁରା ଦର୍ଶନ କରି ବୃନ୍ଦାବନରେ ଉପସ୍ଥିତ ହୋଇଥିଲେ । ସେ ସେଠାରେ ପ୍ରାୟ ଦୁଇ ବର୍ଷ ଅତିବାହିତ କରି ଗଙ୍ଗା ଗୌତମୀ ତୀର୍ଥ ଭ୍ରମଣ ପୂର୍ବକ ଅବଶେଷରେ ରଥଯାତ୍ରାକାଳରେ ନୀଳାଚଳକୁ ୧୫୩୦ ବା ୧୫୩୧ ଖ୍ରୀରେ ଯାତ୍ରା କରିଥିଲେ । ବଡ଼ଦାଣ୍ଡରେ ଚୈତନ୍ୟଚନ୍ଦ୍ରଙ୍କ ସହିତ ତାଙ୍କର ପୁନଃ ସାକ୍ଷାତ୍‌ ହୋଇଥିଲା । ଚୈତନ୍ୟଚନ୍ଦ୍ରଙ୍କ ଆଦେଶ ମତେ ସେ ବଳରାମ, ଜଗନ୍ନାଥ ପ୍ରଭୃତି ଶିଷ୍ୟଗଣଙ୍କ ସହ ନୃତ୍ୟ ଗୀତରେ ଯୋଗ ପ୍ରଦାନ କରିଥିଲେ ।

 

ରାମଚନ୍ଦ୍ର ମୁଁ ଯେ ଭରତ ଯାଦବ ବଳକୁ ଘେନିଣ ସଙ୍ଗେ ।

ନୀଳାଚଳେ ଯାଇ ଗହଣେ ଖଟିଲି ଭଗତ ଭାବରେ ରଙ୍ଗେ ॥

ସୁଦୟା କରି ନବଦୀପ ଈଶ୍ୱର ଖୋଳ କରତାଳ ଦେଲେ ।

ସଂକୀର୍ତ୍ତନ କରି ରାହାସ ଲୀଳା ଯେ ସଂସାରେ ରଚ ବୋଇଲେ ॥

ତାନ ମାନ ଯେତେ ମୂର୍ଚ୍ଛନା ସହିତେ ଶିଖାଇଲେ ଦୟାକରି ।

ମନ୍ତ୍ର ଉପଦେଶ କରି କରତାଳି ଯୋଡ଼ି ସେହୁ ଦେଲେ ଧରି ॥

ଚୈତନ୍ୟ ଠାକୁର ଶ୍ରୀମୁଖ ଆଜ୍ଞାରେ ଡୋର କଉପୀନ ନେଲି

ସିଂହାସନେ ପ୍ରଭୁ ଦର୍ଶନ କରିଣ ତୀର୍ଥ ପର୍ଯ୍ୟଟନେ ଗଲି ॥

ରାମେଶ୍ୱର ଚିତ୍ରକୁଟହିଁ ଦେଖିଲି ଅଯୋଧ୍ୟା ଦ୍ୱାରକା ଆଦି ।

କାଶୀ ବାରଣସୀ ପ୍ରୟାଗ ସହତେ ଗୋପମଥୁରାକୁ ଭେଦି ॥

ବୃନ୍ଦାବନେ ବେନି ଚତୁର୍ମାସ୍ୟା ବହି ଯମନା ସ୍ନାହାନ ସାରି ।

ଗଙ୍ଗା ଗଉତମୀ ତୀର୍ଥ ଆଦି ଭ୍ରମି ଅଇଲି ଯେ ନୀଳଗିରି ॥

ରଥେ ଦର୍ଶନ କରିଣ ଜଗନ୍ନାଥ ବଳଭଦ୍ରଙ୍କୁ ଦେଖିଲି ।

ସୁଭଦ୍ରା ସୁଦର୍ଶନ ଆଦି କରିଣ ରଥ ପ୍ରଦକ୍ଷିଣ କଲି ॥

 

ଅଗାଧବୋଧସମ୍ପନ୍ନ ଶ୍ରୀ ଚୈତନ୍ୟଚନ୍ଦ୍ର ଅବକାଶ ମତେ ମୁକ୍ତିମଣ୍ଡପରେ ବସି ତାନ୍ତ୍ରିକ ସ୍ମାର୍ତ୍ତ ବ୍ରାହ୍ମଣ ପଣ୍ଡିତମାନଙ୍କର କୁଟ ପ୍ରଶ୍ନର ଉତ୍ତର ପ୍ରଦାନ କରୁଥିଲେ ଓ ଅନ୍ୟାନ୍ୟଙ୍କର ଶାସ୍ତ୍ର ବିଷୟକ ସଂଶୟମାନ ଛେଦନ କରୁଥିଲେ ।

 

ମହା ପଣ୍ଡିତ ଶ୍ରୀ ଚୈତନ୍ୟ ଗୋସାଇଂ ବେଦ ବେଦାନ୍ତରେ ସାର ।

ଯେ ଯେମନ୍ତେ ବିଦ୍ୟା ଶଙ୍ଖୋଳା କରନ୍ତି ପଢ଼ନ୍ତି ସେହି ପ୍ରକାର ॥

ପଣ୍ଡିତ ବ୍ରାହ୍ମଣ କେତେହେଁ ମିଳିଣ ମୁକ୍ତିମଣ୍ଡପରେ ବସି ।

ପୁରାଣାଦି ଶାସ୍ତ୍ର ଅର୍ଥ କରୁଥାନ୍ତି ଆପଣା ଶ୍ରୀମୁଖେ ହସି ॥

 

ଏ ଦେଶରେ ପ୍ରବାଦ ଅଛି ଯେ ଚୈତନ୍ୟଙ୍କ ବୈଷ୍ଣବ ଧର୍ମରେ ପ୍ରତାପରୁଦ୍ରଙ୍କ ମତି ଆକୃଷ୍ଟ ହେବାର ଦେଖି ଉତ୍କଳୀୟ ସ୍ମାର୍ତ୍ତ ବ୍ରାହ୍ମଣ ପଣ୍ଡିତମାନେ ସାତିଶୟ କ୍ଷୁବ୍‌ଧ ହୋଇଥିଲେ । ସେମାନେ ବହୁ ଯତ୍ନ ଓ କୌଶଳରେ ଚୈତନ୍ୟଚନ୍ଦ୍ରଙ୍କୁ ତର୍କରେ ପରାଜୟ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କର ପ୍ରଚଣ୍ଡ ଜ୍ଞାନାନଳରେ ସେମାନଙ୍କର ମାୟାତର୍କତନ୍ତୁ ଭସ୍ମୀଭୂତ ହୋଇ ଯାଇଥିଲା । ବଳରାମ ପ୍ରମୁଖ ଶୂଦ୍ର ବୈଷ୍ଣବମାନଙ୍କ ସ୍ଥାନେ ସ୍ଥାନେ ବେଦାନ୍ତ ମତ ପ୍ରଖ୍ୟାପନ ଓ ଶାସ୍ତ୍ରାର୍ଥ ବିତରଣ କରିବା ଦେଖି ସେମାନଙ୍କ ଈର୍ଷ୍ୟା ଜାତ ହୋଇଥିଲା । ତହୁଁ ସେମାନେ ରାଜପରିଷଦଙ୍କଦ୍ୱାରା ରାଜା ପ୍ରତାପରୁଦ୍ରଙ୍କୁ ପ୍ରବର୍ତ୍ତିତ କରାଇ ଶୂଦ୍ର ବୈଷ୍ଣବମାନଙ୍କୁ ସ୍ୱୀୟ ପାଣ୍ଡିତ୍ୟ ପରୀକ୍ଷାର୍ଥ ଆହ୍ୱାନ କରିଥିଲେ -

 

ଏହା ଦେଖି ଦ୍ୱିଜମାନେ କହିଲେ ଯେ ରାଜନ ଆଗରେ ପୁଣ ।

ଶୂଦ୍ର ବଇଷ୍ଣବମାନେ ତ ସିଦ୍ଧାନ୍ତ କରୁଅଛନ୍ତି ଭଜନ ॥

ବଳରାମ ଦାସ ବୋଲି ଶୂଦ୍ର ଜଣେ କହେ ସେ ବେଦାନ୍ତ ସାର ।

ଛାମୁକୁ ହକାରି ଭୋ ଦେବ ତାହାଙ୍କ ତତ୍ତ୍ୱକୁ କିଛି ପଚାର ॥

ପାଞ୍ଚ ସାତଜଣ ବୈଷ୍ଣବ ମିଳିଣ ଗତ ଆଗତ କହନ୍ତି ।

ସହି ନ ପାରିଣ ବ୍ରାହ୍ମଣ ଖୁଣ୍ଟିଆ ରାଜାଙ୍କୁ ଚାଳି ଦିଅନ୍ତି ॥

ଏକଦିନେ ଶୋଧ କରିଣ ରାଜନ ସଖା ପଞ୍ଚକ ଯେ ଆଣି ।

ଏମନ୍ତ ସମୟେ ମିଳିଗଲେ ଆସି ବୀରସିଂହ ନୃପମଣି ॥

ପରୀକ୍ଷା ପଡ଼ିଲା ରାଜନ ଜାଣିଲା ବିପ୍ରଙ୍କ ଭାଜିଲା ଟାଣ ।

ପାମର ଅଚ୍ୟୁତ ପାଦପଦ୍ମେ ସେବା ପ୍ରଭୁଙ୍କ ଆଜ୍ଞା ପ୍ରମାଣ ?

 

ପଞ୍ଚଶଖାଙ୍କ ପରୀକ୍ଷା ରାଜା ପ୍ରତାପରୁଦ୍ରଦେବଙ୍କଦ୍ୱାରା ହୋଇଥିବା ବିଷୟ ଗୁପ୍ତଗୀତା, ଶୂନ୍ୟସଂହିତା, ଦାର୍ଢ଼୍ୟତାଭକ୍ତି ପ୍ରଭୃତି ଗ୍ରନ୍ଥମାନଙ୍କରେ ଲିଖିତ ଅଛି । ସେମାନଙ୍କର ପରୀକ୍ଷା ଏକ କାଳରେ ବା ବର୍ଷେ ଦୁଇବର୍ଷ ମଧ୍ୟରେ ହୋଇଥିବା ମଧ୍ୟ ସମ୍ଭବପର ନୁହେଁ । ରଥେ ‘‘ବଳରାମ ଦାସ ଓ ବ୍ରହ୍ମାଣ୍ଡ ଭୂଗୋଳ’’ ଶୀର୍ଷକ ପ୍ରବନ୍ଧରେ ଲେଖି ଅଛନ୍ତି ଯେ ‘‘ଯେଉଁ ସମୟରେ ବଳରାମଙ୍କ ବେଦାନ୍ତ ଜ୍ଞାନ ପରୀକ୍ଷା ହୋଇଥିଲା ସେହି ସମୟରେ ଶୂନ୍ୟ ପୂଜକ ଅନ୍ୟତମ ସଖା ଅଚ୍ୟୁତାନନ୍ଦଙ୍କ ଶୂନ୍ୟ ଭଜନ ଓ ଯୋଗସାଧନ ପରୀକ୍ଷା ମଧ୍ୟ ହୋଇଥିଲା ।’’ ଏ ଉକ୍ତି ସମୀଚୀନବତ୍‌ ପ୍ରତୀତ ହେଉନାହିଁ । କାରଣ ପ୍ରତାପରୁଦ୍ର ନରପତିଙ୍କ ସପ୍ତଦଶ ଅଙ୍କରେ ବଳରାମ ଦାସଙ୍କ ପରୀକ୍ଷା ହୋଇଥିବା ବଳରାମ ଦାସ କୃତ ବେଦାନ୍ତସାର ଗୁପ୍ତଗୀତାର ପ୍ରଥମ ଅଧ୍ୟାୟରେ ଲିଖିତ ଅଛି ।

 

ରୁଦ୍ର ଅଂଶରେ ଗଜପତି

ପ୍ରତାପରୁଦ୍ର ଯେ ନୃପତି

ତାହାର ସପ୍ତଦଶ ଅଙ୍କ

ମକର ମାସ ଶୁକ୍ଳପକ୍ଷ

ଶ୍ରୀ ଏକାଦଶୀ ଗୁରୁବାର

ମୁକତମଣ୍ଡପ ମଧ୍ୟର

ବିପ୍ରେ ଯେ ଜପ ସ୍ତୁତି ସାରି

ବସିଲେ ବେଦାନ୍ତ ବିଚାରି

+            +

+            +

ତୁ ସୋମନାଥ ଶୁଦ୍ର ସୁତ

ତୁ କହୁ ବେଦାନ୍ତ ଚରିତ

ତୁ ଛାର ମୂଢ଼ ହୀନଜନ

ତୁ କହୁ ବେଦାନ୍ତ ବିଧାନ

 

ହଣ୍ଟର୍‌ ସାହେବଙ୍କ ମତରେ ପ୍ରତାପରୁଦ୍ରଦେବ ୧୫୦୪ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ । ତହୁଁ ଉକ୍ତ କାଳ ୧୫୧୭ ଖ୍ରୀଷ୍ଟାବ୍ଦରେ ପଡ଼ୁଅଛି । ହଣ୍ଟର ସାହେବଙ୍କ ଗଣନା ଠିକ ନୁହେଁ । କାରଣ କପିଳେନ୍ଦ୍ର ଦେବଙ୍କ ଚଳିତ ଅବ୍ଦ ଗଣନାନୁସାରେ ପ୍ରତାପରୁଦ୍ର ୧୪୯୬ ବା ୧୪୯୭ ସାଲରେ ସିଂହାସନ ଆରୋହଣ କରିବା ସମ୍ଭବପର । ଉତ୍କଳ ଇତିହାସ ଲେଖକ କୃପାସିନ୍ଧୁ ମିଶ୍ର ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ କାଳ ୧୪୯୫ଠାରୁ ୧୫୩୨ ସାଲ ପର୍ଯ୍ୟନ୍ତ ନିର୍ଣ୍ଣୟ କରି ଅଛନ୍ତି । ତାଙ୍କ ରାଜତ୍ୱ କାଳ ସଠିକ ନିର୍ଣ୍ଣୟ କରି କହିବା ସହଜ ବିଷୟ ନୁହେଁ । ଆମ୍ଭେମାନେ ଯେତେଦୂର ଅନୁମାନ କରୁଁ ଯେ ସେ ୧୪୯୬ ବା ୯୭ ସାଲରୁ ୧୫୩୨ ବା ୩୩ ସାଲ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ଏହି ଗଣନା ଅନୁସାରେ ୧୫୦୯ ବା ୧୫୧୦ ସାଲରେ ପ୍ରତାପରୁଦ୍ରଙ୍କ ସପ୍ତଦଶ ଅଙ୍କ ପଡ଼ୁଅଛି । ସେହି ସମୟକୁ ଅଚ୍ୟୁତାନନ୍ଦ ଜନ୍ମଲାଭ କରି ନ ଥିଲେ । ହଣ୍ଟରଙ୍କ ଗଣନା ତ ଧରିବାର କଥା ନୁହେ । ସେ ଅନୁସାରେ ୧୫୧୭ ସାଲରେ ଅଚ୍ୟୁତାନନ୍ଦଙ୍କୁ କେବଳ ୫ବର୍ଷ କି ୬ ବର୍ଷ ବୟସ ହୋଇଥିଲା । ତହୁଁ ସେ ବା କିପରି ରାଜା ପ୍ରତାପରୁଦ୍ରଙ୍କ ସପ୍ତଦଶ ଅଙ୍କରେ ପରୀକ୍ଷା ନିମନ୍ତେ ଉପସ୍ଥିତ ହୋଇଥିଲେ ।

 

ଅଚ୍ୟୁତାନନ୍ଦଙ୍କ ଜନ୍ମକାଳ ନିର୍ଣ୍ଣୟ, ସନାତନ ଗୋସ୍ୱାମୀଙ୍କଠାରୁ ନାମଗ୍ରହଣ ପ୍ରଭୃତି ଇତିପୂର୍ବେ ସବିସ୍ତାର ବିଚାର ହୋଇଅଛି । ଏ ସମସ୍ତ ଦୃଷ୍ଟିରେ ପଞ୍ଚଶାଖାଙ୍କର ଏକ ସମୟରେ ପରୀକ୍ଷା ହେବା ସମ୍ଭବପର ନୁହେଁ । ସପ୍ତଦଶ ଅଙ୍କ ସ୍ଥାନରେ ସପ୍ତତ୍ରିଂଶ ଅଙ୍କ ପାଠ କଲେ ପରୀକ୍ଷାର ସମକାଳତ୍ୱ ସମ୍ଭବପର ହୋଇପାରେ କିନ୍ତୁ ସେପରି ପାଠ କରିବାର କୌଣସି ପ୍ରମାଣ ନାହିଁ । ବଳରାମ ଦାସ ପ୍ରଭୃତିଙ୍କ ବି ପରୀକ୍ଷା ବିଷୟକ ଶୂନ୍ୟସଂହିତାର ଉପରୋକ୍ତ ଉଦ୍ଧୃତାଂଶ ପ୍ରକ୍ଷିପ୍ତରୂପରେ ଗୃହୀତ ହୋଇପାରେ କାରଣ ସ୍ଥଳବିଶେଷରେ ପୋଥିମାନଙ୍କରେ ଏ ପାଠ ନାହିଁ ଓ ଦତ୍ତପ୍ରେସ୍‌ଦ୍ୱାରା ମୁଦ୍ରିତ ଶୂନ୍ୟସଂହିତାରେ ମଧ୍ୟ ନାହିଁ । ଶ୍ରୀ ମଣିଲାଲ ମହାରଣାଙ୍କଦ୍ୱାରା କଲିକତାର ଉତ୍କଳ ଯନ୍ତ୍ରାଳୟରୁ ଓ ଅରୁଣୋଦୟ ଯନ୍ତ୍ରାଳୟରୁ ପ୍ରକାଶିତ ଶୂନ୍ୟସଂହିତା ଦ୍ୱୟରେ ଏ ପାଠ ସନ୍ନିବେଶିତ ଅଛି । ପ୍ରକ୍ଷିପ୍ତରୂପେ ଗ୍ରହଣ ନ କରି ଅଚ୍ୟୁତାନନ୍ଦଙ୍କ ପଦରୂପେ ଗ୍ରହଣ କଲେ ଆମ୍ଭମାନଙ୍କୁ ଏହି ସ୍ଥିର ସିଦ୍ଧାନ୍ତରେ ଉପନୀତ ହେବାକୁ ହେଉଅଛି ଯେ ସେ ସମୟରେ କେବଳ ବଳରାମଙ୍କ ପରୀକ୍ଷା ହୋଇଥିଲା । ଅଚ୍ୟୁତାନନ୍ଦଙ୍କ ପରୀକ୍ଷା ହୋଇ ନ ଥିଲା । କେବଳ ଗୌଣଭାବରେ ଶୂଦ୍ର ‘‘ବୈଷ୍ଣବମାନେ’’ ‘‘ସଖାପଞ୍ଚକ’’ ଲିଖିତ ହେବା ଆମ୍ଭମାନଙ୍କର ବିଶ୍ୱାସ ।

 

ଏହିପରି କାଳଭ୍ରମ ବା ପ୍ରମାଦର ଆଉ ଗୋଟିଏ ଉଦାହରଣ ଆମ୍ଭେମାନେ ଶୂନ୍ୟସଂହିତାର ଦ୍ୱିତୀୟ ଅଧ୍ୟାୟରେ ପ୍ରାପ୍ତ ହୋଇଅଛୁଁ ।

 

‘‘ଭ୍ରମି ନିଳାଚଳକୁ ସେ କଲେକ ଗମନ

ସଙ୍ଗତେ ଘେନିଣ ସେ ଯେ ପଞ୍ଚ ମହାଜନ ॥

ରୂପ ସନାତନ ସଙ୍ଗେ ଶ୍ରୀଜୀବ ଗୋସାଇଁ

ଗୋପାଳ ଭଟ୍ଟ ଯେ ରଘୂନାଥ ଦାସ କହି ॥’’

 

ଜୀବଗୋସ୍ୱାମିଙ୍କ ଚୈତନ୍ୟଚନ୍ଦ୍ରଙ୍କ ସଙ୍ଗରେ ନୀଳାଚଳକୁ ଆସିବା ବିଷୟ ସମ୍ପୂର୍ଣ୍ଣ ଭ୍ରମାତ୍ମକ । ଯେଉଁ ୧୫୩୩ ସାଲରେ ଚୈତନ୍ୟଚନ୍ଦ୍ରଙ୍କ ତିରୋଭାବ ହୋଇଥିଲା ଜୀବଗୋସ୍ୱାମୀ ସେହି ୧୫୩୩ ସାଲରେ ଜନ୍ମପରିଗ୍ରହ କରିଥିଲେ । ଉପରୋକ୍ତ ଶୂନ୍ୟସଂହିତାର ଉକ୍ତିକୁ ଆମ୍ଭେମାନେ ସାକ୍ଷାତ୍‌ ଦ୍ରଷ୍ଟା ଅଚ୍ୟୁତାନନ୍ଦଙ୍କ ଲେଖନୀପ୍ରସୂତ ବୋଲି କହି ନ ପାରୁ । ଏ ପଦଦ୍ୱୟ ସମସ୍ତ ମୁଦ୍ରିତ ଗ୍ରନ୍ଥମାନଙ୍କରେ ଓ ଅସ୍ମଦ୍ଦୃଷ୍ଟ କେତେକ ତାଳପତ୍ର ପୋଥିରେ ଥିବାସତ୍ତ୍ୱେ ପ୍ରମାଣର ଅଭାବରେ ମଧ୍ୟ ଏହାକୁ ଆମ୍ଭେମାନେ ବାଧ୍ୟ ହୋଇ ପ୍ରକ୍ଷିପ୍ତରୂପେ ଅନୁମାନ କରୁଅଛୁଁ ।

 

ଅଥବା ଅଚ୍ୟୁତାନନ୍ଦ ଗୋସ୍ୱାମୀ ଶୂନ୍ୟସଂହିତା ଗ୍ରନ୍ଥକୁ ଚୈତନ୍ୟଚନ୍ଦ୍ରଙ୍କ ତିରୋଧାନର ଅନେକ ବର୍ଷ ପରେ ଅର୍ଥାତ ବ୪୦।୫୦ର୍ଷ ପରେ ରଚନା କରିଥିବାରୁ ସନାତନ, ରୂପ, ଗୋପାଳ, ରଘୁନାଥ ଦାସଙ୍କ ସହ ଜୀବଗୋସ୍ୱାମିଙ୍କ ନାମ ଭ୍ରମବଶତଃ ଉଲ୍ଲେଖ କରିଅଛନ୍ତି । ଅଚ୍ୟୁତାନନ୍ଦଙ୍କ ଆୟୁକାଳ ୧୦୮ବର୍ଷ; ତାହା ଆମ୍ଭେମାନେ ଅନେକ କାରଣ ବଶରୁ ଅନୁମାନ କରିଅଛୁଁ । ସେ ଚୈତନ୍ୟଚନ୍ଦ୍ରଙ୍କ ତିରୋଭାବ ପରେ ପ୍ରାୟ ବ ୮୫।୮୬ର୍ଷ ଜୀବନଯାତ୍ରା ନିର୍ବାହ କରିଥିଲେ । ମହାପୁରୁଷ ସଂହିତାମାନଙ୍କ ମଧ୍ୟରେ ଶୂନ୍ୟସଂହିତା ଅତି ଉତ୍କୃଷ୍ଟ ।

 

ଏହି ଗ୍ରନ୍ଥ ତାଙ୍କର ପ୍ରବୀଣ ବୟସରେ ଲେଖା ହେବା ସମ୍ଭବପର । ଶୂନ୍ୟସଂହିତା ତାଙ୍କ ବ୬୦।୬୫ର୍ଷ କୟଃକାଳରେ ଲିଖିତ ହୋଇଥିଲେ ଉପରୋକ୍ତ ସଂଶୟ ଦୂରୀଭୂତ ହେବାର ଅବକାଶ ଅଛି । କାରଣ ସେ ସମୟକୁ ଜୀବଗୋସ୍ୱାମିଙ୍କର ବୟସ ପ୍ରାୟ ବ୪୦।୪୫ର୍ଷ ହୋଇଥିବ । ତହୁଁ ସେକାଳକୁ ଜୀବଙ୍କ ନାମ ଓ ଗ୍ରନ୍ଥାଦି ପ୍ରସିଦ୍ଧିଲାଭ କରିଥିବ ଓ ସେ ମଧ୍ୟ ଗୋସ୍ୱାମୀରୂପେ ଗୃହୀତ ହୋଇଥିବେ । ସନାତନ, ରୂପ, ରଘୁନାଥ ଓ ଅନ୍ୟାନ୍ୟ ଅଧିକାଂଶ ବୈଷ୍ଣବମାନେ ପୁରୀକ୍ଷେତ୍ରରେ ପ୍ରାୟ ୨।୩ବର୍ଷ ଅବସ୍ଥାନ କରି ଚୈତନ୍ୟଚନ୍ଦ୍ରଙ୍କ ଅନୁଜ୍ଞାମତେ ବୃନ୍ଦାବନରେ ସେମାନଙ୍କ ଅବଶିଷ୍ଟ କାଳ ଅତିବାହିତ କରିଥିବା ଗୌଡ଼ୀୟ ବୈଷ୍ଣବ ଗ୍ରନ୍ଥମାନଙ୍କରୁ ପ୍ରକାଶ ପାଏ । ଯେ ସମୟରେ ଅଚ୍ୟୁତାନନ୍ଦଙ୍କ ନାମକରଣ ହୋଇଥିଲା । ସେସମୟରେ ସନାତନ ରୂପ ପ୍ରଭୃତି ଗୋସ୍ୱାମିମାନେ ପୁରୀଧାମରେ ଚୈତନ୍ୟଚନ୍ଦ୍ରଙ୍କ ସହ ଅବସ୍ଥାନ କରୁଥିଲେ । ସେ ସମୟରେ ତାଙ୍କ ବୟସ ୬ କି ୭; ତହୁଁ ତାଙ୍କ ମନରେ ଗୋସ୍ୱାମିମାନଙ୍କ ବିଷୟରେ ସଠିକ ଧାରଣା ରହିବା ସମ୍ଭବପର ବୋଧ ହେଉନାହିଁ । ଆହୁରି ମଧ୍ୟ ପ୍ରଶ୍ନ ଉଠିପାରେ ଯେ କି ଅଚ୍ୟୁତାନନ୍ଦ ବୃନ୍ଦାବନରେ ଅବସ୍ଥିତ କଲା ସମୟରେ ଜୀବଗୋସ୍ୱାମୀଙ୍କୁ ତ ଅନ୍ୟାନ୍ୟ ଗୋସ୍ୱାମିମାନଙ୍କ ସହ ଦେଖି ନ ଥିବେ; ତେବେ ସେ କିପରି ଏପରି ଭ୍ରମାତ୍ମକ ବିଷୟ ଲେଖିଲେ । ବୋଧହୁଏ ସେ ୪୦।୪୫ ବର୍ଷ ପରେ ସେ ବିଷୟ ସଠିକ ବିବରଣ ଦେବାରେ ଅପାରଗ ହୋଇଥିଲେ । ଆହୁରି ମଧ୍ୟ ଗୋଟିଏ କଥା ମନେରଖିବାକୁ ହେବ ଯେ ସେହି ଭକ୍ତମାନେ ଭାବଭୋଳା ଥିଲେ । ଯେତେବେଳେ ସେମାନଙ୍କ ହୃଦୟ ଭାବରେ ପୂର୍ଣ୍ଣ ଥାଏ; ଯେତେବେଳେ ସେମାନେ ଲୋକର ପାରତ୍ରିକ ଉନ୍ନତିକଳ୍ପେ ବ୍ରତୀ ହୋଇ ବାହ୍ୟଜ୍ଞାନ ଶୂନ୍ୟପୂର୍ବକ ହରିପ୍ରେମରେ ଉନ୍ମାଦନାରେ ଉନ୍ନତ୍ତ ଥିଲେ ସେମାନଙ୍କର ଏହି ବହିରଙ୍ଗା କଥାମାନଙ୍କରେ ଅନେକ ବିସଦୃଶ ଘଟିଯାଏ । ଭଗବତ୍‌ ଲୀଳା ନିତ୍ୟ, ଚୈତନ୍ୟଙ୍କ ଲୀଳା ନିତ୍ୟ, ତହୁଁ ପରିକର ନିତ୍ୟ, ଏ ଦୃଷ୍ଟିରେ ମଧ୍ୟ ସେମାନଙ୍କ ଦୃଷ୍ଟିରେ ସବୁ ନିତ୍ୟରୂପେ ପ୍ରତିଭାତ ହୁଏ । ବହୁଦିଗରୁ ଅନେକ କଥା କହି ଆମ୍ଭେମାନେ ମଧ୍ୟ ପଥଭ୍ରଷ୍ଟ ହୋଇପଡ଼ିଲୁ ପାଠକମାନେ ଆମ୍ଭମାନଙ୍କର ଏହି ବାଚାଳତାକୁ କ୍ଷମା କରିବେ

 

ରାଜା ପ୍ରତାପରୁଦ୍ରଦେବ ପଞ୍ଚସ୍ୱାମିଙ୍କୁ ପରୀକ୍ଷା କରିଥିଲେ, ଏ ବିଷୟରେ ଅଣୁମାତ୍ର ସନ୍ଦେହ ନାହିଁ । ବଳରାମ ଦାସ ସ୍ୱପରୀକ୍ଷା ବିଷୟ ବେଦାନ୍ତସାର ଗୁପ୍ତଗୀତାରେ ସ୍ପଷ୍ଟରୂପେ ବର୍ଣ୍ଣନ କରିଅଛନ୍ତି । କୃପାସିନ୍ଧା ବଳରାମ ଜଡ଼ମୁଖରେ ବେଦାନ୍ତ କୁହାଇଥିଲେ । ବେଦାନ୍ତସାରଗୁପ୍ତଗୀତାରେ ପଞ୍ଚସଖାଙ୍କ ପରୀକ୍ଷା ବିଷୟର ଉଲ୍ଲେଖ ନାହିଁ । ଏକ ସମୟରେ ପରୀକ୍ଷା ହୋଇଥିଲେ ଉକ୍ତ ଗ୍ରନ୍ଥରେ ତାର ବିବରଣ ବା ସୂଚନା ଦିଆ ହୋଇ ପାରି ଥାଆନ୍ତା । ପଞ୍ଚସଖାଙ୍କର ସ୍ୱରପତ୍ଵ ତଥା ଏକ ଧର୍ମଭାବତ୍ଵର ପରସ୍ପରରେ ପରିଚୟ ପୂର୍ବରୁ ବେଦାନ୍ତସାର ରଚିତ ହୋଇଅଛି । ପ୍ରତାପରୁଦ୍ର ଚୈତନ୍ୟ ଦେବଙ୍କୁ ଗୁରୁ ଓ ବଳରାମ ଦାସଙ୍କୁ ପରମଗୁରୁରୂପେ ସ୍ୱୀକାର କରିବା ଉକ୍ତ ଗ୍ରନ୍ଥରେ ଲିଖିତ ଅଛି ।

 

‘‘ଚୈତନ୍ୟ ଗୁରୁ ଯେ ମୋହୋର । ପରମ ଗୁରୁ ତୁମ୍ଭେ ମୋର ॥’’

 

ଗୌଡ଼ୀୟ ବୈଷ୍ଣବ ଲେଖକଙ୍କ ମତରେ ପ୍ରାୟ ୧୫୧୨ ବା ୧୫୧୩ ଖ୍ରୀଷ୍ଟାବ୍ଦରେ ଚୈତନ୍ୟଚନ୍ଦ୍ର ପ୍ରତାପରୁଦ୍ରଙ୍କ ପ୍ରତି କୃପା ପ୍ରଦର୍ଶନା କରିଥିଲେ ବୋଧହୁଏ ସେ ସେହି ସମୟରେ ପ୍ରତାପ ରାଜ୍ୟଙ୍କୁ ମନ୍ତ୍ରଶିକ୍ଷା ଦେଇଥିଲେ । ତାର କେତେକ ବର୍ଷ ପରେ ବଳରାମ ଦାସ ରାଜାଙ୍କୁ ମନ୍ତ୍ର ଶିକ୍ଷାଦେବା ସମ୍ଭବପର । ଦିବାକର ଦାସ ଜଗନ୍ନାଥ ଚରିତାମୃତରେ ଲେଖିଅଛନ୍ତି ଯେ, ଚୈତନ୍ୟଚନ୍ଦ୍ର ପ୍ରତାପରୁଦ୍ରଙ୍କ ପ୍ରତି କୃପା କରି ଅତିବଡ଼ ଜଗନ୍ନାଥ ଦାସଙ୍କୁ ନାମତତ୍ତ୍ୱ କହିବାକୁ ଆଦେଶ କରିଥିଲେ । ପ୍ରତାପ ରାଜା ଜଗନ୍ନାଥ ଦାସଙ୍କୁ ଗୁରୁରୂପେ ଗ୍ରହଣ କରିଥିଲେ । ଉପରୋକ୍ତ ଉକ୍ତିଦ୍ୱୟରୁ ସ୍ପଷ୍ଟ ପ୍ରତିପନ୍ନ ହୁଏ ଯେ, ଉଭୟ ପ୍ରତାପ ରାଜାଙ୍କଦ୍ୱାରା ଗୁରୁତୁଲ୍ୟ ପୂଜିତ ହୋଇଥିଲେ । ପଞ୍ଚସଖା ଚୈତନ୍ୟଚନ୍ଦ୍ରଙ୍କୁ ଗୁରୁରୂପେ ସ୍ୱୀକାର କରିଅଛନ୍ତି । ପଞ୍ଚସଖାଙ୍କ ମଧ୍ୟରେ ବଳରାମ ଜ୍ୟେଷ୍ଠ, ପ୍ରଥମ ଓ ପ୍ରଧାନ ଥିଲେ । ସେ ଜଗନ୍ନାଥ ଦାସଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ ଏହା ଜଗନ୍ନାଥ ଚରିତାମୃତରେ ଓ ନିତ୍ୟଗୁପ୍ତମଣିରେ ସ୍ପଷ୍ଟରୂପେ ଲିଖିତ ଅଛି । ଜଗନ୍ନାଥ ଦାସଙ୍କ ପରୀକ୍ଷା ଯେତେଦୂର ଅନୁମତି ହୁଏ, ଚୈତନ୍ୟଚନ୍ଦ୍ରଙ୍କ ତିରୋଭାବ ପରେ ହୋଇଅଛି । ଏ ବିଷୟ ଜଗନ୍ନାଥ ଚରିତାମୃତର ୭ମ ଓ ୧୧ଶ ଅଧ୍ୟାୟର ଉକ୍ତିଦ୍ୱାରା ସମର୍ଥିତ ହେଉଅଛି ।

 

‘‘ଏମନ୍ତ ଭାବି ଶ୍ରୀ ଚୈତନ୍ୟ

ଶ୍ରୀ ଜଗନ୍ନାଥ ଅଙ୍ଗେ ଲୀନ

॥୨୪୬।

ଗୋପନ ହୋଇଲେ ସ୍ୱଦେହେ

ଦେଖି କାହାର ଦୃଷ୍ଟି ନୋହେ

ନ ଦେଖି ଶ୍ରୀ ଚୈତନ୍ୟ ରୂପ

ସର୍ବେ ମନରେ ଦୁଃଖ ତାପ

॥୨୫୨।

ରାଜା ହୋଇଲେ ମନେ ଛନ୍ନ

ହେ ପ୍ରଭୁ ହେଲେ ଅନ୍ତର୍ଦ୍ଧାନ

॥୨୫୩।

 

 

୭ମ ଅଧ୍ୟାୟ ।

 

ବୋଲନ୍ତି ନମୋ ନମୋ ବାଣୀ

ଜୟ ତୁ ଅତିବଡ଼ ସ୍ୱାମୀ

॥୬୨ ।

ଯାହାକୁ ଚୈତନ୍ୟ ଗୋସାଇଁ

ଅତି ବଡ଼ରେ ଆଜ୍ଞା ହୋଇ

॥ ୬୩।

ପୂର୍ବେ ଚୈତନ୍ୟ ଛନ୍ତି କହି

ମନ୍ତ୍ରରାଜ ବୁଝିବା ପାଇଁ

॥୧୪୧।

 

ଜଗନ୍ନାଥ ଦାସ ପ୍ରେମଭକ୍ତିର ପରୀକ୍ଷା ଦେଇଥିଲେ । ସେ ପ୍ରେମଭକ୍ତି ବଳରାମ ଦାସଙ୍କ ଉକ୍ତିରେ

 

ଆତ୍ମାକୁ ସ୍ତିରୀ ବେଶ କରି

ଶ୍ରୀରାଧା ଅଙ୍ଗରେ ବିହରି

କୃଷ୍ଣେ ଆସ୍ୱାଦ ରସ ଦେଇ

ଏହାକୁ ପ୍ରେମଭକ୍ତି କହି

ତେବେ ପାଇବୁ ଭାବଗ୍ରାହୀ

ନୋହିଲେ ପଶି ନ ପାରଇ

ପୁରୁଷ ଅଙ୍ଗେ ନ ଲଭନ୍ତି

ଏମନ୍ତ ବେଦତତ୍ତ୍ୱ ସ୍ଥିତି

 

୨୪ଶ ଅଧ୍ୟାୟ ବେଦାନ୍ତସାର ଗୁପ୍ତଗୀତା

 

ଜଗନ୍ନାଥ ଦାସ ନିଜଠାରେ ସ୍ତ୍ରୀତ୍ୱର ପରିଚୟ ଦେଇଥିଲେ । ଜଗନ୍ନାଥ ଚିରିତାମୃତ ୧୧ଶ ଅଧ୍ୟାୟ ଦ୍ରଷ୍ଟବ୍ୟ:-

 

ଚୈତନ୍ୟଚନ୍ଦ୍ରଙ୍କ ଦେହତ୍ୟାଗ ବିଷୟରେ ନାନା ମୁନି ନାନା ମତ ସ୍ଥାପନ କରି ଅଛନ୍ତି । ଆମ୍ଭେମାନେ ବର୍ତ୍ତମାନ ସପ୍ରମାଣ ନିର୍ଦ୍ଦେଶ କରୁଅଛୁଁ ଯେ, ସେ ଜଗନ୍ନାଥଙ୍କ ବିଗ୍ରହରେ ଲୀନ ହୋଇଥିଲେ । ପୂର୍ବୋକ୍ତ ଦିବାକର ଦାସଙ୍କ ଉକ୍ତି ‘‘ଶ୍ରୀ ଜଗନ୍ନାଥଙ୍କ ଅଙ୍ଗେ ଲୀନ’’ ସହିତ ଅଚ୍ୟୁତାନନ୍ଦଙ୍କ ଶୂନ୍ୟସଂହିତାର ଉକ୍ତିର :-

 

‘‘ଚୈତନ୍ୟ ଠାକୁର ମହାନୃତ୍ୟକାର ରାଧା ରାଧା ଧ୍ୱନି କଲେ ।

ଜଗନ୍ନାଥ ମହାପ୍ରଭୁ ଶ୍ରୀଅଙ୍ଗରେ ବିଦ୍ୟୁପ୍ରାୟ ମିଶିଗଲେ ॥’’ ଐକ୍ୟ ଅଛି ।

 

ପୁନଶ୍ଚ ହରିଲାଲ ଚଟ୍ଟୋପାଧ୍ୟାୟ ସ୍ୱପ୍ରଣୀତ ବୈଷ୍ଣବ ଇତିହାସରେ ଲେଖିଅଛନ୍ତି - ‘‘ଶ୍ରୀ ଗୌରାଙ୍ଗଦେବ ୧୫୩୩ ଖ୍ରୀଷ୍ଟାବ୍ଦରେ ୧୪୫୫ ଶକେ ୪୮ ବତ୍ସର ବୟସେ ଶ୍ରୀ ଶ୍ରୀ ଜଗନ୍ନାଥ ଦେବେର ମନ୍ଦିରେ ଅନ୍ତର୍ଦ୍ଧାନ ହଇଲେନ । କେହ କେହି ବଲେନ ମହାପ୍ରଭୁ ଗଦାଧରେର ବିଗ୍ରହ ଗୋପୀନାଥେର ଗୃହେ ଅନ୍ତର୍ଦ୍ଧାନ ହନ୍’’ କେହି କେହି କହନ୍ତି ଯେ, ଗୌରାଙ୍ଗ ସମୁଦ୍ରରେ ଦେହତ୍ୟାଗ କରିଥିଲେ । ପରୋକ୍ତ ମତଦ୍ୱୟକୁ ସମୀଚୀନ ମନେ ନ କରି ପୂର୍ବୋକ୍ତ ଜଗନ୍ନାଥ ବିଗ୍ରହରେ ବା ଜଗନ୍ନାଥଙ୍କୁ ମନ୍ଦିରରେ ଅନ୍ତର୍ଦ୍ଧାନ ବିଷୟ ସତ୍ୟରୂପେ ଗ୍ରହଣ କରିବାରେ ବାଧ୍ୟ ହେଲୁଁ । ବର୍ତ୍ତମାନ ଏହି ପ୍ରସଙ୍ଗରେ ଆଉ ଗୋଟିଏ ବିଷୟରେ ଘୋରତର ସନ୍ଦେହ ଜାତ ହେବାର ଆଶଙ୍କା କରି ଆମ୍ଭେମାନେ ତାହା ଯଥାଶକ୍ତି ଦୂର କରିବାରେ ପ୍ରବୃତ୍ତ ହେଲୁଁ । ପ୍ରତାପରୁଦ୍ର ଦେବ ୧୫୩୨ ଖ୍ରୀଷ୍ଟାବ୍ଦରେ ଦେହତ୍ୟାଗ କରିବା ବିଷୟ ହଣ୍ଟର, ପ୍ୟାରୀଚରଣ ଓ କୃପାସିନ୍ଧୁ ଲେଖି ଅଛନ୍ତି । ଯଦି ତାହା ସତ୍ୟ ହୁଏ ତେବେ ଆମ୍ଭେମାନେ ଅନେକ ଉତ୍କଳୀୟ ଓ ଗୌଡ଼ୀୟ ବୈଷ୍ଣବଙ୍କ ଲେଖାକୁ ପ୍ରମାଦପୂର୍ଣ୍ଣ ବୋଲି ଗ୍ରହଣ କରିବୁଁ । ଆମ୍ଭମାନଙ୍କ ମତରେ ପୂର୍ବୋକ୍ତ ଐତିହାସିକମାନେ ସମୟ ନିରୂପଣରେ ଏକ ବିଷମ ଭ୍ରମ କରିଅଛନ୍ତି । କାରଣ ଚୈତନ୍ୟଚନ୍ଦ୍ରଙ୍କ ସମସାମୟିକ ଓ ତତ୍‌ପରବର୍ତ୍ତୀ ଯୁଗର ବଙ୍ଗ ଓ ଉତ୍କଳର ଭକ୍ତମାନଙ୍କ ଉକ୍ତିର ଏହା ସମ୍ପୂର୍ଣ୍ଣ ବିରୋଧୀ ।

 

କବିକର୍ଣ୍ଣପୃରବିରଚିତ ଚୈତନ୍ୟଚନ୍ଦ୍ରୋଦୟ ନାଟକର ପ୍ରସ୍ତାବନାରେ ଲିଖିତ ଅଛି । ଭଗବତ୍‌ କୃଷ୍ଣ ଚୈତନ୍ୟତନ୍ୟମାନତିରୋଭାବ ଭାବିତମାନସରୁଷା ପୁରୁଷା ପଦ୍ଦଶାବଶାଦଶାଢ଼ଶାତ ବୈମୁଖ୍ୟେନ ମୁଖ୍ୟେନ ହେତୁନା ତଥାବିଧେଽପି ପରମାନନ୍ଦେ ମାନଂ ଦେୟମପିନ କୁର୍ବତାଽବତାଽବନି ଭୃତାଭିଳାଷେଣ ଗଜପତିନା ପ୍ରତାପରୁଦ୍ରେଣାଦିଷ୍ଟୋଽସ୍ମି ।

‘‘ଚୈତନ୍ୟଚନ୍ଦ୍ରଙ୍କ ତିରୋଭାବରେ ଦୁଃଖିତ ହୋଇ ଗଜପତି ପ୍ରତାପରୁଦ୍ର ଚୈତନ୍ୟଙ୍କ ଚରିତ ବର୍ଣ୍ଣନ କରିବାକୁ ମୋତେ ଆଦେଶ ଦେଲେ ।’’ ଜଗନ୍ନାଥ ଚରିତାମୃତ ଓ ଶୂନ୍ୟସଂହିତାର ପୂର୍ବୋକ୍ତ ଉଦ୍ଧୃତାଂଶଦ୍ୱୟଦ୍ୱାରା ମଧ୍ୟ ପ୍ରତାପରୁଦ୍ରଙ୍କ ଉପସ୍ଥିତିରେ ଚୈତନ୍ୟଙ୍କ ତିରୋଭାବ ବିଷୟ ପ୍ରମାଣିତ ହେଉଅଛି । ଜଗନ୍ନାଥଚରିତାମୃତକାର ସପ୍ତଦଶ ଶତାବ୍ଦୀର ଆଦିକାଳର ଲୋକ ଥିଲେ । ଉପରୋକ୍ତ ପ୍ରମାଣମାନ ସମକ୍ଷରେ ଆମ୍ଭେମାନେ ଉକ୍ତ ଐତିହାସିକମାନଙ୍କ ଉକ୍ତିରେ ବିଶ୍ୱାସ ସ୍ଥାପନ ନ କରି ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱକାଳ ୧୪୯୬ ଖ୍ରୀଷ୍ଟାବ୍ଦରୁ ୧୫୪୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରୁଅଛୁଁ । ଆମ୍ଭମାନଙ୍କର ଏ ସମୟ ନିରୂପଣ ଗୌଡ଼ୀୟ ବୈଷ୍ଣବ ଲେଖକଙ୍କଦ୍ୱାରା ମଧ୍ୟ ସମର୍ଥିତ ହେଉଅଛି । ଜଗନ୍ନାଥ ଦାସଙ୍କ ପରୀକ୍ଷା ଚୈତନ୍ୟଚନ୍ଦ୍ରଙ୍କ ତିରୋଭାବ ପରେ ପ୍ରାୟ ୧୫୩୫ ସାଲରେ ହୋଇଥିବା ସମ୍ଭବପର । ତାହାର ଦୁଇ ତିନି ବର୍ଷ ମଧ୍ୟରେ ଅଚ୍ୟୁତଙ୍କ ପରୀକ୍ଷା ହୋଇଥିବ । ଏକତ୍ର ବା ଏକ ସମୟରେ ପରୀକ୍ଷା ହୋଇଥିଲେ ଦିବାକର ଦାସ ଜଗନ୍ନାଥ ଚରିତାମୃତରେ ତାହା ଉଲ୍ଲେଖ କରିଥାନ୍ତେ । ଅନନ୍ତ ଯଶୋବନ୍ତଙ୍କର ପରୀକ୍ଷା ଅଚ୍ୟୁତଙ୍କ ପୂର୍ବେ ହୋଇଥିବା ସମ୍ଭବପର । କାରଣ ଅଚ୍ୟୁତ ସର୍ବକନିଷ୍ଠ ଥିଲେ । ଶିଶୁ ଅନନ୍ତ ଓ ଯଶୋବନ୍ତ ଜଗନ୍ନାଥଙ୍କଠାରୁ ବୟସରେ ନ୍ୟୂନ ଥିବା ଓ ଅଚ୍ୟୁତଙ୍କଠାରୁ ବୟସରେ ଅଧିକ ଥିବା କିମ୍ବଦନ୍ତୀରୁ ପ୍ରକାଶ ପାଏ । ପଞ୍ଚସ୍ୱାମିଙ୍କ ପରୀକ୍ଷା ମଧ୍ୟରେ ଅଚ୍ୟୁତଙ୍କ ପରୀକ୍ଷା ଶେଷ ପରୀକ୍ଷା । ଏ ପରୀକ୍ଷା ସମୟରେ ଅନ୍ୟ ଚାରିସଖା ବଳରାମ, ଜଗନ୍ନାଥ, ଅନନ୍ତ ଓ ଯଶୋବନ୍ତ ଉପସ୍ଥିତ ଥିବା ସମ୍ଭବପର । ଅଚ୍ୟୁତାନନ୍ଦଙ୍କୁ ଶୂନ୍ୟ ଭଜନରେ ପରୀକ୍ଷା ଦେବାକୁ ହୋଇଥିଲା । ଏହା ଶୂନ୍ୟସଂହିତାର ନବମ ଅଧ୍ୟାୟରେ ବିଶଦରୂପେ ବର୍ଣ୍ଣିତ ହୋଇଅଛି ।

 

ପ୍ରତାପରୁଦ୍ର ଯେ କଟାଳ କଲା

ଦେଉଳ, ବହୁତ ଆକଟ ହେଲା

ବୋଇଲେ ଦାସେ ଶୁଣ ମୋଠାରୁ

ଭଜନ ମନ୍ତ୍ର କେବଣ ମନ୍ତ୍ରରୁ

ଅଜପା ନାମ କାମ ବୀଜମାନ

ଗାୟତ୍ରୀ ଚବିଶକ୍ଷର ଭଜନ

କେଉଁ ମନ୍ତ୍ରଗୋଟି ଇଷ୍ଟ ତୁମ୍ଭର

କହ ଦାସେ ଦେଖି ତତ୍ତ୍ୱ ବିଚାର

x

x

 

ବ୍ରାହ୍ମଣେ ଅତି ଚଳାଇ କହିଲେ

ରାଜନ ମନକୁ ଚଞ୍ଚଳ କଲେ

x

x

 

ଅନାମ ତଳେ ନାମକୁ ଦେଇଣ

କାନବୀଜ ଓ ମତିକି ଲେଖିଣ

ପଞ୍ଚବର୍ଗ ବୀର ମାତ୍ରା ଦେଇଣ

ଯନ୍ତ୍ରରେ ଲେଖି କରିଲୁଁ ସ୍ଥାପନ

ଦେଖି ବ୍ରାହ୍ମଣେ ହେଲେ ଆନନ୍ଦିତ

ବୋଇଲେ ଦାସେ ଜାଣ ତତ୍ତ୍ୱ ଅର୍ଥ

x

x

 

କେଉଁ ଭଜନ ଅଟେ ଏ ନାମର

ତତ୍ତ୍ୱବୋଧ ଦାସେ କହ ନିକର

ବହୁତ କଟାଳ ବ୍ରାହ୍ମଣେ କଲେ

ରାଜନ ଛାମୁରେ ପୁଣି କହିଲେ

ରାଜନ ବୋଇଲେ ଶୁଣ ହେ ଦାସେ

ଯନ୍ତ୍ର ସ୍ଥାପିଲ ମନ୍ତ୍ର କହ ତୋଷେ

କିରୂପେ ଏମନ୍ତ ଭଜନ କର

କହ ଦାସେ ଦେଖି ଏଥି ବିଚାର

ପୁଣ ପୁଣି ରାଜା ବଟାଳ କଲା

ଶୁଣି ମୋ ମନେ ସଂକଟ ପଡ଼ିଲା

ବୋଇଲି ତୁମ୍ଭେ ଶୁଣ ହେ ରାଜନ

ମନ୍ତ୍ର ନିରାକର ଶୂନ୍ୟ ଭଜନ

ଆସନ ଶୁଦ୍ଧି ଅଙ୍ଗନ୍ୟାସ କାହିଁ

ସ୍ଥାନଭଙ୍ଗ ଦିଗବନ୍ଧନ ନାହିଁ

ଶୂନ୍ୟରେ ବସି ଭଜନ କରିବ

କାଳକୁ ନାଶି ଗୋଲୋକରେ ଠାବ

x

x

 

ବ୍ରାହ୍ମଣେ ଶୁଣି ଚଳିଣ ଉଠିଲେ

ଦାସେ କି କହନ୍ତି ବୋଲି ବୋଇଲେ

ବୋଇଲେ ଯେ ଦାସେ ଶୂନ୍ୟ ଭଜନ

ରାଜନେ ଏହା କରନ୍ତୁ ପଚ୍ଛିନ୍ନ

ଶୂନ୍ୟ ଭଜନ କିରୂପେ କରିବେ

ଦାସେ ପରୀକ୍ଷା ଏହିଠାରେ ଦେବେ

ଏକ ବ୍ରାହ୍ମଣେ ବୋଇଲେକ ହସି

କୂପ କି ବାମ୍ଫି ଯାଏଣ ନିଆସି

x

 

x

 

ବାଙ୍କି ମୁହାଣି ଶୂନ୍ୟ ବାମ୍ଫିଠାରେ

ଭଜନ କର ଦାସ ଏହିଠାରେ

ଦେଖନ୍ତୁ ଯେତେକ ଏ ଦ୍ୱିଜବର

ପୁଚ୍ଛିନ୍ନେ ପରୀକ୍ଷା ଆମ୍ଭ ଛାମୁର

ଶୁଣି ମୋ ମନରେ ଲାଗିଲା ଭୟ

ଅନନ୍ତ ମୂରତି କଲି ମୁଁ ଲୟ

ଦ୍ଵାତ୍ରିଂଶ ଅକ୍ଷର ହୃଦେ ସ୍ଥାପିଲି

ନାଭି ପରେ ବସି ଧ୍ୟାନ ମୁଁ କଲି

ଉର୍ଦ୍ଧ୍ୱମୁଖ କରି କଲି ମୁଁ ଲୟ

ନିରାକାର ରୂପ କଲଇଁ ଧ୍ୟାୟ

ପ୍ରାଣ ଉର୍ଦ୍ଧ୍ୱେ କରି ଶୂନ୍ୟେ ରହିଲି

ପରମହଂସେ ଚିତ୍ତ ବୁଡ଼ାଇଲି

ଦେଖିଣ ରାଜନ ହେଲେ ଚକିତ

ବ୍ରାହ୍ମଣେ ଦେଖି ହୋଇଲେ ସ୍ଥକିତ

ଥୋକେ ଆଚମ୍ବିତ ହୋଇ ରହିଲେ

ଗୁପତ ପ୍ରଘଟ କେ ଅବା କଲେ

ରାଜନ ଦେଖିଣ ପରତେ ଗଲେ

ଦାସେ ଆସ ବୋଲି ଚାଟୂ କହିଲେ

କୋଳେ ଧରିଣ କଲେ ଆଲିଙ୍ଗନ

କହ ତୋଷିଲେ ଅଶ୍ୱାସ ବଚନ

ଶୁଣ ଆମ୍ଭ ବାଣୀ ଅଚ୍ୟୁତ ଦାସ

ବାଙ୍କି ମୁହାଣେ କର ଯା ନିବାସ

 

ଉପରୋକ୍ତ ପରୀକ୍ଷା ବିଷୟରୁ ସ୍ପଷ୍ଟ ପ୍ରତିପନ୍ନ ହୁଏ ଯେ, ଅଚ୍ୟୁତାନନ୍ଦ ଜଣେ ପ୍ରଧାନ ଯୋଗୀ ପୁରୁଷ ଥିଲେ । ଶୂନ୍ୟ ନିରାକାର ଭଜନରେ ଅତି ପ୍ରବୀଣ ଥିଲେ । ଆମ୍ଭେମାନେ ସ୍ତୁତି-ଚିନ୍ତାମଣିର ମୁଖବନ୍ଧରେ ଦର୍ଶାଇଅଛୁଁ ଯେ, ଏହି ଶୂନ୍ୟଶବ୍ଦ କି କି ସ୍ତର ଦେଇ ବର୍ତ୍ତମାନ କି ଅର୍ଥରେ ବ୍ୟବହୃତ ହେଉଅଛି । ଏହି ଶୂନ୍ୟ ଶବ୍ଦ ସ୍ଥୁଳରେ କହିବାକୁ ଗଲେ ମସ୍ତକଦେଶସ୍ଥ ଶୂନ୍ୟାକାର ସ୍ଥାନ । (ଷଟଚକ୍ର ନିରୂପଣରେ ସହସ୍ରାରପଦ୍ମର ବିବରଣ ଦ୍ରଷ୍ଟବ୍ୟ) ଓ ‘‘ତଦୂର୍ଦ୍ଧ୍ୱେଶଙ୍ଖିନ୍ୟାର୍ନିବସତି ଶିଖରେ ଶୂନ୍ୟଦେଶେ ପ୍ରକାଶମ୍‌’’ ସେହି ସ୍ଥାନରେ ବିସର୍ଗାଶକ୍ତି ଅଛି । ଏହି ଶକ୍ତିର ଅଧୋଦେଶରେ ସହସ୍ରାର ପଦ୍ମ । ଏହି ପଦ୍ମ ମଧ୍ୟରେ ନିଷ୍କଳଙ୍କ ଚନ୍ଦ୍ର ସେଠାରେ ତ୍ରିକୋଣ ଯନ୍ତ୍ର ଓ ସେହି ଯନ୍ତ୍ର ମଧ୍ୟରେ ଆତ୍ମାର ପରମୋତ୍କୃଷ୍ଟଶୂନ୍ୟସ୍ଥଳ ବିରାଜିତ । ଏହା ଶୈବଙ୍କଦ୍ୱାରା ଶିବସ୍ଥାନ, ବୈଷ୍ଣବଙ୍କଦ୍ୱାରା ହରି ସ୍ଥାନ; ଶାକ୍ତମାନଙ୍କରଦ୍ୱାରା ଶକ୍ତିସ୍ଥାନରୂପେ ଗୃହୀତ ଇତ୍ୟାଦି ଇତ୍ୟାଦି ।

 

ପଞ୍ଚସଖାଙ୍କ ଗ୍ରନ୍ଥାଦି ଅଧ୍ୟୟନ କଲେ ସ୍ପଷ୍ଟ ଜଣାଯାଏ ଯେ, ସେମାନେ ଜଣେ ଜଣେ ପ୍ରଧାନ ଯୋଗୀ ଥିଲେ । ସେ ସମୟରେ ଉତ୍କଳରେ ଅନେକ ସାଧକ ଓ ଯୋଗୀ ପୁରୁଷ ପ୍ରାଚୀ କୂଳରେ ବାସ କରୁଥିଲେ ।

 

ଦଣ୍ଡକା ଅରଣ୍ୟ ପୂର୍ବ ନଦୀକୂଳ ।

ତପୀ ଯତି ସନ୍ନ୍ୟାସିଙ୍କ ସେ ଠାବରେ ମେଳ ॥

x            x            x

ବୋଲନ୍ତି ହେ ମାଧୁରୀ ଏ ଗୁମ୍ଫା ଗୋରେଖରେ ।

ଯୋଗାରୁଢ଼େ ସାଧନ୍ତି ଏଠାରେ ନିରାଧାର ॥

ଏଠାରେ ମଲ୍ଲିକାନାଥ ଗୁମ୍ଫା କରିଥାନ୍ତି ।

ଗୁରୁ ଆଜ୍ଞା ଘେନିଣ ସେ ଯୋଗେ ଆରୋହନ୍ତି ॥

ବାରଙ୍ଗ-ଆଶ୍ରମ ଏ ଯେ ଭରଦ୍ୱାଜ ବାଳ ।

ଯାଇଣ ଆସି ସାଧନ୍ତି ବାର ଯେ ଆଙ୍ଗୁଳ ॥

ଲୋଇ ଦାସ ମଠ କରି ଥାନ୍ତି ଯେ ଏଥିରେ ।

ଲୟ କରିଥାନ୍ତି ଧ୍ୟାନ ନିରାକାରଠାରେ ॥

ବୀରସିଂହ ବିପରୀତ ଆଜ୍ଞା କରିଥାନ୍ତି ।

ବିଷମ ସନ୍ଧି ଯେ ନାଗାନ୍ତକ ସେ ସାଧନ୍ତି ॥

ଇଚ୍ଛାରେ ଯାଆନ୍ତି ତପୀ ଶତେ ଯୂଣ କ୍ଷଣେ ।

ଶ୍ରୀକୃଷ୍ଣେ ନିଯୋଗୀ ଯେ ଆସନ୍ତି ପ୍ରତିଦିନେ ॥

ବାଲିଗାଁ ଦାସଙ୍କ ମଠ ମାଧୁରୀ ହୋ ଦେଖ ।

ମନ ଏକ ହେଲା ବୋଲି ବୋଲନ୍ତି ଦାମ୍ଭିକ ॥

ଯୋଗାରୁଢ଼େ ସାଧନ୍ତି ଯେ ବ୍ରହ୍ମଜ୍ଞାନ ମୂଳ ।

ଆହାର କରନ୍ତି ମୁନି ବୃକ୍ଷର ବକଳ ॥

 

ଗୋରେଖ, ମଲ୍ଲିକାନାଥ, ବାରଙ୍ଗ, ଲୋଇ ଦାସ, ବୀରସିଂହ, ବାଲିଗାଁ ଦାସ ଏମାନେ ସମସ୍ତେ ଯୋଗୀ ଓ ସାଧକ ଥିଲେ । ମନ୍ତ୍ର, ଯନ୍ତ୍ର ଓ ତନ୍ତ୍ରରେ ପ୍ରବୀଣ ଥିଲେ । ସେମାନେ ସମସ୍ତେ ନିରାକାର ଉପାସକ ଥିଲେ । ସେମାନଙ୍କ ମତରେ ବୌଦ୍ଧଭାବ ଅଳ୍ପାଧିକ ପରିମାଣରେ ପରିଦୃଷ୍ଟ ହୁଏ । ପଞ୍ଚସଖାଙ୍କ ତୁଲ୍ୟ ଜଣେ ବିଶିଷ୍ଟ ପୁରୁଷ ୧୬ ଶତାବ୍ଦୀରେ ଉତ୍କଳରେ ଆବିର୍ଭୂତ ହୋଇ ଅକ୍ଷୟ କୀର୍ତ୍ତି ରଖିଦେଇ ଯାଇଅଛନ୍ତି । ଦୁଃଖର କଥା ସେ ମହାପୁରୁଷ ଆଜ ସର୍ବତ୍ର ପରିଚିତ ନୁହନ୍ତି । ତାଙ୍କର ନାମ ଚୈତନ୍ୟ ଦାସ; ସେ ବର୍ଣ୍ଣରେ ମାଳାକାର ଥିଲେ । ତାଙ୍କର ଲୀଳାସ୍ଥାନ ବଡ଼ମୂଳ ତାଙ୍କର ଦୁଇଖଣ୍ଡ ଉପାଦେୟ ଗ୍ରନ୍ଥ ଆମ୍ଭମାନଙ୍କ ହସ୍ତଗତ ହୋଇଅଛି । ସେ ଜଣେ ମଧ୍ୟ ପଞ୍ଚସଖାଙ୍କ ତୁଲ୍ୟ ବୌଦ୍ଧବୈଷ୍ଣବ ଥିଲେ । ତାଙ୍କର ନିର୍ଗୁଣ ମହାତ୍ମ୍ୟ ଓ ବିଷ୍ଣୁଗର୍ଭ ପୁରାଣ ପାଠ କଲେ ଜଣାଯାଏ ଯେ ସେ ଜଣେ ପ୍ରଧାନ ପୁରୁଷ ଥିଲେ । ତାଙ୍କର ବିଷ୍ଣୁଗର୍ଭ ପୁରାଣରେ ବୌଦ୍ଧଧର୍ମର ମହାଯାନ ଶାଖାର ଅନେକ ତତ୍ତ୍ୱ ବୈଷ୍ଣବଧର୍ମର ପରିଚ୍ଛଦ ଅନ୍ତରାଳରେ ପରିସ୍ଫୁଟ ପାଏ । ସେ ଏହି ପଞ୍ଚସଖାଙ୍କର ପରେ ଖୁବ୍ ସମ୍ଭବତଃ ୧୬ଶ ଶତାବ୍ଦୀର ଶେଷ ଭାଗରେ ଉତ୍କଳର ମୁଖମଣ୍ଡନ କରିଥିଲେ । ସେ ମଧ୍ୟ ଜଣେ ଯୋଗୀ ଓ ସାଧକ ଥିଲେ । ଏହି ମହାତ୍ମାଙ୍କ ବିଷୟ ତତ୍‌ପ୍ରଣୀତ ନିର୍ଗୁଣ ମାହାତ୍ମ୍ୟର ମୁଖବନ୍ଧରେ ସୁବିସ୍ତାର ଆଲୋଚନା କରିବୁଁ । ହା ! ଆଜି ସେହି ସାଧକର ଦେଶ, ସେହି ଯୋଗିର ଦେଶ, ସେହି ଜ୍ଞାନର ଦେଶ, ସେହି ପ୍ରେମିକର ଦେଶ ଅକର୍ମଣ୍ୟ, ନିଷ୍ଠାଶୂନ୍ୟ ଅବିଦ୍ୟାମୟ ତଥା ସଂକୀର୍ଣ୍ଣର ଦେଶରେ ପରିଣତ ହେଲା ! ସେ ଉଦ୍‌ବୁଦ୍ଧ କାଳରେ ପଞ୍ଚସଖା ପ୍ରଧାନ ଥିଲେ । କାରଣ ସେମାନେ ସେମାନଙ୍କର ବୈଷ୍ଣବତତ୍ତ୍ୱ ହେତୁ ସର୍ବତ୍ର ପୂଜିତ ହୋଇଥିଲେ ଓ ଅଧିକନ୍ତୁ ଜଗତ୍‌ଗୁରୁ ଚୈତନ୍ୟଚନ୍ଦ୍ରଙ୍କଦ୍ୱାରା ସ୍ୱପରିକରରୂପେ ଗୃହୀତ ହୋଇଥିଲେ । ଉପରୋକ୍ତ ସିଦ୍ଧ ଯୋଗୀ ଗୋରେଖ ମଲ୍ଲିକା ପ୍ରଭୃତିଙ୍କ ବିଷୟ ବିଶିଷ୍ଟ ପ୍ରବନ୍ଧମାନଙ୍କରେ ବିଚାର କରିବାର ମାନସ ରଖିଲୁଁ । ଏ ସ୍ଥଳରେ ବୀରସିଂହଙ୍କ ବିଷୟରେ ପଦେ ଅଧେ କହିବାକୁ ଉଚିତ ମନେ କରୁଁ । ବୀରସିଂହ ବର୍ଣ୍ଣରେ ରାଜକୁଳୋଦ୍ଭବ କ୍ଷତ୍ରିୟ ଥିଲେ । ସେ ନାଗାନ୍ତୀ ଯୋଗାନ୍ତୀ ବେଦାନ୍ତୀ ସିଦ୍ଧାନ୍ତୀ ଥିଲେହେଁ ନାଗାନ୍ତୀ ବିଦ୍ୟାରେ ବିଶେଷ ପ୍ରବୀଣ ଥିଲେ । ତାଙ୍କର ଆଜ୍ଞା ଅଦ୍ଭୁତ ଥିଲା । ସେ ଇଚ୍ଛାରେ ଶତ ଶତ କୋଶ ଶୂନ୍ୟରେ ବିଚରଣ କରି ପାରୁଥିଲେ । ତତ୍‌କୃତ ମନ୍ତ୍ର, ସପ୍ରାଙ୍ଗ ଭଜନ, ଆଜ୍ଞା ପ୍ରଭୃତି ଲିଖିତ ପୋଥିମାନ ସ୍ଥାନେ ସ୍ଥାନେ ବିଦ୍ୟମାନ ଅଛି । ବୀରସିଂହ ଅଚ୍ୟୁତାନନ୍ଦାଦିଙ୍କ ସମସାମୟିକ ଥିବା ଶୂନ୍ୟସଂହିତାରୁ ପ୍ରକାଶ ପାଏ । ‘‘ଏମନ୍ତ ସମୟେ ମିଳିଗଲେ ଆସି ବୀରସିଂହ ନୃପମଣି ।’’ ୧ମ ଅଧ୍ୟାୟ- ବୀରସିଂହ ଯୋଗ ଓ ଲୟର ଅଧିକାରୀ ଥିଲେ । ଭୋଗ ଓ ଲୀଳାକୁ ଉପେକ୍ଷା କରିଥିଲେ । ସେ ଜଣେ ଯୋଗସିଦ୍ଧା ପୁରୁଷ ଥିଲେ ଓ ସେ ଆଜ୍ଞା ବଳରେ ଅନେକ ଅଦ୍ଭୁତ କ୍ରିୟାକଳାପ ପ୍ରଦର୍ଶନ କରୁଥିଲେ । ମଥୁରୀ ବୀରସିଂହଙ୍କର ବିଦ୍ୟା ବଳରେ ସ୍ୱଗୁରୁ ମାଧୁରୀ ଗୋସାଇଁକୁ ଜାଳି ଦେଉଥିଲା । ତାହା ଶୂନ୍ୟସିଂହିତା ୧୧ଶ ଅଧ୍ୟାୟରେ ଲିଖିତ ଅଛି ।

 

ବୀରସିଂହ ବିଦ୍ୟାକୁ ପରୀକ୍ଷା ତହିଁ କଲା,

x      x      x      x

ଲେଖିଲାକ ମନ୍ତ୍ର ମୂର୍ତ୍ତିରୂପେ ଦେଲ ଢାଳି,

ସଂକଳ୍ପ କରିଣ ଅଗ୍ନିକୁଣ୍ଡେ ଦେଲା ଜାଳି ॥

ଜଳିଲା ଶରୀର ତପୀ ହୋଇଲା ବ୍ୟାକୁଳ,

ଆକୁଳେ ନୟନୁଁ ବହିପଡ଼େ ଅଶ୍ରୂଜଳ ॥

 

ବୀରସିଂହ ପଞ୍ଚସଖାଙ୍କ ତୁଲ୍ୟ ବୈଷ୍ଣବ ନ ଥିବାରୁ ଓ ଭୋଗ ଓ ଲୀଳାରେ ବିଳାସୀ ନ ଥିବାରୁ ସେ ଏମାନଙ୍କ ସଙ୍ଗରେ ଗୃହୀତ ହୋଇ ନାହାନ୍ତି । ଏହି ପଞ୍ଚସଖା ଶୂନ୍ୟନିରାକାର ଭଜନ ତଥା ଭଗବାନଙ୍କ ସାକାରୋପାସନା ସ୍ୱୀକାର କରିଅଛନ୍ତି । ତହୁଁ ପରସ୍ପର ମଧ୍ୟରେ ସାମାନ୍ୟ ପୃଥକ୍‌ ସତ୍ତ୍ୱେ ଆମ୍ଭେମାନେ ଏହି ପଞ୍ଚସଖାଙ୍କୁ ଏକମତାବଲମ୍ବୀରୂପେ ଗ୍ରହଣ କରିଅଛୁଁ । କାରଣ ପ୍ରତ୍ୟେକଙ୍କ ଅଣାକ୍ଷର ମନ୍ତ୍ରବିଷୟକ ଭଜନ ପାଠ କଲେ ସ୍ପଷ୍ଟ ପ୍ରତିପନ୍ନ ହୁଏ ଯେପରି କି ସେମାନେ ଏକ ଗୁରୁଙ୍କର ଶିଷ୍ୟ ଏବଂ ସେମାନଙ୍କର ମତ ଏକ । ଆଶ୍ଚର୍ଯ୍ୟର କଥା ନାନକଙ୍କର ସେହି ମନ୍ତ୍ରବିଷୟକ ଭଜନ ସହିତ ସେମାନଙ୍କ ଭଜନର ସାମ୍ୟ ଅଛି । ବର୍ତ୍ତମାନ ବିଚାର୍ଯ୍ୟ ଏହି ଶୂନ୍ୟ ନିରାକାର ଉପାସନା ବିଷୟରେ ଅଚ୍ୟୁତାନନ୍ଦଙ୍କର ଗୁରୁ କିଏ ଓ ସେହି ଗୁରୁ ପ୍ରଣାଳୀ କେଉଁ ଶ୍ରେଣୀର ଅନ୍ତର୍ଭୁକ୍ତ । ପୂର୍ବେ କଥିତ ହୋଇଅଛି ଯେ, ଅଚ୍ୟୂତ ନାମକରଣ ୧୦ ବର୍ଷ ୧୦ ମାସ ଅନ୍ତରେ ଜ୍ୟୋତିରାନନ୍ଦ ପୁରୁଷଙ୍କୁ ସ୍ୱପ୍ନରେ ଦେଖିଥିଲେ ଓ ତାହାଙ୍କର ଦୟାରେ ସେ ସମସ୍ତ ବିଷୟ ଅଧିଗତ ହୋଇଥିଲେ ଓ ଅଣାକ୍ଷର ମନ୍ତ୍ର ପ୍ରାପ୍ତ ହୋଇଥିଲେ ।

 

ବ୍ରହ୍ମାନନ୍ଦ ଯହୁଁ ଅବିଦ୍ୟ ଅବ୍ୟକ୍ତ ବିଦ୍ୟାନନ୍ଦ ତହୁଁ ଜାଣ,

ତାଙ୍କ ଗୁରୁ ନାମ ସଚ୍ଚିଦାନନ୍ଦଟି ସ୍ୱୟଂ ଅନାଦି ନିର୍ବାଣ ॥

x            x            x

ପ୍ରସନ୍ନ ହୋଇଣ ପରମବ୍ରହ୍ମ ଯେ ଅଣାକ୍ଷର ମନ୍ତ୍ର ଦେଲେ ।

ଉପଦେଶ ଦେଇ ବ୍ରହ୍ମାଣ୍ଡ ଠାକୁର ଅନ୍ତର୍ଦ୍ଧାନ ହୋଇ ଗଲେ ॥

ଶୂନ୍ୟସଂହିତା ୧ମ ଅଧ୍ୟାୟ ।

 

ଏହି ବିଷୟ ଅଣାକାର ସଂହିତାରେ ମଧ୍ୟ ପ୍ରତିଧ୍ୱନିତ ହୋଇଅଛି ।

 

‘‘ଆପଣେ ଅନାଦି ଅବ୍ୟକତ ବ୍ରହ୍ମ ଶ୍ରୀଗୁରୁରୂପେଣ ଆସି ।

ରୂପ ବେଶ ତାଙ୍କ ଅଖଣ୍ଡିତ କେଶ ଦିଶନ୍ତି ବ୍ରହ୍ମ ତପସ୍ୱୀ

ପଶ୍ଚିମବଟହିଁ ପାରୁଶେଣ ବସି ଶ୍ରୀକୃଷ୍ଣ ନାମ କହିଲେ ।

ଶ୍ରୀ ବିଦ୍ୟାନନ୍ଦ ବୋଲିଣ ସେହୁ ନାମ ବ୍ରହ୍ମ ବୋଲିଣ ବୋଇଲେ ।

ଅଣଅକ୍ଷର ଉପଦେଶ ଦେଇଣ ଅନ୍ତର୍ଦ୍ଧାନ ହୋଇ ଗଲେ ॥’’

ଅଣାକାରସଂହିତା-

 

ଅଣାକାର ସଂହିତା ଉକ୍ତିରୁ ଜଣାଯାଏ ଯେ, ଅଚ୍ୟୁତ ସ୍ୱଗୁରୁଙ୍କୁ ରକ୍ତମାଂସ ଶରୀରରେ ସ୍ୱଚକ୍ଷୁରେ ଦେଖୁଥିଲେ । ସେ ଯାହାହେଉ ତାଙ୍କର ଏହି ଦିବ୍ୟ ପୁରୁଷଙ୍କର ସାକ୍ଷାତ୍‌ ହୋଇଥିଲା । କେତେକଙ୍କ ମତରେ ସେ ସ୍ୱୟଂ ଜଗନ୍ନାଥ, ଆଉ କେତେକ ତାଙ୍କ ଚୈତନ୍ୟଚନ୍ଦ୍ର ବୋଲି କହନ୍ତି । ଚୈତନ୍ୟଚନ୍ଦ୍ରଙ୍କଠାରୁ ଅଣାକ୍ଷର ମନ୍ତ୍ର ଅଚ୍ୟୁତାନନ୍ଦ ପ୍ରାପ୍ତ ହୋଇଥିଲେ, ଏହା ଗୁରୁଭକ୍ତି ଗୀତାରେ ଲିଖିତ ଅଛି । ଶୂନ୍ୟସଂହିତାର ଉଦ୍ଧୃତାଂଶରୁ ନିର୍ବାଣ ଶବ୍ଦଟି ବୌଦ୍ଧମାନଙ୍କର ଚରମାବସ୍ଥା ପ୍ରକାଶ କରେ । ସେହି ନିର୍ବାଣ, ଅନାଦି ଓ ସଚ୍ଚିଦାନନ୍ଦ ଅଟନ୍ତି । ବୈଷ୍ଣବ ଓ ବେଦାନ୍ତୀଙ୍କ ମତରେ ଭଗବାନ ଓ ବ୍ରହ୍ମ ସତ୍ତ୍ୱମୟ ଚିନ୍ମୟ ଓ ଆନନ୍ଦମୟ :-

 

ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ । ଅନାଦିରାଦି ଗୋବିନ୍ଦ ସର୍ବକାରଣ-କାରଣମ୍ - ବ୍ରହ୍ମସଂହିତାରୁ ସ୍ପଷ୍ଟ ପ୍ରତୀତ ହୁଏ । ଅଚ୍ୟୁତାନନ୍ଦଙ୍କ କାଳକୁ ବୌଦ୍ଧ ଓ ବୈଷ୍ଣବ ଧର୍ମ ପୂର୍ଣ୍ଣଭାବରେ ସଂମିଶ୍ରିତ ହୋଇ ଏକ ବୌଦ୍ଧ ଓ ବୈଷ୍ଣବ ଧର୍ମ ଉତ୍କଳରେ ପ୍ରଚଳିତ ହୋଇଅଛି ।

 

ପୂର୍ବୋକ୍ତ ନାଗାନ୍ତୀ ବେଦାନ୍ତୀ ଯୋଗାନ୍ତୀ ବିଦ୍ୟା ବିଷୟ ମଧ୍ୟ ଏ ସ୍ଥଳରେ ବିଚାର୍ଯ୍ୟ । ଏହି ବିଦ୍ୟମାନ କିପରି ଜନସାଧାରଣରେ ପ୍ରଚାରିତ ହେଲା ଏହା ମଧ୍ୟ ଜିଜ୍ଞାସ୍ୟ । ବୌଦ୍ଧ ନାଗାର୍ଜୁନଙ୍କ ପ୍ରବର୍ତ୍ତିତ ମାଧ୍ୟମିକ ଦର୍ଶନ ନାଗାନ୍ତକ ଆଖ୍ୟା, ବୌଦ୍ଧ ଅସଙ୍ଗ ପ୍ରଭୃତିଙ୍କଦ୍ୱାରା ପ୍ରବର୍ତ୍ତିତ ଯୋଗାଚାର ଯୋଗାନ୍ତକ ଆଖ୍ୟା ଓ ବୌଦ୍ଧ ସୌକ୍ରାନ୍ତିକ ଶାଖା ବେଦାନ୍ତକ ଆଖ୍ୟା ପ୍ରାପ୍ତ ହେବା ଖୁବ୍ ସମ୍ଭବପର । କାରଣ ବୌଦ୍ଧମାନେ କୌଣସି ବିଷୟ ଗୋପନ କରୁ ନ ଥିଲେ ଓ ସେମାନଙ୍କ ହେତୁ ବେଦାନ୍ତର ମତ, ଯୋଗର ମତ ସବୁ ଜନସାଧାରଣରେ ଜ୍ଞାତ ହେଲା । ଆମ୍ଭେମାନେ ସ୍ତୁତିଚିନ୍ତାମଣିର ମୁଖବନ୍ଧରେ ବିଚାର କରିଅଛୁଁ ଯେ, ବୌଦ୍ଧମାନେ ବୌଦ୍ଧଧର୍ମକୁ ଲୋକଗ୍ରାହୀ କରିବା ଉଦ୍ଦେଶ୍ୟରେ ବେଦାନ୍ତ, ଯୋଗାଦିର ମତକୁ ସ୍ୱଧର୍ମ-ପଦ୍ଧତିରେ ଗ୍ରହଣ କରିଥିଲେ । ଗୋରଖନାଥ, ବୀରସିଂହ, ମଲ୍ଲିକାନାଥ, ଲୋହି ଦାସ, ବାଉଳି ପ୍ରଭୃତି ଉପରୋକ୍ତ ବୌଦ୍ଧଶାଖା ନାଗାନ୍ତକ, ଯୋଗାଚାର ଓ ସୌକ୍ରାନ୍ତିକମାନଙ୍କର ଅନ୍ତର୍ଭୁକ୍ତ ଥିଲେ । ସେମାନଙ୍କର ଶିଷ୍ୟ ପ୍ରଶିଷ୍ୟାଦି ମଧ୍ୟ ସ୍ୱଗୁରୁଧର୍ମ ଅବଲମ୍ବନ କରି ପ୍ରାଚୀକୂଳରେ ବାସ କରୁଥିଲେ । କାଳକ୍ରମରେ ଉକ୍ତ ବୌଦ୍ଧଶାଖାମାନ ମଧ୍ୟ ପୁନଃ ପୁନଃ ବୈଷ୍ଣବ ପ୍ରଭାବରେ ପ୍ରଭାବିତ ହେଉଥିବ ଏଥିରେ ସନ୍ଦେହ ଅବକାଶ ନାହିଁ ।

ଶୂନ୍ୟସଂହିତାର ଏକାଦଶ ଅଧ୍ୟାୟରେ ମାଧୁରୀ ଓ ମାଥୁରୀ ଉପାଖ୍ୟାନରୁ ସ୍ପଷ୍ଟ ପ୍ରତିପନ୍ନ ହୁଏ ଯେ ‘ଉତ୍ତର-କୋଶଳ କୁଣ୍ଡୀନଗ୍ର’ ସୀମାନ୍ତବର୍ତ୍ତୀ ଚିତ୍ରୋତ୍ପଳାକୁଳସ୍ଥ ଚିତ୍ରେଶ୍ୱରୀ ଭଗବତୀଙ୍କ ପୀଠସମୀପ ମହାରଣ୍ୟରେ ଅନେକ ଯୋଗୀ ଋଷି ବାସ କରୁଥିଲେ । ସେ ସ୍ଥଳ ସିଦ୍ଧପୀଠରୂପେ ସେ ସମୟରେ ପ୍ରସିଦ୍ଧ ଲାଭ କରିଥିଲା ଏବଂ ସେ ସ୍ଥଳକୁ ମଧ୍ୟ ଚୈତନ୍ୟଚନ୍ଦ୍ର ସ୍ୱମଣ୍ଡଳୀ ସହିତ ଗମନ କରିଥିଲେ ।

 

ସେଠାରେ ଅନେକ ଭକ୍ତ ହୋଇଛନ୍ତି ମେଳି

ଆମ୍ଭେ ପଞ୍ଚସଖା ସବୁ କରୁଅଛୁଁ କେଳି ॥

ବାରସମ୍ର ଭକ୍ତରେ ପ୍ରଧାନ ସନାତନ

ଆପେ ଶ୍ରୀଚୈତନ୍ୟ ପ୍ରଭୁ ବିଜେ ସ୍ୱୟଂବ୍ରହ୍ମ ॥’’

 

ଏହି ଅରଣ୍ୟରେ ଯେଉଁ ଯୋଗୀ ଋଷି ବାସ କରୁଥିଲେ ସେମାନେ ଅଳ୍ପାଧିକ ପରିମାଣରେ ବୌଦ୍ଧମତ ପୋଷଣ କରୁଥିଲେ । ଏବଂ ଏହି ଅରଣ୍ୟ ନେମାଳର ଅଦୂରବର୍ତ୍ତୀ-ପ୍ରାୟ ଦୁଇମାଇଲ ମଧ୍ୟରେ ଅବସ୍ଥିତ । ଅଚ୍ୟୁତାନନ୍ଦ ସନାତନଙ୍କଠାରୁ ନାମକରଣ ପ୍ରାପ୍ତହୋଇ ‘‘ଦଶବର୍ଷ ଦଶମାସ’’ ପର୍ଯ୍ୟନ୍ତ ସ୍ୱଗ୍ରାମ ନେମାଳରେ ବାସ କରିଥିଲେ । ଏହି ଦଶବର୍ଷ ଦଶମାସ ମଧ୍ୟରେ ତାଙ୍କର ସେହି ଋଷିମାନଙ୍କ ସହିତ ସାକ୍ଷାତ୍‌ ହୋଇ ପାରିଥିବ । ସେମାନଙ୍କ ମୁଖରୁ ଅଲେଖ, ଅନାଦି, ଅଣାକାର, ନିରଞ୍ଜନ ବିଷୟକ ଧର୍ମତତ୍ତ୍ୱ ଅନେକ ଶୁଣି ପାରିଥିବେ ଓ ବୁଦ୍ଧମୂର୍ତ୍ତି ଜଗନ୍ନାଥଙ୍କ ଉକ୍ତ ଅଲେଖ, ଅନାଦି, ଅଣାକାର, ନିରଞ୍ଜନଙ୍କ ଐକ୍ୟର ଆଭାସ ପାଇ ପାରିଥିବେ । ତତ୍ପରେ ‘‘ଦଶବର୍ଷ ଦଶମାସ’’ ଅନ୍ତରେ ବ୍ରହ୍ମାଣ୍ଡଠାକୁରଙ୍କର ତାଙ୍କ ସ୍ୱପାଦେଶ । ଏହି ସ୍ୱପ୍ନାଦେଶପରେ ତାଙ୍କର ପୁରୀଧାମକୁ ଆଗମନ ଓ ଚୈତନ୍ୟଙ୍କଠାରୁ ଡୋରକୌପୁନୀ ଗ୍ରହଣ ଓ ତତ୍ପରେ ତୀର୍ଥ ପର୍ଯ୍ୟଟନ ଏବଂ ତୀର୍ଥ ଭ୍ରମଣରୁ ପ୍ରତ୍ୟାବର୍ତ୍ତନର ଦୁଇ ତିନି ବର୍ଷପରେ ଚୈତନ୍ୟଚନ୍ଦ୍ରଙ୍କ ତିରୋଭାବ । ତୀର୍ଥାଟନର ପ୍ରତ୍ୟାବର୍ତ୍ତନକାଳରୁ ତାଙ୍କର ଜଗନ୍ନାଥ ବଳରାମାଦିଙ୍କ ସହିତ ପରିଚୟ । ସେମାନେ ଅଣାକାର ତଥା ସକାର ଉପାସକ ଥିଲେ । ସେମାନେ ମଧ୍ୟ ଅଣାକ୍ଷର ମନ୍ତ୍ରଜ୍ଞ ଓ ଶୂନ୍ୟ ଉପାସକ ଥିଲେ ତାହା ପୂର୍ବେ କଥିତ ହୋଇଅଛି । ଅଚ୍ୟୂତଙ୍କ ବାଲ୍ୟକାଳବ୍ଧଜ୍ଞାନ ଅଧୁନା ବଳରାମ ଜଗନ୍ନାଥାଦିଙ୍କ ସଂସର୍ଗରେ ପୁନମାର୍ଜିତ ହୋଇ ଯାଇଥିଲା ଏବଂ ସେ ମଧ୍ୟ ପ୍ରାଚୀକୂଳର ଅରଣ୍ୟକୁ ଯାଇ ସେହି ନାଗାନ୍ତୀ, ଯୋଗାନ୍ତୀ, ବେଦାନ୍ତୀ, ସିଦ୍ଧାନ୍ତୀଙ୍କ ସହ ସାକ୍ଷାତ୍‌ କରିଥିଲେ ଓ ସେମାନଙ୍କ ସହ ଧର୍ମ ବିଷୟକ କଥାମାନ ଆଲୋଚନା କରିଥିଲେ । ଏହା ଶୂନ୍ୟସଂହିତା ଏକାଦଶ ଅଧ୍ୟାୟରେ ସୂଚିତ ହୋଇଅଛି । ପୁନଶ୍ଚ ଉକ୍ତ ଅଧ୍ୟାୟରେ ଲିଖିତ ଅଛି ଯେ ଯୋଗୀ ଋଷିମାନେ ମନ୍ତ୍ରବୀଜ ହରଣ କରିବାରୁ ମନଯାନ ଚଳିଲା ନାହିଁ । ତହୁଁ ଜଗନ୍ନାଥଙ୍କ ସେବା ନିଯୋଗକୁ ଭକ୍ତମାନେ ଯାଇ ପାରିଲେ ନାହିଁ । ଦି୫/୭ନ ପରେ ଅଚ୍ୟୁତାନନ୍ଦାଦି ପ୍ରଭୁଙ୍କ ପାଖରେ ମିଳିଲେ । ପ୍ରଭୁ ଅଚ୍ୟୁତାଙ୍କୁ ଦେଖି କହିଲେ ।

 

‘‘ବୋଇଲେ ମୋ ପ୍ରାଣ ପଞ୍ଚସଖା କାହିଁଥିଲ

ନିଯୋଗ ନ ରୁଚେ ମୋତେ; ତୁମ୍ଭେ ତ ନଇଲ ॥

ବୋଇଲେ ଅଚ୍ୟୁତ ତୁମ୍ଭେ ଶୁଣ ଆମ୍ଭ ବାଣୀ

କଳିଯୁଗେ ବୌଦ୍ଧରୂପେ ବିଜେକଲି ପୁଣି ॥

କଳିଯୁଗେ ବୌଦ୍ଧରୂପେ ନିଜରୂପ ଗୋପ୍ୟ

ଏଣୁ ସେ ସକଳ ମୁନିମାନେ ଦେଲେ ଶାପ ॥

ଆମ୍ଭେ ଏହା ଜାଣୁ ହୋ ଅଚ୍ୟୁତ ଦାସ ବାଇ

ଏଣୁକରି ପ୍ରକାଶିଲୁଁ ଏକ କଳା ନେଇ ॥

ଅଳପେ ନାମକୁ ଯାନ୍ତେ ଭଲା କଲେ ତପୀ

ବେଳୁଁ ଜାଣି ନିରାକାର ମନ୍ତ୍ର ଅଛୁଁ ସ୍ଥାପି ॥

ତୁମ୍ଭେ ମୋର ପଞ୍ଚ ଆତ୍ମା ଅଟ ପଞ୍ଚଜଣ

ଅବତାର ଶ୍ରେଣୀ ଯେତେ; ତୁମ୍ଭପାଇଁ ପୁଣ ॥

ନିରାକାର ମନ୍ତ୍ରେ ସବୁ ଦୁର୍ଗତି ହରିବ

ଆପଣେ ତରିଣ ପରେ ତାରି ତରାଇବ ॥

ବୁଦ୍ଧିମାତା ଆଦିଶକ୍ତି ସଖୀ ଛନ୍ତି କହି

ନିରାକାର ଭଜନେ ନିର୍ମଳ ଭକ୍ତି ପାଇ ॥

ଏମନ୍ତ କହିଣ ଦେଲେ ମନ୍ତ୍ର ନିରାଧାର

ଆଜ୍ଞା ଦେଲେ କଳିଯୁଗେ କର ଯା ବିଚାର ॥

x      x      x      x

ଯାଅ ଅନନ୍ତ ଅଚ୍ୟୁତ ଯଶୋବନ୍ତ ଦାସ

ବଳରାମ ଜମନ୍ନାଥ କର ଯା ପ୍ରକାଶ ॥

ଆଜ୍ଞା ପାଇ ଆମ୍ଭେ ପାଞ୍ଚଜଣ ଯେ ଅଇଲୁଁ

ମନଯାନ ଚଳିଲା ବହନ ପ୍ରବେଶିଲୁଁ ॥

ଋଷି ତପୀ ସନ୍ନ୍ୟାସୀ ନାମକ ବୀରସିଂହ

ଲୋହି ଦାସ ବାଉଳି କପିଳ ଯେତେ ସଙ୍ଗ ॥

ସଭା ମଣ୍ଡାଇଣ ଯେ ବସିଲେ ସର୍ବେ ତପୀ

ପଚାରିଲେ ପ୍ରଭୁଙ୍କୁ କି ଆଜ୍ଞା ଛନ୍ତି ଥାପି ॥

କହିଲି ମୁଁ ଶୂନ୍ୟ ମନ୍ତ୍ର ଯନ୍ତ୍ର କରି ନ୍ୟାସ

ତପୀମାନେ ଜୟ ଜୟ କଲେ ଯେ ପ୍ରକାଶ ॥ ଇତ୍ୟାଦି

 

ଅଚ୍ୟୁତାଦି ପଞ୍ଚସଖା ଶୂନ୍ୟମନ୍ତ୍ର ଓ ଯନ୍ତ୍ର ପୁନଶ୍ଚ ବୁଦ୍ଧରୂପୀ ଜଗନ୍ନାଥଙ୍କଠାରୁ ପ୍ରାପ୍ତ ହୋଇଥିଲେ ଓ ସେହି ଶିକ୍ଷା ବଳରେ ପୁନର୍ବାର ସେମାନଙ୍କ ମନଯାନ ଚଳିବାକୁ ଲାଗିଲା । ଏହି ଶିକ୍ଷା ବିଷୟ କଥା ତଥା ଆଦେଶବାଣୀ ପ୍ରାଚୀକୂଳସ୍ଥ ଋଷିମାନଙ୍କୁ କହିଥିଲେ ।

 

( ଏହାର ଗୂଢ଼ ଅର୍ଥ ଏହା ହୋଇପାରେ ଯେ, ଉତ୍କଳର ଉପରୋକ୍ତ ଯୋଗୀ ଋଷିମାନଙ୍କ ଓ ଅନ୍ୟାନ୍ୟ କେତେକଙ୍କ ବୌଦ୍ଧଭାବ ତଥା ଯୋଗ ଓ ବେଦାନ୍ତ ଜ୍ଞାନ ପ୍ରତି ବ୍ରାହ୍ମଣମଣ୍ଡଳୀ ଓ ରାଜା ପ୍ରତାପରୁଦ୍ର ଦେବଙ୍କର ତୀବ୍ରଦୃଷ୍ଟି ପଡ଼ିବାରୁ ସେମାନେ ଜଗନ୍ନାଥ ଦର୍ଶନରୁ ବଞ୍ଚିତ ହୋଇ ଥିଲେ । ଦଣ୍ଡ ଭୟରେ ସେମାନେ ନିଜ ଧର୍ମକୁ ଗୋପନ କରିଥିଲେ । ପ୍ରକାଶ୍ୟରେ ତାର ପ୍ରଚାର କ୍ରିୟା କରୁ ନ ଥିଲେ । ମନଯାନ କି ! ବୌଦ୍ଧମତ ମନଯାନର ଶକ୍ତି ହ୍ରାସ ହେଲା । ଏହି ପଞ୍ଚସଖାଙ୍କ ପରେ ବୌଦ୍ଧମତ ଓ ବୈଷ୍ଣବ ଧର୍ମ୍ମର ସମନ୍ୱୟ ହୋଇଥିବାରୁ ସେମାନେ ନିର୍ବାଧରେ ଜଗନ୍ନାଥଙ୍କ ମନ୍ଦିରରେ ପ୍ରବେଶଲାଭ କରି ପାରିଥିଲେ । ସେହି ସମୟରେ ଅଚ୍ୟୁତାନନ୍ଦଙ୍କୁ ସ୍ୱବୈଷ୍ଣବତ୍ଵସତ୍ତ୍ୱେ ପ୍ରତାପରାଜାଙ୍କ ସମକ୍ଷରେ ଶୂନ୍ୟଭଜନ ଓ ନିରାକାରଭଜନ ପରୀକ୍ଷା ଦେବାକୁ ହୋଇଥିଲା ।

 

ସେ ସ୍ତ୍ରୀୟ ଜ୍ଞାନ ଓ ଭକ୍ତି ବଳରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଓ ସମସ୍ତଙ୍କର ବିସ୍ମୟଭାଜନ ହେଲେ । ଏହି ନିରାକାର ଭଜନର ସଂସ୍ଥାପନା ହେତୁ ପୁନର୍ବାର ତାହାର ମହିମା ପ୍ରଚାର ହେବାକୁ ଲାଗିଲା । ଚୈତନ୍ୟ ଦେବ ମଧ୍ୟ ଏମାନଙ୍କୁ ଭେଦଜ୍ଞାନଶୂନ୍ୟ ଜଗନ୍ନାଥଙ୍କ ସେବକ ଓ ଜ୍ଞାନ ଏବଂ ଭକ୍ତି ଯୋଗର ଆଶ୍ରୟୀ ଦେଖି ସ୍ୱପରିକରରୂପେ ଗ୍ରହଣ କରିଥିଲେ ।)

 

ଆମ୍ଭମାନଙ୍କର ଦୃଢ଼ ବିଶ୍ୱାସ ଯେ, ପୂର୍ବୋକ୍ତ ଘଟଣା କାଳରେ ଅଚ୍ୟୁତାନନ୍ଦଙ୍କୁ ପୂର୍ବକଥିତ ଶୂନ୍ୟଭଜନରେ ପରୀକ୍ଷା ଦେବାକୁ ହୋଇଥିଲା । ଏହି ପଞ୍ଚସଖା ନୀଳାଚଳସ୍ଥ ବୁଦ୍ଧରୂପୀ ଜଗନ୍ନାଥଙ୍କୁ ସେହି ନିରାକାରପୁରୁଷ, ଅଲେଖ ନିରଞ୍ଜନରୂପେ ଦର୍ଶନ କରୁଥିଲେ ।

 

ତୁମ୍ଭ ଆମ୍ଭ ସଙ୍ଗ ବାବୁ ଅନ୍ତର ନୋହିବ

କଳିଯୁଗେ ବଉଧ ରୂପକୁ ଯେ ହେଜିବ ॥, ଇତ୍ୟାଦି - ଶୂ ୧୦ ।

 

ମଥୁରାରୁ ଆସି ସେ ବ୍ରହ୍ମରାଶି ।

ବଉଦ୍ଧରୂପେ କଳିରେ ପ୍ରକାଶି ॥ ଶୂ ୧୬ ।

 

ଶ୍ରୀକୃଷ୍ଣଚରଣାମ୍ଭେ ଜେ ବିଦେଷ ଶରଣଂ ଯଯୌ

ସଗୁଣଂ ନିର୍ଗୁଣଂ ବ୍ରହ୍ମ ଜ୍ୟୋତିରୂପଂ ସନାତନମ୍

ସାକାରଂ ଚ ନିରାକାରଂ ତେଜୋରୂପଂ ନମାମ୍ୟଦମ୍

ବ୍ରହ୍ମବୈବର୍ତ୍ତ - କୃଷ୍ଣଜନ୍ମ ୫ ଅଧ୍ୟାୟ ।

 

ଅଚ୍ୟୁତାନନ୍ଦ - କୃଷ୍ଣଲୀଳାକୀର୍ତ୍ତନରେ ଦିନ ଯାପନ କରୁଥିଲେ । ଯୋଗ ଭୋଗ ଲୟ ଲୀଳା ଏହି ଚତୁର୍ବିଧ ବୃତ୍ତିର ଉପଯୋଗିତା ପ୍ରତିପନ୍ନ ହେଲେ ଅଚ୍ୟୁତାନନ୍ଦଙ୍କ କୃଷ୍ଣଲୀଳାକୀର୍ତ୍ତନର ଅର୍ଥ ସୁବୋଧ ହେବ । ନିଜର ଘଟକୁ (ଶରୀରକୁ) ଭଗବତ୍ ଉପାସନାର ଉପଯୋଗୀ କରାଇବାକୁ ହେଲେ ସାମାନ୍ୟ ଯୋଗଜ୍ଞାନ ଆଦୌ ଆବଶ୍ୟକ । ତହୁଁ ନିଶ୍ଚଳ ଚିତ୍ତରେ ସଂସାରରେ ଅନାସକ୍ତ ହୋଇ ବିଷୟଭୋଗ କରିବା ସଂସାରୀ ପକ୍ଷେ ପ୍ରୟୋଜନୀୟ । ଏପରି ବିଷୟଭୋଗରେ ଚିତ୍ତ ଅନାସକ୍ତ ହୋଇ କର୍ମଫଳ ପ୍ରତି ବୀତସ୍ପୃହ ହୁଏ ଏବଂ ଭଗବାନଙ୍କଠାରେ ଅଭିବିନିଷ୍ଟ ହୁଏ । ତାହା ଲୟ ଅବସ୍ଥା (ଟୀକାରେ ଦ୍ରଷ୍ଟବ୍ୟ) ଲୟାନନ୍ତର ଭଗବତ୍ ଅନୁଭୂତିରେ, ଜ୍ୟୋତି ଦର୍ଶନରେ ମନରେ ଅପୂର୍ବ ଆନନ୍ଦ ଜାତ ହୁଏ । ଆନନ୍ଦ ଆହ୍ଲାଦରେ ପରିଣତ ହୁଏ, ଆହ୍ଲାଦାବସ୍ଥାରୁ ପ୍ରେମର ଉଦ୍ରେକ ହୁଏ ଓ ସେହି ପ୍ରେମର ଉନ୍ମାଦନା ଭଗବତ୍ଲୀଳା ଆସ୍ୱାଦନ ନିମିତ୍ତ ଚିତ୍ତକୁ ସର୍ବଦା ପ୍ରବର୍ତ୍ତିତ କରେ ।

 

ପ୍ରବୁଦ୍ଧେ ଜ୍ଞାନଭକ୍ତିଭ୍ୟାମାତ୍ମନ୍ୟାନନ୍ଦ ଚିନ୍ମୟୀ । ଉଦ୍ୟେତାନୁ ତ୍ତମାଭକ୍ତିର୍ଭଗବତ୍ ପ୍ରେମ ଲକ୍ଷଣା ।

ବ୍ରହ୍ମସଂହିତା ୫୮ ।

 

ଜ୍ଞାନ ଓ ଭକ୍ତିଦ୍ୱାରା ଆତ୍ମଜ୍ଞାନ ସଂଜତ ହେଲେ ଆନନ୍ଦ ଚିନ୍ମୟୀ ଭଗବତ୍ ପ୍ରେମଲକ୍ଷଣା ଭକ୍ତିଦେବୀ ଉଦିତ ହୋଇଥାନ୍ତି । ପୁନଶ୍ଚ –

 

ଜ୍ଞାନ ବିଜ୍ଞାନ ସମ୍ପନ୍ନୋ ଭଜ ମାଂ ଭକ୍ତିଭାବିତଃ -

ଏକାଦଶ ଅଧ୍ୟାୟ ।

 

ମହାପୁରୁଷ ଅଚ୍ୟୁତାନନ୍ଦାଦିଙ୍କର ଏହି ଜ୍ଞାନମିଶ୍ରା ଭକ୍ତି ଏହି ଜ୍ଞାନୋତ୍ତର ପ୍ରେମଭକ୍ତିରେ ସେ କୃଷ୍ଣଲୀଳା ଆସ୍ୱାଦନା କରୁଥିଲେ ।

 

 

ପ୍ରେମରାଧା ପ୍ରେମକୃଷ୍ଣ ପ୍ରେମଭକ୍ତଜନ ।

ପ୍ରେମଭକ୍ତି ନିରାକାର ଶତେ ସୂର୍ଯ୍ୟପୂର୍ଣ୍ଣ ॥

ଶୂନ୍ୟବର ବୋଲି ସିନା ବୋଲନ୍ତି କୃଷ୍ଣଙ୍କୁ ।

ବାରି କହିଦେଲୁ ଧ୍ୟାୟ ତୁ ନିରାକାରଙ୍କୁ ॥

ଶୂ : ସଂ, ୧୦ମ ଅଧ୍ୟାୟ ।

 

ନିଶବଦବ୍ରହ୍ମ ଅନାଦି ଦାରୁ ସ୍ୱରୂପେ ବିଜୟେ ।

ତହିଁ ନିଶବଦ ଏ ଦେହେ ଶବଦ ଜଗତଜନ ଚଳାୟେ ॥

ଶୂ ୨୮ ଅଧ୍ୟାୟ ।

 

କୃଷ୍ଣରସ କଥାମାନ

କରିବ ମୁଖରେ ଗାୟନ

ଶଙ୍ଖ ଶିଙ୍ଘା ବେଣୁ ମୁରଲୀ

ଖୋଳ କର୍ତ୍ତାଳ ସର୍ବେ ମିଳି

x

 

x

 

ବିବିଧସେ ବାଦ୍ୟମାନ

କରିବ ରସରେ ଗାୟନ

ଅଷ୍ଟପ୍ରହର ଗୀତମାନ

କୃଷ୍ଣର ଯେତେ କ୍ରୀଡ଼ାସ୍ଥାନ

ସେ ଅବସରମାନ ଜାଣି

ଗାୟନ କରୁଥିବ ପୁଣି

ଶ୍ରୀରାଧାକୃଷ୍ଣ ପାଦେ ଧ୍ୟାନ

ଶ୍ରୀବୃନ୍ଦାବନେ ଦେଇ ମନ

ଦ୍ୱାଦଶ ବନକୁ ସୁମରି

ଯମୁନା ଗୋବର୍ଦ୍ଧନ ଗିରି

ଚୌରାଶୀ ସସ୍ର ପଦ୍ମସ୍ଥଳ

ଷୋଳସହସ୍ର ଗୋପୀମେଳ

ଚୌଷଠି ଗୋପୀଙ୍କ ଚରଣ

ଅନନ୍ତ ଗୋପାଳ ଧାରଣ

ଏହାଙ୍କ ଲୀଳା ଗୁଣମାନ

କହୁଣ ଥିବ ରାତ୍ର ଦିନ

 

 

ଗୁ: ଭ: ଗୀ: ଖ ଖ ଖ ଷ୬ଷ୍ଠ ପଟଲ

 

 

 

ପରୀକ୍ଷାନନ୍ତର ଅଚ୍ୟୁତାନନ୍ଦ ରାଜା ପ୍ରତାପଙ୍କଦ୍ୱାରା ପୂଜିତ ଓ ସମ୍ମାନିତ ହୋଇଥିଲେ । ରାଜା ପ୍ରତାପରୁଦ୍ର ବାଙ୍କୀ ମୁହାଣଠାରେ ମଠ ସ୍ଥାପନ କରି ସଶିଷ୍ୟ ବାସ କରିବା ନିମିତ୍ତ ଅଚ୍ୟୁତାନନ୍ଦଙ୍କୁ ସନିର୍ବନ୍ଧ ଅନୁରୋଧ କରିଥିଲେ । ଏହି ମଠ ଗୋପାଳମଠ ନାମରେ ପରିଚିତ । ସେ ଏହି ସ୍ଥାନରେ ପ୍ରତାପରୁଦ୍ରଙ୍କ ରାଜତ୍ଵକାଳରେ ଅଷ୍ଟଗୁଜ୍ଜରୀ, ବୟାଳିଶ ଚୌପଦୀ, ଦୂତୀବୋଧ ଚଉତିଶା, କେତେକ ଭଜନ ଓ ଗୁରୁଭକ୍ତି ଗୀତା ପ୍ରଭୃତି କେତେକ ଗ୍ରନ୍ଥ ଲେଖିଥିବାର ଜଣାପଡ଼ୁଅଛି । କାରଣ ସେ ଗୁରୁଭକ୍ତି ଗୀତାରେ ଗୋପାଳ ଶିଷ୍ୟଙ୍କୁ କହୁଅଛନ୍ତି –

 

‘‘ତୁମ୍ଭ ବାଜଣା ଯେ ଗାୟନ

ଶୁଣି ସନ୍ତୋଷ ନୃପ ଜାଣ

ପତନୀ କୃଷ୍ଣଜିନି ଶାଢ଼ୀ

ଅବଶ୍ୟ ରାଜା ଦେବେ ଲୋଡ଼ି

ପ୍ରସିଦ୍ଧପଣେ ବସିଥିବ

ଦେଉଳ ଦୁଆରେ ଗାଇବ

ପ୍ରତାପରାଜା ବଇଷ୍ଣବ

ପ୍ରଚ୍ଛିନ୍ନ କରି ଠାବ ଦେବ

ଶ୍ରୀଜଗନ୍ନାଥ କିଛି ଦିନ

ଲୀଳା କରିବେ ସେହି ସ୍ଥାନ

ଦେଉଳୁ ଉଭେଇଣ ଯିବେ

ପୁଣି କଳକୀ ରୂପ ହେବ

 

ଏ ସ୍ଥାନରେ ସେ ପ୍ରାୟ ୨/୩ ବର୍ଷ ଅବସ୍ଥାନ କରି ସ୍ୱବୈଷ୍ଣବ ଧର୍ମ ଜନସାଧାରଣରେ ବିଶେଷତଃ ଗୋପାଳମାନଙ୍କ ମଧ୍ୟରେ ପ୍ରଚାର କରିଥିଲେ । ଏହି କାଳରେ ବା ଏହାର ପୂର୍ବେ ତୀର୍ଥାଟନରୁ ପ୍ରତ୍ୟାବର୍ତ୍ତନର କିଛି କାଳ ପରେ ଜଗନ୍ନାଥ ଦାସଙ୍କୁ ସେ ଅତି ବଡ଼ ବୋଲି ପରିଚୟ ପାଇଥିଲେ; ଦିବାକର ଦାସ ଜଗନ୍ନାଥ ଚରିତାମୃତରେ ଲେଖିଛନ୍ତି :-

 

ଶ୍ରୀଗୋପାଳ ଗୁରୁ ଗୋସାଇଁ

କ୍ଷେତ୍ର ବରଣେ ଥାନ୍ତି ରହି

ଗୋପାଳେ ଉପଦେଶ କଲେ

ଗୋପାଳ ଗୁରୁ ବୋଲାଇଲେ

ଅତିବଡ଼ ଭାଷା ବୋଲିଣ

ସଂଶୟ କଲେ ତାଙ୍କ ମନ

ଗୋପାଳେ ଆଜ୍ଞା କଲେ ଏତ

ନିତ୍ୟ ରାଧାଙ୍କ ଅଂଶୁ ଜାତ

ଅତି ଆଶ୍ଚର୍ଯ୍ୟ କଥା ଯେଣୁ

ଅତିବଡ଼ୀକୁ ଯୋଗ୍ୟ ତେଣୁ

ରାଧାଙ୍କ ଅଂଶେ ଜାତ ଏହି

ଏଥେ ସଂଶୟ କର ନାହିଁ

ଗୁରୁ ବିଚାର କଲେ ଚିତ୍ତ

ଏ ଅତି ବଡ଼ କର୍ମେ ଯୁକ୍ତ

ଯେବେ ରାଧାଙ୍କ ଅଂଶୁ ଜାତ

ପୁଚ୍ଛିବା ନିତ୍ୟର ବୃତ୍ତାନ୍ତ

ଗୁରୁ ଦିନେକ ବଟ ତଳେ

ସ୍ୱାମୀକି ସମ୍ଭାଷଣ କଲେ

ନିତ୍ୟ ପୁରୁଷୋତ୍ତମ ଦୁଇ

ଏକତ୍ତ୍ୱ ପଦ ଏ ଅଟଇ

କାହିଁରେ କି ଭାବ ଅଛଇ

କହିବା ହେଉଟି ବୁଝାଇ

ଶୁଣ ସ୍ୱାମିନୀ ତୋଷ ହେଲେ

ଏଥୁ ପ୍ରେମ ନାହିଁ ବୋଲଇ

ଯେଉଁ ମୂର୍ତ୍ତିର ଯେଉଁ ସ୍ଥାନ

ଯେଉଁ ପ୍ରେମ ଯେଉଁ ବିଧାନ

ଯେହୁ ଭଜନ୍ତି ଯେବା ଭକ୍ତି

ଯେହୁ ମନ୍ତ୍ରେ ଯେହୁ ଭାବନ୍ତି

ଯାହାକୁ ଯେବା ଛଡ଼ା ହୋଇ

ଯେ ଯହିଁକି ଲୋଡ଼ା ଅଛଇ ॥

x

 

x

 

ନିତ୍ୟ ମହିଁମା ପରିପାକେ

କହିଲେ ଗୁରୁଙ୍କ ସମୀପେ

ଶୁଣି ଆନନ୍ଦ ଗୁରୁ ହେଲେ

ଘରେ ରାମକୃଷ୍ଣ ଭାବିଲେ

ଜାଣିଲେ ରାଧା ଅଂଶେ ଜନ୍ମ

ସଖୀପଣକୁ ଏ ଭାଜନ

ସଖୀ ବୋଲି ବଚନ

ଗୁରୁ ଡାକନ୍ତି ପ୍ରତିଦିନ

ଉପରସ୍ଥ ଉଦ୍ଧୃତାଂଶରୁ ‘ଗୋପାଳ ଗୁରୁଗୋସାଇଁ’ ଅଚ୍ୟୁତାନନ୍ଦ ଅଟନ୍ତି, ଏବଂ ସେ ସମୟକୁ ସେ ନିଜର ଗୁଣ ମାହାତ୍ମ୍ୟ ହେତୁ ପ୍ରସିଦ୍ଧି ଲାଭ କରିଥିଲେ ବୋଲି ପ୍ରତିପନ୍ନ ହେଉଅଛି ।

 

ଏହି ପଞ୍ଚସଖାଙ୍କ ମତରେ ନିତ୍ୟ ଓ ପୁରୁଷୋତ୍ତମ ଅର୍ଥାତ୍ ଗୋଲୋକ ପ୍ରତିରୂପ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଅଟେ ।

 

ଏ ନୀଳଗିରି ନିତ୍ୟସମ

ତେଣୁ ଶ୍ରୀକୃଷ୍ଣ ନିତ୍ୟଧାମ

ଏ ନୀଳ ନିତ୍ୟ ଗିରି ଦୁଇ

ଅଭିନ୍ନ ଅଭେଦ ଅଟଇ

ଗୋପ ମଥୁରା ଦ୍ୱାରବତୀ

ଶ୍ରୀକୃଷ୍ଣ ଅଯୋଧ୍ୟାର ପତି

ଏମାନେ ନିତ୍ୟତଳୁଁ ଜାତ

ଅଭିନ୍ନ ନ କର ହୋ ପାଥ

ଏ ସର୍ବ ନିତ୍ୟରୁ ନିର୍ମାଣ

ଶ୍ରୀକୃଷ୍ଣ କ୍ରୀଡ଼ାରସ ସ୍ଥାନ

ତୁ ଏହା ସଂଶୟ ନ କର

ନିତ୍ୟରେ ଯେମନ୍ତ ବିହାର

ସେହି ରୂପରେ ନିରାକାର

ଶ୍ରୀ ନୀଳଗିରିରେ ବିହାର

 

ବେଦାନ୍ତସାର, ଗୁପ୍ତଗୀତା, ୭ମ ଅଧ୍ୟାୟ ।

 

ତେଣୁ କରି ଲୋକେ ପ୍ରକାଶ

ଜଗନ୍ନାଥ ନିତ୍ୟ ଗୋଲୋକ ବାସ

ନିତ୍ୟ ଗୋଲୋକ କ୍ଷେତ୍ରବର ଏକ

ଉପଦେଶରେ ଜାଣନ୍ତି ବିବେକ

x

 

x

 

ଉପଦେଶରେ ଜାଣନ୍ତି ସୁଜନ

ଜଗନ୍ନାଥ ଶ୍ରୀକୃଷ୍ଣ ଏକ ଜ୍ଞାନ

 

 

୭ମ ଅଧ୍ୟାୟ ।

 

 

ପୁନଶ୍ଚ ୧୮ ଓ ୩୧ ଅଧ୍ୟାୟ ଦ୍ରଷ୍ଟବ୍ୟ ।

 

କହୁଅଛି ଚଇତନ ଶୁଣରେ ମନାଇ ।

କ୍ଷୀରସିନ୍ଧୁ ମଧ୍ୟେ ଦେଖ କଳ୍ପବଟ ଯାଇ ॥

ଗୁପତ ହୋଇଛି ମହାନିତ୍ୟ ଯହିଁ ଠାଇ ।

ଘନ ଘନ ହୋଇ ନିଦ ମାଡ଼ଇ ସେଠାଇ ॥

ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମରେ ହେଜ ।

ଚାରିଦ୍ୱାରେ ଆବୋରି ରହିଛି ଚାରିବେଦ ॥

ଛାମ ଦର୍ଶନକୁ ବାଟ ପଡ଼ିଛି ସଧୀରେ ।

ଜଗନ୍ନାଥ ମହାପ୍ରଭୁ ସିଂହାସନ ପରେ ॥

ଝୀନ ଯେ ପତନୀ ଅଙ୍ଗେ ପାଉଅଛି ଶୋଭା ।

ନିତ୍ୟ ଯେ କିଶୋରୀ ରାଧା ତାଙ୍କ ଅଙ୍ଗେ ଆଭା ॥

 

Unknown

ଅଚ୍ୟୁତାନନ୍ଦଙ୍କ ଭଜନ

ଗୋଲୋକ ଲୀଳା ଗୋପପୁର । ରଚିଲେ ଶ୍ରୀବୃନ୍ଦାବନର-

ଏ ନିତ୍ୟ ଲୀଳାର ଛାୟା-କିନ୍ତୁ ପୂର୍ଣ୍ଣ ନୁହେଁ ଗୁରୁ ଭ: ଗୀ ୩/୨୪

 

ଶୁଣ ହେ ସୁଜନ ଜନେ                  ଶ୍ରୀକୃଷ୍ଣଙ୍କ ଲୀଳା ଆଖ୍ୟାନେ

ନିତ୍ୟସ୍ଥାନେ ନିତ୍ୟ ଖେଳ ଖେଳନ୍ତି ହରି ।

କୋଟି ବ୍ରହ୍ମ ନ ଜାଣନ୍ତି                  ଅନନ୍ତ ଶେଷ ମୂରତି

ସେ ପ୍ରଭୁ ବିଜେ ନିତ୍ୟ ଏ ନୀଳଗିରି ॥

ଯେଉଁ ଭୂମି ଏ ରଙ୍ଗସ୍ଥଳୀ । ଅଷ୍ଟଦଳେ ବେଢ଼ୀ ଶୋଭା ଶେଷ ମଉଳି

ଅଶେଷ ବ୍ରହ୍ମାଣ୍ଡ ସାର                  ଅନନ୍ତ ଶିର ଉପର

ନୀଳାଦ୍ରି ଅବ୍ୟୟ ନିତ୍ୟସ୍ଥଳ ଗୋଲକ ।

ରାଧା କୃଷ୍ଣ ପ୍ରେମରସ                  କିଶୋର କିଶୋରୀ ବେଶ

ଚଉଷଠି ବନ୍ଧେ କଲେ ରମଣ ରସ ।

ମୁଖେ ମୁଖେ ଅଧର ପାନ

ନବ ବଧୂନୀରେ ଅତି ଚୁମ୍ବେ ଯେସନ ॥

 

ଷୋଳ ଚଉପଦୀ ଜଗନ୍ନାଥ ଦାସ ।

 

ଅଯୋଧ୍ୟା ଗୋପ ବୃନ୍ଦାପନ

ଏ ଆଦି ଯେତେ ଲୀଳା ସ୍ଥାନ

ନିତ୍ୟସ୍ଥଳରୁ ବିକାଶଇ

ଭାବନ୍ତି ଲୀଳା ହେବାପାଇଁ

ପୂରଷୋତ୍ତମର ସମାନ

ନାହିଁ ନା କ୍ଷେତ୍ରର ଉପାମ

 

୧୨ଶ ଅଧ୍ୟାୟ ଜ: ଚ:

 

ବୋଇଲେ ଶ୍ରୀଚୈତନ୍ୟ ଚାହିଁ

ଚାଲି ଭ୍ରମିବା ତୀର୍ଥ ମହୀ

ଶୁଣିଲେ ଆଜ୍ଞା ଶ୍ରୀଚୈତନ୍ୟ

ତୀର୍ଥେ କି ଅଛି ପ୍ରୟୋଜନ

କ୍ଷେତ୍ର ତୀର୍ଥ ଛାଡ଼ିଣ ସ୍ଥାନ

ପୁରୁଷୋତ୍ତମରେ ଗୋପ୍ୟାନ

 

୩ୟ ଅଧ୍ୟାୟ ଜ: ଚ:

 

ସେହୁ ଗୋଲେକ ନିତ୍ୟସ୍ଥଳ

ସେହୁଟି ଗିରି ନୀଳାଚଳ

କୋଟିଏ ଯୁଗ ଯେବେ ଯାଇ

ଏଥର ଲୀଳା ନ ଚଳଇ

ଶ୍ରୀଜଗନ୍ନାଥେ ଷୋଳକଳା

ଏଥୁଁ କଳାଏ ନନ୍ଦବଳା

କଳାକେ ଷୋଳକଳା ହୋଇ

ଘେନି ଜନ୍ମିଲେ ଗୋପେ ଯାଇ

 

ବ୍ରହ୍ମବୈବର୍ତ୍ତ, ପଦ୍ମପୁରାଣ, ଯାମଳାଦି ବାକ୍ୟ ଗ୍ରହଣ କରି ଗୌଡ଼ୀୟ ବୈଷ୍ଣବମାନେ ବୃନ୍ଦାବନକୁ ନିତ୍ୟ ଓ ଗୋଲୋକରୁ ଅଭିନ୍ନରୂପ ମଣି ଅଛନ୍ତି । ଉତ୍କଳୀୟ ବୈଷ୍ଣବମାନେ ବ୍ରହ୍ମ, ପଦ୍ମପୁରାଣ, ବ୍ରହ୍ମବୈବର୍ତ୍ତ, ଅଗ୍ନି, ଗରୁଡ଼, ବ୍ରହ୍ମାଣ୍ଡ, ଭବିଷ୍ୟ ବୃହତ୍ ନୃସିଂହ, ବାୟୁପୁରାଣ, ଶିବଧର୍ମ୍ମୋତ୍ତର, ବ୍ରହ୍ମଯାମଳ, ବିଷ୍ଣୁପୁରାଣ, ଶିବପୁରାଣ, ଭଗବତ, ବରାହ, ସ୍କନ୍ଦ, କୃର୍ମାଦି ପୁରାଣମାନଙ୍କ ବଚନ ଗ୍ରହଣ କରି ପୁରୁଷୋତ୍ତମକୁ ନିତ୍ୟରୂପେ ଗ୍ରହଣ କରିଅଛନ୍ତି । ଏ ଧାମ ଶୈବ, ଶାକ୍ତ ସୌର, ଗାଣପତାଦି ବିଭିନ୍ନ ହିନ୍ଦୁଧର୍ମାବଲମ୍ବିଙ୍କଦ୍ୱାରା ଗତିମୁକ୍ତି ଦାୟକରୂପେ ଗୃହୀତ, ଅନ୍ୟ କୌଣସି ଧାମ ଏପରି ଗୃହୀତ ହୋଇ ନାହିଁ । ପଞ୍ଚଶାଖା, ଦେବଦୁର୍ଲ୍ଲଭ, ଭୂପତି ପଣ୍ଡିତ, ଦୀନକୃଷ୍ଣଙ୍କ ମତରେ ବୃନ୍ଦାବନ ଲୀଳା ମାଧୁର୍ଯ୍ୟ ଲୀଳା । ଉତ୍କଳର ପଞ୍ଚସଖାଙ୍କ ଓ ତତ୍ୱଥାବଲମ୍ବିଙ୍କ ମତରେ ପୁରୁଷୋତ୍ତମ ଲୀଳା ମାଧୁର୍ଯ୍ୟ ଲୀଳା ।

 

ବୃନ୍ଦାବନଟି ଯେ ଅଇଶ୍ୱର୍ଯ୍ୟ

ପୁରୁଷୋତ୍ତମଟି ମାଧୁର୍ଯ୍ୟ

ଗୋପଲୀଳା ରାସ ବିଧାନ

ବାଞ୍ଛା କଲେ ନନ୍ଦ ନନ୍ଦନ

ବୃନ୍ଦାବନରେ ଲୀଳା ଯେତେ

ସର୍ବେ ଅଇଶ୍ୱର୍ଯ୍ୟ ବୁଝନ୍ତେ

ବୈକୁଣ୍ଠେ ଦେବଙ୍କ ଗୁହାରି

ଶୁଣି ବୋଇଲେ ଦଇତାରି

ପୃଥିବୀ ଅସୁର ମାରିବି

ଗୋପଲୀଳା ଗୋପେ କରିବି

ଗୋପୀ ରମିବି ବୃନ୍ଦାବନେ

ଏ ସର୍ବ ଐଶ୍ଵର୍ଯ ବିଧାନେ

x

 

x

 

ଏ ଆଦି ଯେତେ ଅବତାର

ସମସ୍ତ କାମନା ବିଚାର

ଜଗନ୍ନାଥଙ୍କ ବାଞ୍ଛା ନାହିଁ

ମାଧୁର୍ଯ୍ୟ ଭାବେ ଛନ୍ତି ରହି

ଏଣୁ ମଧୁର ଆସ୍ୱାଦନ

କୋଟିଯୁଗେ ରସ ସାଧନ

କେବଳ ପର୍ବ ତୀର୍ଥବେଳେ

ଐଶ୍ୱର୍ଯ୍ୟ ଭୋଗ ବେଶ ମିଳେ

ତାଙ୍କର ତେଣେ ବାଞ୍ଛା ନାହିଁ

ଭକ୍ତେ ଦିଅନ୍ତି ଭକ୍ତି ପାଇଁ

 

ଉପରୋକ୍ତ ନିତ୍ୟସ୍ଥଳ ଓ ମାଧୁର୍ଯ୍ୟ ଲୀଳା ବିଷୟରେ ପଞ୍ଚଗୋସ୍ୱାମୀମାନେ ଏକମତ ଏହା ଆମ୍ଭେମାନେ ସପ୍ରମାଣ ନିର୍ଦ୍ଦେଶ କଲୁଁ । ଏହା ଗୌଡ଼ୀୟ ବୈଷ୍ଣବମାନଙ୍କର ବିରୋଧି ମତ ପଞ୍ଚଶାଖା ଓ ତତ୍‌ପନ୍ଥାନୁବର୍ତ୍ତିଙ୍କ ମତରେ ଗୌଡ଼ୀୟ ବୈଷ୍ଣବମାନେ ପ୍ରକୃତ ପ୍ରେମତତ୍ତ୍ୱ ଜାଣନ୍ତି ନାହିଁ ।

 

ପୁଣିହିଁ ଆଜ୍ଞା ଶ୍ରୀଚୈତନ

ଗୁପତ କରି ଏହା ଘେନ

ଯେ ଯେଉଁ ସ୍ଥାନେ ଆସିଥାଇ

ସେହିଭାବେ ସେହୁ ଜାଣଇଁ

ନିତ୍ୟାନନ୍ଦ ଆଦି ସମେତେ

ଦ୍ୱାଦଶ ଗୋପାଳ ସଙ୍ଗତେ

ଆମର ବୈକୁଣ୍ଠ ଏ ଜାତ

ଏ ନ ଜାଣନ୍ତି ପ୍ରେମତତ୍ତ୍ୱ

ତୁମ୍ଭେ ଯେ ଆମ୍ଭର ସଙ୍ଗତ

ପରମ ନିତ୍ୟୂଁ ହେଲେ ଜାତ

 

 

ଜ: ଚ: ୭ମ ଅଧ୍ୟାୟ ।

 

 

ସେମାନେ ଚୈତନ୍ୟଚନ୍ଦ୍ରଙ୍କୁ ଜଗନ୍ନାଥକ୍ଷେତ୍ରରେ ଜଗନ୍ନାଥ ଦାସାଦି ପଞ୍ଚଶାଖାଙ୍କ ତଥା ରାମାନନ୍ଦଙ୍କ ପ୍ରୀତିରଜ୍ଜୁରେ ବନ୍ଧାହେବା ଏବଂ ଜଗନ୍ନାଥକ୍ଷେତ୍ରକୁ ଶ୍ରେଷ୍ଠମଣି ଅନ୍ୟତ୍ର କି ବୃନ୍ଦାବନ ଧାମକୁ ଯିବାର ମନ ନ ବଳାଇବାରୁ ଅତ୍ୟନ୍ତ କ୍ଷୁବ୍ଧ ହୋଇଥିଲେ ଓ ପୂରୀଧାମରେ ଚୈତନ୍ୟଚନ୍ଦ୍ରଙ୍କ ସଙ୍ଗ ତ୍ୟାଗକରି ବୃନ୍ଦାବନକୁ ଯାତ୍ରା କରିଥିଲେ । କୃଷ୍ଣଦାସ କବିରାଜାଦି ଗୌଡ଼ୀୟ ବୈଷ୍ଣବମାନେ କହନ୍ତି ଯେ, ସେମାନେ ଚୈତନ୍ୟଚନ୍ଦ୍ରଙ୍କ ଆଦେଶମତେ ବୃନ୍ଦାବନକୁ ପ୍ରୟାଣ କରିଥିଲେ । ଦିବାକର ଦାସଙ୍କ ଜଗନ୍ନାଥ ଚରିତାମୃତ ପାଠକଲେ ଜଣାଯାଏ ଯେ, ଜଗନ୍ନାଥ ଦାସଙ୍କୁ ଚୈତନ୍ୟଚନ୍ଦ୍ର ଅତିବଡ଼ୀ ଆଖ୍ୟା ପ୍ରଦାନ କରିବାରୁ ସେମାନେ ଈର୍ଷ୍ୟାରେ ପ୍ରଜ୍ଜ୍ୱଳିତ ହୋଇଥିଲେ । ଚୈତନ୍ୟଚନ୍ଦ୍ର ଅତିବଡ଼ୀ ଆଖ୍ୟା ପ୍ରତ୍ୟାହାର ନ କରିବାରୁ ସେମାନେ ପୁରୀଧାମ ଛାଡ଼ି ବୃନ୍ଦାବନ ଧାମ ବାସ ଅଙ୍ଗୀକାର କରିଥିଲେ ।

 

ବିଚାରିଥିଲୁ ଆମ୍ଭ ଚିତ୍ତ

ଦୟା କରିବେ ଶଚି ସୁତ

‘ଅତିବଡ଼’ ପଦ ଛଡ଼ାଇ

ପୁରୁଷୋତ୍ତମ ନେବେ ସେହି

ପୁରୁଷୋତ୍ତମ ତ ନ ଯିବା

କେଉଁ ଆଶ୍ରେ ଭକ୍ତି କରିବା

ପୂର୍ବେ ଗୋବିନ୍ଦ ଲୀଳାସ୍ଥାନ

ଚାଲ ଯିବା ଶ୍ରୀ ବୃନ୍ଦବାନ

x

 

x

x

ଛାଡ଼ି ପୁରୁଷୋତ୍ତମ ଆଶ

ବୃନ୍ଦାବନେ କଲେ ନିବାସ

ବେଦ ପୁରାଣ ବଚନ

ତେଜି କଲେ ଅନ୍ୟ ବିଧାନ

ପୁରୁଷାତ୍ତମେ ଯେତେ ଗତି

ସେ କଥା ଛାଡ଼ି ଅନ୍ୟ ରୀତି

ହରେ ରାମକୃଷ୍ଣ ଛାଡ଼ିଲେ

ହରେ କୃଷ୍ଣରାମ ଭାବିଲେ

ନିର୍ମାଲ୍ୟ ସେବା ଦୂର କଲେ

ବୃନ୍ଦାବନ ରଜ ପାଇଲେ

ଯୁଗଳ ଗାୟିତ୍ରୀ ଛାଡ଼ିଲେ

କାମ ଗାୟିତ୍ରୀ ଆଶ୍ରେ କଲେ

॥ ଇତ୍ୟାଦି

x

 

x

x

ପ୍ରତି ସମ୍ବତ୍ସରେ ଆସନ୍ତି

ଗୁଣ୍ଡିଚା ଗହଣେ ଖଟନ୍ତି

ଅତି ବଡ଼ ପଦେ ରୁଷନ୍ତି

ଲେଉଟି ବୃନ୍ଦାବନେ ଯାନ୍ତି

ବୃନ୍ଦାବନ ପଦ ଟେକିଲେ

ତହିଁକି ଲକ୍ଷ ଗ୍ରନ୍ଥ କଲେ

ବ୍ରହ୍ମା ବ୍ୟାସଙ୍କ ବାକ୍ୟ ନୋହି

ଆଶ୍ରେ ଭାବ ଟେକିଲେ ନେଇ

ସେ ପ୍ରଭୁ ଚୈତନ୍ୟ ଗୋସାଇଁ

ପୁରୁଷୋତ୍ତମେ ଥାନ୍ତି ରହି

 

 

୩ୟ ଅଧ୍ୟାୟ ଜ, ଚ,

 

ଚୈତନ୍ୟଚନ୍ଦ୍ର ପୁରୁଷୋତ୍ତମଧାମ ଛାଡ଼ି ବୃନ୍ଦାବନକୁ ଯାଇ ନ ଥିଲେ । ଏହାଦ୍ୱାରା ପୁରୁଷୋତ୍ତମ କ୍ଷେତ୍ରର ସର୍ବଶ୍ରେଷ୍ଠତ୍ୱ ଓ ଜଗନ୍ନାଥଙ୍କ ମାଧୁର୍ଯ୍ୟଭାବ ସମ୍ପୂର୍ଣ୍ଣରୂପେ ପ୍ରତିପାଦିତ ହେଉଅଛି । ଜଗନ୍ନାଥ ଦାସଙ୍କଠାରେ ଗୌଡ଼ୀୟ ବୈଷ୍ଣବମାନଙ୍କର ଈର୍ଷା ପ୍ରଦର୍ଶନ ତହୁଁ ପୁରୀଧାମ ତ୍ୟାଗ ଓ ବୃନ୍ଦାବନର ଆଶ୍ରୟ ଓ ଗ୍ରନ୍ଥାଦି ରଚନାଦ୍ଵାରା ବୃନ୍ଦାବନର ଶ୍ରେଷ୍ଠତ୍ଵ ପରତିପାଦନ ଯାହା ଦିବାକର ଦାସ ଜଗନ୍ନାଥ ଚରିତାମୃତରେ ଲେଖିଅଛନ୍ତି ତାହା ସମ୍ପୂର୍ଣ୍ଣ ସତ୍ୟ ଏଥିରେ ଅଣୁମାତ୍ର ସନ୍ଦେହର ଅବକାଶ ନାହିଁ ।

 

ଏତିକି ନୁହେଁ ଅଚ୍ୟତାନନ୍ଦ ମଧ୍ୟ ଗୁରୁଭକ୍ତି ଗୀତା ୪୪ ପଟଳରେ କହିଅଛନ୍ତି ଯେ :-

 

ଶ୍ରକୃଷ୍ଣ ଚୈତନ୍ୟ ଠାକୁର

ନଦିଆତୀରେ ମନ୍ତ୍ରସାର

ଷୋଳ ନାମରୁ ତିନି ନାମ

ମନ୍ତ୍ର ଯେ କଲେକ ଉତ୍ତମ

ହରେକୃଷ୍ଣ ଯେ ମନ୍ତ୍ର କଲେ

ନଦୀଆ ପୁଅଙ୍କୁ କହିଲେ

ମନ୍ତ୍ରୀରାଜରୁ ନାମେ ଆଣି

ଠାକୁରାଣୀଙ୍କ ମନ୍ତ୍ର ପୁଣି

ମନ୍ତ୍ର ରାଜରୁ ଏକ ନାମ

କୃଷ୍ଣ ମନ୍ତ୍ର କରି ଉତ୍ତମ

ଗାୟିତ୍ରୀ ସାବିତ୍ରୀରୁ ସାର

ବାଛିଣ କଲେ ଯେ ବାହାର

କାମ ଗାୟିତ୍ରୀ ମନ୍ତ୍ର କରି

ନଦୀଆ ପୋଏ ତା ସୁମରି

ସହସ୍ର ନାମରୁ ବାଛିଣ

କଲେ ଯେ ପଞ୍ଚୁ ନାମ ପୁଣ

ନଦୀଆ ପୋଏ ସୁମରିଲେ

ମୂଳ ମନ୍ତ୍ରକୁ ରୋପ୍ୟ କଲେ

ପୁରସ୍ତମେ ଯେ ରହିଣ

ଶ୍ରୀକୃଷ୍ଣ ଚୈତନ୍ୟଟି ଜାଣ

ସମ୍ପୂର୍ଣ୍ଣ ଷୋଳ ନାମ ପୁଣ

ଜଗନ୍ନାଥ ଦାସେ କହିଣ

ଶାମ ଯେ ପଞ୍ଚାକ୍ଷର ପୁଣ

ଯଶୋବନ୍ତକୁ ଯେ କହିଣ

ତାରକ ବଳରାମ ଦାସେ

କହିଲେ ଯତନେ ହରଷେ

ଶିଶୁକୁ ଏକାକ୍ଷର କହି

ପାଦୁକା ମନ୍ତ୍ର ଆର ଦେଇ

ଅଣକ୍ଷର ମନ୍ତ୍ର ସାର

କହିଲେ ଅଚ୍ୟୁତାନନ୍ଦର

 

 

ଗୁରୁ, ଗୀ ୩-୪୪-ପଟଳ ।

 

ଷୋଳ ନାମୁଁ ତିନିନାମ କଳିରେ ପ୍ରଚାର ।

ଚୈତନ୍ୟ ଠାକୁର ତାହା କଲେକ ବାହାର ॥

ଗୁରୁ, ଗୀ ୨, ୧୪ ପଟଳ ।

 

ଏଥିରୁ ସ୍ପଷ୍ଟ ପ୍ରତୀତ ହୁଏ ଯେ, ଗୌଡ଼ୀୟ ବୈଷ୍ଣବମାନେ କେବଳ ତିନିନାମ ଷଡ଼ାକ୍ଷର ଜାଣନ୍ତି ଓ ଅନ୍ୟ ତେରନାମ ୨୬ ଅକ୍ଷର ଜାଣନ୍ତି ନାହିଁ । ଏହି ପଞ୍ଚଶାଖାଙ୍କୁ ତାହା ବିଦିତ ଥିଲା ଓ ତତ୍‌ଶିଷ୍ୟମାନେ ପରମ୍ପରାକ୍ରମେ ୧୬ ନାମ ୩୨ ଅକ୍ଷର ଅର୍ଥ ଉତ୍କଳର ଭକ୍ତମାନଙ୍କୁ ଶିକ୍ଷା ଦିଅନ୍ତି ।

 

ପଞ୍ଚଶାଖା ଦିବାକାର ଦାସ ପ୍ରଭୃତିଙ୍କ ମତରେ ମର୍ତ୍ତ୍ୟବୃନ୍ଦାବନରେ ରାଧା ଓ ଗୋପୀଗଣ ସହ କୃଷ୍ଣଚନ୍ଦ୍ରଙ୍କର ରତି ପରକୀୟା ରତି । ସେହି ରତି ନିତ୍ୟରେ ପରକୀୟା ନୁହେଁ, ତାହା ସ୍ୱକୀୟା । ମର୍ତ୍ତ୍ୟ ରାଧା ଓ କୃଷ୍ଣ ନିତ୍ୟ ରାଧା ଓ କୃଷ୍ଣ ଅଂଶ ସମ୍ଭୁତ । ସେ ଦୁହେଁ ପୂର୍ଣ୍ଣ ନୁହନ୍ତି । ପୁରୀଧାମର ଜଗନ୍ନାଥ ସ୍ୱୟଂ ନିତ୍ୟ ରାଧା ଓ କୃଷ୍ଣ । ଯେ ପର୍ଯ୍ୟନ୍ତ ମର୍ତ୍ତ୍ୟଜ୍ଞାନ ବିଦ୍ୟମାନ, ଯେପର୍ଯ୍ୟନ୍ତ ସଂସାର ପ୍ରତି ଆସକ୍ତିର ସତ୍ତା ଉପସ୍ଥିତ, ସେପର୍ଯ୍ୟନ୍ତ ପରକୀୟାତ୍ଵ ପ୍ରଶଂସ୍ୟ । ଯେତେବେଳେ ମର୍ତ୍ତ୍ୟଜ୍ଞାନ ଲୁପ୍ତ ହୁଏ, ସଂସାର ଭାବରେ ପୂର୍ଣ୍ଣ ଅନାସକ୍ତି ସ୍ୱତଃ ଆସିଯାଏ, ସେତେବେଳେ ସେ ନିତ୍ୟ ସୁଖ ଅନୁଭବ କରେ, ସେତେବେଳେ ମର୍ତ୍ତ୍ୟର ପରକୀୟାତ୍ଵ ନିତ୍ୟରେ ସ୍ୱକୀୟାରୂପ ଧାରଣ କରେ ।

 

ପ୍ରତାପରାଜାଙ୍କ ମୃତ୍ୟୁ ପରେ ପ୍ରାୟ ୧୫୪୧ ବା ୧୫୪୨ ଅବ୍ଦରେ ଅଚ୍ୟୁତାନନ୍ଦ ସ୍ୱଶିଷ୍ୟଗଣଙ୍କ ସହ ସ୍ଥାନବିଶେଷ ଭ୍ରମଣ କରି କଟକ ଜିଲ୍ଲାର ସାଇଲୋ ପ୍ରଗଣାଅନ୍ତର୍ଗତ ବଡ଼ମୂଳ ଗ୍ରାମରେ ସାଇବିରି ପ୍ରଗଣାନ୍ତର୍ଗତ କୁଣ୍ଡବଳଦାରେ ଓ ହରିହରପୁର ଅନ୍ତର୍ଗତ ଧାନକୁଦ ସାହାଜିପୁରରେ ମଠ ଅର୍ଥାତ୍ ସ୍ୱଧର୍ମ୍ମ ପ୍ରଚାରର ପ୍ରଧାନ କେନ୍ଦ୍ରସ୍ଥଳୀ ସ୍ଥାପନପୂର୍ବକ ସ୍ୱଗ୍ରାମନିକଟବର୍ତ୍ତୀ ନବମାଳ ବା ନେମାଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଅଧୂନା ନେମାଳରେ ଅବସ୍ଥାନ କରି ସେ ନିଜର ଧର୍ମ୍ମମତ ପୂର୍ଣ୍ଣଭାବରେ ଲୋକମାନଙ୍କ ମଧ୍ୟରେ ପ୍ରଚାର କରିଥିଲେ । ଏହି ସମୟରେ ସେ ଉତ୍କଳର ସର୍ବତ୍ର ପରିଚିତ ହୋଇଥିଲେ । କାରଣ ତାଙ୍କର ଗୋପାଳ ଶିଷ୍ୟମାନେ, ଉତ୍କଳର ସର୍ବାଂଶରେ ତଦ୍ଧର୍ମ ଗୋପାଳମାନଙ୍କ ମଧ୍ୟରେ ପ୍ରଚାର କରିଥିଲେ । ତାଙ୍କର ଖ୍ୟାତି ଓ ଗୁଣଗ୍ରାମରେ ଆକୃଷ୍ଟ ହୋଇ ଅଢ଼ଙ୍ଗଗଡ଼ର ରାଜା ରଘୁରାମ ଚମ୍ପତିରାୟ ତାଙ୍କର ରୂପବତୀ ଓ ଗୁଣବତୀ କନ୍ୟା ଚମ୍ପାବତୀଙ୍କୁ ବିବାହ ଦେଇଥିଲେ । କିମ୍ବଦନ୍ତୀରୁ ପ୍ରକାଶ ଯେ, ସେ ସମୟରେ ନେମାଳ ଓ ତତ୍ନିକଟବର୍ତ୍ତୀ ସ୍ଥାନମାନ ଅଢ଼ଙ୍ଗ ରାଜାଙ୍କ ଅଧୀନ ଥିଲା । ଅଚ୍ୟୁତାନନ୍ଦଙ୍କୁ କନ୍ୟା ପ୍ରଦାନ ବିଷୟରେ ସ୍ୱପ୍ନାଦେଶ ହେବା ଲୋକମୁଖରୁ ଜଣାଯାଏ । ଅଚ୍ୟୁତାନନ୍ଦ ପ୍ରାୟ ୩୫ ବର୍ଷଠାରୁ ୪୦ ବର୍ଷ ବୟଃକାଳ ମଧ୍ୟରେ ବିବାହ କରିବା ଅନୁମିତ ହେଉଅଛି । ଲୋକେ କହିପାରନ୍ତି ଯେ, କି ନିମିତ୍ତ ସନ୍ୟାସୀ ଅଚ୍ୟୁତାନନ୍ଦ ଗୃହସ୍ଥାଶ୍ରମ ଅବଲମ୍ବନ କଲେ ? ଧର୍ମ କେବଳ ଯେ ସନ୍ନ୍ୟାସୀମାନଙ୍କର ତାହା ନୁହେଁ । ଧର୍ମ- ଗୃହୀ ଓ ସନ୍ନ୍ୟାସୀ ଉଭୟଙ୍କର । କେବଳ ସନ୍ନ୍ୟାସୀଙ୍କଦ୍ୱାରା ଧର୍ମ ଅବଲମ୍ବିତ ହେଲେ ଧର୍ମର ପ୍ରଚାର ହୋଇପାରେ ନାହିଁ । ଜନସାଧାରଣରେ ଧର୍ମଭାବର ପ୍ରଚାର ନିମିତ୍ତ, ଧର୍ମକୁ ଉଜ୍ଜୀବିତ କରିବା ନିମିତ୍ତ ଧର୍ମଭାବରେ ସଂସାରକୁ ଶାନ୍ତି ପ୍ରଦାନ କରିବା ନିମିତ୍ତ, ଧର୍ମଜ୍ଞାନ ବଳରେ ବିଶ୍ୱ-ସଂସାରକୁ ହିଂସା ମିଥ୍ୟା ଆଦି ଯାବତୀୟ ଅମଙ୍ଗଳରୁ ରକ୍ଷା କରିବା ନିମିତ୍ତ ବିଶ୍ୱପ୍ରାଣ ଜଗଦ୍‌ଗୁରୁଙ୍କର ହୃଦୟ ଉପଯୁକ୍ତ ବିଧାନରେ ସ୍ୱତଃପ୍ରବୃତ୍ତ ହୁଏ । ଏଥିହେତୁ ଚୈତନ୍ୟଚନ୍ଦ୍ର ନିତ୍ୟାନନ୍ଦଙ୍କୁ ଗୃହସ୍ଥାଶ୍ରମ ଅବଲମ୍ବନ କରି ଧର୍ମଭାବ ସଂରକ୍ଷଣପୂର୍ବକ ଆଦର୍ଶ ଗୃହସ୍ଥଜୀବନ ପ୍ରଦର୍ଶନ ନିମିତ୍ତ ଆଦେଶ ପ୍ରଦାନ କରିଥିଲେ । ଚୈତନ୍ୟଚନ୍ଦ୍ରଙ୍କ ସନ୍ନ୍ୟାସଗ୍ରହଣ ପରେ ଅନେକେ ଗୃହତ୍ୟାଗ କରି ତଦ୍‌ଧର୍ମାବଲମ୍ବୀ ହୋଇଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ଣ୍ଣଭାବରେ ଧର୍ମ ସଂରକ୍ଷଣ କରି ନ ପାରି ପଥଭ୍ରଷ୍ଟ ହୋଇଥିଲେ । ଗୃହସ୍ଥାଶ୍ରମରେ ରହି ଲୋକେ ବୈଷ୍ଣବଧର୍ମ ପ୍ରତିପାଳନ କରନ୍ତୁ ଏହି ଅଭିପ୍ରାୟରେ ଆଦର୍ଶ ଗୃହୀ ବୈଷ୍ଣବର ନିଦର୍ଶନସ୍ୱରୂପ ସେ ନିତ୍ୟାନନ୍ଦଙ୍କୁ ଉତ୍ସର୍ଗ କରିଥିଲେ । ଶ୍ରେଷ୍ଣ ଆଚରଣ ଅନୁରୂପ ଆଚରଣ କରଣୀୟ । ଏହି ଶିକ୍ଷା ଲୋକମାନଙ୍କ ମଧ୍ୟରେ କାର୍ଯ୍ୟ କରିଥିଲା । ଲୋକେ ଗୃହରେ ଥାଇ ବୈଷ୍ଣବଧର୍ମ ଯଥାଯଥ ପ୍ରତିପାଳନ କରିପାରିଥିଲେ । ଅଚ୍ୟୁତାନନ୍ଦ ମଧ୍ୟ ଜଗତକୁ ଶିକ୍ଷା ଦେବା ନିମିତ୍ତ ସଂସାରରେ ଥାଇ ସଂସାରର କ୍ରିୟାକଳାପରେ ମୁଗ୍ଧ ନ ହୋଇ, ବିଷୟୀ ଥାଇ, ବିଷୟରେ ଆକୃଷ୍ଟ ନ ହୋଇ ଆଦର୍ଶ ଧାର୍ମ୍ମିକଜୀବନ ଲୋକସମକ୍ଷରେ ପ୍ରଦର୍ଶନ ନିମିତ୍ତ ଗୃହସ୍ଥାଶ୍ରମ ଅବଲମ୍ବନ କରିଥିଲେ । ବିକାରହେତୌ ସତି ବିକ୍ରୟନ୍ତେ । ଯେଷାଂ ନ ଚେତାଂସି ତ ଏବ ଧୀରାଃ । ଯେ ଲୋକମାନଙ୍କ ମଧ୍ୟରେ ରହି ସେମାନଙ୍କର ଦୁଃଖ ସୁଖରେ ସେମାନଙ୍କୁ ଉପଦେଶ ଦେଇ ସେମାନଙ୍କର ଐହିକ ଓ ପାରତ୍ରିକ ମଙ୍ଗଳ ସାଧନରେ ପଥପ୍ରଦର୍ଶକ ହୁଅନ୍ତି, ସେ ପ୍ରକୃତ ମହାପୁରୁଷ । ଅଚ୍ୟୁତାନନ୍ଦଙ୍କ ସ୍ତ୍ରୀ ଚମ୍ପାବତୀ ବିଦୂଷୀ ଥିଲେ । ସେ ଅନେକ ତତ୍ତ୍ୱକଥା ଅଚ୍ୟୁତାନନ୍ଦଙ୍କୁ ପ୍ରଶ୍ନ କରୁଥିଲେ । ସେ ମଧ୍ୟ ସ୍ୱପତ୍ନୀଙ୍କ ସନ୍ଦେହ ଦୂରକରି ତାଙ୍କୁ ତତ୍ତ୍ୱ ଦର୍ଶାଉଥିଲେ । ତାଙ୍କର ଏକମାତ୍ର ପୁତ୍ର-ସନ୍ତାନ ଜାତ ହୋଇଥିଲେ । ସେ ବ୍ରଜଗଦାଧର ନାମରେ ଖ୍ୟାତି ଲଭିଥିଲେ । ପିତାଙ୍କର ସେ ଉପଯୁକ୍ତ ପୁତ୍ର ଥିଲେ । ସେ ବ୍ରଜଭାବିୟା ନାମକ ଏକ ଅତି ଉପାଦେୟ ଗ୍ରନ୍ଥ ରଚନା କରି ଲୋକଙ୍କର ଜ୍ଞାନଚକ୍ଷୁ ଉନ୍ମୀଳନ କରି ଯାଇଛନ୍ତି । ମହାପୁରୁଷ ଅଚ୍ୟୁତାନନ୍ଦ ପୁରୀଧାମକୁ ପ୍ରତିବର୍ଷ ରଥଯାତ୍ରାଦି କାଳରେ ଗମନ କରୁଥିଲେ । ତାଙ୍କର ମହିମା ସର୍ବତ୍ର ପ୍ରଚାର ଲଭିଥିଲା । ତାଙ୍କର ପୁରୀଧାମରେ ଅବସ୍ଥାନ କାଳରେ ସେ ରଣପୁରର ତତ୍ରତ୍ୟ ରାଜା ପଦ୍ମନାଭ ନରେନ୍ଦ୍ରଙ୍କଦ୍ୱାରା ଅନୁରୁଦ୍ଧ ହୋଇ ରଣପୁରକୁ ଯାଇଥିଲେ ଓ ରାଜା ପଦ୍ମନାଭ ନରେନ୍ଦ୍ରଙ୍କ ଭକ୍ତିରେ ଆବଦ୍ଧ ହୋଇ କିଛିକାଳ ସେସ୍ଥାନରେ ଅବସ୍ଥାନ କରଥିଲେ । ଇତିପୂର୍ବେ ସେ ବିପ୍ର ନାରାୟଣଦାସଙ୍କ କୃତ ହରିବଂଶ ପାଠ କରିବା ନିମିତ୍ତ କୌଣସି ଲୋକଙ୍କୁ ମାଗିଥିଲେ । ସେ ତାହା ନ ହେବାରୁ ମହାପୁରୁଷ ୭ଖଣ୍ଡିଆ ହରିବଂଶ ଲେଖିବାରେ ପ୍ରବୃତ୍ତ ହୋଇଥିଲେ । ରଣପୁରରେ ଅବସ୍ଥାନ କରିବା ସମୟରେ ହରିବଂଶ ଲେଖିବା ବିଷୟ ଉକ୍ତ ଗ୍ରନ୍ଥରେ ଲିଖିତ ଅଛି । ସେ ଉକ୍ତ ଗ୍ରନ୍ଥକୁ ପଦ୍ମନାଭ ନରେନ୍ଦ୍ରଙ୍କୁ ଉପହାର ଦେବା କଥା ମଧ୍ୟ ଲୋକମୁଖରେ ପ୍ରକାଶ ପାଏ । ପଦ୍ମନାଭ ନରେନ୍ଦ୍ର ଜଣେ ବିଦ୍ୱାନ୍, ସାହିତ୍ୟରସିକ ଓ ଧାର୍ମିକ ରାଜା ଥିଲେ । ପଦ୍ମନାଭ ନରେନ୍ଦ୍ର ତେଲଙ୍ଗା ମୁକୁନ୍ଦଦେବଙ୍କ କନ୍ୟାଙ୍କୁ ବିବାହ କରିଥିଲେ ବୋଲି ରଣପୁର ଇତିହାସରୁ ପ୍ରକାଶ ପାଏ ।

 

ସେ କିଛିକାଳ ରଣପୁରରେ ରହି ନେମାଳଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ସ୍ୱଜୀବନର ଶେଷସମୟ ସେହି ସ୍ଥାନରେ ଅତିବାହିତ କରିଥିଲେ । ତାଙ୍କ ଜୀବନର ପ୍ରୌଢ଼ାବସ୍ଥା ଓ ବୃଦ୍ଧାବସ୍ଥାରେ ସେ ଏହି ନେମାଳ ଗ୍ରାମରେ ରହି ଶିଷ୍ୟମାନଙ୍କୁ ଉପଦେଶ ଦେଉଥିଲେ ଓ ଗ୍ରନ୍ଥମାନ ରଚନା କରୁଥିଲେ ।

 

ଅଣାକାରସଂହିତାର ଉପସଂହାରରୁ ଜଣାଯାଏ ଯେ ୩୬ ଖଣ୍ଡ ସଂହିତା, ୭୮ଖଣ୍ଡ ଗୀତା, ବଂଶାନୁଚରିତ ଯଥା - ହରିବଂଶାଦି ଖ୨୮ଣ୍ଡ, ଉପବଂଶ ଚରିତ ୧୨ଖଣ୍ଡ ଏବଂ ଭବିଷ୍ୟ ଖ୧୦୦ଣ୍ଡ ଓ ପଦ୍ୟପଦ୍ୟାବଳୀ ସହିତ ସର୍ବମୋଟରେ ଏକଲକ୍ଷ ଗ୍ରନ୍ଥ ରଚନା କରିଥିଲେ ।

 

ଛତିଶ ସଂହିତା ଅଠସ୍ତରୀ ଗୀତା ବଂଶାନୁ ସପ୍ତବିଂଶରେ ।

ଉପବଂଶାନୁ ଦ୍ୱାଦଶଖଣ୍ଡ ଘେନି ଭବିଷ୍ୟ ଶତଖଣ୍ଡରେ ॥

ପଦ ପଦ୍ୟାବଳୀ ଲକ୍ଷେକ ଯେ ଗ୍ରନ୍ଥ ସବୁ ଶ୍ରୀକୃଷ୍ଣ ମହିମା ।

ତୋ ଆଗେ କହିଲୁଁ ବରଜକୁମର ବ୍ରହ୍ମସାରସ୍ୱତ ସୀମା ॥

 

ଏଥିରୁ ସ୍ପଷ୍ଟ ପ୍ରତିପନ୍ନ ହେଉଅଛି ଯେ, ଅଣାକାରସଂହିତା ମହାପୁରୁଷଙ୍କ ଶେଷ ଲେଖା । ଆମ୍ଭେମାନେ ସ୍ଥାନବିଶେଷରେ ମହାପୁରୁଷଙ୍କ ପ୍ରାୟ ୭୦୦୦ ଗ୍ରନ୍ଥ ସ୍ୱଚକ୍ଷୁରେ ଦେଖିଅଛୁଁ

 

ମହାପୁରୁଷଙ୍କ ସଂହିତା ଆଦି ଯାହା ଆମ୍ଭେ ପାଇଅଛୁଁ ତାହାର କେତେକ ଖଣ୍ଡର ମାତ୍ର ନାମୋଲ୍ଲେଖ କଲୁଁ : - ଛାୟା, ଜ୍ୟୋତି, ଅନାହତ, ଅକଳିତ, ଅବାଡ଼, ବ୍ରହ୍ମବଟ, ଯନ୍ତ୍ର, ତନ୍ତ୍ର, ମନ୍ତ୍ରସଂହିତା, ଅନନ୍ତଗୋଇ, ତତ୍ତ୍ୱବୋଧିନୀ, ବ୍ରହ୍ମଶାଙ୍କୁଳି, ଗରୁଡ଼ସଂହିତା, ଚାରିଖାନି ଓ ଅନେକ ଆଗତ ଭବିଷ୍ୟତ୍ କଥା ସେ ମାଳିକାମାନଙ୍କରେ ଉଲ୍ଲେଖ କରିଅଛନ୍ତି । ‘ପାଞ୍ଚ ସାତ ଜଣ ବୈଷ୍ଣବ ମିଳଣ ଗତ ଆଗତ କହନ୍ତି’ ଏହି ଶୂନ୍ୟସଂହିତାର ପଦରୁ ଉକ୍ତ ଭବିଷ୍ୟତ୍ କଥା ପ୍ରକାଶ ପାଉଅଛି ।

 

ଅଚ୍ୟୁତାନନ୍ଦ ସ୍ୱଧର୍ମ୍ମତତ୍ତ୍ୱ ଜନସାଧାରଣରେ ପ୍ରକାଶ କରିବାରେ ନିଷେଧ କରିଥିଲେ । ଯୋଗବିଷୟକ କଥା ଜନସାଧାରଣରେ ପ୍ରକାଶ ଯୋଗଶାସ୍ତ୍ରମାନଙ୍କରେ ନିଷେଧ ଅଛି । ଶିବସଂହିତା, ଘେରଣ୍ଡସଂହିତା, ଅଷ୍ଟାବକ୍ରସଂହିତା ଆଦି ପାଠକଲେ ଏହା ସ୍ପଷ୍ଟ ପ୍ରତିପନ୍ନ ହୁଏ । ଏହା ସାଧନାଦ୍ୱାରା ଅନୁଭବର ବିଷୟ, ଜନସାଧାରଣରେ ପ୍ରଚାରର ବିଷୟ ନୁହେଁ । ପୂର୍ବକଥିତ ଶୂନ୍ୟସ୍ଥାନର ଅଧିବାସୀ ବ୍ରହ୍ମ ଯାହାଙ୍କୁ ନିରାକାର ରୂପରେ ଅଚ୍ୟୁତ କହିଅଛନ୍ତି ତାହା ଯୋଗଗମ୍ୟ ତଦ୍‌ବିଷୟକ ପ୍ରଚାର କ୍ରିୟାରେ କେବଳ ଲୋକେ ଉପହାସ କରିବେ ଏହି ଆଶଙ୍କା କରି ଅଚ୍ୟୁତ ସ୍ୱଶିଷ୍ୟମାନଙ୍କୁ ଶପଥ କରାଇଥିଲେ । ସେଥିଯୋଗୁଁ ତାଙ୍କ ଗ୍ରନ୍ଥ ଜନସାଧାରଣରେ ବିଦିତ ନୁହେଁ ।

 

ମୃତ୍ୟୁଞ୍ଜୟ ରଥେ କହିଅଛନ୍ତି -‘‘ପ୍ରତ୍ୟେକ ଉପଦେଶ କାଳରେ ବ୍ରାହ୍ମଣ ପଣ୍ଡିତଙ୍କ ଉପହାସ ଆଶଙ୍କାରେ ସେ ସବୁ ପ୍ରକାଶ ନ କରିବା ନିମିତ୍ତ ଶପଥ କରାଉଥିଲେ ।’’ ରଥଙ୍କର ଏ ଉକ୍ତି ସମୀଚୀନ ନୁହେଁ । କାରଣ ସେସମୟରେ ସେ ବ୍ରାହ୍ମଣଙ୍କଦ୍ୱାରା ପୂଜାର ପାତ୍ର ହୋଇଥିଲେ ଆଉ ଉପହାସର ପାତ୍ର ନ ଥିଲେ । ସେ ‘ଯୋଗସିଦ୍ଧା’ ବୋଲି ବ୍ରାହ୍ମଣମାନେ ତାଙ୍କ ପରୀକ୍ଷା କାଳରେ ତାଙ୍କୁ କହିଥିଲେ ।

 

ସେ ପୂର୍ଣ୍ଣ ବୌଦ୍ଧ ଥିଲେ ବୋଲି ଯାହା ନଗେନ୍ଦ୍ରନାଥ ବସୁ ତାଙ୍କ Modern Budhism and followers in Orissa ସେ କହିଅଛନ୍ତି ତାହା ଅଯଥାର୍ଥ ।

 

ସେ କହିଅଛନ୍ତି - ‘‘Though they were Sincere Budhists, being votaries of Budha, yet they found it necessary nay, unavoidable to keep their Budhistic frames of mind hidden under the guise of vaisnavism for fear of the persecution by Brahmans and kings. It is for this that Cunya Samhita. ‘‘କଳିଯୁଗ ବୌଦ୍ଧରୂପେ ନିଜରୂପ ଗୋପ୍ୟ’’ - It is desirable in Kaliyuga that the followers of Budha should be disguised. ଶୂସଂହିତାର ଉପରୋକ୍ତ ପଦର ଏପରି ଦିବ୍ୟସୂନ୍ଦର ଅର୍ଥ କରି ବସୁ ମହାଶୟ ଏରୂପ ସିଦ୍ଧାନ୍ତରେ ଉପନୀତ ହୋଇଅଛନ୍ତି । ବସୁ ମହାଶୟ ଓଡ଼ିଆ ପଦର ଯେ ଅର୍ଥ ବୁଝିଲେ ତାହା କୌଣସି ପ୍ରକାରେ ହେଲେ ସମର୍ଥିତ ହୋଇ ନ ପାରେ । ତାହାର ପ୍ରକୃତ ଅର୍ଥ ଏହି:- କଳିଯୁଗରେ ଭଗବାନ ବୌଦ୍ଧରୂପ କି ଜଗନ୍ନାଥ ରୂପରେ ନିଜ ରୂପ ଗୋପନ କରିଅଛନ୍ତି ।

 

ସେ ବୌଦ୍ଧ ଥିଲେ ବୋଲି ଯେ ତତ୍ତ୍ୱମାନ ବ୍ରାହ୍ମଣଙ୍କଠାରୁ ଗୋପନ ରଖିବା ଅଭିପ୍ରାୟରେ ଶିଷ୍ୟଙ୍କୁ ଶପଥ ପକାଇଥିଲେ ତାହା ସମ୍ପୂର୍ଣ୍ଣ ଭ୍ରମାତ୍ମକ ।

 

ଏହି ଶପଥପକାକୁ ରଥେ ଯେ ମହାପୁରୁଷଙ୍କ ସଂକୀର୍ଣ୍ଣତା ବୋଲି କହିଅଛନ୍ତି ତାହା ସମ୍ପୂର୍ଣ୍ଣ ଅନୁଚିତ ହୋଇଅଛି । ଲୋକ ଚଞ୍ଚଳମତି, କାଳେ ଅପାତ୍ରରେ ତତ୍ତ୍ୱପ୍ରଦାନ କରିବ ଏହି ଆଶଙ୍କାରେ ସେ ତୀବ୍ର ନିଷେଧ କରିଥିଲେ ।

 

‘‘ମୋହ ଶପଥ ତୋତେ ଆରେ ବାବୁ

ଏ ଭଜନସୂତ୍ର ମନ୍ତ୍ରେ ନ ଦେବୁ

କିଏ କାହାର ମିଥ୍ୟା ଯେ ସଂସାର

ଆପେ ତରିଲେ ଆଉ କେ କାହାର ॥’’

 

ସେ ଯେ ପ୍ରକୃତ ବୈଷ୍ଣବ ଥିଲେ ତହିଁରେ ଅଣୁମାତ୍ର ସନ୍ଦେହ ନାହିଁ । ତାହାର ନିଦର୍ଶନସ୍ୱରୂପ କେତେକ ପଦ ଗୁରୁଭକ୍ତି ଗୀତା ୩ୟ ଖଣ୍ଡରୁ ଉଦ୍ଧାର କଲୁଁ ।

 

‘‘ପୂର୍ବଦିଗର ଗୋପୀମାନ

ଶୁଣହେ ମଥୁରି ପବନ

ଲଳିତା ବୃନ୍ଦା ମଧୁବତୀ

ଚମ୍ପା ଦୟଣା ମଦନାବତୀ

ସୁରେଖା ତ୍ରିପୁରା ଯେ ପୁଣ

ଅଛନ୍ତି ଯେ ଅଷ୍ଟଦଳେଣ

ହରେ ଶବଦ ପୂର୍ବେ ବସେ

ରାମ ଶବଦେ ଈଶାନସେ

କୃଷ୍ଣ ଶବଦ ଉତ୍ତରେଣ

ଶ୍ୟାମ ଶବଦ ବାୟବ୍ୟେଣ

ହ୍ରୀଁ ଯେ ପଶ୍ଚିମ ଭାଗରେ

ଶ୍ରୀଁ ଯେ ନୈରତ ଦିଗରେ,

କ୍ଲୀଁ ଯେ ପୂର୍ବେ ପରକାଶ

କୃଷ୍ଣାୟ ଈଶାନରେ ଘୋଷ

ଗୋବିନ୍ଦାୟ ଯେ ଉତ୍ତରେଣ

ଗୋପୀଜନ ଯେ ବାୟବ୍ୟେଣ

ବଲ୍ଲ ପଶ୍ଚିମଦିଗେ ବସେ

ଭୟ ଯେ ନୈଋତେ ପ୍ରକାଶେ

ସ୍ୱାହା ଦକ୍ଷିଣଦିଗେ ପୁଣ

ନମ ଅଗ୍ନି କୋଣେଣ ଜାଣ

ଯେ ଜଗନ୍ନାଥ ମିଶ୍ର ନାମ

ପୁରନ୍ଦର ସେ ଇନ୍ଦ୍ର ସମ

ଯଶୋଦା ନାମ ଯେହୁ ହୋଇ

ନଦୀଆଦେଶେ ଶଚି ସେହି

ଯେ କୃଷ୍ଣ ଗୋପପୁରେ ଜାତ

ସେ ହେଲେ ଶଚିର ଯେ ସୂତ

ସତ୍ୟଭାମା ଯେ ହୋଇଥିଲେ

ନଦୀଆ ବିଷ୍ଣୁପ୍ରିୟା ହେଲେ

 

 

ଇତ୍ୟାଦି, ଇତ୍ୟାଦି ।

 

ମହାପୁରୁଷଙ୍କକୃତ ବୟାଳିଶ ପଦ୍ୟାବଳୀ ଗୁରୁଭକ୍ତିଗୀତା, ଅଷ୍ଟଗୁଜ୍ଜରୀ ଓ ଅନ୍ୟାନ୍ୟ ଗ୍ରନ୍ଥମାନ ପାଠକଲେ ସ୍ପଷ୍ଟ ପ୍ରତିପନ୍ନ ହେବ ଯେ, ସେ ଜଣେ ପ୍ରଧାନ ବୈଷ୍ଣବ ଥିଲେ । ଗୁରୁଭକ୍ତିଗୀତାର ଦ୍ୱିତୀୟ ତୃତୀୟ ଖଣ୍ଡର ବର୍ଣ୍ଣିତ ବିଷୟମାନ ଶୁଣିଲେ ପାଠକମାନେ ଏ ବିଷୟରେ ସ୍ଥିର ସିଦ୍ଧାନ୍ତରେ ଉପନୀତ ହେବେ ।

 

ଦ୍ୱିତୀୟଖଣ୍ଡ - କର୍ମ ବିଧି, ପୂଜା ବିଧି, ତିଳକ ବିଧି, ଭଜନ ବିଧି, ମାଳାସଂଖ୍ୟାନିରୂପଣ, ସ୍ନାନଯୋଗ, ଛାୟା ବିଧି, ଜ୍ୟୋତି ବିଧି, ସଗୁଣ ନିର୍ଗୁଣ କଥନ, ତତ୍ତ୍ୱବୋଧନ, ତନ୍ତ୍ରଭେଦକଥନ, ମହୋତ୍ସବ ବିଧି, ମନ୍ତ୍ରଭେଦ, ପୂଜା ବିଧି ଇତ୍ୟାଦି ।

 

ତୃତୀୟଖଣ୍ଡ - ଶିଷ୍ୟଉଦ୍ଧାରଣ, ଅନ୍ନ-ଫଳକଥନ, ଶିଷ୍ୟଗୁରୁ ପରମଗୁରୁସମ୍ଭାଷଣ, ବୈରାଗ୍ୟଲକ୍ଷଣ, ଗୁରୁପୂଜନ, ବସ୍ତ୍ରଦାନ, ଗୁରୁପ୍ରଣାଳୀ; ସୂଜନଲକ୍ଷଣ, ସାଧୁଲକ୍ଷଣ, ଦାସଲକ୍ଷଣ, ମହନ୍ତଲକ୍ଷଣ, ମହାତ୍ମାଳକ୍ଷଣ, ନବଧା ଭକ୍ତି, ଶ୍ରୀକୃଷ୍ଣ ଗୋପଲୀଳା, ରାଧାକୃଷ୍ଣ ନୀତିଚରିତ, ଅଷ୍ଟପ୍ରହର ସଖୀସେବା, ରସଗୁଣ, ଗୋପାଳ ଗାବ ଅଷ୍ଟଦିଗ ବର୍ଣ୍ଣନ, ଅଷ୍ଟପ୍ରହର ପୁଷ୍ପସେବା, ରାହାସନିର୍ଣ୍ଣୟ ବର୍ଣ୍ଣନ, ଶିବ ପଞ୍ଚାକ୍ଷର, ନାରାୟଣ ମନ୍ତ୍ରମୂର୍ତ୍ତି, ବ୍ରହ୍ମସାବିତ୍ରୀ, ଦେବଦେବୀ ମନ୍ତ୍ରମୂର୍ତ୍ତି, ଗଣପତି ମନ୍ତ୍ରମୂର୍ତ୍ତି, ଏକାକ୍ଷର, ରାଧାରୂପବର୍ଣ୍ଣନ, ଗୋପାଳ ମନ୍ତ୍ର, ସଖୀସଖା ଲୀଳାକଥନ, ମଣୋହିଭେଦ, ମାନସୀ ସେବା ଧ୍ୟାନ ଇତ୍ୟାଦି ।

 

ଅଚ୍ୟୁତାନନ୍ଦଙ୍କର ଐଶ୍ଵରୀଭକ୍ତି ଜ୍ଞାନ ମିଶ୍ରା ଥିଲେହେଁ ସେ ତାଙ୍କର ପରଜୀବନରେ ଲୟୋତ୍ତର କୃଷ୍ଣ-ଲୀଳାସ୍ୱାଦନରେ ସର୍ବଦା ବିଭୋର ଥିଲେ । ତାଙ୍କର ସେବା ପ୍ରକୃତରେ କହିବାକୁ ଗଲେ ଅନ୍ତରଙ୍ଗା, ତାଙ୍କର କ୍ରିୟାକଳାପ ଅନ୍ତର୍ମୁଖ ଥିଲା । ଏହି କାଳରେ ସେ ତାଙ୍କର ପ୍ରିୟତମ ପୁତ୍ର ବ୍ରଜଗଦାଧରଙ୍କ ଅତ୍ୟଧିକ ତନ୍ତ୍ରମିଶ୍ରା ଯୋଗଚର୍ଯ୍ୟାରେ କ୍ଷୁବ୍ଧ ହୋଇ ତାହାଙ୍କୁ ପରିହାର କରିଥିଲେ । ଉତ୍କଳର ଗୋପମଣ୍ଡଳୀର ଗୁରୁ ଓ ପ୍ରାଣସ୍ୱରୂପ ଅଚ୍ୟୁତାନନ୍ଦ ଗୃହସ୍ଥାଶ୍ରମରେ ରହି ନିଜର ଆର୍ଥିକ ଅବସ୍ଥା ଉନ୍ନତିକଳ୍ପେ ଆଦୌ ଦୃଷ୍ଟି ପ୍ରଦାନ କରି ନ ଥିଲେ । ସେ ଗୃହରେ ଥାଇ ଜନକ ମହର୍ଷିଙ୍କ ପରି ନିର୍ଲିପ୍ତଭାବରେ ଓ ସନ୍ନ୍ୟାସୀଙ୍କ ପରି ନିଃସ୍ୱଂଭାବରେ ଜୀବନଯାତ୍ରା ନିର୍ବାହ କରୁଥିଲେ । କିମ୍ବଦନ୍ତୀ ପ୍ରଚଳିତ ଅଛି ଦିନେ ମହାପୁରୁଷ ପ୍ରାତଃକାଳରେ ବାଡ଼ିରେ କାକୁଡ଼ି କଷିଟିଏ ଦେଖିଥିଲେ । ସେ ସେଦିନ ପୂଜାରେ ବସିଲାବେଳେ ସେ କାକୁଡ଼ି କଷିଟିକୁ ପୂଜାପାଇଁ ଆଣିବାକୁ ନିଜ ସ୍ତ୍ରୀଙ୍କୁ କହିଥିଲେ କିନ୍ତୁ ସ୍ତ୍ରୀ ଯାଇ ଦେଖିଲେ ଯେ ଗଛରେ କାକୁଡ଼ିକଷିଟି ନାହିଁ- ଡେମ୍ଫଟି ଝୁଲୁଅଛି । ସେ ଫେରିଆସି ସେକଥା ମହାପୁରୁଷଙ୍କୁ ଜଣାଇଲେ । ତହୁ ମହାପୁରୁଷ ନିଜ ପୁତ୍ର ବ୍ରଜଗଦାଧର ତାହା ଖାଇଥିବାର ସନ୍ଦେହ କରି ତାହାଙ୍କୁ ଡାକି ପଚାରିଲେ । ବ୍ରଜଗଦାଧର କହିଲେ, ମୁଁ ବର୍ତ୍ତମାନ ଗଛରେ କାକୁଡ଼ି ଦେଖିଆସିଲି ମା’ଙ୍କ ଖୋଜିବାରେ ଭୁଲ ହୋଇଥିବ । ତହୁଁ ପୁଣି ମହାପୁରୁଷଙ୍କ ସ୍ତ୍ରୀ କାକୁଡ଼ିଗଛ ପାଖକୁ ଯାଇ ଦେଖିଲେ ଯେ ଗଛରେ କାକୁଡ଼ି ଝୁଲୁଛି । ସେ ତାହା ଆଣି ମହାପୁରୁଷଙ୍କୁ ଦେଲେ । ମହାପୁରୁଷ ଧ୍ୟାନସ୍ଥ ହୋଇ ସମସ୍ତ ବିଷୟ ଅବଗତ ହୋଇଥିଲେ ଯେ ବ୍ରଜଗଦାଧର କାକୁଡ଼ି ଖାଇ ନିଜର ଯୋଗସାଧନା ବଳରେ ପୁନର୍ବାର କାକୁଡ଼ି ସୃଷ୍ଟି କରିଅଛି । ଏହି ହଠ ଯୋଗଦ୍ୱାରା ସ୍ୱବିଭୂତି ଦର୍ଶାଇବା ବୈଷ୍ଣବର କାର୍ଯ୍ୟ ନୁହେଁ । ଏହାଦ୍ୱାରା କେବଳ ଲୋକ ସମ୍ମାନ ଓ ନିଜର ଐଶ୍ୱର୍ଯ୍ୟଲିପ୍ସା ଉତ୍ତରୋତ୍ତର ବୃଦ୍ଧି ପାଏ । ତହୁଁ ବ୍ରଜଗଦାଧରଙ୍କର ଏହି କାର୍ଯ୍ୟରେ ମହାପୁରୁଷଙ୍କର ମର୍ମ୍ମାନ୍ତିକ ବେଦନା ହୋଇଥିଲା ଏବଂ ସେ ନିଜର ପ୍ରିୟତମ ପୁତ୍ରର ମୁଖ ଦର୍ଶନ କରିବାକୁ ନିଷେଧ କରିଥିଲେ । ବ୍ରଜଗଦାଧର ପିତାଙ୍କର ଆଦେଶ ପାଳନ କରି ଗୃହତ୍ୟାଗ କରିଥିଲେ । ନାନା ସ୍ଥାନରେ ଭ୍ରମଣ କରି କରି ଅବଶେଷରେ ଚିତ୍ରୋତ୍ପଳା କୂଳସ୍ଥ ଶୀଳଶିଳ ବଟ ନିକଟରେ ଉପସ୍ଥିତ ହୋଇଥିଲେ । ସେସ୍ଥଳରେ ଗୋପାଳମାନଙ୍କୁ ନିକଟବର୍ତ୍ତୀ ଗ୍ରାମକୁ ଆହାରାର୍ଥେ ବିଦାୟ ଦେଇ ସେ ସୁଆରି ସହିତ ଚିତ୍ରୋତ୍ପଳାର ବାଲୁକାଗର୍ଭରେ ଲୀନହୋଇ ପିତାଙ୍କର ଦ୍ରୋହାଚରଣର ଉପଯୁକ୍ତ ପ୍ରାୟଶ୍ଚିତ କରିଥିଲେ ।

 

ବର୍ତ୍ତମାନ ପ୍ରଶ୍ନ ହୋଇପାରେ ମହାପୁରୁଷ କିପରି ଉତ୍କଳର ସମଗ୍ର ଗୋପାଳକୁଳ ଉପରେ ପ୍ରତିଷ୍ଠାଲାଭ କରିଥିଲେ । ଜନଶ୍ରୁତି ପ୍ରଚଳିତ ଅଛି - ମହାପୁରୁଷ ସ୍ୱପ୍ନରେ ପ୍ରଭୁଙ୍କର ଦର୍ଶନଦ୍ୱାରା ଜ୍ଞାନଲାଭ କରିଥିଲେ ବୋଲି ପୂର୍ବରେ କଥିତ ହୋଇଅଛି । ତହିଁପରେ ସେ କେତେକ କାଳ ଗ୍ରାମର ଚତୁର୍ଦ୍ଦିଗସ୍ଥ ସ୍ଥାନମାନଙ୍କରେ ବାତୁଳ ପରି ଭ୍ରମଣ କରୁଥିଲେ । ଏକଦା ସେ ମହାନଦୀର ତୀରଦେଶରେ ଏକାକୀ ବସିଅଛନ୍ତି, ଏମନ୍ତ ସମୟରେ ଜଣେ ଗୋପାଳ ବେହେରା ସେହି ପଥଦେଇ ବିଷର୍ଣ୍ଣ ଚିତ୍ତରେ ଯିବାର ସେ ଦେଖିଥିଲେ । ଏହି ଜ୍ଞାନବାତୁଳ ଅଚ୍ୟୁତଙ୍କ ହୃଦୟ ତାହାର ଦୁଃଖର ବିଗଳିତ ହୋଇଥିଲା, ତହୁଁ ତାହାକୁ ନିଜ ସମୀପକୁ ଆହ୍ୱାନ କରି ଛଳରେ ଜଳ ଯାଚଜ୍ଞା କରିଥିଲେ । ସେ କହିଥିଲା -‘‘ମୋର ସତ୍ୟାନାଶ ହୋଇଛି, ମୁଁ ଆଉ ସାଧୁସେବା କଲେ ମୁକ୍ତି ପାଇଯିବି ।’’ ତାହାର ଦୁଃଖର କାରଣ ପଚାରିବାରୁ ସେ କହିଥିଲା -ତାହାର ମଇଁଷିଯାକ ତତ୍ରତ୍ୟ ରାଜାଙ୍କର ଆଖୁକ୍ଷେତ ଖାଇ ଯାଇଛନ୍ତି । ତେଣୁ ରାଜା କର୍ମଚାରୀଦ୍ୱାରା ତଦନ୍ତ କରାଇ ବର୍ତ୍ତମାନ ତାହାର ସର୍ବନାଶ କରିବାକୁ ଉଦ୍ୟତ । ଉଦାରହୃଦୟ ଅଚ୍ୟୁତ ଏହି ଗୋପାଳକୁ କଳସୀପୂର୍ଣ୍ଣ ଜଳ ତାହଙ୍କ ନିକଟକୁ ଆଣିବାକୁ କହିଥିଲେ ଗୋପାଳ ତାହାଙ୍କର ଆଦେଶ ପାଳନ କରିଥିଲା, ଅଚ୍ୟୁତାନନ୍ଦ ସେହି ଜଳକୁ ଅଭିମନ୍ତ୍ରିତ କରି କ୍ଷେତ୍ରରେ ସେଚନ କରିବାକୁ ଗୋପାଳକୁ ଆଦେଶ ପ୍ରଦାନ କରିଥିଲେ । ଗୋପାଳ ତଦନୁଯାୟୀ ଚକ୍ଷୁ ମୁଦ୍ରିତ କରି କ୍ଷେତ୍ରରେ ଜଳସେଚନ କରିସାରି ଦେଖିଲା, ସେହି କ୍ଷେତ୍ର ପୂର୍ବଠାରୁ ଅଧିକ ଶସ୍ୟପୂର୍ଣ୍ଣ ହୋଇଅଛି । ସେହି ଗୋପାଳ ବେହେରା ତାହାଙ୍କ ମାହାତ୍ମ୍ୟ ବଳରୁ ରାଜଦଣ୍ଡରୁ ମୁକ୍ତି ଲାଭ କରିଥିଲା । ପରେ ସେହି ଗୋପାଳର ବନ୍ଧୁବାନ୍ଧବ ଓ ଅଧୀନସ୍ଥ ଗୋପାଳମାନେ ଅଚ୍ୟୁତାନନ୍ଦକୁ ନିଜର ପ୍ରାଣର ଗୁରୁରୂପରେ ଗ୍ରହଣ କରିଥିଲେ । ସେହିଦିନଠାରୁ କ୍ରମେ କ୍ରମେ ଗୋପାଳମାନେ ମହାପୁରୁଷଙ୍କର ଶିଷତ୍ୱ ଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ ବାରଜଣ ପ୍ରଧାନ ଶିଷ୍ୟ ମହାପୁରୁଷଙ୍କ ସହ ପୁରୀଧାମକୁ ଯାଇଥିଲେ ଓ ମହାପୁରୁଷଙ୍କ ସନ୍ନ୍ୟାସ ଗ୍ରହଣ ପରେ ଚୈତନ୍ୟମଣ୍ଡଳୀରୁ କୀର୍ତ୍ତନ ଶିକ୍ଷା କରିଥିଲେ ।

 

ମହାପୁରୁଷଙ୍କର ବାର ଜଣ ପ୍ରଧାନ ଶିଷ୍ୟ ଓ ବାର ଜଣ ପ୍ରଶିଷ୍ୟ ଥିଲେ । ବାର ଶିଷ୍ୟଙ୍କ ନାମ ପୂର୍ବରେ କୁହା ହୋଇଅଛି । ପ୍ରଶିଷ୍ୟମାନଙ୍କର ନାମ । ଯଥା-

 

ବକ୍ର, ଶ୍ୟାମ, ହରି, ଗୋକୁଳ, ନରସିଂହ, ବିନୋଦ, ଶ୍ରୀଧର, ଗୋପାଳ, ଗୋପୀ, ବଂଶୀ, ମୋହନ ଓ ଶଙ୍କର ।

 

ଏହି ଗୋପାଳଶିଷ୍ୟମାନେ ଉତ୍କଳର ସର୍ବତ୍ର ଗୋପାଳମାନଙ୍କ ମଧ୍ୟରେ ମହାପୁରୁଷଙ୍କ ଧର୍ମ ଓ ମହତ୍ତ୍ୱ ପ୍ରଚାର କରିଥିଲେ ଓ ସମସ୍ତେ ଏକ ଦଳବଦ୍ଧ ହୋଇଥିଲେ, ‘‘ମହାପୁରୁଷ ଗୁରୁଭକ୍ତିଗୀତାରେ କହିଛନ୍ତି’’ - ଗଙ୍ଗାଠାରୁ ଯେ କୋଇଲା, ଆମ୍ଭର ଗୁରୁପଣ ହେଲା । ପ୍ରଧାନ ବାରଶିଷ୍ୟଙ୍କ ମଧ୍ୟରେ ସମସ୍ତେ ଗୋପାଳ ନ ଥିଲେ । ସେମାନଙ୍କ ମଧ୍ୟରେ କେହି କେହି କମାର, କୁମ୍ଭାର ଆଦି ଜାତିର ଲୋକ ଥିଲେ । ତାହାଙ୍କର ପ୍ରଧାନ ଶିଷ୍ୟ ରାମଚନ୍ଦ୍ର କୁଜଙ୍ଗ ରାଜାଙ୍କର ପୁତ୍ର ଥିଲେ । ସେ ଅଧିକାରୀ ଓ ମୁକୁନ୍ଦ ଅନନ୍ତାଦି ମହନ୍ତପଦବୀ ପ୍ରାପ୍ତ ହୋଇଥିଲେ । ପ୍ରଧାନ ପ୍ରଧାନ ଗ୍ରନ୍ଥମାନ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଲିଖିତ ହୋଇଅଛି । ମହାପୁରୁଷ ଗୁରୁଭକ୍ତିଗୀତା ଓ ମାଳିକାମାନଙ୍କରେ ଏହି ଶିଷ୍ୟ ପ୍ରଶିଷ୍ୟମାନଙ୍କର ଲୀଳାସ୍ଥାନ ଓ ସମାଧି ସ୍ଥାନମାନ ନିର୍ଦ୍ଦେଶ କରି ଯାଇଅଛନ୍ତି । ବିସ୍ତର ଭୟରୁ ତହିଁରୁ ନିବୃତ୍ତ ହେଲୁଁ ।

 

୧୬୦୯ ବା ୧୦ ଖ୍ରୀଷ୍ଟାବ୍ଦରେ ୧୦୮ ବୟସ ସମୟରେ ମହାପୁରୁଷ ନେମାଳବଟମୂଳରେ ଶୂନ୍ୟସମାଧିସ୍ଥ ହୋଇଥିଲେ । ଶୂନ୍ୟସମାଧିର ଅର୍ଥ ଏହି - ସେ ରାମଚନ୍ଦ୍ରଙ୍କୁ କହିଥିଲେ - ମୁଁ ଜୀବିତା ବସ୍ଥାରେ ଏକୋଇଶ ଦିନ ପର୍ଯ୍ୟନ୍ତ ସମାଧିସ୍ଥ ହୋଇ ରହିବି । ତୁମ୍ଭେମାନେ କେହି ମତେ ସମାଧି ସ୍ଥାନରେ ଖୋଜିବ ନାହିଁ । ପରକ୍ଷ ଭକ୍ତ ଶିଷ୍ୟ ୧୫/୧୬ ଦିନ ପରେ ଗୁରୁଙ୍କ ଅନୁପସ୍ଥିତିରେ ହୃଦୟରେ ଅସହ୍ୟ ବେଦନା ଅନୁଭବ କରିଥିଲେ । ଅନାହାରରେ ଗୁରୁ କିପରି ଅଛନ୍ତି ସେଥିପାଇଁ ବ୍ୟଥିତ ହୋଇ ଜ୍ୟେଷ୍ଠପୂର୍ଣ୍ଣିମା ଦିନ ସମସ୍ତେ ଗୁରୁଙ୍କୁ ଦର୍ଶନ କରିବାକୁ ସେଠାରେ ଏକତ୍ର ହୋଇଥିଲେ, କିନ୍ତୁ ହାୟ ! ସେ ସ୍ଥାନ ଶୂନ୍ୟ । କେବଳ ମୂର୍ତ୍ତିକା ଅସ୍ଥିମାଂସର ଚିହ୍ନ ପର୍ଯ୍ୟନ୍ତ ନାହିଁ । ମହାଯୋଗୀ ଅଚ୍ୟୁତାନନ୍ଦ ଇଚ୍ଛାବିହାରୀ ଥିଲେ, ସେ ଇଚ୍ଛାମୃତ୍ୟୁ ବରଣ କରି ସ୍ୱଶରୀର ସହିତ କେଉଁ ଅଚିନ୍ତ୍ୟ ଅନିର୍ବଚନୀୟ ଧାମକୁ ଗମନ କଲେ, ତାହା ମାନବର ବୋଧାତୀତ ।

 

ତାହାଙ୍କର ପ୍ରିୟ ଶିଷ୍ୟଙ୍କର ସମାଧି ମଧ୍ୟ ଚିତ୍ରୋତ୍ପଳାର ଅପର କୂଳରେ ଅଦ୍ୟାପି ବିଦ୍ୟମାନ ରହିଅଛି ।

 

ଗୁରୁଭକ୍ତିଗୀତାରେ ମହାପୁରୁଷ ଲେମ୍ବାଳର ମାହାତ୍ମ୍ୟ ବିଷୟରେ କହି ଅଛନ୍ତି :-

 

ପଦ୍ମବନ ଲେମ୍ବାଳ ଆମ୍ଭର ସେହୁ ସ୍ଥାନ ।

ଭାରତ ସାରି ଶ୍ରୀକୃଷ୍ଣ ସେଠାରେ ଗମନ ॥

ସେଠାରେ ଶ୍ରୀକୃଷ୍ଣ ବସି ନୀଳାଞ୍ଚଳ ଗଲେ ।

ଅଠାଶୀ ଭୁବନେ ଯାଇଁ ଅନ୍ତର ହୋଇଲେ ॥

 

ମହାପୁରୁଷଙ୍କର ବଂଶଧରମାନେ ଏହି ଲେମ୍ବାଳ ଗ୍ରାମରେ ବାସ କରି ଆସୁଅଛନ୍ତି ଏବଂ ଗୋପାଳକୁଳ ଉପରେ ସେମାନଙ୍କର ଆଧିପତ୍ୟ ଅକ୍ଷୂର୍ଣ୍ଣ ରହିଅଛି । ବର୍ତ୍ତମାନ ମହାପୁରୁଷଙ୍କର ୧୧ଶ ବଂଶଧର ଗୋସ୍ୱାମୀ ସୁନ୍ଦରାନନ୍ଦ ଲେମ୍ବାଳ ଗାଦୀର ମହନ୍ତ ଅଟନ୍ତି ।

 

ବଂଶଧର - ୨ୟ ଗଦାଧର, ୩ୟ ବାଳମୁକୁନ୍ଦ, ୪ର୍ଥ ଗନ୍ଧର୍ବ, ୫ମ ରାମଚନ୍ଦ୍ର, ୬ଷ୍ଠ ବ୍ରଜକିଶୋର, ୭ମ ବ୍ରହ୍ମାନନ୍ଦ, ୮ମ ଶ୍ୟାମାନନ୍ଦ, ୯ମ ନନ୍ଦକିଶୋର, ୧୦ମ ପ୍ରେମାନନ୍ଦ, ୧୧ଶ ସୁନ୍ଦରାନନ୍ଦ ନିଜର ହୃଦୟକୁ ଭଗବାନଙ୍କ ଉପାସନାର ଉପଯୋଗୀ କରିବାକୁ ହେଲେ ନିଜର ହୃଦୟ-ମୁକୁରରେ ଛାୟାଦର୍ଶନ ଓ ଜ୍ୟୋତିରୂପ ପ୍ରତିବିମ୍ବିତ କରାଇବାକୁ ହେଲେ ଏବଂ ଜ୍ୟୋତି ମଧ୍ୟରେ ସେହି ବାଳାଗ୍ରର ସହସ୍ର ଭାବ ପରିମିତ ଅପୂର୍ବ କମନୀୟ ରୂପର ଦର୍ଶନ ସୁଖ ଅନୁଭବ କରିବାକୁ ହେଲେ ଓ ତଦ୍ରୂପ ଦର୍ଶନାନ୍ତର ପ୍ରୀତି ଭକ୍ତିର ଶନ୍ମୟାନନ୍ଦରସରେ ହୃଦୟକୁ ଆପ୍ଳୁତ କରିବାକୁ ହେଲେ, ଭଗବତ ପ୍ରାପ୍ତିରେ ପ୍ରକୃତ ଶ୍ରଦ୍ଧା ଚେଷ୍ଟା ସାଧନାରେ ଆଦୌ ଆବଶ୍ୟକ ତାହା କେହି ଅସ୍ୱୀକାର କରି ପାରିବେ ନାହିଁ । ଭିନ୍ନ ଭିନ୍ନ ପଥାବଲମ୍ବୀମାନେ ବିଭିନ୍ନ ସାଧନାମାର୍ଗ ଅବଲମ୍ବନ କରିଥାନ୍ତି । ଆମ୍ଭମାନଙ୍କର ମହାପୁରୁଷ ତଥା ପଞ୍ଚଶାଖା ମଧ୍ୟ ଅନ୍ତରଙ୍ଗ ଭକ୍ତ ଥିବାରୁ ସେମାନଙ୍କର ସ୍ମରଣ, ମଙ୍ଗଳ, ସେବା, ଅର୍ଚ୍ଚନାଦି ଅନ୍ତରଙ୍ଗ ଅର୍ଥାତ୍ ଅନ୍ତର୍ମୁଖ ଥିଲା । ସେଥିଯୋଗୁ ସେମାନେ ଯୋଗର ଆଶ୍ରୟ ଗ୍ରହଣ କରିଥିଲେ ।

 

ସେମାନେ ଚୈତନ୍ୟଙ୍କର ପ୍ରେମ ଧର୍ମ୍ମରେ ଯନ୍ତ୍ର ତନ୍ତ୍ର ମନ୍ତ୍ର ଓ ଯୋଗମିଶ୍ରିତ କରିଥିଲେ । ଏହି ଯୋଗ ବିସ୍ତର ବିବରଣ ଆଉଦିନେ ଆଲୋଚନା କରିବାକୁ ବାସନା ରହିଲା ।

 

ମହାପୁରୁଷ ଗୁରୁଭକ୍ତିଗୀତା ୨ୟ ଖଣ୍ଡରେ କହିଅଛନ୍ତି :-

 

ଯନ୍ତ୍ରଂ ମନ୍ତ୍ରଂ ତନ୍ତ୍ରଂ ଚୈବ ଛାୟା ଜ୍ୟୋତିରବା ଉକଂ

ହଜ-ସମାଧି ରସଗୁଣଂ ଚ ଯୋ ଜାନାତି ସ ବୈଷ୍ଣବଃ ॥

 

ସେ ସଗୁଣ ନିର୍ଗୁଣ ଭାବରେ ଉପରୋକ୍ତ ଯନ୍ତ୍ର ମନ୍ତ୍ରାଦିକୁ ଗ୍ରହଣ କରିଅଛନ୍ତି ।

 

‘‘ଶୁଣ ଆହେ ଗୋପସୂତ ଭଗତିର କଥା

ସଗୁଣ ନିର୍ଗୁଣ ଦୁଇ ଯେବଣ ବ୍ୟବସ୍ଥା ॥

ଦୁଇ ଯେ ଡେଣାରେ ପକ୍ଷୀ ଉଡ଼ିକରି ଯାଇ

ଦୁଇ ଯେ ଚକ୍ଷୁରେ ସେହି ସଂସାର ଖେଳାଇ ॥

ଏକ ଯେ ନ ଥିଲେ କଣା ଦୁଇ ଗଲେ ଅନ୍ଧ

ଏଣୁକରି ନିର୍ଗୁଣ ସଗୁଣ ପାଶେ ବଦ୍ଧ ॥

ଯନ୍ତ୍ର ତନ୍ତ୍ର ମନ୍ତ୍ର ରସ ଏହୁ ଚାରି ଗୁଣ

ସଗୁଣ ଯାହାକୁ ବୋଲି ଏହି କଥା ଶୁଣ ॥

ଛାୟା ଅବାଡ଼ ଜ୍ୟୋତି ଯେ ଏହୁଟି ସମାଧି

ଏ ଚାରି ନିର୍ଗୁଣ ବୋଲି ପାରିଲେଟି ସାଧି ॥

 

ମହାପୁରୁଷ ଏହି ଅଷ୍ଟଗୁଣକୁ ନିତ୍ୟ ରାହାସର ଅଷ୍ଟଗୁଣରେ ଲଗାଇ ଅଛନ୍ତି ।

 

ପ୍ରଭାତୁ ସ୍ନାହାନ କରିବ

ଛାୟାରୂପକୁ ସୁମରିବ

ଦ୍ୱିତୀୟ ପ୍ରହର ସ୍ନାହାନ

ଜ୍ୟୋତିରୂପକୁ କରି ଧ୍ୟାନ

ସନ୍ଧ୍ୟାରେ ସ୍ନାହାନ କରିଣ

ଅବାଡ଼ରୂପକୁ ଚାହିଁଣ

ପ୍ରଥମ ପ୍ରହର ରାତ୍ରେଣ

ଭଜନ କରି ମନ୍ତ୍ରଗୁଣ

ଦ୍ୱିତୀୟ ପ୍ରହର ରାତ୍ରେଣ

ଯନ୍ତ୍ରକୁ ଗୁଣିବ ମନ୍ତ୍ରେଣ

ତୃତୀୟ ପ୍ରହର ବସିବ

ସମାଧିରୂପକୁ ଧ୍ୟାୟିବ

ତୃତୀୟ ପାହାନ୍ତି ପ୍ରହରେ

ସୁମରି ରସ ଯେ ହୃଦରେ

କୃଷ୍ଣର ରସ କଥାମାନ

କରିବ ମୁଖରେ ଗାୟନ

ଶଙ୍ଖ ଶିଙ୍ଘା ବେଣୁ ମୁରଲୀ

ଖୋଳ କର୍ତ୍ତାଳ ଆଦି ଧରି

 

 

ଇତ୍ୟାଦି ଇତ୍ୟାଦି ।

 

ମହାପୁରୁଷଙ୍କର ପ୍ରଣବବିଚାର ଶୂନ୍ୟସଂହିତା ଆଦିରେ ଲିଖିତ ଅଛି । ଏହି ପ୍ରଣବସୃଷ୍ଟି ପ୍ରକ୍ରିୟାର ମୂଳଭୂତ । ଷୋଳ ନାମ ବତିଶ ଅକ୍ଷରର ଅର୍ଥ ୫ଭୂତ, ୫ବାୟୁ, ୫ଆତ୍ମା, ୫ମନ, ୫ବୀଜ, ୫ତତ୍ତ୍ୱ ଓ ୫ମାତ୍ରା - ଏହାକୁ ସପ୍ତ ପଞ୍ଚାତ୍ମିକ କହନ୍ତି । ଏହି ସମସ୍ତର ବିଚାର ମହାପୁରୁଷଙ୍କର ଛାୟାଜ୍ୟୋତି ପ୍ରଭୃତି ଯୋଗବିଷୟକ ବିଚାର କଲାବେଳେ କରିବାର ମାନସ ରହିଲା ।

 

ଆମ୍ଭମାନଙ୍କର ତଥାକଥିତ ଓଡ଼ିଆ ସାହିତ୍ୟର ପ୍ରସିଦ୍ଧ ଐତିହାସିକ ଶ୍ରୀ ବିଜୟଚନ୍ଦ୍ର ମଜୁମ୍‌ଦାର ମହାଶୟ ତାହାଙ୍କର ଉତ୍କଳ-ସାହିତ୍ୟ ପରିଚୟ ୨ୟ ଖଣ୍ଡ ମୁଖବନ୍ଧରେ ଲେଖିଅଛନ୍ତି :-

 

ରଣପୁର ମଝି ମୁଁ ଆଖଣ୍ଡଚଳେ ବସିକରି ଥାଇ

ପଦ୍ମନାଭ ନରେନ୍ଦ୍ର ମୋତେ ଅନ୍ନ ଦେଇ ପୋଷଇ ॥

 

This couplet shows that ଅଚ୍ୟୁତାନନ୍ଦ ଦାସ put together anyhow some words in the form of a verse and had no such literary merit.

 

ପ୍ରକୃତପକ୍ଷରେ ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ଏହା ଦାଣ୍ଡିବୃତ୍ତରେ ଲେଖା ଏବଂ ଏହି ଅଂଶଟି ଭଣିତା ଅଟେ । ଭଣିତାରେ କିପରି କବିତ୍ଵ ପରିସ୍ଫୁଟ ହୁଏ ତାହା ବିଜ୍ଞ କାବ୍ୟରସିକ କୌଣସି ଅଜ୍ଞାତ, ଅପ୍ରକାଶିତ କାବ୍ୟରେ ଦେଖି ପାରିଥିବେ । କିନ୍ତୁ ଆମ୍ଭେମାନେ ଯେ ସାହିତ୍ୟମାନ ପାଠ କରିଅଛୁଁ ସେଥିରେ କୌଣସି ଗ୍ରନ୍ଥର ଭଣିତାରେ କବିତ୍ୱ ପରିସ୍ଫୁଟ ହୋଇ ନ ଥାଏ । ଯଥା:-

 

କହଇ ଦାସ ଜଗନ୍ନାଥ । ସପ୍ତମସ୍କନ୍ଧେ ଭାଗବତ ॥

 

ମହାପୁରୁଷଙ୍କର ଗ୍ରନ୍ଥମାନଙ୍କ ମଧ୍ୟରେ ସେ ଯେଉଁଠାର ମନ୍ତ୍ର ଯନ୍ତ୍ରାଦି ବା ଦାର୍ଶନିକ ତତ୍ତ୍ୱର ବିଚାର କରିଅଛନ୍ତି ସେ ସବୁ ସ୍ଥାନରେ ତାହାଙ୍କଠାରେ କବିତ୍ୱ ଆଶା କରିବା ମଧ୍ୟ ବିଡ଼ମ୍ବନା । କିନ୍ତୁ ମହାପୁରୁଷ ଯେଉଁ ଯେଉଁ ସ୍ଥାନ ଓ ଗ୍ରନ୍ଥମାନଙ୍କରେ କବିତ୍ୱ ପ୍ରକାଶ କରିବାର ସୁଯୋଗ ପାଇଅଛନ୍ତି ସେହି ସ୍ଥାନମାନଙ୍କରେ ତାହାଙ୍କର ନିର୍ମଳ କବିତ୍ୱ ପରିସ୍ଫୁଟ ହୋଇଅଛି । ଯଥା :-

 

ପତ୍ନୀରୂପ ଗୁଣମାନ ବାହୁନନ୍ତି ମୁନି ।

ବିକଳେ ପୁଣି ରୋଦନ୍ତି କରି ଉଚ୍ଚଧ୍ୱନି ॥

ନିରତେ ବେନି ଲୋଚନୁ ଲୋତକ ଗଳଇ ।

ଶୁଦ୍ଧ ସ୍ଫଟିକ ଜାଣି ସେ କ୍ଷିତିରେ ପଡ଼ଇ ॥

ନୟନ କୋଣରୁ ଲୁହ ବହେ ଅତି ବେଗେ ।

ଦଧିର ବର୍ଣ୍ଣ ଦିଶଇ ପଡ଼ି ମୁନି ଅଙ୍ଗେ ॥

ସବୁ ଲୁହଯାକ ଗଡ଼ି ଏକଠାବେ ପଡ଼ି ।

ଚକା ବାନ୍ଧିଲା ବୁନ୍ଦାଏ ନ ଗଲାକ ଗଡ଼ି ॥

ମାଜିଲା ଦର୍ପଣ ପ୍ରାୟ ଦିଶଇ ତା ଜ୍ୟୋତି ।

ଅତ୍ୟନ୍ତ ସୁନ୍ଦର ଦିବ୍ୟ ସୁସଞ୍ଚ ମୁରତି ॥

ଇତ୍ୟାଦି ଇତ୍ୟାଦି; ହରିବଂଶ ।

 

ଏଡ଼େ ପ୍ରଭୁ ଆଶ୍ରେ କରିଣ ମନୁ ନ ଗଲା ମାନ ।

ଶ୍ରୀବିମ୍ବଅଧରେ ବୋଲ ଯେ ଭୃତ୍ୟ ମୋର ଜୀବନ ॥

ଭୃତ୍ୟବତ୍ସଳ ତୁମ୍ଭ ବାନା ସର୍ବଜନେ ବୋଲାଅ ।

ଭୃତ୍ୟକୁ ବିପତ୍ତି ପଡ଼ିଲେ କିବା ସଙ୍ଗତେ ଥାଅ ॥

ଭୃତ୍ୟ ହୋଇଲେ ଅପରାଧୀ ନାନାପ୍ରକାରେ ଦୋଷ ।

ପ୍ରଭୁ ହୋଇ କ୍ଷମା ନ କଲେ ଭୃତ୍ୟ କରିବ କିସ ॥

ଭୃତ୍ୟ ଅପରାଧୀ ହୋଇଲେ କ୍ଷମା କର ସାଆନ୍ତ ।

ସ୍ତୀରୀ ଅପରାଧୀ ହୋଇଲେ କ୍ଷମା କରଇ କାନ୍ତ ॥

ଇତ୍ୟାଦି ଇତ୍ୟାଦି, ନବଗୁଜ୍ଜରୀ ।

 

ଭାବ ବିନୋଦିଆ ଠାକୁର ଭକ୍ତବତ୍ସଳ ହରି ।

ଭକ୍ତଙ୍କ ପାଇଁ କଳେବର ଦଶ ମୁରତି ଧରି ॥

ଭକ୍ତ ଅବା କିସ କରିବେ ଭକ୍ତ ବୋଲରେ ଥାଅ ।

ଭକ୍ତ ପେଷିଲେ ହସ୍ତିନା ଦୂତପଣରେ ଯାଅ ॥

ଭକ୍ତ ଦେଖାଇଲା ସ୍ତମ୍ଭକୁ, ସ୍ତମ୍ଭ ହେଲ ଉତ୍ପତ୍ତି ।

ମୁଁ ତୁମ୍ଭ ଭୃତ୍ୟ ପରି ଭୃତ୍ୟପଣେ ଦୀନ ଅଚ୍ୟୁତି ॥

ଅଷ୍ଟଗୁଜ୍ଜରୀ ।

 

ଆମ୍ଭେ ଜଳଧର ତୁମ୍ଭେ ସୌଦାମିନୀ

ତୁମ୍ଭେ ଶୂନ୍ୟ ମୁଁ ପବନ ହେ ।

ଆମ୍ଭେ ଅପରାଧି ତୁମ୍ଭେ କୃପାନିଧି

ତୁମ୍ଭେ ସିଂହ ମୁଁ ବିପିନ ହେ ।

ନୟନବିନେ ଶୟନୁ ଅନ୍ଧକାର

କୃଷ୍ଣ ରାଧା ନୋହେ ଭିନ୍ନ ହେ ।

ପାମର ଅଚ୍ୟୁତ କହେ ବେଣୁଧର

ନ ଦେଖି ହୃଦୟ କ୍ଷିନ୍ନ ହେ ।

୪୨ ଚୌପଦୀ ।

 

ମହାପୁରୁଷଙ୍କର ଭଜନମାନଙ୍କରେ କବିତ୍ଵ ପରାକାଷ୍ଠାରେ ପରିସ୍ଫୁଟ ହୋଇଅଛି । ଆମ୍ଭେ ଏଠାରେ ତହିଁର ଗୋଟିଏ ଦୁଇଟି ମାତ୍ର ଉଦାହରଣ ଦେଇ ନିବୃତ୍ତ ହେଲୁଁ ।

 

ଆମ୍ଭେମାନେ ଅନେକ ସ୍ଥାନରେ ଅନେକ ତୀର୍ଥ କ୍ଷେତ୍ରରେ ବହୁ ମହାପୁରୁଷଙ୍କର ଅଧିଷ୍ଠାନ ଦର୍ଶନ କରିଅଛୁଁ । ସେହି ଅଧିଷ୍ଠାନମାନ ଆଜି ଐଶ୍ୱର୍ଯ୍ୟର ଲୀଳାସ୍ଥାନରେ ପରିଣତ ହୋଇଅଛି । ମହାପୁରୁଷ ଗୃହରେ ସନ୍ନ୍ୟାସୀବତ୍ ଜୀବନଯାପନ କରିଥିଲେ । ଐଶ୍ୱର୍ଯ୍ୟକୁ ପରିହାର କରିଥିଲେ । ସେ ଇଚ୍ଛା କରିଥିଲେ ପ୍ରକାଣ୍ଡ ମନ୍ଦିରମାନ ଓ ବହୁ ଧନ ବୃତ୍ତି ନିଜ ପନ୍ଥାର ପରିପୋଷଣ ନିମିତ୍ତ ବିଧାନ କରିପାରିଥାନ୍ତେ । ମହାପୁରୁଷଙ୍କର ସେ ଶକ୍ତି ଥିଲା, କିନ୍ତୁ ସେ ଶକ୍ତି ଚିରଦିନ ଲାଗି ନିଜର ଉତ୍ତରାଧିକାରୀଙ୍କ ନିମିତ୍ତ ସେହି ନିଃସ୍ୱ ପରମଧାର୍ମିକ ବୈଷ୍ଣବଜୀବନ ପରିରକ୍ଷଣାର୍ଥ ନିୟୋଜିତ ହୋଇଥିଲା । ଗୋପାଳପୁର ମହାପୁରୁଷ ନିଜର ବଂଶଧରଙ୍କୁ ପ୍ରକୃତ ଗୋପାଳଗୁରୁ ରୂପରେ ରକ୍ଷା କରିବାକୁ ବିଧାନ କରିଥିଲେ । ନିଜ ଧର୍ମପ୍ରାଣତାରେ ଶିଷ୍ୟମାନଙ୍କ ନିକଟରେ ସ୍ୱଗୁରୁତ୍ୱର ପରିଚୟ ଦେଲେ ନିଜର ଜୀବିକା ନିର୍ବାହ କରିବେ, ଅନ୍ୟଥା ଧର୍ମର ଲୋପ ସଙ୍ଗେ ସଙ୍ଗେ ବଂଶର ଲୋପ ଅବଶ୍ୟମ୍ଭାବୀ । ସେ ନିଜର ବଂଶଧରମାନଙ୍କୁ ଏହି କଠୋର ଶାସନର ଅନୁବର୍ତ୍ତୀ କରାଇଥିଲେ । ଏହି ମହାଯୋଗୀ ପରମ ଭାଗବତ ମହାପୁରୁଷ ଧର୍ମ ଜଗତରେ ଏକ ଅତୁଳନୀୟ ଆଦର୍ଶ, ଗୃହୀର ଜୀବନ ଜଗତ୍ସମକ୍ଷରେ ଦର୍ଶାଇଅଛନ୍ତି ଉତ୍କଳ ! ଉଦ୍‌ବୃତ୍ତ ହୁଅ, ନିଜ ପୂର୍ବପୁରୁଷଙ୍କ ମହତ୍ୱର ସୀମା କଳନା କର, ଆଶ୍ଚର୍ଯ୍ୟ ହେବ, ଆତ୍ମହରା ହେବ, ହୃଦୟ ଆନନ୍ଦରସରେ ଆପ୍ଲୁତ ହେବ, ନିଜକୁ ଧନ୍ୟ ମଣିବ ଏବଂ କହିବ ଯେ ମୁଁ ସାଧୁର ସନ୍ତାନ, ଯୋଗିର ସନ୍ତାନ, ତ୍ୟାଗିର ସନ୍ତାନ, କର୍ମବୀରର ସନ୍ତାନ ଓ ଧର୍ମବୀରର ସନ୍ତାନ । ଏହି ଭାବ ବୃଥା ଆତ୍ମସମ୍ମାନରେ ପର୍ଯ୍ୟବସିତ ନ ହେଉ ଉପଯୁକ୍ତ ପିତାର ଉପଯୁକ୍ତ ପୁତ୍ର ହେବାକୁ ବ୍ୟାକୁଳ ହୁଅ । ସେହି ମହାପୁରୁଷମାନଙ୍କର ପନ୍ଥା ଅନୁସରଣ କର । ଦେଖିବ ତୁମ୍ଭେ ଅଜ୍ଞାତ ଭାବରେ ଉନ୍ନତିପଦବୀକୁ ଉନ୍ନୀତ ହୋଇଅଛ, ନିଜର ଗୌରବରେ ଗୌରବାନ୍ଵିତ ହୋଇଅଛ ଏବଂ ଧର୍ମ ଓ ନୀତି ଜଗତର ଦାସତ୍ଵ ଶୃଙ୍ଖଳରୁ ମୁକ୍ତି ଲଭିଅଛି । ଅଧୁନା ସେହି ଯୁଗର ଚୈତନ୍ୟଚନ୍ଦ୍ର, ରାମାନନ୍ଦ ରାୟ, ଶିଖି ମହାନ୍ତି, ମାଧବୀ ଦାସୀ, ସ୍ୱରୂପ ଦାମୋଦର ବଳରାମ, ଜଗନ୍ନାଥ, ଅନନ୍ତ, ଯଶୋବନ୍ତ ଓ ଅଚ୍ୟୁତାନନ୍ଦଙ୍କର ପରମପବିତ୍ର ନାମ ଉଚ୍ଚାରଣ କରି ଏବଂ ସେମାନଙ୍କ ପଦଦେଶରେ ମସ୍ତକ ଅବନତ କରି ଏହି ନିଷ୍କର୍ମ୍ମା ଅଧମ ନିଜର ବାଚାଳତାରୁ କ୍ଷାନ୍ତ ଲଭିଲା ।

 

ଶ୍ରୀ ଚନ୍ଦ୍ରକାନ୍ତି

ବ୍ରହ୍ମଶାଙ୍କୁଳି

 

ଶ୍ରୀ ଗୁରବେ ନମଃ

ପ୍ରଥମ କଳ୍ପ ।

ନମସ୍ତେ ଅଣାକାର ସ୍ୱାମୀ

ପରମଗୁରୁ ଅନ୍ତର୍ଯ୍ୟାମୀ

ପ୍ରକୃତି ପରେ ତୁମ୍ଭ ବାସ

ଛପନ କୋଟି ଘଟେ ଦୃଶ୍ୟ

କାମ ଆଶ୍ରିତେ ମୂଢ଼ ନର

ପୂଜନ୍ତି ଭୂତ ପ୍ରେତ ସୁର

ଭାବନା ନାହିଁ ନିଜ ବୃତ୍ତି

ଭବସାଗରେ ଧନ୍ଦିହୋନ୍ତି

ତୁ ସ୍ୱାମୀ ସର୍ବଭୂତେ ପୂରି

ଅନନ୍ତ- ଅବ୍ୟକ୍ତବିହାରୀ

ପାଦୁଁ ଗଳୁଛି ମକରନ୍ଦ

ପରମ ଶୁଦ୍ଧ ବ୍ରହ୍ମପାଦ

ସେ ପାଦେ ମୋତେ ରଖ ନେଇ

ଶରଣ ଗଲି କର ତ୍ରାହି

ନିର୍ଗୁଣ ଶୂନ୍ୟମୟ ଜ୍ଞାନ

ପୁଚ୍ଛିଲେ ବ୍ରହ୍ମାଙ୍କ ନନ୍ଦନ

ଭୂଷଣ୍ଡ କହିଲେ ପ୍ରକାଶି

ନିଷ୍କାମ ନିର୍ବେଦ ଅଭ୍ୟାସି

ବ୍ରହ୍ମ ପରଚେ ବ୍ରହ୍ମପଦ

ମୋତେ ଯା କହିଲେ ଗୋବିନ୍ଦ

ଶୁଣ ହୋ ରାମଚନ୍ଦ୍ର ଶିଷ୍ୟ

ସତ୍ୟ ଅନ୍ତେ ତ୍ରେତା ପ୍ରକାଶ

ସେ ଯୁଗ ସମୟ ଉକତେ

ବଶିଷ୍ଠ ପିତାମହ ସୁତେ

ଦିଗଭ୍ରମଣ କରି ଆସେ

ଭ୍ରମନ୍ତି ବ୍ରହ୍ମଚାରୀ ବେଶେ

ମହୋଦଧି ଦକ୍ଷିଣ ତୀରେ

ମିଳିଲେ ଶ୍ରୀନୀଳକନ୍ଦରେ

ଭେଟିଲେ ପ୍ରଚଣ୍ଡର ସୁତ

ହୋଇଛି ସିଦ୍ଧାଙ୍ଗ ଲକ୍ଷିତ

ଦିଶୁଛି ଶୁକ୍ଲାମ୍ବର କାୟେ

ସ୍ୱର୍ଣ୍ଣ ସ୍ୱକାନ୍ତି ପ୍ରଭା ଦେହେ

ବସିଛି କଳ୍ପବୃକ୍ଷ ଡାଳେ

ମହାତ୍ମା ଶକ୍ତି ମହୀତଳେ

ବ୍ରହ୍ମା ନନ୍ଦନ ତାହା ଦେଖି

ଅଶ୍ରୁ ପୂରିତ ବେନି ଆଖି

ତତ୍ତ୍ୱ ଜାଣିବା ଏ କେମନ୍ତ

କି ନାମ କାହାର ଏ ସୁତ

ଏହାଙ୍କଠାରୁ ଶିକ୍ଷା ନେଇ

ଏତ ନିଷ୍କାମ ସିଦ୍ଧଦେହୀ

ଏମନ୍ତ ବିଚାରି ବଶିଷ୍ଠ

ବୋଲନ୍ତି ଆହେ ପକ୍ଷିଶ୍ରେଷ୍ଠ

ତୁ ମହାତମା ସିଦ୍ଧଅଙ୍ଗୀ

ତୋଭାବେ ମୋତେ କର ସଙ୍ଗୀ

ମୁଁ ଅଟେ ବ୍ରହ୍ମାର ନନ୍ଦନ

ବଶିଷ୍ଠ ବୋଲି ମୋର ନାମ

ଏ ମହୀ ଭ୍ରମି ଶ୍ରମେ ଫୁଟି

ବ୍ରତ ସହିତ ତୀର୍ଥେ ଖଟି

ଅନେକ ତପ ଆଚରିଲି

ମୁଁ ଆତ୍ମା ସଙ୍ଗ ନ ପାଇଲି

ମନ ମୋ କ୍ଷଣେ ନୁହେ ସ୍ଥିର

ଏଥକୁ ତୋ ମନେ ବିଚାର

ଶୁଣିଣ ବଶିଷ୍ଠ ବିନୟେ

ଭୂଷଣ୍ଡ ଊର୍ଦ୍ଧ୍ୱମୁଖେ ଚାହେଁ

ନେତ୍ରୁ ଲୋତକ ଯାଏ ବହି

ବୋଲନ୍ତି ବଶିଷ୍ଠକୁ ଚାହିଁ

ଭୂଷଣ୍ଡ ବୋଲନ୍ତି ଭୋ ଋଷି

ପାରିବୁଟିକି ଜ୍ଞାନେ ପଶି

ସେ ବ୍ରହ୍ମଜ୍ଞାନର ବ୍ୟବସ୍ଥା

ମନ ଭିରରେ ସବୁକଥା

ଗୁପତଭାବେ ଅଛି ରହି

ସେ କଥା ନ ଜାଣନ୍ତି କେହି

ତୁ ଯେବେ ପୁଚ୍ଛା କଲୁ ମୋତେ

ଥୋକାଏ କହିଦେବା ତୋତେ

ଯେତେ ଏ ତୀର୍ଥ ବ୍ରତ ତପ

କ୍ରିୟାସମ୍ଭର୍ବ ମନ୍ତ୍ରଜପ

ଏ ସର୍ବ ଧର୍ମ ନୁହେଁ କିଛି

ସଂସାର ହିତେ ବେଦ ଗଛି

ଯିବା ଆସିବା ସ୍ୱର୍ଗ ନର୍କ

ଯାତନା ହୁଏ କାୟା ଶୋକ

ସ୍ୱକାମ କର୍ମେ ଧନ୍ଦି ହୋଇ

ଆତ୍ମାକୁ ନିରତେ ପୀଡ଼ଇ

ସେ ଆତ୍ମାଗତି ନ ବିଚାରି

ବିଅର୍ଥେ ଯାଉଅଛି ସରି

ସକଳ କର୍ମ କରି ନାଶ

ଅକର୍ମ ପଥେ କଲେ ଆଶ

ତେବେ ନିଶ୍ଚଳ ହୁଏ ମନ

ଶୁଣ ହେ ବ୍ରହ୍ମାର ନନ୍ଦନ

ଭୂଷଣ୍ଡେ ଚାହିଁ କହେ ମୁନି

ଭୋ ପକ୍ଷି ଜୀବ ତୋର ଧନି

କଥାଏ ପଚାରଇ ତୋତେ

ସଂଶୟ ଫେଡ଼ି କହ ମୋତେ

କେଉଁ ସାଧନା ତୁମ୍ଭେ କର

କେମନ୍ତେ ହୋଇଲ ଅମର

କାହାକୁ ଅଛ ମନେ ଧ୍ୟାୟି

କହ ପ୍ରସନ୍ନ ଚିତ୍ତେ ବହି

ଶୁଣି ଭୂଷଣ୍ଡ କହେ ଋଷି

ତୁ ଯାହା ପୁଚ୍ଛାକଲୁ ଆସି

ଶୁଣ ମୁଁ ତୋତେ କହିବଇଁ

ମୁଁ ଅଛି ଅଣାକ୍ଷର ଧ୍ୟାୟି

କଳପ ବୃକ୍ଷେ ଆମ୍ଭେ ଥାଉଁ

ଭଜନ କରୁ ରାଉ ରାଉ

ରାଉ ଭଜନେ ଚିତ୍ତ ତୋଷ

ନ ଯାଉଁ ମ ଅକ୍ଷର ପାଶ

ମ ରାଆ ଶବଦେ ମିଳାଇ

ମରିବା ଠାରେ ହେତୁ ଧ୍ୟାୟି

ମଅଁ ପ୍ରସନେ ତୋଷମତି

ରାଉ ପ୍ରାପତେ ଶୁଦ୍ଧଗତି

ରାଉ ଭଜନ କରି କଣ୍ଠେ

ମଅଁକୁ ନ ଲଗାଉ ଥଣ୍ଟେ

ରାଉଟି ଅଣାକ୍ଷର ତତ୍ତ୍ୱ

ଓଁକାର ବ୍ରହ୍ମ ସାରସ୍ୱତ

ଓଁକାର ଘେନି ସିନା ଦେହ

ଶୁଣ ହୋ ପ୍ରଜାପତି ପୁଅ

ବ୍ରହ୍ମାଦି ବିଷ୍ଣୁ ପଶୁପତି

ଜନ୍ତୁ ଜନମ ତିନି ମୂର୍ତ୍ତି

ସମସ୍ତେ ଓଁକାର ଆଶ୍ରିତ

ଧରିଛି ସକଳ ଜୀବିତ

ଧଇଲା ପାଦ ଯେବେ ଧ୍ୟାୟି

ତେବେ ସେ ଅଜାମର ଦେହୀ

ମୁଁ ଅଣାକାର ଭକ୍ତି ସାଧି

ମୋତେ ପ୍ରସନ୍ନ ସେ ଅନାଦି

ମନ ଚୈତନ୍ୟ ଦୃଢ଼ କରି

ଅପାନ ପବନକୁ ଧରି

ସମାନ ପ୍ରାଣ ଆଦିମୂଳ

ବ୍ୟାନ ପବନେ କରି ଠୂଳ

ଉଦାନ ବାୟୁ ଧରି ପୁଣି

ନିରୋଧ କରଇ ତ୍ରିବେଣୀ

ବଙ୍କୁନାଳର ଶିଖପରେ

କମାରଶାଳ ଯେଉଁଠାରେ

ଊର୍ଦ୍ଧ୍ୱମୁଖରେ କରି ଠଣା

ମହାଶୂନ୍ୟରେ ମୋ ଭଜନା

ସେ ମହାଶୂନ୍ୟର ବିଚାର

ସୁରସିଦ୍ଧଙ୍କୁ ଅଗୋଚର

ତୋ ହୃଦମଧ୍ୟେ ଅଛି ଜ୍ଞାନ

ତୁ ତୋତେ ଖୋଜି କର ସ୍ଥାନ

ସେ ବ୍ରହ୍ମ ତୋ ଦେହରେ ବନ୍ଦି

ମନ ପବନ ଦୃଢ଼େ ଛନ୍ଦି

ଯେବେ ପାଇବୁ ଦିବ୍ୟ ସୁଖ

ଅଦୃଷ୍ଟି ଭୂମିକି ତୁ ଦେଖ

ଅତୋଳି ତୋଳି ରଖ ତୁହି

ଅମୀୟ ସୁଧାପାନ ପିଇ

ଅମାପ ମାପିବାକୁ ଯେବେ

ଅଭକ୍ଷ ଦ୍ରବ୍ୟ ଭକ୍ଷି ତେବେ

ଗୁପତେ ଅଛି ଜ୍ଞାନଖଣ୍ଡ

ବିଶିଷ୍ଠେ କହିଲେ ଭୂଷଣ୍ଡ

ଶୁଣ ହୋ ରାମଚନ୍ଦ୍ର ଏହା

ତୋତେ ମୋହର ଚିତ୍ତେ ଦୟା

କହଇ ପାମର ଅଚ୍ୟୁତି

ଅଭୟ ବ୍ରହ୍ମେ ଥୋଇ ମତି

ସୁଜନେ ବ୍ରହ୍ମ ଉପଦେଶ

ପାଇ କଳୁଷ କର ନାଶ

 

ଇତି ଶ୍ରୀ ବ୍ରହ୍ମଶାଙ୍କୁଳିବର୍ଣ୍ଣନେ ଚନ୍ଦ୍ରକାନ୍ତିହେତୁ

ଭୂଷଣ୍ଡ ବଶିଷ୍ଠ ସମ୍ପାଦେ ଶ୍ରୀ ଗୁରୁ ଶିଷ୍ୟ ଉପଦେଶେ

ପ୍ରଥମ କଳ୍ପ ଉକ୍ତଃ ।

 

ଦ୍ୱିତୀୟ କଳ୍‌ପ

ଶ୍ରୀ ବଶିଷ୍ଠ ଉବାଚ

ବୋଲନ୍ତି ବ୍ରହ୍ମାଙ୍କ ନନ୍ଦନ

ଭୋ କାକ ଶୁଣ ମୋ ବଚନ

ଏ ଘଟଯୋଗ ଛନ୍ଦ କି କି

ଏହା ପୁଚ୍ଛଇ କହ ନିକି

ଯନ୍ତ୍ର ବିନ୍ୟାସି ତନ୍ତ୍ର କହ

ଯେମନ୍ତେ ରହିବ ଏ ଦେହ

ସପ୍ତାଙ୍ଗ ଯୋଗରେ ମୁଁ ବଣା

ଏଥୁ ଅଧିକ ଥିଲେ ଜଣା

ଆତ୍ମା କିରୂପେ ହେବ ସ୍ଥିର

ପୁଚ୍ଛଇ କହ ସେ ବିଚାର

ଶୁଣି ବଶିଷ୍ଠ ବାଣୀ ହସି

କହଇ ପ୍ରଚଣ୍ଡର ଶିଷି

 

Unknown

ଶ୍ରୀ ଭୂଷଣ୍ଡ ଉବାଚ

ଶୁଣ ହେ ବ୍ରହ୍ମାର ନନ୍ଦନ

ତୁ ଯାହା ପୁଚ୍ଛିଲୁ ପ୍ରଶନ

ଉତ୍ତମ ଶିଷ୍ୟେ ଏହା କହି

ସୁମାର୍ଗ ଗତି ଏ ବୋଲାଇ

ତୁ ଯେ ସପ୍ତାଙ୍ଗେ ହେଉ ବଣା

ବାର ତିଥିରେ ହେଉ ଜଣା

ସାଧିଲେ ବହୁଦିନେ ସିଦ୍ଧି

ଏ ମହାକଷ୍ଟ ଜ୍ଞାନବିଧି

ଶବ୍ଦକୁ ଚିତାରେ ସମ୍ଭାଇ

ଲୟାଙ୍ଗେ ହେତୁ ରଖ ନେଇ

ଲାଗିଛି ଦିବା ନିଶି ଏକା

ଅମନ ସୂତ୍ରେ ହେତୁ ରଖା

ଅବର୍ଣ୍ଣ ଅଚିହ୍ନା ସେ ପାଦ

ସୁମନ ଚେତା ଦ୍ୱାରେ ଛନ୍ଦ

ଉଜାଣି ପବନକୁ ନେଇ

ତ୍ରିକୂଟ ମଧ୍ୟେ ଭର ତୁହି

ତୁହାଇ ଉଠିଲେ ସେ ବାତ

ଦିଶିବ ରାଜଦାଣ୍ଡ ପଥ

ପରମ ସଙ୍ଗେ ହେଲେ ଗୋଷ୍ଠୀ

ଯିବ ତ୍ରିଗୁଣ ସୂତ୍ର କଟି

ତ୍ରିଗୁଣ ସୂତ୍ର ହେଲେ କ୍ଷୟ

ଅଜୟଗଡ଼ ହେବ ଜୟ

ଭେଟିବ ଅବର୍ଣ୍ଣ ଅଲେଖ

କଟିବ ଭବଭୟ ଦୁଖ

ଏମନ୍ତ ଭୂଷଣ୍ଡ କହନ୍ତେ

ପ୍ରେମେ ଉଲ୍ଲାସ ତପୋବନ୍ତେ

 

ଶ୍ରୀ ବଶିଷ୍ଠ ଉବାଚ

ଭୋ ମହାତମା କାକଶ୍ରେଷ୍ଠ

ଏ ତୋର ବଚନ ଗରିଷ୍ଠ

ଶୁଣି ମୋ ମନ ଆନନ୍ଦିତ

ଫେଡି ତୁ କହ ଗୁପ୍ତ ତତ୍ତ୍ୱ

ଆମ୍ଭେ ତୁମ୍ଭର ହେଲୁ ଶିଷ୍ୟ

କହ ତୋ ସାଧ୍ୟ ଉପଦେଶ

ମୋହର ଭାଗ୍ୟ ଥିଲା କେତେ

ଭେଟିଲି ଶୁଭଯୋଗେ ତୋତେ

ଶ୍ରୀରାମ ଛାମୁରେ ତୋ କଥା

କହିବି ସକଳ ବାରତା

ଶୁଣିଲେ ରଘୁବଂଶୀ ତୋତେ

ପ୍ରଶଂସା କରିବେ ଯୁକତେ

ଏମନ୍ତ ମୁନି ମୁଖ ଶୁଣି

କହେ ଭୂଷଣ୍ଡ ମହାଜ୍ଞାନୀ

ଶୁଣ ହୋ ଚତୁର୍ମୁଖ ବାଳ

ଅଭୟ ବ୍ରହ୍ମ ନିତ୍ୟ ଖେଳ

ତ୍ରିଦଶେ କେହି ନ ଜାଣନ୍ତି

ବିଷ୍ଣୁ ମାୟାରେ ଭ୍ରମୁଛନ୍ତି

ତୋ ପିତାମହ ଆଦି ଯେତେ

ମାୟାରେ ଭ୍ରମନ୍ତି ସମସ୍ତେ

ମନକୁ ଏକାକରି ସାଧ୍ୟ

ଧ୍ୟାଇ ଅଛନ୍ତି ସଦାନନ୍ଦ

ତେଣୁ ଅଷ୍ଟାଙ୍ଗଯୋଗେ କାଶୀ

ଅଛନ୍ତି ତ୍ରିକୁଟରେ ବସି

ସେ ଅଣାକାର ଭକ୍ତ ହର

ଶୁଣ ବଶିଷ୍ଠ ସେ ବିଚାର

ଚୈତନ୍ୟ ବକତା ଅଟନ୍ତି

ବାରି ହୋ ଚିହ୍ନ ତପୋବନ୍ତୀ

ଏହାକୁ ଚିହ୍ନି ଠୁଳକର

ହେତୁ ପଥକୁ ସୂତ୍ରେ ଧର

କୁମନ ବିମନ ସଙ୍ଗତେ

ଅମନେ କରିବ ଏକତ୍ୱେ

ସୁମନ ସଙ୍ଗେ କରି ମେଳ

ଶାନ୍ତି ମନକୁ କର ଠୁଳ

ଏ ପାଞ୍ଚମନ ପଞ୍ଚଭୂତେ

ବସିଣ ଅଛନ୍ତି ଏକତ୍ୱେ

ସେ ପାଞ୍ଚ ଏକତ୍ୱ କରିବ

ନାସିକା ଅଗ୍ରେ ବସାଇବ

ହରିବ ସର୍ବଠାରୁ ମନ

ଏକାଗ୍ରଚିତ୍ତେ ସାବଧାନ

ଶୁଣ ହେ ତପିଷ୍ଠମହତ

ଅଲେଖ ଭଜନର ସୂତ୍ର

ବାମ ଅଙ୍ଗକୁ ପାଡ଼ିକରି

ଫିଟାଇ ଦକ୍ଷିଣ ଅର୍ଗଳି

ଜୀବ- ପବନକୁ ଉଜାଣି

ଟେକିବ ମନସୂତ୍ରେ ଟାଣି

ମନ-ଦଉଡ଼ି ଛନ୍ଦଦେଇ

ତ୍ରିକୂଟେ ବାନ୍ଧିବ ନିଠାଇ

ଓଁକାର ସୂତ୍ରେ ମନ ରଞ୍ଜ

ପରମ ପବନରେ ଖଞ୍ଜ

ବାରିଣ ଅନାହତ ନାଦ

ଊର୍ଦ୍ଧ୍ୱକୁ ତୋଳିବ ସେ ପାଦ

କାଉଁରିମଣ୍ଡଳେ ପଶିବ

କମଳଦଳ ଆକର୍ଷିବ

ଚିଆଁ ଚୈତନ୍ୟମୂଳେ ହେତୁ

ଖଞ୍ଜାଇ ମହାଶୂନ୍ୟ ପଥୁଁ

ଚନ୍ଦ୍ର ସୂର୍ଯ୍ୟ ଗମ୍ୟ ନହଇ

ବାୟୁ ଗମିବ ଅବା କାହିଁ

ପରମ ସଙ୍ଗତରେ ନେବେ

ଅଭୟ ପୁର ଦେଖାଇବେ

ଚିହ୍ନିଲେ ଅଣାକାର ବ୍ରହ୍ମ

କଟିବ ଜନ୍ମ ମୃତ୍ୟୁ ଭ୍ରମ

କଳ୍ପାନ୍ତୀ ହୋଇବ ଏ ଦେହ

ନାହିଁ ଲାଗିବ ମାୟା ମୋହ

ବସିଲା ଠାବରେ ଏ ବିଧି

ବୁଝିଲୁଟିକି ତପୋନିଧି

ଚିହ୍ନାଇ ଦେବା ଶୁଣ ତୋତେ

ଚିହ୍ନି ତା ଥୋଇବୁ ଗୁପତେ

କାହାକୁ ନ କହିବୁ କିଛି

ଦେହେ ଚିହ୍ନିବ ଆତ୍ମା ବାଛି

ସେ ବ୍ରହ୍ମଜ୍ଞାନ କରି ଲୟେ

ଦୀନ ଅଚ୍ୟୁତ ଭାବି କହେ

 

ଇତି ଶ୍ରୀ ବ୍ରହ୍ମଶାଙ୍କୁଳି ଚନ୍ଦ୍ରକାନ୍ତିହେତୁ ଭୁଷଣ୍ଡ

ବଶିଷ୍ଠ ସମ୍ପାଦେ ଶ୍ରୀ ଗୁରୁ ଶିଷ୍ୟ ଉପଦେଶେ

ଦ୍ୱିତୀୟ କଳ୍ପ ଉକ୍ତଃ ।

 

ତୃତୀୟ କଳ୍‌ପ

ଶ୍ରୀ ଭୂଷଣ୍ଡ ଉବାଚ

କହେ ପ୍ରଚଣ୍ଡର ନନ୍ଦନ

ଶୁଣ ବଶିଷ୍ଠ ତପୋଧନ

ସେ ଅଣାକାର ଯନ୍ତ୍ର ସୂତ୍ର

ପ୍ରକାଶି କହିବା ତଦନ୍ତ

ନାସିକା ରନ୍ଧ୍ରେ ଯେଉଁ ବାଇ

ଚନ୍ଦ୍ର ସୂର୍ଯ୍ୟରେ ଯାଏ ବହି

ଆବର ତ୍ରିକୂଟ ଦୁଆରୁ

ବହଇ ପାଦେ ଶିଶୁ ମେରୁ

ସେ ପାଦେ ବିନ୍ଦୁ ପ୍ରସବଇ

ଯୋଗିର ମୂଳ ଧ୍ୟାନ ସେହି

ଶୁଣ ହୋ ପଦ୍ମଯୋନି ସୁତ

ଊର୍ଦ୍ଧ୍ୱରୁ ବହେ ସେ ମରୁତ

ଯେ ଅଟେ ଅଣାକ୍ଷର ପାଦ

ଶୂନ୍ୟମଣ୍ଡଳୁ କ୍ଷରେ ଶବ୍ଦ

ପରମ ପୁରୁଷଟି ସେହି

ସକଳଭୂତେ ଅଛି ଉଇଁ

ଟେକନ୍ତା ଅର୍ଦ୍ଧ ପାଦ ଯେହୁ

ସେ ଅଣାକ୍ଷର ସୂତ୍ର ତହୁଁ

ଜୀବ ପୁରୁଷ ସେ ଅଟଇ

ଉଲଟି ଊର୍ଦ୍ଧ୍ୱକୁ କ୍ଷେପଇ

ସେ ପୁଣି ଚନ୍ଦ୍ରକାନ୍ତି ଆଦି

ପରମ ପୁରୁଷ ଅନାଦି

ଯୁଗଳ ପ୍ରେମେ ହୋଇ ଭୋଳା

କରନ୍ତି ସର୍ବଭୂତେ ଲୀଳା

ଆହୁଟ ହାତ ଦେଉଳରେ

ଦିଅଁ ଅଛନ୍ତି ଏ ଭାବରେ

ସେ ଦିଅଁ ଭୋଗ ନ ଇଚ୍ଛଇ

ଭାବିଲେ ମୁକ୍ତି ଯାଚି ଦେଇ

ଭରସା ଯେ କରନ୍ତି ତାଙ୍କୁ

ତା ଭୟ ନ ଥାଇ ଭବକୁ

କହିବା ଶୁଣ ହେତୁ ସୂତ୍ର

ସେ ଆଦି ଚନ୍ଦ୍ରଅଙ୍ଗେ ସ୍ଥିତ

ନିରତେ ମନ ତାକୁ ଦେଇ

ବସିବ ନିର୍ଜ୍ଜନ ଭାବେହିଁ

ବାମ ଅଙ୍ଗରେ ଥିବେ ଯେବେ

ବାରି ଟେକିବ ବାୟୁ ତେବେ

ବିଷ୍ଣୁ ସ୍ୱରୂପୀ କାନ୍ତି ତାର

ହୋଇଛି ସ୍ତ୍ରୀଲିଙ୍ଗ ଆକାର

ମାନସ ସେବାର୍ଚ୍ଚନେ ବୁଡ଼ି

ପଦ୍ମଚରଣେ ଥିବ ପଡ଼ି

ଉଠି ନିବେଶି ଶିରେ କର

ଯୋଗାଇ ଧୂପ ଯେ କର୍ପୂର

ମାର୍ଜନା କରିବ ଶ୍ରୀଅଙ୍ଗେ

ଚନ୍ଦନ କସ୍ତୂରୀର ସଙ୍ଗେ

ଏହିଟି ତାର ମୂଳ ସେବା

ଥୁଁ ଅଧିକ ନାହିଁ ବାବା

ସେବାର ଅନ୍ତେ ପ୍ରାୟେ ପଡ଼ି

ଉଠିବ କରପତ୍ର ଯୋଡ଼ି

ମାଗିବ ଦକ୍ଷିଣ ଭଜନ

ଏରୂପେ ନିତି ପ୍ରତିଦିନ

ସ୍ଥିର ଦୃଷ୍ଟିରେ ହେତୁ ଯେବେ

ପ୍ରସନ୍ନ ଏକମାସେ ତେବେ

ଯଦ୍ୟପି ଦୃଷ୍ଟି ବକ୍ର ଥିବ

ଷଡ଼ମାସରେ ପାଲଟିବ

ସପ୍ତାଙ୍ଗ ବାର ତୀଥି ଯେତେ

ଏହା ସାଧିବ କି ନିମିତ୍ତେ

ପ୍ରସନ୍ନ ହେଲେ ଆଦିମାତା

କଟିବ ଭବଭୟ ଚିନ୍ତା

ବିନ୍ଦୁଟି ରହିବ ଅକଟି

ପବନେ ପଡ଼ିଯିବ ଗଣ୍ଠି

ସୂର୍ଯ୍ୟ ଅଙ୍ଗରେ ସର୍ବକାଳ

ଖେଳ କରିବୁ ବ୍ରହ୍ମବାଳ

ନୋହିଲେ ସପ୍ତାଙ୍ଗ ସାଧନେ

ଆତ୍ମାକୁ ଭେଟିବୁ ତ କେହ୍ନେ

ଭୁଲି ମରିବୁ ଯୋଗ ସାଧି

ପ୍ରାପତ ନୋହିବ ଅନାଦି

ସେ ଯେ ସପ୍ତାଙ୍ଗ ଯୋଗ କର୍ମ

ଅନେକ ବାର ମତି ଭ୍ରମ

ଅଚିହ୍ନା ସେବିବା କେମନ୍ତ

ଅନେକ ଅଛି ବିଘ୍ନକୃତ୍ୟ

ମାତାଙ୍କୁ ନ ସେବିଲେ ଚିହ୍ନି

କେହ୍ନେ ହୋଇବ ବ୍ରହ୍ମଜ୍ଞାନୀ

ସପ୍ତାଙ୍ଗ ସାଧିବୁ ତୁ ଯେବେ

ଅନେକ ଦିନେ ସିଦ୍ଧି ତେବେ

ମୁଁ ତାହା ବୁଝିଅଛି ଛାଡ଼ି

କହିଲୁ ବଶିଷ୍ଠ ହୋ ଫେଡ଼ି

ଆତ୍ମା ଯୋଗରେ ମୁଁ ନିଶ୍ଚିତ

ଗଲାଣି କୋଟିଯୁଗ ଭୋକ୍ତ

ଶିଶୁ ଶବଦେ ଚିତ୍ତ ଦେଇ

ବ୍ରହ୍ମସ୍ୱରୂପେ ଅଛି ଧ୍ୟାଇ

ସାଧ୍ୟ ମୋ ଅଛି ଚନ୍ଦ୍ରକାନ୍ତି

ତେଣୁ ନିଶ୍ଚଳ ମୋର ମତି

କଳ୍ପାନ୍ତୀ ହୋଇଥିବ ଦେହା

ଶୁଣ ରୁନ୍ଧତି ପ୍ରାଣନାହା

ଯେ ଗଙ୍ଗାଜଳେ ସ୍ନାନକରି

ସେ କି ଲୋଡ଼ିବ କୂପବାରି

ଚନ୍ଦ୍ରଙ୍କୁ ସେବନ୍ତି ଯେ ନର

କି କରେ ତରାପନ୍ତି ତାର

ସୂର୍ଯ୍ୟଙ୍କୁ ଯେ କରେ ଭକତି

ସେ କିମ୍ବା ଯିବ ଛାୟା କତି

ନୃପତି ସେବନ୍ତି ଯେ ପ୍ରାଣୀ

ସେ କିପା ପାତ୍ର ମନ୍ତ୍ରୀ ଗଣି

ଅମୃତ ଭୋଜନ ଯେ କରେ

ଶାକ ଭକ୍ଷିବ କି ଆଦରେ

ସେ ଭାବେ ଅଟେ ଆତ୍ମାଯୋଗ

ଭୋ ମୁନି ହୋଇବା ସରାଗ

ସେ ଆତ୍ମା ଚିହ୍ନି କର ଠାବ

ହୋଇବ ତ୍ରିପୁରେ ଦୁର୍ଲ୍ଲଭ

ହେତୁ ସାଙ୍କୁଳି ବ୍ରହ୍ମପାଦେ

ଖଟାଅ ନିଷ୍କାମ ନିର୍ବେଦେ

ସକଳ କର୍ମ୍ମମାନ ତେଜ

ଏକ ବ୍ରହ୍ମକୁ ଦୃଢ଼େ ଭଜ

କହଇ ଅଚ୍ୟୁତ ପାମର

ଭୂଷଣ୍ଡ ବଶିଷ୍ଠ ବିଚାର

ଯେ ଏହା ଶ୍ରବଣେ ଶୁଣିବେ

ତ୍ରିଗୁଣ ତାପୁଁ ଉଦ୍ଧରିବେ

ବ୍ରହ୍ମପରଚେ ହେବ ମତି

ନ ଥିବ ଭବଭୟେ ଭୀତି

 

ଇତି ଶ୍ରୀ ବ୍ରହ୍ମଶାଙ୍କୁଳିବର୍ଣ୍ଣନେ ଚନ୍ଦ୍ରକାନ୍ତିହେତୁ ଭୂଷଣ୍ଡ ବଶିଷ୍ଠ ସମ୍ପାଦେ

ଶ୍ରୀ ଗୁରୁ ଶିଷ୍ୟ ଉପଦେଶେ ତୃତୀୟ କଳ୍ପ ଉକ୍ତଃ ।

 

ଚତୁର୍ଥ କଳ୍‌ପ

ବଶିଷ୍ଠ ଉବାଚ

ବଶିଷ୍ଠ ବୋଲନ୍ତି ଭୂଷଣ୍ଡ

ଭଲା ସାଧିଛି ଜ୍ଞାନଖଣ୍ଡ

ଅପୂର୍ବ ପ୍ରାୟେ ଲାଗେ ମୋତେ

ଏହା ତୁ ସାଧିଲୁ କେମନ୍ତେ

ପରମ ପବିତ୍ର ତୋ ବାଣୀ

ଅମୃତ ପ୍ରାୟେ ଲାଗେ ଶୁଣି

ମୋତେ ଦୟା ତୋ ଚିତ୍ତେ ଯେବେ

କହ ପ୍ରସନ୍ନ ସିଦ୍ଧ ତେବେ

ଅନେକ ଜନ୍ମେ ଭାଗ୍ୟ ମୋର

ଭେଟିଲି ଚରଣ ତୁମ୍ଭର

ସେ ଦେବ ଅଣାକାର ସ୍ୱାମୀ

ଅଶେଷ ଗୁରୁ ଅନ୍ତର୍ଯ୍ୟମୀ

କି ଭାବେ ବିରାଟଶରୀରେ

ଗୁପତେ ଖେଳନ୍ତି ଶ୍ରୀଧରେ

ମୁନି ଯୋଗୀନ୍ଦ୍ର ତପ ତପି

ଅଷ୍ଟାଙ୍ଗଯୋଗେ ଯାଙ୍କ ଜପି

ନ ପାଇ ତାଙ୍କ ଆଦି ଅନ୍ତ

ସେ ବ୍ରହ୍ମ ଗୁପତୁଁ ଗୁପତ

କିରୂପେ ଲଭିବା ତାହାକୁ

କହ ସଦୟ ଯେବେ ମୁଖୁଁ

ଏମନ୍ତ ବଶିଷ୍ଟ ବଚନ

ଶୁଣି ଭୂଷଣ୍ଡ ତୋଷମନ

ବୋଲନ୍ତି ଶୁଣ ଆହେ ଋଷି

ଅନାଦି ମହାଶୂନ୍ୟବାସୀ

ଅମନ ଶିଖେ ଛନ୍ତି ରହି

ନିଷ୍କାମେ ନିର୍ବିକଳ୍ପଦେହୀ

ନାହିଁ ତାହାଙ୍କର ବିକାର

ଅବନାମଣ୍ଡଳ ଈଶ୍ୱର

ମହାଶୂନ୍ୟ ପରେ ବିଜୟ

ପୂର୍ଣ୍ଣ ଶଶାଙ୍କ ତେଜୋମୟ

ଆଜ୍ଞାରେ ପରମ ଡଗର

ସେ ଭୂତ ମହିମା ଈଶ୍ୱର

ଏକୌଶ ବ୍ରହ୍ମାଣ୍ଡେ ସଞ୍ଚରେ

ନାହିଁ ସ୍ୱରୂପ ଅରୂପରେ

ଚନ୍ଦ୍ର ସୂର୍ଯ୍ୟରେ ନିତି ଫେରେ

ଆବର ସିଷୁମୁନା ଦ୍ୱାରେ

ତ୍ରିପାଦେ କ୍ରୟ ତତ୍ତ୍ୱ ବହେ

ତିନି ତ୍ରୈଲୋକେ ସେ ଉଦୟେ

ନବୀନ ତେଜ ସଦାକାଳେ

ନିବୃତ୍ତ ସିଦ୍ଧ ମହାନଳେ

ଚିହ୍ନି ଭଜିଲେ ତାଙ୍କୁ ପାଇ

ଶୁଣ ହୋ ବ୍ରହ୍ମାଙ୍କ ତନୟି

ସେ ପାଦେ ଆଶ୍ରୟ ଯେମନ୍ତେ

କହିବା ଶୁଣ ତପୋବନ୍ତ

ଶୂନ୍ୟମଣ୍ଡଳୁ ଯେଉଁ ପାଦ

କ୍ଷରୁଛି ଅନହତ ଶବ୍ଦ

ସେ ଅଟେ ପରମପୁରୁଷ

ଅନାଦି ସିଦ୍ଧ କଳ୍ପହଂସ

ଟେକନ୍ତା ପାଦ ଅଟେ ଜୀବ

ଭୋ ମୁନି କର ଏହା ଠାବ

ଚନ୍ଦ୍ରକାନ୍ତିକି ପାଲଟାଇ

ସୂର୍ଯ୍ୟ ଅଙ୍ଗରେ ହେତୁ ଥୋଇ

ପାଞ୍ଚ ମନକୁ କର ଠୂଳ

ନିର୍ବାତ ଦୀପ ପ୍ରାୟେ ଜାଳ

ଚଞ୍ଚଳ ଚିତ୍ତ ସ୍ଥିରେ ରୁନ୍ଧି

ଚେତା ଚୈତନ୍ୟେ କର ବନ୍ଦୀ

ହେତୁର ମୂଳେ ଧର ଟାଣି

ବହନ୍ତା ନଦୀକି ଉଜାଣି

ଧୀରେ ସଧୀରେ ମନସୂତ୍ରେ

କ୍ଷଣେ ନିମିଷେ ଦଣ୍ଡେ ନିତ୍ୟେ

ଉଜାଣ ଲୟଯୋଗ ଖଟ

ତ୍ରିକୂଟେ ପାଡ଼ିଣ କପାଟ

କଣ୍ଠ ଘଟିକାସୂତ୍ରେ ଭିଡ଼ି

ଆକର୍ଷି ହେତୁ ପଥେ ଚଢ଼ି

ମେରୁ ଦୁଆରେ ମୁଦ୍ରା ପାଡ଼ି

ବସ ତୁ ଉଜାଣିକି ଭିଡ଼ି

ଶିଖେ କ୍ଷେପିଲେ ସେ ନିର୍ଝର

ମେଳା ହୋଇବ ପରମର

ସେ ଦେବ ଦେଖାଇବେ ନେଇ

ନିତ୍ୟ ମହିଁମା ନିତ୍ୟ ଭୂଇଁ

ବ୍ରହ୍ମଦର୍ଶନେ ଯିବ ଦୁଃଖ

ହେଳେ ଲଭିବ ଆତ୍ମାସୁଖ

ପରମେ ପରଚେ ହୋଇଲେ

ଆଉ କି ଗତି ଅଛି ପରେ

ଏକୌଶ ଭୁବନରେ ସାର

ଏ ଯେ ଭାରତ ସତ୍ୟପୁର

ଏ ଯଶ କହିଲେ ନ ସରି

ଯେ ଭୂତେ ପରମ ଈଶ୍ୱରୀ

ତାଙ୍କୁ ଯେ ଲୋଡ଼ନ୍ତି ବଶିଷ୍ଠ

ତାଙ୍କୁ ନ ଥାଇ ଭବେ କଷ୍ଟ

ସିଷୁ ଦୁଆରେ ମୁଦ୍ରାବନ୍ଧେ

ଟେକି ଉଜାଣି ସୂତ୍ରଛନ୍ଦେ

ଝରକା ବାମ ଦକ୍ଷିଣରେ

ବହୁ ଯେ ଥିବ ଧୀରେ ଧୀରେ

ଶଙ୍ଖୁଳି ଛନ୍ଦ ସିନା ସେହି

ଉଜାଣି ବଳାଇଲେ ତହିଁ

ଘଟୁଆଳକୁ ପାଇ ଦେଖା

ତେବେ ପାଇବ ହେତୁ ଶିକ୍ଷା

ପରମ ମହାଶୂନ୍ୟ ପଥେ

ତେବେ ଘେନାଇଁ ଯିବେ ତୋତେ

ଦର୍ଶନ କରିବ ଅଲେଖ

କଟିବ ଯାତନାର ଦୁଃଖ

ତହିଁ ଉପରେ ବ୍ରହ୍ମବତ୍ସି

ତାଳୁ ଦୁଆରେ ବୃକ୍ଷ ଅଛି

ସେ ବୃକ୍ଷ ନାମଟି ଅନାମ

ସୃଷ୍ଟି ସର୍ଜନା ତହୁଁ ଜନ୍ମ

ତହିଁକି ବଳାଇଲେ ବାତ

ଯୁଗଯୁଗାନ୍ତରେ ନିଶ୍ଚିନ୍ତ

ତା ମୂଳେ ପରମର ବାସ

ବ୍ରହ୍ମ ପାଦରୁ ପରକାଶ

ଯେ ତାଙ୍କୁ ନ ଲୋଡ଼ନ୍ତି ହେଳେ

ବିଷୟାବିଷେ ମନ ବଳେ

ସେ ହଂସ ବିଚାରଇ ଚିତ୍ତେ

ଉଡ଼ି ଯିବାକୁ ପାଞ୍ଚେ ନିତ୍ୟେ      

ତାହାକୁ କର ତୁ ଆକଟ

ଡେଣାକୁ ଧରି ପକ୍ଷ କାଟ

ପବନ ଦଶ ଏ ଦୁଆରେ

ନିରୋଧ କରୁ ବାରୁବାରେ

ବାୟୁ ଯେ ଅଣଚାଶ ଛନ୍ଦି

ତେବେ ପଡ଼ିବ ହଂସ ବନ୍ଦୀ

କୁଣ୍ଡଳି ଚକ୍ର ବିତପନ

ତହିଁକି ଗଲେଟି ପବନ

ଏ ଯଶ ସବୁଦିନେ ଥିବ

ଶୁଖିଲା ବୃକ୍ଷ ପଲ୍ଲବିବ

ମନ-ପବନ ଦୃଢ଼େ ଛନ୍ଦି

ପ୍ରକୃତି ଧରି କର ବନ୍ଦ

ଚିତା ସଳଖେ ହେତୁ କରି

ଚିଆଁ ଚୈତନ୍ୟ ବେନି ଧରି

ତିନି ତିହୁଡ଼ି ମଧ୍ୟେ ନାଡ଼

ତହିଁ କମାର ପାତି ଶାଳ

ଯନ୍ତ୍ର ପବନ ଘେନି ବସି

କର୍ମ ଗଢ଼ୁଛି କାମ ଧ୍ୱଂସି

ଗଙ୍ଗା ଯମୁନା ନଦୀଠାରେ

ଗଣ୍ଠି ପଡ଼ିଛି ତ୍ରିକୂଟରେ

ସେ ଗଣ୍ଠି ରାକାରେ ଛନ୍ଦଣି

ତାହାକୁ ଚିହ୍ନି ବଳାପାଣ

ତହିଁ ଦୁଆରୀ ମହାମାୟୀ

ଘାଟ ଜଗିଛି ବସି ତହିଁ

ତାହାକୁ ପରଚେ କରାଇ

ବୋଧିଲେ ଭିତରକୁ ଯାଇ

ନୋହିଲେ ଯେ ଯେଡ଼େ ହୋଇବ

ଦ୍ୱାର ଛାଡ଼ିଲେ ସିନା ଯିବ

ତେଣିକି ଅଛି ଯେ ଭବିଷ

ଦେବେ ନ ପାନ୍ତି ତହିଁ ଲେଶ

ଭୋଗେ ସେ କରତା ନୁହନ୍ତି

ଭାବିଲେ ମୁକ୍ତି ଯାଚି ଦ୍ୟନ୍ତି

ଶୁଣି ବଶିଷ୍ଠ କୃତକୃତ୍ୟ

କହଇ ପାମର ଅଚ୍ୟୁତ

 

ଇତି ଶ୍ରୀ ବ୍ରହ୍ମଶାଙ୍କୁଳିବର୍ଣ୍ଣନେ ଚନ୍ଦ୍ରକାନ୍ତିହେତୁ ଭୁଷଣ୍ଡ

ବଶିଷ୍ଠ ସମ୍ପାଦେ ଶ୍ରୀ ଗୁରୁ ଶିଷ୍ୟ ଉପଦେଶେ

ଚତୁର୍ଥ କଳ୍ପ ଉକ୍ତଃ ।

 

ପଞ୍ଚମ କଳ୍‌ପ

ଶ୍ରୀ ବଶିଷ୍ଠ ଉବାଚ

କହନ୍ତି ବ୍ରହ୍ମାଙ୍କର ସୁତ

ଶୁଣ ହେ ପରମ ମହତ୍ତ୍ୱ

ଯେ ଯଶ ଲଭିଅଛ ବସି

ସକଳ କହିବ ପ୍ରକାଶି

ଗୁପତ ନ କରି କହିବ

ଯଶ ତୋ ଯୁଗେ ଯୁଗେ ଥିବ

 

Unknown

ଶ୍ରୀ ଭୂଷଣ୍ଡ ଉବାଚ

ଶୁଣ ହୋ ବ୍ରହ୍ମାର ନନ୍ଦନ

ଏ ଯେ ପରମ ଗୁପ୍ତଧନ

ଭୂତବେହାରୀ ଭୂତେ ଛନ୍ତି

ଠୂଳ ଉପରେ ନିଜ ଶକ୍ତି

ଦୃଶ୍ୟ ନୁହଇ ଦିବ ଭୂମି

ଅନନ୍ତ ଲୋଚନରେ ଗମି

ଏ ଗୁପ୍ତ ହେତୁ ଆଦିଶକ୍ତି

ହରଣ କରୁଅଛି ନିତି

ଚୋରକୁ ପ୍ରୀତିବଶ କର

ନିରୋଧି ଜଗିଥିବ ଦ୍ୱାର

ଧନ ସେ ଘେନିଗଲେ ଜାଣ

ସରିବ ସବୁ ବଡ଼ପଣ

ତେଣୁ କହୁଛି ମୁନି ଯେତେ

ପଶ୍ଚାତେ ନ ବାଛିବୁ ମୋତେ

ଯେବେ ହୋଇବ ପିଣ୍ଡ ମୋକ୍ଷ

ଅଭକ୍ଷ୍ୟ ଦ୍ରବ୍ୟକୁ ତୁ ଭକ୍ଷ

ବଶିଷ୍ଠ ବୋଇଲେ ଭୂଷଣ୍ଡ

କହିଲ ଯେଉଁ ଜ୍ଞାନ ଖଣ୍ଡ

ତହିଁରେ ମନ ମୋର ରସି

କହ ସାଧିବା କାହିଁ ବସି

ଭୂଷଣ୍ଡ ବୋଲେ ଶୁଣ ତାହା

ପରଚେ ହେବା ଯାଏ କାୟା      

ଗିରି କନ୍ଦର ନଦୀତଟ

ନ ଥିବେ ଜନ ଲୋକ ଭେଟ

ଏମନ୍ତ ସ୍ଥାନେ ଜ୍ଞାନ ସାଧି

ଆହାର ପାରିଲେ ନିରୋଧି

ଯଦି ସଙ୍ଗତେ ଥିବେ ସଖା

ପରମ ଆତ୍ମା ସଙ୍ଗୀ ଏକା

ନିରତେ ସ୍ୱବୃତ୍ତି ବିଳାପ

ବୃତ୍ତି ଚିହ୍ନିଲେ ସିଦ୍ଧକଳ୍ପ

ତେଣିକି ଯହିଁ ଇଚ୍ଛା ତହିଁ

ନିଗମେ ଥିବ ହେତୁ ଧ୍ୟାଇ

ଶୁଣି ପୁଚ୍ଛନ୍ତି ବ୍ରହ୍ମାସୂତ

ଆନନ୍ଦେ ଭୂଷଣ୍ଡ ଅଗ୍ରତ

ଭୋ ମହାମୁନି କହ ମୋତେ

ମୋ ମନ ବଡ଼ାଇ ଅପ୍ରତେ

ତୁ ଯେ ବୋଇଲୁ ଜ୍ଞାନେ ପଶ

ଆହାର ନ ଭକ୍ଷିଲେ ହଂସ

କେମନ୍ତେ ରହିବ ଏ କାୟା

ଏ କଥା କଲୁ ମୋତେ ମାୟା

ହଂସା ଉଡ଼ନ୍ତେ ଆତ୍ମା ହାନି

ଜ୍ଞାନ ସାଧିବା କାହା ଘେନି

ଉଜାଣି ତୋଳିଲେ ନିର୍ଝର

ମନ ପବନ କରି ସ୍ଥିର

ତ୍ରିକୂଟ ଉପରେ ଚାହିବୁ

ତରୁଣିମଣିକୁ ଭେଟିବୁ

ସେ ମହାମାୟୀ ଦ୍ୱାରେ ଅଛି

ମାଗିଲେ ଭିକ୍ଷା ଦେବ କିଛି

ସେ ତୋତେ ପ୍ରସନ୍ନବଦନେ

ଭିକ୍ଷା ଯା ଦେବ ତୋଷମନେ

ତାହା ତୁ ଭକ୍ଷିବୁ ହୋ ମୁନି

ହେତୁ ଅଣସାଧନା ଘେନି

ସେ ଭିକ୍ଷା ଦେବ ତୋତେ ଯାହା

ଶୁଣି ପ୍ରକାଶି ଏବେ ତାହା

ଶୂନ୍ୟରେ ଥାଇ କି କି ଧନ

ପବନ ବିନା ନାହିଁ ଆନ

ଆନ ଦ୍ରବ୍ୟଟି ନୋହେ ଲେଖା

ପବନ ଭିକ୍ଷା ପ୍ରାଣସଖା

ପ୍ରକୃତି ପଉଡ଼ିଣ ଦେଇ

ଭକ୍ଷିଣ ଭିକ୍ଷା କରିବାଇ

ଏ ସାଧ୍ୟ ହେବାଯାଏ ତୋର

କ୍ଷୁଦ୍ର ଆହାରେ ତନୁ ଧର

ସମସ୍ତ ସଙ୍ଗେ ସଙ୍ଗ ହେବୁ

ଅନ୍ତର ନିରୋଳେ ରହିବୁ

ଚନ୍ଦ୍ରକୁ ନେଇ ସୂର୍ଯ୍ୟେ ଭର

ସୂର୍ଯ୍ୟରେ ଜାଗି ହେତୁ ଧର

ଦେହକୁ ବଇରିଟି ଛାଇ

ତାହା ପାରିବ ଯେବେ ଖାଇ

ତେବେ ହୋଇବ କାୟା ସିଦ୍ଧି

ତୋତେ କହିଲୁଁ ଜ୍ଞାନବିଧି

ନୟାଙ୍ଗ ଏ ଅଣସାଧନା

ଏହି ଉଦ୍ଦେଶ୍ୟ କର ଘେନା

ଅକ୍ଷରମାନଙ୍କୁ ନ ଖୋଜ

ଅଣଅକ୍ଷରେ ଚିତ୍ତ ମଜ୍ଜ

ଶୁଣି ବଶିଷ୍ଠ ପଚାରନ୍ତି

ଶୁଣ ହୋ ପ୍ରଚଣ୍ଡର ବତ୍ସି

ଯାହା କହିଲ ଜ୍ଞାନମତେ

ଛାଇକି ଭକ୍ଷିବା କେମନ୍ତେ

ଭୂଷଣ୍ଡ କହେ ମୁନି ଶୁଣ

କହିବା ତତ୍ତ୍ୱ ମନେ ଘେନ

ଛାଇକି ନ କର ସନ୍ଦେଶ

ଜ୍ଞାନ ସାଧିଲେ ଯିବ ନାଶ

ଚନ୍ଦ୍ର ଅର୍କ ଗୃହେ ସମ୍ଭାଇ

ନିତି ଉଜାଣିକି ବଳାଇ

ମନ ଦଉଡ଼ି କରି ଛନ୍ଦ

ବାରିଦ ଅନହତ ନାଦ

ଆଦିତ୍ୟ ତେଜେ ଛାଇ ନାଶ

ଶୁଣ ହେ ପ୍ରଜାପତି ଶିଷ୍ୟ

ସେ ଛାଇ ପୋଡ଼ିଯିବ ଯେବେ

ଦେଉଳେ ଦିଅଁ ଥିବ ତେବେ

ଅତି ଗୁପତ ବ୍ରହ୍ମରନ୍ଧ୍ର

ନିତ୍ୟେ ସେ ଦ୍ୱାରେ ମନ ଛନ୍ଦ

ନାସା ପବନ ଯେବେ ଛନ୍ଦି

ତେବେ ପଡ଼ିବ ହଂସା ବନ୍ଦି

ଅଗ୍ନି ପାଣିକି ଏକ କର

ଚୌଷଠି ରୋଗ ହେବ ଦୂର

ବିଷୟାବିଷ ହେବ ହତ

ମନକୁ ଦକ୍ଷିଣେ ନିବ୍ରତ

ପାଣି ରହିବ ସରୋବରେ

ଚୋର ଯେ ନ ପଶିବ ଘରେ

ପବନ ଉଜାଣି ଲହଡ଼ି

ଯିବ ଯେତିକି ଧାର ବଢ଼ି

ପଶ୍ଚିମଦିଗେ ବହି ନାବ

ଭାଇ ବୋହୂକୁ କର ଠାବ

ତାହାକୁ ଜେଠାଶୁର ଭେଟୁ

ଅଣାଯୋଗକୁ ଜ୍ଞାନ ଖଟୁ

ପରମପାଦେ କରି ଆଶ

ଡେଣାରୁ ପକ୍ଷୀ କରି ନାଶ

ପକ୍ଷି କାଟିଲେ ଜ୍ଞାନ ଦିଶୁ

ଭ୍ରମର କମଳରେ ପଶୁ

ଦୁଇ ଏକତ୍ୱ କର ଠାବେ

ଅଦେଖା ଭୂଇଁ ଦେଖ ଏବେ

ଏମନେ ଭୂଷଣ୍ଡ ଭକତ

କହିଲେ ପାମର ଅଚ୍ୟୁତ

 

ଇତି ଶ୍ରୀ ବ୍ରହ୍ମଶାଙ୍କୁଳିବର୍ଣ୍ଣନେ ଚନ୍ଦ୍ରକାନ୍ତିହେତୁ ଭୂଷଣ୍ଡ ବଶିଷ୍ଠ

ସମ୍ବାଦେ ଶ୍ରୀ ଗୁରୁଶିଷ୍ୟ ଉପଦେଶେ

ପଞ୍ଚମ କଳ୍ପ ଉକ୍ତଃ ।

 

ଷଷ୍ଠ କଳ୍‌ପ

ଶ୍ରୀ ଭୂଷଣ୍ଡ ଉବାଚ

କହେ ପ୍ରଚଣ୍ଡ ସୁତ ଭାବେ

ଶୁଣ ବଶିଷ୍ଠ କହୁ ଏବେ॥

ଯେବେ ପରମେ ହେବୁ ମେଳା

ମନ ଏକାଗ୍ରଚିତ୍ତେ ଚଳା॥

ତୋତେ ମୁଁ କହୁଅଛି ଯାହା

ବ୍ରହ୍ମାଦି ଦେଖା ନାହିଁ ତାହା॥

ନିଶ୍ରୁତି ଯୋଗର ଲକ୍ଷଣ

ତାହା କହିବା ମୁନି ଶୁଣ॥

ନିଗମ ସ୍ଥାନେ କରି ବାସ

ଛାଡ଼ିବ ପ୍ରକୃତିର ଆଶ॥

ନିଧର୍ମ ଅଗି ଶିଖେ ଜାଳି

ନାଶିବ ଦୁଃଖ ସୁଖ ମଳି॥

ଚିଆଁ ଚୈତନ୍ୟ ହେତୁ ମୂଳେ

ପବନ ନିରୋଧିବ ଠଳେ ॥

ତ୍ରିଗୁଣ ରିପୁ ହାଦେ ଛନ୍ଦି

ସୁହଂସ ଧରି କର ବନ୍ଦି॥

ନିଶ୍ରୁତି ଯୋଗର ଏ ଗୁଣ

ନିଶ୍ଚଳ ଧ୍ୟାନ ଅଭ୍ୟାସଣ॥

ମନ ଏକାଗ୍ରଚିତ୍ତେ ବସ

ଆତ୍ମାଟି ଆତ୍ମାଭାବେ ଦୃଶ୍ୟ॥

ବସିବା ଠାବେ କର ଲୟେ

କାହିଁକି ନ ଚଳିବ ପାୟେ॥

ନୟନ ଥାଉ ହେବ କଣା

ନାସା ଥାଉ ବାସନା ଘେନା॥

ଶ୍ରବଣ ଥାଉଁ ନ ଶୁଣିବ

ବଧିର ପ୍ରାୟ ହୋଇଥିବ॥

ମୁଖ ଥାଉଁ ଜଡ଼ ଆକୃତି

ତେବେ ମାୟାରୁ ଯିବ ବ୍ରତି॥

ସାଧିବ ନାହିଁ ଅସାଧନେ

ବାରି ଚିହ୍ନିବ ହେତୁମନେ॥

ବାମାଙ୍ଗେ ପାଡ଼ିଣ କପାଟୀ

ମେରୁ ପଥରେ ଦେବ ଗଣ୍ଠି॥

ଏ ହେତୁ ଅଭ୍ୟାସିଲେ ନିତ୍ୟେ

ବ୍ରହ୍ମ ଚିହ୍ନିବ ଆତ୍ମାଭୂତେ॥

ନିଷ୍ପତି ଯୋଗେ ଏ ଲକ୍ଷଣ

ଏବେ କହିବା ମୁନି ଶୁଣ॥

ପରମ ସାଧ୍ୟ ଆତ୍ମାଯୋଗ

ଶୁଣ ତହିଁର କର୍ମ ଯୋଗ॥

ଏ ଘଟଯୋଗ ଯେବା ଜାଣେ

ସେ ବେଦ ଶାସ୍ତ୍ରହିଁ ନ ଗଣେ॥

ଶିଳାକୁ ନ କରେ ଶୋଚନା

ବୋଲଇ ପଥର ଏ ସିନା॥

ସଂସାରେ ଦେବାଦେବୀ ଯେତେ

କାହାକୁ ନ ଗଣଇ ଚିତ୍ତେ॥

ମୁଖରେ ନ କହଇ ବାଣୀ

ଗର୍ଭକୁ ନାହିଁ ଅନ୍ନ ପାଣି॥

ଶୁଖିଲା ତରୁ ପ୍ରାୟେ ଅଙ୍ଗ

କାହାରି ତୁଲେ ନୋହେ ସଙ୍ଗ॥

ପଦ୍ମ ଆସନେ ନିତ୍ୟେ ଥାଏ

ଉଦୟଠାରୁ ଅସ୍ତ ଯାଏ॥

ଏ ଯୋଗ ସ୍ୱଭାବେଟି ବଡ଼

କାୟାକୁ ସିନା ବାୟୁ ବାଡ଼॥

ରବିର ଘରେ ଚନ୍ଦ୍ର ସାଜି

ଯିବଟି କାଳବେଳ ଭାଜି॥

ଚନ୍ଦ୍ର ସୂର୍ଯ୍ୟଙ୍କୁ କଲେ ଗୋଷ୍ଠି

ବିଷମ ବ୍ରହ୍ମଅଗ୍ନି ଉଠି॥

ପ୍ରଳୟ ତାକୁ ନ ବାଧଇ

ତେବେଟି ସିଦ୍ଧଅଙ୍ଗ ହୋଇ॥

ଯେବେ ତୁ ସାଧିବୁ ଉଜାଣି

କ୍ଷେପିବ ଗଗନକୁ ପାଣି॥

ତେବେ ପରମେ ହୋଇ ମେଳ

ଶିଖେ ଭେଟିବ ଆଦିମଳ॥

ସେ ଆଦି ଘେନିଯିବ ସଙ୍ଗେ

ଦେଖି ପଶିବୁ ବ୍ରହ୍ମଅଙ୍ଗେ॥

ପାଲଟି ଯିବ ବ୍ରହ୍ମ ଅଙ୍ଗ

କାଳେ ନୋହିବ ହେତୁ ଭଙ୍ଗ॥

ଏ କଥା ପ୍ରଣାମ ପ୍ରଚ୍ଛନ୍ନ

ମନ ଭିତରେ ଅଛି ଜ୍ଞାନ॥

ମାୟା ଉହାଡ଼ ହୋଇଅଛି

ତେଣୁଟି ବାରି ନ ଦିଶୁଛି॥

ବାସନା ବାରି ଯେ ଚିହ୍ନିବ

ହେତୁ ଆହୁତି ନିତି ଦେବ॥

ବିଷୟାବିଷମ ମଦରେ

ଲାଗି ଅଲଗା ନିରନ୍ତରେ॥

ଦମ୍ଭେ ନ କହିବ ବଚନ

ଦେଖିବ ତ୍ରିପୁର ସମାନ॥

ମନ ମତ୍ତାଙ୍ଗେ ନୋହି ମେଳା

ନିତ୍ୟେ ସାତ୍ତୁକ୍ୟ କର୍ମେ ଖେଳା ॥

ଏକାନ୍ତ ଭାବେ ଯେ ପ୍ରବର୍ତ୍ତି

ସେ ନିଷ୍ଠା ଲଭେ ନିଜ ବୃତ୍ତି॥

କହିଲୁ ବଶିଷ୍ଠ ହୋ ତୋତେ

ମନ ସହଜ ହେତୁପଥେ॥

ରଜ ତାମସ ଗୁଣ ତେଜ

ନିର୍ଗୁଣସାର ବ୍ରହ୍ମ ଭଜ॥

ସକଳ ସଙ୍ଗ ତ୍ୟାଗ କର

ସମତା ଚିତ୍ତବୃତ୍ତି ଧରି॥

ଲୋକ ବେଭାର ଜନମେଳେ

ଥାଇ ନ ଥିଲା ଭାବ ଭୋଳେ॥

ଏମନ୍ତ ମତ ଯେବେ ଧରୁ

ଭେଟିବୁ ଅନାଦି ଶ୍ରୀଗୁରୁ॥

ନୋହିଲେ ମିଳିବ ସେ କାହିଁ

କର୍ମେ ତାହାକୁ ଭେଟ ନୋହିଁ॥

ଏମନ୍ତ ଭୂଷଣ୍ଡ ବଚନ

ଶୁଣି ବଶିଷ୍ଠ ତୋଷମନ॥

ବୋଲନ୍ତି ଶୁଣ ହେ ମହତ୍ୱ

ତୁ ଯାହା କହିଲୁ ଏ ସତ୍ୟ॥

କଥାଏ ପଚାରଇ ତୋତେ

ଫେଡ଼ି କହିବ ମୋ ଅଗ୍ରତେ॥

ଦୁର୍ବଳ କାୟାଗୋଟି ହୋଇ

ଅବର୍ଣ୍ଣ ରୂପ ପାଲଟଇ॥

ଆବର ପ୍ରସଙ୍ଗ ସଙ୍କେତ

କହ ପ୍ରଚଣ୍ଡ କାକସୂତ॥

ବାହ୍ୟେ କି ରସ ମୂଳ ଅଛି

ସେ ଗୁପ୍ତ କହ ମୋତେ ବାଛି॥

ଭକ୍ଷିଲେ ବିନା ଆଧାରେଟି

ସବଳ ଥିବ କାୟାଗୋଟି॥

ଏମନ୍ତ କହି ବ୍ରହ୍ମସୁତ

ଭୂଷଣ୍ଡେ କଲେ ପ୍ରଳମ୍ବିତ॥

ଚିତ୍ରତୋଳା ତଟନିବାସୀ

କହେ ଅଚ୍ୟୁତ ବ୍ରଜଅଂଶୀ॥

ମୋ ନାମ ଅଟଇ ଅଚ୍ୟୂତି

ସୁଜନେ ଏଣେ କର ମତି॥

ଏ ଗ୍ରନ୍ଥ ଶ୍ରବଣ ପଠନେ

ନିତ୍ୟ ଅଭ୍ୟାସ ଦୃଢ଼ମନେ॥

ବ୍ରହ୍ମଜ୍ଞାନକୁ ଯିବ ଚିତ୍ତ

କହଇ ପାମର ଅଚ୍ୟୁତ॥

 

ଇତି ଶ୍ରୀ ବ୍ରହ୍ମଶାଙ୍କୁଳିବର୍ଣ୍ଣନେ ଚନ୍ଦ୍ରକାନ୍ତି ହେତୁ

ଭୂଷଣ୍ଡ ବଶିଷ୍ଠ ସମ୍ପାଦେ ଶ୍ରୀଗୁରୁ ଶିଷ୍ୟ-

ଉପଦେଶେ ଷଷ୍ଠ କଳ୍ପ ଉକ୍ତଃ ।

 

ସପ୍ତମ କଳ୍‌ପ

ଶ୍ରୀ ଭୂଷଣ୍ଡ ଉବାଚ

ଶୁଣ ହୋ ପଦ୍ମଯୋନି ସୁତ

ତୁ ଯାହା ପୁଛିଲୁ ତଦନ୍ତ

କହିବା ଫେଡ଼ିଣ ସନ୍ଦେଶ

ସେ କଳ୍ପ ବିଭୂତି ଆଦେଶ

ପୂର୍ବେ ରୋମାଞ୍ଚ ମହାଯତି

ହରଙ୍କୁ ପୁଚ୍ଛି ଏ ବିଭୂତି

ଶୁଣି ପ୍ରସନ୍ନେ ଉମାକାନ୍ତ

କହିଲେ ଗୁପତ ବୃତ୍ତାନ୍ତ

ତାହା ରୋମାଞ୍ଚ କରି ପାନ

କାୟା ସମ୍ପାଦି ହେଲେ ମଗ୍ନ

ପରମ ଯୋଗରେ ନିମଜ୍ଜି

ଏକ ବ୍ରହ୍ମକୁ ଦୃଢ଼େ ଭଜି

କୋଟିଏ କଳ୍ପ ହେଲା ଭୋଗ

ରୋମେକ ନ ଟଳଇ ଅଙ୍ଗ

ସେ ମୁନି କହିଛନ୍ତି ମୋତେ

ଶୁଣ ବଶିଷ୍ଠ କହୁ ତୋତେ

କହିବା ରସ ମୂଳସାର

ଯାହା ତୁ କରିବୁ ଆହାର

ତ୍ରିଗୁଣ ଏକଗୁଣେ ସମ

ହରିକେସର ଭୂମିନିମ

ବଟ ଓହଳ ତହିଁ ଭରି

ଶୁଖାଇ ଏକତ୍ରେ ତା ଚୂରି

ଛାଣିବ ଶୁକଳ କନାରେ

ଗର୍ଭକୁ ଭକ୍ଷିବ ପାଣିରେ

ନିଶି ପ୍ରଭାତେ ଯେବେ ଖାଉ

ଥିବ କି କ୍ଷୁଧାତୃଷା ଆଉ

ଆବର କଥାଏ ଭୋ ଋଷି

ମନେ ପଡ଼ିଲା ମୋର ଆସି

ବେଲ ଯେ ପତର ଗଞ୍ଜାଇ

ବେଗୁନ ଅଗି ତହିଁ ଲାଇ

ବାସଙ୍ଗ ଅଗି ତହିଁ ଭରି

ଚତୁର୍ଥେ ସମଯୁକ୍ତ କରି

ତପନ ତେଜେ ଶୁଖାଇବ

ୠଷିଫଳକୁ ତହିଁ ଦେବ

ପଞ୍ଚ ପଦାର୍ଥ ଏକ କର

ନିଶି ଅର୍ଦ୍ଧରେ ଏହା ଚୂର

ଯୁଆଣି ଗୋଟି ଚାରି ମିଶା

ଛଡ଼ ପଦାର୍ଥ ଏକ ଦୃଶା

ପ୍ରଭାତେ ଏକ ପାଦ ଧ୍ୟାଇ

ତିନି ଚିମୁଟା ନିତ୍ୟେ ଖାଇ

ସମ୍ପୂର୍ଣ୍ଣ ଛଡ଼ମାସ ଯାଏ

ମୁକୁତା ଦେହ ସୁନା ହୁଏ

ନ ଥାଇ ରୋଗ ବ୍ୟାଧି କିଛି

ପୂର୍ବେ ରୋମାଞ୍ଚ କହିଛନ୍ତି

ସିଦ୍ଧଙ୍କ ବୁଟି ଏ ଅଟଇ

ଇଶାନେ ଅଛନ୍ତି ବତାଇ

ଏ ଅଟେ ଗୁପତୁଁ ଗୁପତ

ଜାଣନ୍ତି ଆତ୍ମା ଜ୍ଞାନିଭକ୍ତ

ସେ ଆତ୍ମାଜ୍ଞାନେ ଯେ ସେବନ୍ତା

ଜାଣନ୍ତି ଆଗତ ବ୍ୟବସ୍ଥା

ଶୁଣି ପ୍ରଚଣ୍ଡସୂତ ବାଣୀ

କହେ ବଶିଷ୍ଠ ତପୋଧନି

ଭୋ ପକ୍ଷି କହ ମୋତେ ଫେଡ଼ି

ହେମ କେମନ୍ତେ ଯିବ ପୋଡ଼ି

ଏଛଡ଼ ଋତୁ କଟାଇବା

ବିନା ଆହାରେ କେହ୍ନେ ଥିବା

ଇଚ୍ଛାରେ କରିବା ଭୋଜନ

ନାହିଁ ନ ଥିବ ଜଳ ପାନ

ଆବର ଆତ୍ମା ଯୋଗେ ବାଟ

ଫେଡ଼ି କହିବ ମୋ ନିକଟ

ସେ ଆତ୍ମା ଯୋଗ କେହ୍ନେ ସାଧି

ଏହା କହିବ ମୋତେ ଶୋଧି

ମାୟା ଉପେକ୍ଷି ମୋତେ କହ

ଯେମନ୍ତେ ରହିବ ଏ ଦେହ

ଶୁଣି କହଇ ପକ୍ଷିଶ୍ରେଷ୍ଠ

ଏ କଥା ଶୁଣ ହୋ ବଶିଷ୍ଠ

ଅମନ ଶିଖେ ହେତୁ ବାଛି

ଚେତା ନୟନେ ରଖ ଗଛି

ଚନ୍ଦ୍ର ଅଙ୍ଗରେ ଷୋଳକଳା

ତହୁଁ କାଟିଣ ଚାରିକଳା

ବାର କଳାରେ ସୂର୍ଯ୍ୟ ଉଦେ

ଚାରି କଳାକୁ ମିଶା ହାଦେ

ତପନ ଷୋଳକଳା ବହୁ

ବାର କଳାରେ ଚନ୍ଦ୍ର ରହୁ

ଉଜାଣି ଧର ବାୟୁ ଟାଣି

କ୍ଷେୟ ଆକାଶ ମାର୍ଗେ ପାଣି

ବଙ୍କୁ ନାଳରେ ଠୁଳକର

ନାସିକା ଅଗ୍ରେ ଦୃଷ୍ଟି ଭର

ବାମ ଜାନୁରେ ଦକ୍ଷପାଦ

ଦକ୍ଷିଣ ଜାନୁ ବାମ ପାଦ

ଏମନ୍ତେ ପଦ୍ମାସନେ ଭିଡ଼ି

ଦକ୍ଷିଣ ପଥେ ଯିବ ଚଢ଼ି

ହିମ ହୋଇବ ତେବେ ନାଶ

କହିଲୁ ଶୁଣ ବ୍ରହ୍ମଶିଷ୍ୟ

ଝରୁଛି ଶୂନ୍ୟ ଶିଖୁ ଝର

ଉଜାଣି ରହି ପାନ କର

ଝର ଫେରାଇ ପାରୁ ଯେବେ

ପାଚିଲା କେଶ କଳା ତେବେ

ଏମନ୍ତେ ଅଖଣ୍ଡ ସାଧନା

ସାଧି ପାରିଲେ ସାଧ କିନା

କହନ୍ତି ଅଚ୍ୟୁତ ରାମକୁ

ଭୂଷଣ୍ଡ କହେ ବଶିଷ୍ଠକୁ

ଏଣେ ସୁସାଧୁଜନେ ରସ

କହେ ଅଚ୍ୟୁତି ହୀନ ଦାସ

 

ଇତି ଶ୍ରୀ ବ୍ରହ୍ମଶାଙ୍କୁଳି ବର୍ଣ୍ଣନେ ଚନ୍ଦ୍ରକାନ୍ତି ହେତୁ ଭୂଷଣ୍ଡ ବଶିଷ୍ଠ

ସମ୍ପାଦେ ଶ୍ରୀଗୁରୁ ଶିଷ୍ୟ ଉପଦେଶ ସପ୍ତମ କଳ୍ପ ଉକ୍ତଃ ।

 

ଅଷ୍ଟମ କଳ୍‌ପ

ଶ୍ରୀ ଭୂଷଣ୍ଡ ଉବାଚ

ଶୁଣ ହୋ ବେଦ ବ୍ରହ୍ମାସୁତ

ଆତ୍ମା ସାଧନ ବ୍ରହ୍ମତତ୍ତ୍ୱ

ସକଳ ଭୂତେ ଏ ପବନ

ଖେଳଇ ଅରୂପ ଅବର୍ଣ୍ଣ

ନାହିଁ ତା ଆକାର ବିକାର

ନିର୍ଗୁଣ ପରମ ଈଶ୍ୱର

ଖେଳନ୍ତି ସର୍ବଭୂତେ ବ୍ୟାପି

ଅକ୍ଷୟ ପୂର୍ଣ୍ଣ ବ୍ରହ୍ମରୂପୀ

ଏ ପଞ୍ଚଭୂତ ପୃଥ୍ୱୀ ଆପ

ତେଜ ବାୟୁବ୍ୟ ଆକାଶେକ

ଏ ପୁଣି ପଞ୍ଚ ବର୍ଣ୍ଣ ଧରି

ପରମ ସ୍ୱରୂପେ ବିହରି

ପଞ୍ଚ ପବନ ପଞ୍ଚ ନାଦ

ପ୍ରକାଶି ଛପ୍ନା କୋଟି ହୃଦ

ତା ନାମ ପ୍ରାଣାପ୍ୟାନ ହୋଇ

ସମାନ ଉଦାନ ବୋଲାଇ

ବ୍ୟାନ ଏ ପଞ୍ଚବର୍ଣ୍ଣଧାରୀ

ଖେଳନ୍ତି ଭୂତକୁ ଆବୋରି

ପଞ୍ଚ ପବନ ପଞ୍ଚପ୍ରାଣ

କରନ୍ତି ନାସାରେ ଗମନ

ଚନ୍ଦ୍ରାର୍କଏ ଦୁଇ ସାକ୍ଷରେ

ସେ ଜ୍ୟୋତି ଅଜ୍ୟୋତି ସଞ୍ଚରେ

ଅଣଚାଶ ମୂର୍ତ୍ତି ମରୁତ

ପଞ୍ଚାଶ ଦଳ ମଧ୍ୟ ଗତ

ସେ ବ୍ରହ୍ମ ସୂକ୍ଷ୍ମ ମୃତି ଦେହି

ଅଦେହ ବନ୍ତ ସେ ଗୋସାଇଁ

ଭ୍ରମନ୍ତି ଦିବସ ରାତ୍ରରେ

ସର୍ବ ସମ୍ପୂର୍ଣ୍ଣ ନିଷ୍କାମରେ

ଦୃଢ଼ ଆସନେ ନିଶା ଅର୍ଦ୍ଧେ

ନିଶ୍ଚଳ ଧ୍ୟାନ ଏକପାଦେ

ଚନ୍ଦ୍ର ମଣ୍ଡଳୁ ଜଳ ତୋଳି

ସୂର୍ଯ୍ୟ ମଣ୍ଡଳେ ଦିଅ ଢାଳି

ନିଶ୍ରେଣୀ ଲାଗିଛି ଶୂନ୍ୟରୁ

ମନ ପବନ ସଙ୍ଗେ ଚଳୁ

ତ୍ରିକୂଟ ଦ୍ୱାରେ ପ୍ରବେଶିବ

ବାମ ଦକ୍ଷିଣ ଛାଡ଼ି ଦେବ

ଡମ୍ବରୁ ଭେଦି ଯିବ ଚଳି

ଡର ଭୟକୁ ଦୂର କରି

ଡଗର ଶ୍ରୀ ଗୁରୁ ଉଦେଶ

ଗୁଝ୍ୟେ ହୋଇବ ପରବେଶ

ଗିରୀଶ ସୁତ ଛନ୍ତି ତହିଁ

ଚତୁର୍ଥ ଦଳ ଯେ ସେବଇ

ପ୍ୟାନ ମୂକରେ ଚାରି ବାଇ

ଗୁଝ୍ୟରେ ନିରତେ ଫେରଇ

ସେ ଚାରି ପବନକୁ ଘେନି

ଊର୍ଦ୍ଧ୍ୱେ ଯେ ଇନ୍ଦ୍ରଚକ୍ର ପୁଣି

ଛଡ଼ ପାଖୁଡ଼ା ଫୁଲ ତହିଁ

ଅଛନ୍ତି କାମ ଦେବ ରହି

ବସିଛି ଛଡ଼ ଯେ ପବନ

ବ୍ୟାନ ମୂଳରେ ତାକୁ ଚିହ୍ନ

ସେ ଛଡ଼ ଚାରି ଏକକରି

ବ୍ୟାନ ପବନ ହୃଦେ ଧରି

ମିଳିବ ନାଭି କମଳରେ

ବ୍ରହ୍ମା ବିଜୟେ ସେ ଚକ୍ରରେ

ଦଶ ପାଖୁଡ଼ା ଫୁଲ ଅଛି

ଦଶ ପବନ ତହିଁ ଗଛି

ସମାନ ପବନର ମୂଳେ

ଦଶ ପାଖୁଡ଼ା ମଧ୍ୟେ ଖେଳେ

ସେ ଦଶ ଦଶ ଯେ ପବନ

ସମାନ ମୂଳେ ତା ଖଞ୍ଜିଣ

ସୁମନେ ଊର୍ଦ୍ଧ୍ୱେ ଯିବ ଚଳି

ଯାଇ ପ୍ରବେଶ ହୃଦସ୍ଥଳୀ

ସେ ଚକ୍ରେ ବିଜେ ନାରାୟଣ

ବହଇ ଦ୍ୱାଦଶ ପବନ

ଦ୍ୱାଦଶ ପାଖୁଡ଼ା ନିର୍ମିତ

ପ୍ରାଣ ପବନ ତହିଁ ସ୍ଥିତ

ଚଉଦ ଭୁବନ ସମ୍ପତ୍ତି

ଘେନି ବିଜୟେ ଲକ୍ଷ୍ମୀପତି

ସେ ଦଶ ଦଶ ଦ୍ୱାଦଶରେ

ମିଶାଇ ପ୍ରାଣ ପବନରେ

ହୃଦେ ସୁମରି ନାରାୟଣ

ସେଠାରୁ ଚଳିବ ଊର୍ଦ୍ଧ୍ୱେଣ

ମିଳିବ କଣ୍ଠ ଚକ୍ରେ ଯାଇ

ସେ ଚକ୍ରେ ଛନ୍ତି ଉମାସାଇଁ

ଗିରି ଫିଟିଣ ତିନି ଧାର

ପଡ଼େ ଶଙ୍କର ମସ୍ତକର

ସେ ଅଟେ ମକରନ୍ଦ ରସ

ହର କରନ୍ତି ନିତ୍ୟେ ଗ୍ରାସ

ଷୋଳ ପାଖୁଡ଼ା ଫୁଲ ତହିଁ

ଉଦ୍ଦାନ ମୂଳେ ଷୋଳ ବାଇ

ସେ ଦଶ ଦଶ ଦ୍ୱାଦଶରେ

ଷୋଳ ପବନ ମିଶୁଧୀରେ

ସମସ୍ତ ଏକତ୍ର ମିଳାଇ

ମହାଦେବଙ୍କୁ ହୃଦେ ଧ୍ୟାଇ

ଉଦାନ ମୂଳେ ତା ଖଞ୍ଜିଣ

ଊର୍ଦ୍ଧ୍ୱକୁ ଚାଲିବ ପବନ

ଗମିବ ସରସ୍ୱତୀଧାରେ

ଗିରି ଅରଣ୍ୟ ବନ ଘୋରେ

ଦୁର୍ଗମ ପଥ ସେହୁ ଜାଣ

ଚଳୁ ଏ ସୁମନ ପବନ

ପରମ ପୁରୁଷକୁ ଧ୍ୟାଇ

ଗମିବ ମହାକଷ୍ଟ ପାଇ

ମିଳିବ ଲଲାଟ ଚକ୍ରରେ

ଶ୍ରୀ ନିରାକାରଙ୍କ ଛାମୁରେ

ଦର୍ଶନ କରି ଆଦିବ୍ରହ୍ମ

ବିନାଶି ମାୟା ମୋହ ଭ୍ରମ

ବେନି ପାଖୁଡ଼ା ଫୁଲ ଅଛି

ଏକଇ ପବନ ବହୁଛି

ଆରେକ ପାଖୁଡ଼ା ନିର୍ବାତ

ଊର୍ଦ୍ଧ୍ୱକୁ ଅଛି ଯୁଣ ସାତ

ସେ ସାତ ଯୁଣ ମଧ୍ୟ କଥା

ଶୁଣ ବଶିଷ୍ଠ ପୁଣ୍ୟବନ୍ତା

ସେ ବଂଶ ଦ୍ୱାଦଶ ଷୋଳେଣ

ଏକକୁ ମିଶାଇ ଯତ୍ନେଣ

ଏମନ୍ତେ ଅଣଚାଷ ବାଇ

ପଞ୍ଚ ପବନ ସଙ୍ଗେ ଲଇ

ଏ ସର୍ବ ହୋଇଲେ ଏକତ୍ର

ମୁଦା ପଡ଼ିବ ବାମ ପଥ

ଦକ୍ଷିଣେ ଏକାଙ୍ଗ ଭଜନ

ଏହାକୁ କହି ବ୍ରହ୍ମଜ୍ଞାନ

ଏମନ୍ତେ ସ୍ଥିରଦୃଷ୍ଟି ଭାବେ

ଆକାଶେ ଗମିବ ସୁଅଙ୍ଗେ

ମନୁନ୍ଦ୍ର ପୁର ଯିବ ଜିଣି

କାଉଁରୀ ମଣ୍ଡଳ ସେ ପୁଣି

ଦେବ ନାଶନ ବଟ ଅଛି

ସେ ବଟେ ସର୍ପେକ ରହିଛି

ଅବାଇ ପଥ ସେ ଅଟଇ

ପରମ ଏକା ଆସେ ବହି

ମନ ପବନ ଲୀନ କରି

ହେତୁରେ ଊର୍ଦ୍ଧ୍ୱପଥ ହେରି

ଯେ ହାଟ ଚତୁର୍ବର୍ଗ ପେଣ୍ଠ

ଙ୍ଘୁ ଙ୍ଘୁ ଶବଦରେ ପ୍ରକଟ

ସେ ପଥ ପାରି ହୋଇ ଗଲେ

ବୈକୁଣ୍ଠ ଦିଶଇ ନିରୋଳେ

ପୂରିବ ମାନସରୋବର

ପରମ ହଂସର ବିହାର

କନକ ସ୍ଫଟିକ ସ୍ୱରୂପ

ଖେଳେ ପରମ ଅବିକଳ୍ପ

ସେ ସରୋବର ଊର୍ଦ୍ଧ୍ୱେ ଦିଶେ

ସହସ୍ର କର୍ଣ୍ଣିକା ପ୍ରକାଶେ

ଫଣି ସ୍ୱରୂପ ପରେ ମଣି

ସେ ମହାବ୍ରହ୍ମ ଶିରୋମଣି

ତାହାଙ୍କ ବର୍ଣ୍ଣ ଚିହ୍ନ ନାହିଁ

ଅଜନ୍ମ ପୁରୁଷ ଗୋସାଇଁ

ଆତ୍ମା ଯୋଗ ସାଧନା ବେଳେ

ତାଙ୍କୁ ଦେଖିବ ଚର୍ମଡୋଳେ

ଉଲଟ ଉଜାଣି ବହିଲେ

ଜଳ ସମ୍ପୂର୍ଣ୍ଣ ହଂସ ଖେଳେ

ଅଭୟ ପାଦକୁ ଅନାଇଁ

କୋଟି କଳ୍ପାନ୍ତ ଜୀବ ବହି

ତେବେ ଲଭିବ ଆତ୍ମା ସୁଖ

ନ ଥିବ ଭବ ଭୟ ଦୁଃଖ

ଏ ଜ୍ଞାନ ପାର୍ବତୀ ଆଗରେ

ଶିବ କହିଲେ ଏକାମ୍ବରେ

ଶୁଣ ହୋ ବ୍ରହ୍ମାଙ୍କ ନନ୍ଦନ

ଏ ଯେ ଅଟଇ ବ୍ରହ୍ମଜ୍ଞାନ॥

ଏହା ନ ଜାଣେ ଯେଉଁ ଯୋଗୀ

ସେ ନୋହେ ଆତ୍ମାଜ୍ଞାନ ଭୋଗୀ

ନିଷ୍କାମ ଅକିଞ୍ଚନ ଭାବ

ତିନି ତ୍ରୈଲୋକ୍ୟ ଏ ଦୁର୍ଲ୍ଲଭ

ରାମକୁ ପାଖରେ ବସାଇ

କହନ୍ତି ଅଚ୍ୟୁତ ବୁଝାଇ

ସୁଜନେ ଗୁପତ କରିବ

ପ୍ରକାଶ କଲେ ଦୋଷ ହେବ

କହେ ଅଚ୍ୟୁତାନନ୍ଦ ଦାସ

ଏ ସାର ବ୍ରହ୍ମ ଉପଦେଶ

 

ଇତି ଶ୍ରୀ ବ୍ରହ୍ମଶାଙ୍କୁଳିବର୍ଣ୍ଣନେ ଚନ୍ଦ୍ରକାନ୍ତିହେତୁ ଭୂଷଣ୍ଡ ବଶିଷ୍ଠ

ସମ୍ପାଦେ ଶ୍ରୀ ଗୁରୁଶିଷ୍ୟ ଉପଦେଶେ

ଅଷ୍ଟମ କଳ୍ପ ଉକ୍ତଃ

 

ନବମ କଳ୍‌ପ

ଶ୍ରୀ ଭୂଷଣ୍ଡ ଉବାଚ

ଶୁଣ ସମନେ ବ୍ରହ୍ମଶିଷ୍ୟ

ଏ ଆତ୍ମା ନିର୍ଗୁଣ ପୁରୁଷ

 

ଏହାର ପାଦ ପାଣି ନାହିଁ

ପବନ ରୂପେ ଯାଏ ବହି

 

ଏ ଭୂତେ ଶାଙ୍କୋଳି ସ୍ୱରୂପେ

 

ଛନ୍ଦିଛ ଛପ୍ନା କୋଟି କୂପେ

 

ଏହା ତୁ ଚିହ୍ନିପାରୁ ଯେବେ

ହେତୁ ରହିବ ଯୁଗେ ଯୁଗେ

 

ଚନ୍ଦ୍ର ଫେରାଇ ସୂର୍ଯ୍ୟ ସାଜ

ବାମଙ୍ଗ ପାଡ଼ି ପ୍ରୀତି ମଜ୍ଜ

 

ବିଷମ ଅର୍ଗଳି ଫିଟିବ

ପିତ୍ତଳ ଅଙ୍ଗ ସୁନା ହେବ

 

ଏ ତତ୍ତ୍ୱ ଜାଣନ୍ତି ଯେ ଯୋଗୀ

ଦୀକ୍ଷା ଘେନିବ ତାଙ୍କୁ ମାଗି

 

ବିନା ସଦ୍‌ଗୁରୁ ନ କହିଲେ

କେ ଚିହ୍ନିପାରିବ ଶୟଳେ

 

ଶୁଣ ହେ ପ୍ରଜାପତି ବାଳ

ଏହି ପବନ ଅଟେ ମୂଳ

 

ଏହାକୁ ଚିହ୍ନି ଯେ ନ ପାରି

ସେ ନୋହେ ଯୋଗୀ ଦିଗାମ୍ବରୀ

 

ଏହି ଥିବାରୁ ସର୍ବ ଯଶ

ଏ ଥିଲେ ସକଳ ପୌରୁଷ

 

ଏହା ଛାଡ଼ନ୍ତେ ଦେହ ଯାଇ

କୂର୍ମିଭାଣ୍ଡଟି ପଡ଼ିଥାଇ

 

ଦେଖ ଏ ଜଳ ସ୍ଥଳର୍ଣ୍ଣଳ

ଏ ମର୍ତ୍ତ୍ୟ ସ୍ୱର୍ଗାଦି ପାତାଳ

 

ଭୂଲୋକ ଧ୍ରୁବଲୋକ ଯାଏ

ସ୍ୱଲୋକ ମହଲୋକ ବହେ

 

ଶୂନ୍ୟାଦି ଶୂନ୍ୟେ ଅଛି ବ୍ୟାପି

ସିଦ୍ଧ ପୁରୁଷ ସେ ଅରୂପୀ

 

ସେ ସିଦ୍ଧ ତାଙ୍କୁ ଛନ୍ତି ଧ୍ୟାଇ

ଅନ୍ୟ ଜାଣିବ ଏହା କାହିଁ

 

ସକଳ ଭୂତମଧ୍ୟେ ସାର

ଏ ଯେ ମାନବ ଅବତାର

 

ଏ ଭୂତେ ପ୍ରସନ୍ନ ମୁରାରି

ପାରିଲେ ଏକପାଦ ହେରି

 

ଶିଙ୍କୁଳି ଛନ୍ଦେ ତାର ଭାବ

କରି ପାରିବ ଯେବେ ଠାବ

 

ମୁଁ ତୋତେ କହୁଅଛି ଫେଇ

ପାରିଲେ ପ୍ରୀତି କର ଯାଇ

 

ଏମନ୍ତେ ଭୂଷଣ୍ଡ ବଚନ

ଶୁଣି ବଶିଷ୍ଠ ତୋଷମନ

 

ବୋଲନ୍ତି ଶୁଣ ହେ ମହତ୍ତ୍ୱ

କହ ଗୁପତ ସାରସ୍ୱତ

 

ଏ ପଞ୍ଚଭୂତରେ ପବନ

ଖେଳଇ ନିଶି ଦିବସେଣ

 

ମହାଶୂନ୍ୟକୁ ଯିବାପାଇଁ

କେଉଁ ଭୂତରେ ପଥ ଧ୍ୟାଇ

 

କପଟ ନ କରିବ ମୋତେ

ଫେଡ଼ି କହିବ ମୋ ଅଗ୍ରତେ

 

ଏ ଆତ୍ମା କେଉଁଠାରୁ ଜାତ

କହ ପ୍ରଚଣ୍ଡ ସୂତ କାକ

 

ଶୁଣି ସନ୍ତୋଷ ଚିତ୍ତ ହେଉ

ତୋ ଯଶ ଯୁଗେ ଯୁଗେ ଥାଉ

 

 

ଶ୍ରୀ ଭୂଷଣ୍ଡ ଉବାଚ

ଶୁଣ ହେ ବଶିଷ୍ଠ ସେ ଭାବ

କହିବ ଯିବା ପ୍ରୀତି ଲାଭ

ଏ ପଞ୍ଚଭୂତ ମଧ୍ୟେ ବ୍ୟାପି

ଖେଳନ୍ତି ପରମ ସ୍ୱରୂପୀ

ବିନା ଉଜାଣି ନ ବଳାଇ

କେ ଅଛି ସିଦ୍ଧ ଅଙ୍ଗ ବହି

ଉଲଟ ଉଜାଣି ଚଳିଲେ

ପୂରିତ ମାନସରୋବରେ

ପରମ ଅଙ୍ଗେ ଜୀବ ମିଶେ

ଏ ଆତ୍ମା ନିର୍ମଳ ପ୍ରକାଶେ

ନିଶ୍ଚେ ଭେଟିବ ଆଦିକନ୍ଦ

ନାହିଁ ଟଳିବ ନିଜ ବନ୍ଧ

ସେ ପୂର୍ଣ୍ଣବ୍ରହ୍ମ ଶୂନ୍ୟବାସୀ

ଛାମୁରେ ଶରଣ ନିବେଶି

ଶ୍ରୀମୁଖ ଚାହିଁ ଯିବ ଦିନ

ଏ ଯଶ ଯୁଗେ ଯୁଗେ ଧନ୍ୟ

କହିବା ଶୁଣ ସେ ସଙ୍କେତ

ଶୂନ୍ୟକୁ ଯିବାପାଇଁ ପଥ

ଦିବସ ଆଦି ମଧ୍ୟାହ୍ନରେ

ପ୍ରାତଃ ସମୟ ସାୟଂକାଳେ

ଅର୍ଦ୍ଧ ନିଶିରେ ପୁଣି ଆଦ୍ୟ

ନିଶ୍ଚଳେ ଆକାଶକୁ ଭେଦ

ଏ ଚାରିବେଳର ବୃତ୍ତାନ୍ତ

ଶୁଣ ବଶିଷ୍ଠ ତପୋବନ୍ତ

ଏ ପଞ୍ଚଭୂତରେ ପବନ

ବହଇ ନିଶି ଦିବସେଣ

ଚନ୍ଦ୍ର ସୂର୍ଯ୍ୟରେ ଦୁଇ ଦୁଇ

ଦଣ୍ଡ ବିଶ୍ରାମ କରେ ଦେହି

ପ୍ରଥମ ଭୂତ ହେଲେ ଭୋଗ

ଆନ ଭୂତରେ ହୁଏ ଯୋଗ

ପୃଥ୍ୱୀରେ ନ ଚଳଇ ବାତ

ଅଚଳେ ରହେ ସ୍ଥିରମତ

ଜଳରେ ଲହଡ଼ି ମାରଇ

ଭିତରେ ପଶି ତ ନୁହଇ

ଅଗ୍ନିରେ ଦେହ କମ୍ପ କରେ

ଶରୀର ଦମ୍ଭ କେବା ଧରେ

ବାୟବ୍ୟେ ବାତ ନ ଚଳଇ

ଊର୍ଦ୍ଧ୍ୱରୁ ଅର୍ଦ୍ଧକୁ କ୍ଷେପଇ

ଆକାଶେ ଏ ମନ ପବନ

ଶୂନ୍ୟକୁ କରନ୍ତି ଗମନ

ଯେତେ ଚାଳିବ ତେତେ ଚଳେ

ଅଭୟ ପାଦ ଭକ୍ତିବଳେ

ଆକାଶ ତତ୍ତ୍ୱେ ହେତୁ ସ୍ଥିର

ଶୁଣ ହେ ବ୍ରହ୍ମାଙ୍କ କୁମର

ସିଦ୍ଧେ ଅଛନ୍ତି ଧ୍ୟାନ ଧରି

ଏ ପଞ୍ଚଭୂତକୁ ବିଚାରି

ଅନ୍ୟ ବେଳରେ ଯେ ଭାବନା

ଟେକି ଟାକନ୍ତା ମତ୍ତ ସିନା

ହେତୁରେ ନିମଜ୍ଜିଣ ଥିବ

ସମୟେ ଜାଗିଣ ବସିବ

ଏ ମହା ଗୁପତ ବିଚାର

ଫେଡ଼ି କହିଲୁ ମୁନିବର

ଗୁରୁ ସେବିଲେ ଏହା ଜାଣି

ଗୁରୁ ବଚନ ମୁକ୍ତି ମଣି

ଉତ୍ତମ ଗୁରୁପାଦେ ସେବା

ଗୁରୁ ବଚନେ ନିସ୍ତରିବା

କହେ ଅଚ୍ୟୁତି ଦୃଢ଼ଜ୍ଞାନୀ

ଗୁରୁ ସେବନ୍ତା ନରେ ଧନୀ

ଇତି ଶ୍ରୀ ବ୍ରହ୍ମଶାଙ୍କୁଳିବର୍ଣ୍ଣନେ ଚନ୍ଦ୍ରକାନ୍ତିହେତୁ ଭୂଷଣ୍ଡ ବଶିଷ୍ଠ

ସମ୍ପାଦେ ଶ୍ରୀ ଗୁରୁଶିଷ୍ୟ ଉପଦେଶେ ନବମ କଳ୍ପ ଉକ୍ତଃ ।

 

ଦଶମ କଳ୍‌ପ

ଶ୍ରୀ ଭୂଷଣ୍ଡ ଉବାଚ

କହନ୍ତି ପ୍ରଚଣ୍ଡ ନନ୍ଦନ

ଶୁଣ ବଶିଷ୍ଠ ତପୋଧନ॥

ଏ ଆତ୍ମା ସର୍ବଭୂତେ ଅଛି

ପ୍ରଥମେ ସ୍ଥୂଳାକାର ଗତି॥

ଦ୍ୱିତୀୟେ ଫେନ ପ୍ରକାଶଇ

ତୃତୀୟେ ଆରକ୍ତ ଦିଶଇ॥

ଲୋହିତ କୁଙ୍କୁମ ଶ୍ୟାମଳ

ରୂପେ ବିସ୍ତାର କାୟାସ୍ଥଳ॥

ମଧ୍ୟମ ମୂଳ ନାଭୀଦେଶ

ତହୁଁ ସଞ୍ଚିତ ଅନ୍ତକୋଷ॥

ଅଧ ଊର୍ଦ୍ଧ୍ୱକୁ ଯାଏ ବଢ଼ି

ଏକ ବ୍ରହ୍ମଟି ସର୍ବ ଗଢ଼ି॥

ସମସ୍ତ ନିର୍ଭାକରି ପୁଣି

ଶୂନ୍ୟେ ବିଶ୍ରାମ ମୁକ୍ତି ମଣି॥

ଜୀବେ ପରମରୂପେ ଆପେ

ବିହରେ ଛପ୍ନାକୋଟି କୂପେ॥

ଜଳରୁଧିରେ ସୃଜି ଦେହ

ଅଜନ୍ମ ପୁରୁଷ ସେ ସ୍ୱୟ॥

ପିତା ମାତାଙ୍କୁ ଯୁକ୍ତେ ମୋହି

ଆତ୍ମାରୁ ଆତ୍ମା ପ୍ରକାଶଇ॥

ଶୁଣ ହେ ବ୍ରହ୍ମାଙ୍କ କୁମର

ତୋମନେ ତୁ ବିଚାର କର॥

ବିନ୍ଦୁଟି ସରୋବରଜଳ

ତହିଁ ପରମ ନିଜସ୍ଥଳ॥

ଭ୍ରମଇ ଚନ୍ଦ୍ରସୂର୍ଯ୍ୟ ଦ୍ୱାରେ

ପୁଣି ପାଲଟି ରହେ ଘରେ॥

ସର୍ଜନା ଇଚ୍ଛା ହେଲେ ତାର

ସେ ବିନ୍ଦୁ ଘେନି ସଙ୍ଗତର॥

ମେରୁ ଦୁଆରେ ପଡ଼େ ଗଳି

ମାତା ପଦ୍ମରେ ଯାଇଁ ମିଳି॥

ଏ ରୂପେ ଆତଯାତ କରେ

ଏକରୁ ଆରେକ ସଞ୍ଚରେ॥

ଏମନ୍ତେ ଆତ୍ମାର ସଞ୍ଚାର

ସର୍ଜନା ଚତୁର୍ଦ୍ଦଶ ପୁର॥

ସିଦ୍ଧେ ଚିହ୍ନିଣ ଛନ୍ତି ସେବି

ଅଖଣ୍ଡ ବ୍ରହ୍ମ ଭୂତେ ଭାବି॥

ଛ ଚକ୍ର ଭେଦି ଉଦେ ହୋନ୍ତି

ପଞ୍ଚଭୂତରେ ନିଜ ସ୍ଥିତି॥

ବିନ୍ଦୁ ସଂଯୋଗେ ଜୀବ ଜାତ

ପରମ ବାୟୁ ସୁସଂଗୀତ॥

ସକଳ ସୃଜି ମେରୁ ଶିଖେ

ବିଶ୍ରାମି ପଞ୍ଚଭୂତ ସାକ୍ଷେ॥

ଗର୍ଭେ ଜୀବକୁ ଆବୋରିଣ

ଥାନ୍ତି ଅନାଦି ନାରାୟଣ॥

ଅଙ୍ଗରୁ ଅଙ୍ଗ କରି ଜାତ

ସେ ଅଟେ ଅଯୋନି ସମ୍ଭୁତ      

ପ୍ରଣବଦ୍ୱାରେ ପିଣ୍ଡ ହୋନ୍ତେ

ସେ ପୁଣି ଗମି ଶୂନ୍ୟପଥେ॥

ମାତା ନୟନେ ବିଶ୍ରାମଇ

ଝମକେ ଝାଙ୍କ ମତ ବହି॥

ଝଟକ ବିଜୁଳିର ପ୍ରାୟେ

ଯାଇ ପ୍ରବେଶ ହୋନ୍ତି ଦେହେ॥

ଜୀବ ସେ ପିଣ୍ଡରେ ଇଷିତ

ଝଙ୍କାରେ ମିଳେ ମହୀଗତ॥

ଚେତା ଚୈତନ୍ୟ ହେତୁ ମୂଳେ

ପରମ ଅଙ୍ଗୁ ଉପୁଜିଲେ॥

ଶ୍ରୋତାରେ ଚିଆଇଁ ରାବିଲା

ଉଦର କଥା ପାଶୋରିଲା॥

ଭୋଳେ ମୋହିତ ଭାବେ ଚ୍ଛନ୍ନ

ଏ ଭାବେ ଆତଯାତ ଜନ॥

ଅନନ୍ତ ମାୟାମୋହେ ପଡ଼ି

ପୂର୍ବ ବିନୟ ପଥ ହୁଡ଼ି॥

ଶୁଣ ହୋ ବଶିଷ୍ଠ ବିବେକ

ଯେ ହେତୁମନ୍ତ ତ୍ରଇଲୋକ୍ୟ      

ସେ ପୁଣି ହେତୁରେ ଭ୍ରମନ୍ତି

ଯେଣୁ ସେ ଆଗତ ଜାଣନ୍ତି॥

ପରମ ଅଙ୍ଗେ ମିଶି ଗର୍ଭେ

ଶ୍ରୋତାକୁ ଘେନିଥାଇ ସଙ୍ଗେ॥

ସୁମନ ଡୋର କଉପୁନୀ

ପିନ୍ଧି ମାତାର ଗର୍ଭୁ ଜନ୍ମି॥

ପରମ ପ୍ରବେଶିଲେ ଠାବେ

ଶ୍ରୋତାରେ ପୁଣି ଚେତି ସେବେ ॥

ହେତୁ ଆଗତ ଜ୍ଞାନବଳେ

ତ୍ରିଗୁଣ ଛେଦନ କୁଠାରେ॥

ଜୀବ ପରମ ଏକଦେହ

ପ୍ରକୃତି ସଂଯୋଗରୁ ମୋହ॥

ଏ ଆତ୍ମାଜାତ କୃତ ବିଧି

କହିଲୁ ବଶିଷ୍ଠ ହୋ ଶୋଧି॥

ଅଖଣ୍ଡବ୍ରହ୍ମେ ପ୍ରୀତି କର

ହେତୁକୁ ଘେନିଣ ବିହର॥

ଅଲେଖ ଅବାଇ ମଣ୍ଡଳେ

ଭେଟାଅ ମନ ଯନ୍ତ୍ରଶାଳେ॥

ତ୍ରିଗୁଣବନ୍ଧ ହେବ କାଟ

ନୋହିବ ଜନ୍ମ ମୃତ୍ୟୁ ଭେଟ॥

ଫେଡ଼ି କହିଲୁ ମାୟା ନାହିଁ

କହେ ଅଚ୍ୟୁତାନନ୍ଦ ବାଇ॥

ସହଜ ଆତ୍ମାର ସାଧନା

ରାମ ଏ ଭାବେ ସାଧ କିନା ?॥

ଏ ବ୍ରହ୍ମ ମୁଦ୍ରା ପରିଛନ୍ଦ

ଗୁପତ କହିଲେ ଗୋବିନ୍ଦ॥

ପୂର୍ବେ ଭୂଷଣ୍ଡ ମହାତମା

ବଶିଷ୍ଠେ ପ୍ରକାଶି ମହିମା॥

ବ୍ରହ୍ମକୁ ଶାଙ୍କୁଳି ଛନ୍ଦଣି

ଚନ୍ଦ୍ରାର୍କ କାନ୍ତି କି ଉଜାଣି॥

ଏ ଭାବେ ଭଗବନ୍ଧ ତୁଟେ

ଅନ୍ତେ ଅଭୟ ପାଦେ ଖଟେ      

ସେ ବ୍ରହ୍ମଜ୍ଞାନ କରି ଆଶ

ଭଣେ ଅଚ୍ୟୁତାନନ୍ଦ ଦାସ॥

 

ଇତି ଶ୍ରୀ ବ୍ରହ୍ମଶାଙ୍କୁଳିବର୍ଣ୍ଣନେ ଚନ୍ଦ୍ରକାନ୍ତି ହେତୁ

ଭୂଷଣ୍ଡ ବଶିଷ୍ଠ ସମ୍ପାଦେ ଶ୍ରୀଗୁରୁଶିଷ୍ୟ ଉପଦେଶେ

ଦଶମ କଳ୍ପ ଉକ୍ତଃ ॥

 

ଏକାଦଶ କଳ୍‌ପ

ଶ୍ରୀ ବଶିଷ୍ଠ ଉବାଚ

କହନ୍ତି ପଦ୍ମଯୋନି ବଳା

ଅନାମ ପ୍ରେମେ ହୋଇ ଭୋଳା

ଭୂଷଣ୍ଡେ କରିଣ ବିନତି

ନିଗମ ତତ୍ତ୍ୱ ପଚାରନ୍ତି      

ବୋଲନ୍ତି ଶୁଣ ସିଦ୍ଧଅଙ୍ଗୀ

ତୁମ୍ଭେ ଯା କହିଲ ସାଧ୍ୟାଙ୍ଗୀ

ସେ ପରଂବ୍ରହ୍ମ ନିର୍ବିକାର

ବିହରେ ଛପନକୋଟିର

ଭ୍ରୁଭଙ୍ଗି ପ୍ରକଟ ବିଳାସ

କହ ନିଗମ ଉପଦେଶ

ସେ ବ୍ରହ୍ମ ଆଦି ଅନ୍ତଭାବ

କହ କି ସୂତ୍ରେ ହେବ ଠାବ

ତୁମ୍ଭେ ତ ପରମ ମହତ

ମୁଁ ଜନ୍ମେ ଜନ୍ମେ ତୋର ଭୃତ୍ୟ

ଏମନ୍ତ କହି ମୁନିବର

ନମିଲେ ଭୂଷଣ୍ଡ ପୟର

ଉଠ ଭୋ ଋଷି ବୋଲି ଭାଷି

କହେ ପ୍ରଚଣ୍ଡ କାକଶିଷି

 

ଶ୍ରୀ ଭୂଷଣ୍ଡ ଉବାଚ

ଶୁଣ ହେ ବେଦପତି ସୁତ

ଏ ଆତ୍ମା ସର୍ବଶକ୍ତିଯୁକ୍ତ

 

ବିହରେ ସମାନ ବେଭାରେ

ନିଗର୍ଗୁଣ ନିତ୍ୟ ନିର୍ବିକାରେ

 

ଅବର୍ଣ୍ଣ ଅନନ୍ତ ଅରୂପ

ଅବନାମଣ୍ଡଳେ ତା ଧାପ

 

ଗଳିପଡ଼ଇ ନବଦ୍ୱାରେ

ଗାୟତ୍ରୀ ସାବିତ୍ରୀ ବିଧିରେ

 

ତାଳୁକା ଦ୍ୱାର ଅଛି ମୁଦା

କରିପାରିବ ଯେବେ ସିଧା

 

ସେ ଦ୍ୱାରେ ମନ ହେତୁ ବୁଦ୍ଧି

ଏ ନବଦ୍ୱାରୁ ନେଇ ଶୋଧି

 

ଏକତ୍ୱ କଲେ ଦିବାନିଶି

ଫିଟିବ କାଳମାୟା ଫାଶୀ

 

ନିଶ୍ଚିନ୍ତ ହୋଇବ ଏ ଦେହ

ନାହିଁ ଲାଗିବ ମାୟା ମୋହ

 

ତିଗୁଣ ଏକଗୁଣେ ସ୍ଥାପି

ଅଣଅକ୍ଷର ସୂତ୍ରେ ଜପି

 

ମହା ମାୟାର ବିଘ୍ନ ଯେତେ

ଆଳସ୍ୟ ବିଳାସ ସଂଯୁକ୍ତେ

 

କୂଟ କପଟ ଆଦି ଛନ୍ଦ

ଅପରେ ଦେବଙ୍କ ପ୍ରମାଦ

 

ଏ ଜ୍ଞାନେ ସର୍ବ ହେବ ଦୂର

ନାହିଁ ପଶିବ ଘରେ ଚୋର

 

ନିଶ୍ଚିନ୍ତ ହୋଇବୁ ଭୋ ଋଷି

ଯେବେ ତୁ ପାରୁ ଏଥେ ପଶି

 

ଚନ୍ଦ୍ରକୁ ଅର୍କ ଗୃହେ ଭର

ଚଞ୍ଚଳ ଚିତ୍ତ ସ୍ଥିର କର

 

ହେତୁର ମୂଳେ ମନ କ୍ଷେପ

ଦିବା ରଜନୀ ବସି ଜପ

 

ଆକ୍ରୋଶି ଟେକ ତାକୁ ଚାଳ

ଚୈତନ୍ୟେ ମୁଦ୍ରା ପଡ଼ି ଖେଳ

 

ବହନ୍ତା ଫେରାଅ ନିରତେ

ଚଳୁ ଅମନ ଶିଖ ପଥେ      

 

ବଙ୍କୁ ନାଳରେ ଦୃଷ୍ଟି ଦେଇ

ଜାଗ୍ରତେ ଭଜ ତୁ ଚେତାଇ

 

ଏ ଜ୍ଞାନ ଚନ୍ଦ୍ରକାନ୍ତି ହେତୁ

ପାରିଲେ ସାଧ ଆତ୍ମା ତତୁ

 

ହେତୁକୁ ବାରିଥାଅ ଖଟି

ଯିବ ତ୍ରିଗୁଣ ସୂତ୍ର କଟି

 

ମୁଁ ତୋତେ କହୁଛି ବଶିଷ୍ଠ

ସବୁହି ଆତ୍ମଜ୍ଞାନ ଶ୍ରେଷ୍ଠ

 

ସେ ଆଦି ଅନାଦି ଶ୍ରୀହରି

ଛନ୍ତି ସକଳ ଘଟେ ପୂରି

 

ଛାୟା ଆକୃତି ହୋଇ ଦେହ

ଘୋଡ଼ାଇ ଅଛି ସେ ଅରେହ

 

ଜ୍ଞାନୀକୁ ଭୁଲାଉଛୁ ନିତି

ଅଜ୍ଞାନୀଜନ ନ ଜାଣନ୍ତି

 

ଯେ ରଜ ଗୁଣେ ସ୍ତିରୀ ଯୁତ

କୁମତି କୃପଣ କୁତ୍ସିତ

 

ତେବେ ସକଳ ସଙ୍ଗ ତେଜି

ଏକାଗ୍ରେ ଚିତ୍ତକୁ ନିମଜ୍ଜି

 

ଅନନ୍ତ କଳ୍ପ ଧୂର୍ମପାନେ

ଭକ୍ଷଣ କରି ପ୍ରତିଦିନେ

 

ରୋମାଞ୍ଚ କହିଛନ୍ତି ମୋତେ

ଫେଡ଼ି ମୁଁ କହୁଅଛି ତୋତେ

 

ଛୋଟ ଶିମୂଳି ବୃକ୍ଷ ମୂଳ

କାଟି ଭୁଞ୍ଜିବ ଛଡ଼ ପଳ

 

ଛଡ଼ ଦିବସ ପୂର୍ଣ୍ଣ ଅନ୍ତେ

ଭକ୍ଷଣ କରିବ ଏକାନ୍ତେ

 

ପୁରୁଣା ବଳି ଯେ ପଡ଼ିବ

ପକାଇ ନବୀନ ଆଣିବ

 

ଏକ ଅଧିକ ବିଂଶ ଦିନ

ଭକ୍ଷଣ କରିବ ଯତ୍ନେଣ

 

କାମିଙ୍କ କାମ ହେବ ଦୂର

ଧାରଣା ରହିବ ଶରୀର

 

ଧ୍ରୁବ ଏ ବଚନ ମୋ ସତ୍ୟ

ଦୂର ହୋଇବ ବିଘ୍ନକୃତ୍ୟ

 

ବିନା ଆହାରେ ତନୁ ଧରି

କ୍ଷୀଣ ନୋହିବ କାୟା ଶିରୀ

 

ଗୁପତ ଜ୍ଞାନ ଏ ବିଚାର

ଅଜ୍ଞାନିଜନେ ଅଗୋଚର

 

ଫେଡ଼ି କହିଲି ମାୟା ନାହିଁ

ରହ ତୁ ନିଜ ଆତ୍ମା ଧ୍ୟାଇ

 

ଶୁଣି ପ୍ରଚଣ୍ଡ ସୂତ ବାଣୀ

କହେ ବଶିଷ୍ଠ ତପୋଧନି

 

ଭୋ କାକ ପଚାରଇ ତୋତେ

ଏ କଳ୍ପ ଭୁଞ୍ଜିବା କେମନ୍ତେ

 

ନିର୍ଜନେ କିବା ଜନ ମେଳେ

ଆହାରେ କିବା ନିଆହାରେ

 

ସମ୍ମୁଖେ ମୋତେ ଅଜ୍ଞା ଦିଅ

ଦକ୍ଷିଣାବ୍ରତୀ ହେଉ ଦେହ

 

ତୁମ୍ଭେ ମୋ ଆତ୍ମା ନିଜ ଗୁରୁ

ଆଜ୍ଞା ପ୍ରକାଶ ଶ୍ରୀମୁଖରୁ

 

ଯୁଗ ଯୁଗାନ୍ତେ ତୁ ମୋ ସଖା

ନେଇ ଅଖଣ୍ଡ ଭୂମି ଦେଖା

 

ଏମନ୍ତ କହି ମହାଯତି

ଆନନ୍ଦେ ନମିଲେ ଧରତି

 

କହନ୍ତି ଅଚ୍ୟୁତି ବିଶ୍ୱାସ

ଶୁଣ ହୋ ରାମଚନ୍ଦ୍ର ଶିଷ୍ୟ

 

ଏ ଗୁପ୍ତ ନ କହିବ କାହିଁ

ଫେଡ଼ି କହିଲୁ ମାୟା ନାହିଁ

 

ମୋତେ ଚିହ୍ନାଇ ଛନ୍ତି ହରି

ତେଣୁ ଏ ଜ୍ଞାନ ହୃଦେ ସ୍ମରି

 

ଗୁପତ ଗୁପତୁଁ ଗୁପତ

କହିଲେ ବରଜ ଅଚ୍ୟୁତ

 

 

ଇତି ଶ୍ରୀ ବ୍ରହ୍ମଶାଙ୍କୁଳିବର୍ଣ୍ଣନେ ଚନ୍ଦ୍ରକାନ୍ତିହେତୁ ଭୁଷଣ୍ଡ-

ବଶିଷ୍ଠ ସମ୍ପାଦେ ଶ୍ରୀ ଗୁରୁଶିଷ୍ୟ ଉପଦେଶ ଦ୍ୱାଦଶ

କଳ୍ପ ଉକ୍ତଃ ।

 

ତ୍ରୟୋଦଶ କଳ୍‌ପ

ଭୂଷଣ୍ଡ ଉବାଚ

କହନ୍ତି ପ୍ରଚଣ୍ଡ ତନୟି

ବଶିଷ୍ଠେ ଦୟା ଭାବ ବହି

ଶୁଣ ହେ ବ୍ରହ୍ମାର ନନ୍ଦନ

କହିବା ଗୁପତ ବଚନ

ସିଦ୍ଧ ସାତୁକ୍ୟ ବନବାସେ

ନିଗମ ଭଜନ ସନ୍ୟାସେ

ବହିଣ ଦିଗାମ୍ବର ବେଶ

କରିବ କ୍ଷୀର ନୀର ଗ୍ରାସ

ନିର୍ଜନେ ଏକାକୀ ବଇଠି

ଥିବ ନିଗମ ପଥେ ଦୃଷ୍ଟି

ଗୁରୁ ଶ୍ରୀମୁଖୁଁ ଆଜ୍ଞାପାଇଁ

ଦକ୍ଷିଣାବ୍ରତ କରି ବାଇ

ବାମାଙ୍ଗେ ପକାଇ କପାଟି

ଦିବା ରଜନୀ ଥିବ ଖଟି

ଯେ ଗୁରୁ ଜାଣନ୍ତି ଏ ତତ୍ତ୍ୱ

ସେ ପାଦେ ସେବିବ ନିଅତ

ସମ୍ମୁଖେ ଆଜ୍ଞା ଘେନି ଜୀବ

ଏ କଳ୍ପ ନିର୍ଜନେ ଭୁଞ୍ଜିବ

ପୟ ପାନରେ ରଖି ଦେହ

ନୋହିଲେ ନୀର ପାନେ ରହ

ବଞ୍ଚିବ ଏକବିଂଶ କାଳ

ତା ଅନ୍ତେ ଭକ୍ଷି ଫଳମୂଳ

ତୃତୀୟ ସମତ୍ସର ଯାଏ

ଏ ଭାବେ ସ୍ଥିର କରି କାୟେ

ଆସନ ପାଲଟି ଫେରିବ

ଦକ୍ଷିଣାବ୍ରତୀ ସ୍ଥିର ହେବ

ପାଲଟି ଯିବ ଚନ୍ଦ୍ରକାନ୍ତି

ଆସନ ତେଜି ହେବ ଶାନ୍ତି

ଭ୍ରମିବ ଦେଶେ ବନଘୋରେ

ବଞ୍ଚିବ କିଞ୍ଚିତ ଆହାରେ

ଇନ୍ଦ୍ରିୟ ସ୍ୱଚ୍ଛ ଜିତେନ୍ଦ୍ରିୟ

ଯୁଗାନ୍ତେ ଦେହ ନୁହେଁ କ୍ଷୟ      

ଅଲେଖ ଦର୍ଶନେ ନିଶ୍ଚିନ୍ତ

ଅନ୍ତେ ଅଲେଖ ଗର୍ଭେ ସ୍ଥିତ

ଅହିଂସା ଲକ୍ଷଣ ଏ ଧର୍ମ

ନିଷ୍କାମ ନିତ୍ୟ ସେବା କର୍ମ୍ମ

ଏ ଚନ୍ଦ୍ରାକାନ୍ତିର ବିଭୂତି

ବଶିଷ୍ଠ ଦୃଢ଼େ ଥାଅ ଚେତି

ଏ ଗୁପ୍ତ ସନାତନ ଦୀକ୍ଷା

ଏକାଙ୍ଗ ହେତୁ ପଥ ଶିକ୍ଷା

ବିଶ୍ୱ ଉତ୍ପତି ସ୍ଥିତି ଯହିଁ

ମନ ଉଦାସମତେ ଧ୍ୟାଇ

ବାହ୍ୟ ସଙ୍କଳ୍ପ କର୍ମ କାଟ

ଅନ୍ତେ ନିର୍ଗୁଣ ପଦେ ଖଟ

ସକଳ ଧର୍ମ୍ମ ପରେ ଧର୍ମ୍ମ

ଏ ଅଣାକାର ଦୀକ୍ଷା ମର୍ମ୍ମ

ଶିଶୁ ବେଦୁଁ ଏ ବାକ୍ୟ ଉଦେ

ମୋହନ୍ତି ଶିକ୍ଷା ଦୀକ୍ଷା ପଦେ

ସମାନ ତ୍ରିଲୋକ ଏ ଲୋକ

ଏକ ବ୍ରହ୍ମର କ୍ରୀଡ଼ା ଦେଖ

ନାନା ସ୍ୱରୂପ ବର୍ଣ୍ଣାଚାର

ମହିଁମା ନିଗମେ ଗୋଚର

ନିର୍ଗୁଣ ପୁରୁଷ ମୁରାରି

ଅରୂପେ ସର୍ବଭୂତେ ପୂରି

ଆପକୁ ଆପେ ତ ଭଜନା

ଆପଣା କଲା କର୍ମ୍ମେ ବଣା

ସିଦ୍ଧ ଯୋଗୀନ୍ଦ୍ର ବ୍ରହ୍ମଜ୍ଞାନୀ

ଏ ଭାବେ ଆତ୍ମା ଭୂତେ ମାନି

ସକଳ ଆତ୍ମାମୟ ତେଜି

ନିଜ ମହିମା ପାଦେ ଭଜି

ବଶିଷ୍ଠ କହିଲ ଏ ସାର

ଏ ଦୀକ୍ଷା ହୃଦପଦ୍ମେ ଧର

ଦକ୍ଷିଣେ ଶୂନ୍ୟକୁ ଉଜାଣି

ମନ ସହଜ ସୂତ୍ରେ ଟାଣି

ପରେ ପରମ ଅଙ୍ଗେ ମିଶ

ପ୍ରକୃତି ହୋଇବ ପାଉଁଶ

ଧ୍ରୁବ ବଚନ ଏ ମୋହୋର

ଭୋ ମୁନି ହୃଦପଦ୍ମେ ଧର

ଫେଇଲୁ ମାୟା ନାହିଁ କିଛି

ତୁମ୍ଭେ ତ ପଦ୍ମଯୋନି ବତ୍ସି

ମୋର କଲ୍ୟାଣ ତୋତେ ହେଉ

ତୋ ଚିତ୍ତ ବ୍ରହ୍ମପଦ୍ମେ ରହୁ

ଗୁପତ ବ୍ରହ୍ମଜ୍ଞାନ ଭାଣ୍ଡ

ବଶିଷ୍ଠେ କହିଲେ ଭୂଷଣ୍ଡ

ଅଚ୍ୟୁତ ରାମକୁ କହନ୍ତି

ଏ କଳିଯୁଗେ ଏ ଗୁପତ

ସୁଶିଷ୍ୟ ପାଶେ ଗୁରୁକହେ

ଯେ ଗୁରୁ ବ୍ରହ୍ମଜ୍ଞାନମୟେ

ସେ ଗୁରୁ ବଚନ ବିନୋଇ

କହେ ଅଚ୍ୟୁତାନନ୍ଦ ବାଇ

 

ଇତି ଶ୍ରୀ ବ୍ରହ୍ମଶାଙ୍କୁଳିବର୍ଣ୍ଣନେ ଚନ୍ଦ୍ରକାନ୍ତିହେତୁ ଭୂଷଣ୍ଡ ବଶିଷ୍ଠ

ସମ୍ପାଦେ ଶ୍ରୀ ଗୁରୁଶିଷ୍ୟ ଉପଦେଶେ ତ୍ରୟୋଦଶ କଳ୍ପ ଉକ୍ତଃ ।

ସମାପ୍ତ

 

ଶ୍ରୀ ଅଣାକାର ସଂହିତା

ଅଣାକାରଂ ମହାଶୂନ୍ୟଂ । ଶୂନ୍ୟମଧ୍ୟେ ନିରାମୟଂ ।

ନିରାମୟଂ ଅଙ୍ଗ ଜ୍ୟୋତି । ସ ଜ୍ୟୋତିଃ ଭଗବାନୟଂ । ଗୀତା ।

 

ଜୟ ଜୟ ପ୍ରଭୁ ଜଗତଈଶ୍ୱର ନମୁଁ ତୋ କରୁଣାସାଇଁ ।

ନମୋ ବିଶ୍ୱେଶ୍ୱର ନମୋ ଦୟାନିଧି ମହିମା କେ ପାରେ କହି ।୧।

ଅବ୍ୟୟ ବ୍ରହ୍ମହିଁ ଅବିନାଶି ନାଥ ସୁଦୟା କରିବ ବାରେ ।

ଅନେକ ଯୋଗେ ଯା ବ୍ରହ୍ମା ନ ପାଇଲେ ସେ ଜ୍ଞାନ କହିବ ମୋରେ ।୨।

ରାମଚନ୍ଦ୍ର ଦାସ ବିନୟ ଦେଖିଣ ଶ୍ରୀକୃଷ୍ଣ ପାଦରେ ଧ୍ୟାନ ।

ପାମର ଅଚ୍ୟୁତ ପଦ୍ମପାଦେ ଚିତ୍ତ କହଇ ଶ୍ରୀକୃଷ୍ଣ ନାମ ।୩।

ଶ୍ରୀଗୁରୁ ଚରଣେ ବିନୟ ହୋଇଣ ବୋଲେ ରାମଚନ୍ଦ୍ର ଦାସ ।

ଉଦ୍ଧାର କର ହେ ପ୍ରଭୁ ମୋତେ ବାରେ ଫିଟାଇଣ ମୋହ ଫାଶ ।୪।

ଚରଣେ ପଡ଼ିଣ କରେ ପ୍ରଦକ୍ଷିଣ ବୋଲେ ବ୍ରଜରାମ ଦାସ ।

ପୂଜା ଅକ୍ଷତ ଯେ ଶ୍ରୀଫଳ ରଖିଣ ଉଠି ଉଭା ହୁଏ ପାଶ ।୫।

 

ବୋଲଇ ଭୋ ଦେବ ଗୁରୁ ପରଂବ୍ରହ୍ମ ମୋହରୁ ଉଦ୍ଧାର ମୋତେ ।

ତୁମ୍ଭ ଶ୍ରୀଚରଣେ ଶରଣ ପଶିଲି ବିନୟ ମୋହର ଶତେ ।୬।

ନାମ ତତ୍ତ୍ୱ ମୋତେ ବୁଝାଇ କହିବ ସଂଶୟ ମନୁ ଦହିବ ।

ତୁମ୍ଭ ଶ୍ରୀଚରଣେ ନିଶ୍ଚଳ ହୋଇଣ ମନ ମୋ ନିରତେ ଥିବ ।୭।

ଦୀନ ଯେ ଅଚ୍ୟୁତ ପଦ୍ମପାଦେ ଚିତ୍ତ ରାମକୁ ପାଶେ ବସାଇଁ ।

ଶୁଣ ରାମଦାସ ଯାହା ପଚାରିଲ ତୋ ଆଗେ କହିବା ଫେଇଁ ।୮।

ଯାହା ପଚାରିଲୁ ବରଜକୁମର ବ୍ରହ୍ମର ତତ୍ତ୍ୱଟି ସେହୁ ।

ବିଶେଷ ତୋ ଆଗେ ଥୋକାୟେ କହିବା ନାମବ୍ରହ୍ମ ବୋଲି ଯେହୁ ।୯।

ଆଗେ ହେଲା ନାମ ପଛେ ହେଲା ବ୍ରହ୍ମ ନାମଟି ସବୁରି ମୂଳ ।

ନାମେଟି ଜଗତ ବ୍ୟାପିଣ ଅଛଇଁ ନାମେଟି ସକଳ ଠୁଳ ।୧୦।

 

ନାମଟି ହିଁ ତତ୍ତ୍ୱ ନାମଟି ହିଁ ସତ୍ୟ ନାମଟି ଲୀଳାକରତା ।

ନାମଟି ହିଁ ଯୋଗ ଭୋଗ କରୁଥାଇ ନାମଟି ସବୁ ହରନ୍ତା ।୧୧।

ନାମକୁ ଭେଦିଲେ ଧନ୍ଦା ତୁଟିଯିବ ଫିଟିବ ଯମ ଅର୍ଗଳି ।

ନାମକୁ ଭେଟିଲେ ବ୍ରହ୍ମକୁ ଦେଖିବୁ ଯମପୁର ଯିବୁ ବଳି ।୧୨।

ନାମ ଗଲେ ରୂପ ନ ଛୁଇଁବେ କେହି ନାମ ଥିବାଯାଏ ଭଲ ।

ନାମ ଗଲେ ରୂପ ବିଅର୍ଥ ହୋଇବ ରୂପକୁ ମଣିବେ ସଲ ।୧୩।

ଗୀତା ଭାଗବତ ପୁରାଣ ଆଦି ଏ ସବୁରି ମୂଳଟି ନାମ ।

ନାମରୂପ ଅଟେ ନିୟତ ଅନାମ ବୋଲି ତୁହି ଶୁଣ ରାମ ।୧୪।

ଅନାମ ଅଣଅକ୍ଷର ବୋଲି ଜାଣ ନାମ ତତ୍ତ୍ୱ ବୋଲି ତାକୁ ।

ଅନାଦି ଅନନ୍ତ ଅବ୍ୟକତ ନାଦ ନ ଜାଣି ତହିଁ ପରକୁ ।୧୫।

ଯେସନ ସାଗରେ ସର୍ବ ଜଳମାନେ ମିଳନ୍ତି ଯଥାକାଳରେ ।

ସ୍ୱନାମ ଗୁଣମାନ ଯେ ସଂହରିଣ ରହି ବରୁଣ ଆଳରେ ।୧୬।

ସେ ଯେ ସିନ୍ଧୁ ଜଳ ତହିଁ ସର୍ବ ମେଳ ସକଳ ତତ୍ତ୍ୱଟି ସେହି ।

ସର୍ବ ଆଦିମୂଳ ପରମ ମଙ୍ଗଳ ଅଣାକାର ବୋଲି ଯେହି ।୧୭।

ଅଣାକାରଟି ଆକାରରେ ମିଶିଲେ ତହିଁରୁ ରୂପ ପ୍ରକାଶ ।

ଅନାମିକାକୁଟି ଅଣାକାର ବୋଲି ଆକାରରେ ରୂପ ବାସ ।୧୮।

ସର୍ବ ନାମ ମୂଳ ଅନାମରେ ଠୂଳ ଅନାମିକା ବୋଲି ନାମ ।

ତୋ ଆଗେ କହିଲୁଁ ବରଜକୁମର ଆଶ୍ରେ କର ନାମ ବ୍ରହ୍ମ ।୧୯।

ନାମକୁ ପାଇଲେ ରୂପ ଲୋଡ଼ାନାହିଁ ସର୍ବରୂପ ଯହିଁ ଠୂଳ ।

ନାମକୁ ଚିହ୍ନିଲେ ଧନ୍ଦା ଫିଟିଯିବ ସବୁ ନାମରେ ଯେ ମୂଳ ।୨୦।

 

ସବୁଠାରେ ନାମ ଥାଇଁ ନ ମିଶଇ ରୂପରେ କରିଛି ବାସ ।

ଅବ୍ୟୟ ଅନାଦି ଅବିନାଶୀ ବ୍ରହ୍ମ ସର୍ବ ରୂପରେ ପ୍ରକାଶ ।୨୧।

ତାହା କହିଦେବା ବରଜନନ୍ଦନ ସାଧୁଙ୍କ ସଙ୍ଖାଳି ଧନ ।

ଯେଣୁ ଆମ୍ଭର ଆତ୍ମା ତାହା କହିଲୁଁ ଶୁଣ ବାବୁ ଦେଇ ମନ ।୨୨।

ସେ ନାମ ଯେମନ୍ତ ଜଗତେ ପୂରିଛି କେ ଜାଣେ ତହିଁର ଗତି ।

କେବଳ ଗୁରୁ ଆଜ୍ଞା ଥୋକେ କହିବା ଶୁଣ ଦେଇ ହେତୁ ମତି ।୨୩।

ବକ ଯେସନ ଇନ୍ଦ୍ରିଗଣ ନିରୋଧି ନିଶ୍ଚଳ ଧ୍ୟାନରେ ରହି ।

ମୀନ ପଡ଼ିଲେ ସେ ଝାମ୍ପିଣ ଧରଇ ତେସନ ଯେବେ ହୁଅଇ ।୨୪।

ୟେ ମନକୁ ନେଇ ନିଶ୍ଚଳେ ରଖିଲେ ସକଳ ସୁଖ ପାଇବୁ ।

ନାମ ତତ୍ତ୍ୱରୂପେ ଅରୂପ ନନ୍ଦର ନିବାସ ବାସ ଚିହ୍ନିବୁ ।୨୫।

 

ସେ ନାମ ମହିମା ଶୁଣ ବ୍ରଜମଣି ଜଗତେଣ ଅଛ ପୂରି ।

ଅଣଅକ୍ଷରକୁ ଭଜିଲେ ସେ ନାମ ବ୍ରହ୍ମଙ୍କୁ ଯେ ଠାବ କରି ।୨୬।

ସେ ନାମ ବାଜୁଛି କାହିଁରେ ସାଜିଛି କାହିଁରେ ଅଛଇ ରାଜି ।

ତାହା ନ ଥିବା ହୋଇଣ ଠାବ ନାହିଁ ସବୁଠାରେ ନାମ ସାଜି ।୨୭।

ବାଜୁଅଛି ନାମ ଯେତେଠାରେ ଦେଖ ଚଳପ୍ରଚଳଟି ସେହି ।

କୀଟ ପତଙ୍ଗ ପିମ୍ପୂଡ଼ି ଖଗ ନାଗ ସବୁଠାରେ ନାମ ରହି ।୨୮।

ସାଜିଅଛି ନାମ ଯେତେ ଠାରେ ରାମ ଅଚଳ ଅଟଇ ସେହୁ ।

ଜୀବ ସ୍ୱରୂପେ ବିଜୟ ନାମ ବ୍ରହ୍ମ ଗଜା ଅଙ୍କୁରଇ ଯହୁଁ ।୨୯।

ରାଜିଅଛି ନାମ ଯେତେ ଯେତେଠାରେ ଶୁଷ୍କଅସ୍ଥି କାଷ୍ଠ ତୃଣ ।

ଗଜା ନ ଅଙ୍କୁରେ ଇଚ୍ଛାୟେ ନ ଚଳେ ତହିଁ ନାମ ଥାଇ ପୁଣ ।୩୦।

 

ସାଜିଅଛି ନାମ ଅନଳରେ ଦେଖ ଚାଲିଲେ ସେ ଚଳିଯାଇ ।

ଜଳରେ ସ୍ଥଳରେ ନାମ ସାଜିଅଛି ନ ଚଳେ ନିଶ୍ଚଳେ ଥାଇ ।୩୧।

ସାଜିଅଛି ନାମ ଲୋହ ପାଷାଣରେ ପବନେ ଅଛଇ ରାଜି ।

ବିନା ଚାଳିବାରେ ପବନ ଚଳଇ ନାମ ଠାବକର ଖୋଜି ।୩୨।

ଏହିରୂପେ ନାମ ଜଗତେ ପୂରିଛି ରୂପକୁ ଜାଣନ୍ତି ସର୍ବ ।

ବ୍ରହ୍ମଙ୍କୁ ହିଁ କେହି ଭେଦି ନ ପାରନ୍ତି ବହିଥାନ୍ତି ମନେ ଗର୍ବ ।୩୩।

ଏକ ବ୍ରହ୍ମ ଦେଖ ଜଗତେ ପୂରିଛି ନାମ ରୂପରେ ଅଶେଷ ।

ନାମକୁ ଚିହ୍ନିଲେ ଧନ୍ଦା ଫିଟିଯିବ ଶୁଣ ତୁ ହୋ ରାମ ଦାସ ।୩୪।

ଚମ୍ପା, ନାଗେଶ୍ୱର, ପୁନାଗ, ବକୁଳ, ମନ୍ଦାର, ପାରିଜାତକ ।

ଆମ୍ବ, ନିମ୍ବ ଆଦି କଦମ୍ବ ସହିତେ ନଟିକାଳାଦି ଅଶୋକ ।୩୫।

 

ଏଥିରେହିଂ ନାମ ବ୍ରହ୍ମ ପୂରିଅଛି ଅନାମିକା ଠାବ କର ।

ତୃଣ ଆଦି କରି ଯେତେ ତରୁବର ମିଶାଇ ଅନାମେ ଧର ।୩୬।

ଖଗ ମୃଗ ଗଜ ଶୂକର ସହିତେ ୟେ ନାମେ ନାମ ମିଶିଛି ।

ମାତା ପିତା ପୁତ୍ର ଇଷ୍ଟବନ୍ଧୁ ମିତ୍ର ଯହିଁରେ ଯେମନ୍ତେ ଗଛି ।୩୭।

ଏ ନାମକୁ ଯେବେ ଚିହ୍ନି ତୁ ପାରିବୁ ମନର ସଂଶୟ ଯିବ ।

ନାମ ଧଇଲେ ନାରାୟଣ ଦେବତା ନିରତେ ସୁଦୟା ଥିବ ।୩୮।

ଓଁକାର ଠାବରୁ ଯେତେ ଯେତେ ମନ୍ତ୍ର ସବୁ ଏଥିର ଭିତରେ ।

ଅବୋଧ ମନ ଏଥି ବୋଧ ହୁଅଇ ରହିଲେ ୟେହା ଭିତରେ ।୩୯।

ନାନା ପାତକ କରିଥିଲେ ତରଇ ଏନାମେ ରହିଲେ ମଜ୍ଜି ।

ସକଳ ଦୁଷ୍କୃତମାନ ନାଶ ଯାଇ ଅଣଅକ୍ଷର ଯେ ଭଜି ।୪୦।

 

ଅଖିଳ କୋଟିଏ ବ୍ରହ୍ମାଣ୍ଡ ଭିତରେ ଅଣ ଅକ୍ଷରଟି ସାର ।

ଅନେକ ଯୋଗରେ ବ୍ରହ୍ମା ନ ପାଇଲେ ସେ ଅଟେ ଗୁରୁଭଣ୍ଡାର ।୪୧।

ପୂର୍ବେ କଉଁ ତପ କରିଥିଲି ମୁହିଁ ଶ୍ରୀକୃଷ୍ଣ କରୁଣା କଲେ ।

କହ୍ନା ଅବତାରେ କମଳଲୋଚନ ଶ୍ରୀମୁଖେ ମୋତେ ବୋଇଲେ ।୪୨।

ସୁଦାମ ନାମ ଅଟଇ ଯେ ମୋହୋର ଶ୍ରୀକୃଷ୍ଣ କରୁଣା ଯେଣୁ ।

କଳିଯୁଗରେଣ ପାମର ଅଚ୍ୟୁତ ନାମ ମୋ ଅଟଇ ତେଣୁ । ୩୪ ।

ଆପଣେ ଅନାଦି ଅବ୍ୟକତ ବ୍ରହ୍ମ ଶ୍ରୀଗୁରୁରୂପେଣ ଆସି ।

ରୂପ ବେଶ ତାଙ୍କ ଅଖଣ୍ଡିତ କେଶ ଦିଅନ୍ତି ବ୍ରହ୍ମ ତପସୀ । ୪୪ ।

ପଶ୍ଚିମ ବଟହିଁ ପାରୁଶେଣ ବସି ଶ୍ରୀକୃଷ୍ଣ ନାମ କହିଲେ ।

ଶ୍ରୀ ଦିବ୍ୟାନନ୍ଦ ବୋଲିଣ ସେହୁ ନାମ ବ୍ରହ୍ମ ବୋଲିଣ ବୋଇଲେ ।୪୫।

 

ଆପେ ପରଂବ୍ରହ୍ମ ସୁଦୟା କରିଣ ବୋଇଲେ ଶ୍ରୀମୁଖେ ଯେଣୁ

ଶ୍ରୀଗୁରୁ ବୋଲି ମୁଁ ଚିତ୍ତରେ ଚିହ୍ନିଲି ପାଦରେ ପଡ଼ିଲି ତେଣୁ । ୪୬ ।

ପ୍ରସନ୍ନ ହୋଇଣ ବୋଇଲେ ସେ ମୋତେ ଆମ୍ଭେ ତୋର ଗୁରୁ ଅଟୁଂ ।

ବ୍ରହ୍ମାନନ୍ଦ ଆମ ଶ୍ରୀଗୁରୁଙ୍କ ନାମ ଅଇଲୁ ବାରିଧି ତଟୁ । ୪୭ ।

ତାହା ଶୁଣି ମୁଁ ଯେ ଚରଣେ ପଡ଼ିଲି ସୁଦୟା ମୋଠାରେ କଲେ ।

ଅଣଅକ୍ଷର ଉପଦେଶ ଦେଇଣ ଅନ୍ତର୍ଦ୍ଧାନ ହୋଇଗଲେ । ୪୮ ।

ସ୍ମରିଲି ସୁପଦ ସକଳ ଯେ ଭେଦ କର୍ମ୍ମ ବାସନା ତୁଟିଲା ।

ପାମର ଅଚ୍ୟୁତି ତେଣୁକରି ପଦ୍ମବନରେ କାୟା ଲୋଟିଲା । ୪୯ ।

ଶୁଣ ରାମ ଦାସ ଯେତେ ଉପଦେଶ ସବୁରି ମୂଳଟି ନାମ ।

ନାମକୁ ଭଜିଲେ ନାହିଁ କାଳଭୟ ନ ଦଣ୍ଡିବ ଆଉ ଯମ । ୫୦ ।

 

ଯମଦଣ୍ଡକୁ ମୋହୋର ଭୟ ନାହିଁ ଆଗହୁଁ ମୃତ୍ୟୁ ହୋଇଛି ।

ବାୟା ପ୍ରାୟେ ହୋଇ ତେଣୁ କରି ସିନା ଆରମ୍ଭେ ତନୁ ବହିଛି ।୫୧।

କର୍ମ୍ମ ସରିଗଲେ କାୟା ମୋ ଟଳିବ ତତ୍ତ୍ୱ ନିରାଧାର ଏହି ।

କେତେ ଦିନକୁ କେତେ କେତେ ବିଚାର ରହିବକି ତନୁ ନାହିଁ । ୫୨ ।

ତେଣୁ କରି ଶୁଣ ବ୍ରଜରାମ ଦାସ ତୁ ଲୟେ କର ନାମକୁ ।

ଶ୍ରୀଗୁରୁ ଚରଣେ ସେବା କରି ନିତ୍ୟ ଛେଦ ଜଞ୍ଜାଳ ଫାଶକୁ । ୫୩ ।

ସେ ନାମ ମହିମା କହିଲେ ନ ସରେ ଶୁଣ ହୋ ବରଜ ତନୁ ।

ତତ୍ୱ କରି ସତ୍ତ୍ୱ ଗୁଣରେ ମଜ୍ଜିଲେ ନାମ ବିକଶିବ ମନୁ । ୫୪ ।

ତରକ ତେଜି ଗୁରୁପାଦେ ଭଜିଲେ ପାଇବୁ ଜ୍ଞାନର ଭୂଇଁ ।

ତୀର୍ଥ ବ୍ରତ ତପ ଫଳହିଁ ପାଇବୁ ଶ୍ରୀଗୁରୁ ଚରଣ ଛୁଇଁ । ୫୫ ।

 

ଅବିଶ୍ୱାସ କଲେ ଅପ୍ରାଧ ପାଇବୁ ଅନ୍ଧାରେ ବଣା ହୋଇବୁ ।

ଅମୃତ ତେଜିଣ ଅମେଧ ପାନରେ ଅନେକ ଗଞ୍ଜି ହୋଇବୁ । ୫୬ ।

ଶ୍ରୀଗୁରୁ ବଚନ ଅଟେ ବ୍ରହ୍ମଜ୍ଞାନ ଭ୍ରଷ୍ଟ କଲେ ହେବୁ ନଷ୍ଟ ।

ଶୁଣି ରାମ ଦାସ ଚରଣେ ଲୋଟିଣ କାନ୍ଦେ ପ୍ରାଣ କଣ୍ଠତଟ । ୫୭ ।

ସୁଦୟାହିଁ କର ମନତାପ ହର ଦମ୍ଭ ମୋ ନାଶ ଗୋସାଇଁ ।

ତୁମ୍ଭ ଶ୍ରୀଚରଣ ବିନୁ ପରିତ୍ରାଣ ଅନ୍ୟ ଆଶା ମୋର ନାହିଁ । ୫୮ ।

ଚରଣେ ଲୋଟିଣ ବ୍ରଜରାମ ଦାସ ଉଚ୍ଚେ କରଇ ରୋଦନ ।

ଦେଖି ଗୁରୁଦେବ ଶ୍ରୀଭୁଜେ ତୋଳିଣ ଶିଷ୍ୟକୁ କଲେ ବୋଧନ ।୫୯।

କହିବା ତୋଆଗେ ଶ୍ରୀଗୁରୁଙ୍କ ଆଜ୍ଞା କହିଲେ ଶାପ ପାଇବୁ ।

ଶ୍ରୀକୃଷ୍ଣ ଭଣ୍ଡାର ଅବ୍ୟକତ ଧନ ପାଇଣ ଶାନ୍ତ ହୋଇବୁ । ୬୦ ।

 

ଅଣଅକ୍ଷରଠାରୁ ଆଉ ଯେତେକ ଭଜନ ଅଟଇ ଜାଣ ।

ଯୋଗ ମାର୍ଗ ପଥ ଯେତେକ ବୃତ୍ତାନ୍ତ ସେହିମତି ଅଟେ ପୁଣ । ୬୧ ।

ଅନେକ କାଳରେ ଯୋଗ ସିଦ୍ଧ ହୋଇ ଜ୍ଞାନ ପ୍ରକାଶଇ ଆସି ।

କାୟା ଗଲେ ଆତ୍ମା ବିଅର୍ଥ ହୁଅଇ ଯୋଗ କାରଣ ନ ଆସି । ୬୨ ।

ଅଣସାଧନା ଯେ ଅଳ୍ପକ ଭିତରେ ଶ୍ରୀକୃଷ୍ଣ ଭକତି ପାଇ ।

ଇହଲୋକେ ମୁକ୍ତି ନିର୍ମଳ ଆଚାର ଅନ୍ତେ ବୈକୁଣ୍ଠକୁ ଯାଇ । ୬୩ ।

କହିବା ଚାହିଁବିା ପାଇବା ଲିହିବା ଇତ୍ୟାଦି ଅକ୍ଷର ଯେତେ ।

ଏଥିରେହିଁ ନାମ ଥାଇ ନ ମିଶଇ ଭେଦିଲେ ଯିବୁ ପରତେ । ୬୪ ।

କହିଦେବା ରାମ ଏଥିର ବୃତ୍ତାନ୍ତ ଶ୍ରୀଗୁରୁ ଭଣ୍ଡାର ଧନ ।

ଶୁଣି ରାମ ଦାସ ଗୁରୁପାଦେ ଆଶ ବସିଣ ସୁଶାନ୍ତି ମନ । ୬୫ ।

 

ବୋଲନ୍ତି ଶ୍ରୀଗୁରୁ ଶୁଣ ବ୍ରଜସୁତ କହିବା ତୋତେ ବୁଝାଇ ।

ପ୍ରଥମେ ଗୁରୁ ଯେ ବିଦ୍ୟା ପଢ଼ାବନ୍ତି ବ୍ରହ୍ମଭାଗ ଦୂରେ ଥୋଇ ।୬୬।

ବ୍ରହ୍ମା ବିଷ୍ଣୁ ରୁଦ୍ର ତପକୁ ଯେ ଦୃଶ୍ୟ ଆଦ୍ୟରେ ପଢ଼ାନ୍ତି ଗୁରୁ ।

ସାମ ଯର୍ଜୁଃ ୠକ ଅଥର୍ବ ଯେ ଆଦି ପଢ଼ାନ୍ତି ସିଇଠାବରୁ । ୬୭ ।

କୋଡ଼ିଏ ଗୋଟି ଯେ ଫଳା ପଢ଼ାଇଲେ ରଜ ତମେ ମନ ରସି ।

ବ୍ରହ୍ମର ଭେଦ କିଛିହିଁ ନ ପାଇଣ କର୍ମ ମାର୍ଗେ ମନ ମିଶି । ୬୮ ।

ଢ଼ାଇଲେ ଗୁରୁ ଅଣଅକ୍ଷର ଯେ ଆଦ୍ୟ ଫଳାରେ ରହିଲା ।

ବ୍ରହ୍ମଜ୍ଞାନ ଗୁରୁଦେବଙ୍କ ଭଣ୍ଡାର ଗୁପତ ରୂପେ ଥୋଇଲା । ୬୯ ।

ଗୁରୁଦେବ ଯେତେ ଫଳା ପଢ଼ାଇଲେ ସବୁ ବେଦର ବୃତ୍ତାନ୍ତ ।

ଅଣଅକ୍ଷର ସେ ବ୍ରହ୍ମର ବିଚାର ରହିଲେ ବେଦର ଅନ୍ତ । ୭୦ ।

 

ଅଳପ ହୋଇ ଅଲଗେ ରହିଅଛି ଆସ୍ଥାନେ ନାହିଁ ଯେ ପ୍ରୀତି ।

ଏଣୁକରି କେହି ଭେଦି ନ ପାରିଲେ ବେଦରେ ବଳିଲା ମତି । ୭୧ ।

କର୍ମ୍ମ ଧର୍ମ ତପ ଦାନ ଯଜ୍ଞ ଆଦି ବେଦର ବିଧାନ ଏହି ।

କର୍ମ୍ମ ଆଚରଣେ ନିରତେ ରସିଲା ଜ୍ଞାନ ଗୁରୁ ଆଜ୍ଞା ନାହିଁ । ୭୨ ।

ପୂର୍ବ ହେତୁ ଥିଲେ ଜ୍ଞାନ ପ୍ରାପ୍ତ ହୋଇ ପୂର୍ବ ଭାଗ୍ୟେ ପାଇ ଏହା ।

ପରଚେ ଗୁରୁ ପାରି କରି ପାରନ୍ତି ଯମ ଜଞ୍ଜାଳ ଦୋରେହା । ୭୩ ।

ସଂସାରରେ କର୍ମ ମୂଳଟି ଅଟଇ ଏଥି ନାହିଁ ଭକ୍ତି ଲେଶ ।

କର୍ମରେ ପ୍ରାଣୀ ଆତଯାତ ହୁଅନ୍ତି ଉତ୍ପତ୍ତି ପ୍ରଳୟ ନାଶ । ୭୪ ।

ଦାନ ଯଜ୍ଞ କ୍ରିୟା କରି ପ୍ରାଣୀମାନେ ସ୍ୱର୍ଗ ସମ୍ପତ୍ତି ଲଭନ୍ତି ।

ଫଳ ସମ୍ପୂର୍ଣ୍ଣ ହୋଇଗଲେ ସଂସାରେ ନାନା ଯୋନିରେ ଭ୍ରମନ୍ତି । ୭୫ ।

 

ଏଣୁକରି କର୍ମ ଅଟଇ ଯେ ଭ୍ରମ ପରତେ ତାକୁ ନ ଯିବୁ ।

ଅକର୍ମ୍ମେ ନିଶ୍ଚଳେ ବାସୁଦେବ ଭକ୍ତ ଅନୁବରତେ ମଜ୍ଜିବୁ । ୭୬ ।

ଏକା ବ୍ରହ୍ମ ଦେଖ ଜଗତେ ବ୍ୟାପିଛି କ୍ଷିଦ୍ର କଲେ ହୁଏ ଖେଦ ।

ଜାତି ଅଜାତି ଯେ ନିଷ୍ଠାପର ନାହିଁ ନାହିଁ ତହିଁରେ ସେ ଭେଦ ।୭୭।

ୟେଣୁ କରି ବ୍ରଜତନୟ ନିରତ ଅନାମିକା କର ଲୟ ।

ସତସଙ୍ଗେ ଥିଲେ ଅନାମିକା ପାଇ ନାଶଇ ଜନମଭୟ । ୭୮ ।

ସାନ ବଡ଼ ସମସରି ସେ ଭୂମିରେ ମାନ୍ୟ ତହିଁ ନାହିଁ ଯହିଁ ।

ସକଳ ବିଅର୍ଥ ହୁଏ ବ୍ରଜସୁତ ଭେଦ କଲେ ଏକା ତହିଁ । ୭୯ ।

କର୍ମ୍ମୀଆଗେ ଏହା ଗୁପତ କରିବୁ ପଣ୍ଡିତେ ନ କର ବ୍ୟକ୍ତ ।

ଗୁରୁ ଶିଷ୍ୟ ସମସରି ଯେଉଁଠାରେ ସେଠାରେ କର ଭକତ । ୮୦ ।

 

ଶୁଣ ରାମଚନ୍ଦ୍ର ବେଦର ବୃତ୍ତାନ୍ତ ତତ୍ତ୍ୱ ନ ଜାଣନ୍ତି କେହି ।

ବେଦ ମଧ୍ୟେ ତତ୍ତ୍ୱ ଗୁପତେ ରହିଛି ଶୁଣ ତୁ ହୋ ପୁଣ୍ୟଦେହୀ ।୮୧।

ତତ୍ତ୍ୱ ବୋଲି ଯାହା ପୁରାଣେ ବୋଲନ୍ତି ଅଟଇ ଶ୍ରୀହରି ନାମ ।

ସେ ନାମ ଜଗତେ ପୂରିଣ ଅଛଇ ଚିହ୍ନିଲେ ବିନାଶ ତମ । ୮୨ ।

ପ୍ରଥମେ ସି ସାମବେଦ ଯେ ଅଟଇ ନାମ ତତ୍ତ୍ୱ ତହିଁ ପୂରି ।

ଅଣାକାରବ୍ରହ୍ମ ତହିଁଲେ ଲୁଚିଛି ଯୋଗ ମାୟାକୁ ଆବୋରି । ୮୩ ।

ଧୀଇ ଯଜୁର୍ବେଦ ଅନାମିକା ଭେଦ ଯୋଗମାୟା ଲୁଚାଇଛି ।

ଅରୂପାନନ୍ଦର ରସ୍ତୁକାର ଅଙ୍ଗେ ଅଲେଗେଣ ଅଭ୍ୟାସୁଛି । ୮୪ ।

ଏମନ୍ତେ ଭେଦ କେ ଜାଣିହିଁ ପାରଇ ନ ଜାଣି ତାର ନିଅତ ।

ବ୍ୟାସମୁନି ଯାହା ଭେଦି ନ ପାଇଲେ ଅନ୍ୟ କେ ଜାଣେ ତଦନ୍ତ ।୮୫।

 

ବେଦ ଅନ୍ତେ ଅଣାକାର ବିଜେ ଦେଖ ତାହା ପଢ଼ାଇଲେ ଗୁରୁ ।

କର୍ମ୍ମେ ପଡ଼ି ମନୁରାୟେ ବଣାହେଲେ ଓଝାନ ଭେଦିବା ଠାରୁ । ୮୬ ।

ଏଣୁକରି ତତ୍ତ୍ୱେ ତତପର ଗୁରୁ ପାଦେ ଚିହ୍ନ ସେବ ହାଦେ ।

ତନମନ ଦ୍ୱାରା ଧନ ସମର୍ପଣ ନିରତେ ଖଟିବୁ ପାଦେ । ୮୭ ।

ତେବେ ପାଇବୁ ବ୍ରହ୍ମର ତତ୍ତ୍ୱଭେଦ କୋଟିଜନ୍ମ ପାପ ନାଶ ।

ଦମ୍ଭ କପଟ ଥିଲେ କ୍ଳେଶ ପାଇବୁ ଅନ୍ତେ କୁମ୍ଭୀପାକେ ବାସ । ୮୮ ।

ରାମଚନ୍ଦ୍ର ଦାସ ଶ୍ରୀ ଗୁରୁଚରଣେ କୋଟିଏ ବିନତି କରି ।

ଅପ୍ରାଧ ମୋହର ଛେଦିବ ଗୋସାଇଁ କାନ୍ଦେ ବେନିପାଦ ଧରି ।୮୯।

ରାମର ବିନତି ଦେଖିଣ ଅଚ୍ୟୁତି ବୋଲନ୍ତି ଶୁଣ ରେ ବାବୁ ।

ତୋଠାରେ ମନର ସଂଶୟ ଯେ ନାହିଁ କହିବା ମହିମା ସବୁ । ୯୦ ।

 

ପ୍ରଥମେ ଅଣଅକ୍ଷର କହିଦେବା ଶ୍ରୀକୃଷ୍ଣ ଶ୍ରୀମୁଖ ବାଣୀ ।

ଶ୍ରୀକୃଷ୍ଣଭଣ୍ଡାରୁ ଥୋକାଏ କହିବା ଗୁପତେ ରଖିବୁ ପୁଣି । ୯୧ ।

ତରକ ତେରିଆ ଆଗେ ନ କହିବୁ କହିଲେ ଶାପ ପାଇବୁ ।

ଉତ୍ତମ ଭୂମିରେ ବିହନ ବୁଣିଲେ ସୁଖେଣ ସିନା ଦାଇବୁ । ୯୨ ।

ମରୁଡ଼ି ଭୂମିରେ ବିହନ ବୁଡ଼ିବ ଲାଭ ତହିଁ କାହିଁ ପାଇଁ ।

ଦାମ୍ଭିକ ଆଗେ ତୁ କେଭେ ନ କହିବୁ ମୂଳ ଧନ ବୁଡ଼ି ଯାଇ । ୯୩ ।

ଶୁଣ ବ୍ରଜସୁତ ଅନାମ ବୃତ୍ତାନ୍ତ ତୋ ଆଗେ କହିବା ଫେଇ ।

ଯେଉଁ ନାମ ଜାଣି କୋଟି ଯୁଗେ ହର ପଲକମାତ୍ରକେ ନେଇ ।୯୪।

ସେହୁ ସର୍ବ ମୂଳ ଅଣକ୍ଷରେ ଠୁଳ ବେଦର ତତ୍ତ୍ୱଟି ସେହୁ ।

ନବ ବ୍ୟାକରଣ ଷଡ଼ସ୍ମୃତି ଆଦି ବର୍ଣ୍ଣନା ହୁଅଇ ଯେହୁ । ୯୫ ।

 

ପ୍ରଥମ ଶବଦ ଅନହତ ନାଦ ବିନ୍ଦୁ ରୂପରେ ପ୍ରକାଶ ।

ତଦଅନ୍ତେ ଦଣ୍ଡ ତହିଁ ପାଶେ ବିନ୍ଦୁତାରା ଉଦେ ତହିଁ ପାଶ । ୯୬ ।

ତହିଁ ପାଶେ ରେଖା ଉଦିତ ହୋଇଛି ପାଞ୍ଚଆତ୍ମା ତତ୍ତ୍ୱେ ମିଶି ।

ଏମନ୍ତେଣ ଅଣାକାର ବେଦ ଅନ୍ତେ ଉଦୟ ହୋଇଣ ବସି । ୯୭ ।

କେ ଭେଦି ପାରିବ ଅଣାକାର ବ୍ରହ୍ମ ଠୂଳେ ହୋଇଛି ପ୍ରକାଶ ।

ଠାବକରି କିଛି ତୋ ଆଗେ କହିବା ଶୁଣ ତୁ ହୋ ରାମଦାସ । ୯୮ ।

ଆକାର ଉକାର ଏକାର ଘେନିଣ ନାଦ ବିନ୍ଦୁ ଓଁ କାରାଦି ।

ଏମନ୍ତେଣ ଅନାମିକା ଯେ ଉଦୟ ଅବାଡ଼ ରେହକୁ ଭେଦି । ୯୯ ।

ଏ ନାମ ଜଗତେ ଯୁଗତେ ପୂରିଛି ଯେ ଯେଉଁ ପ୍ରକାର ଘଟ ।

ଯୁଗତ କରି ଯାଗିଲେ ଏହି ନାମ ଶବଦ ହେବ ପ୍ରକଟ । ୧୦୦ ।

 

ଏହି ନାମରେ ଜଗତ ଆତଯାତ ଜଗତ କ୍ଷରିଛି ଏଣୁ ।

ଯୋଗମାୟା ପରେ ଅଣାକାର ଉଦେ ହୋଇଣ ଅଛଇ ତେଣୁ ।୧୦୧ ।

ହରେ ରାମକୃଷ୍ଣ ଶ୍ୟାମ ଆଦିକରି ଏହି ନାମରୁ ପ୍ରକାଶ ।

ପଞ୍ଚଭୂତ ପଞ୍ଚବୀଜ ଆତ୍ମା ଘେନି ଏହିଠାବରୁ ନିବାସ ।୧୦୨।

ଏଥୁ ସୁସିଦ୍ଧାନ୍ତ ଅଟେ ଯୋଗମତ ତାହା କହିଦେବା ଶୁଣ ।

ଯେ ଯେଉଁ ପ୍ରକାରେ ଆତ୍ମା ଲୟେ ଧରେ ପ୍ରମାଣ ଅଟେ ସେ ପୁଣ ।୧୦୩।

ଆଗ ପଛ ଯେହ୍ନେ ସମୁଦ୍ର ଲହରୀ କୂଳକୁ ପ୍ରବେଶ ଆସି ।

ଆହୁରି ଦୃଷ୍ଟାନ୍ତ କହିବା ତୋ ଆଗେ ଶୁଣ ତୁ ହୋ ଗୋପଶିଷି ।୧୦୪।

ସମ୍ପୂର୍ଣ୍ଣ ଲହରୀ କୂଳକୁ ପ୍ରବେଶ ମଧ୍ୟରୁ କେ ଭାଙ୍ଗି ଯାଇ ।

ତେସନ ତତ୍ତ୍ୱ ନ ପାଇଲେ ବ୍ରହ୍ମ ଯେ ନିକଟ ଦୂରକୁ ଯାଇ ।୧୦୫।

 

ଗୀତା ଭାଗବତ ପୁରାଣ ପଢ଼ିବା କହିବା ଚାତୁରୀ ଥିବ ।

ତତ୍ତ୍ୱ ଅଣାକାର ନାମ ବ୍ରହ୍ମଭେଦ ନ ପାଇ ବିଅର୍ଥ ହେବ ।୧୦୬।

ତୁ ଅବା ବୋଲିବୁ ସବୁଠାରେ ବ୍ରହ୍ମ ବିଅର୍ଥ କିପାଇଁ ଗଲା ।

ଜଗତଯାକରେ ଅଣାକାର ବ୍ରହ୍ମ ପୂରିଣ ଅଛଇ ଭଲା ।୧୦୭।

ତତ୍ତ୍ୱ ପାଇଲେ ଅନ୍ଧକାର ଫିଟିବ ସଂସାର ହୋଇବ କାହିଁ ।

ତେଣୁକରି ଯୋଗୀ ତପ ସାଧୁଛନ୍ତି କୋଟିକଳ୍ପେ ଭେଟ ନାହିଁ ।୧୦୮।

ଦେଖ ଭଗବାନ ନାମକୁ ଯେ ଧ୍ରୂବ ତତ୍ତ୍ୱମନରେ ଧଇଲା ।

ଅଳପଦିନେ ଅନୁଭବ କାଟିଣ ଅଲେଖ ପୁରେ ରହିଲା ।୧୦୯।

ସାତକଳ୍ପ ୠଷି ମାର୍କଣ୍ଡ ତପସି ସରି ନୋହିଲେ ତାହାଙ୍କୁ ।

ତତ୍ତ୍ୱ ବୋଲି ଶାସ୍ତ୍ରେ ବୋଲନ୍ତି ଯାହାକୁ ନାମବ୍ରହ୍ମ ବୋଲି ତାଙ୍କୁ ।୧୧୦।

 

ସଂସାରରେ ତତ୍ତ୍ୱ ଉପଖ୍ୟାତ ହେଲେ କୃତାନ୍ତ ରାଜହ ଯିବ ।

ମରିବା ଜୀଇବା ବେନି ପଥକୁ ଯେ ଭୟ ଆଉ କିପାଁ ଥିବ ।୧୧୧।

ଏଣୁକରି ଗୁରୁ ଭଣ୍ଡାର ତତ୍ତ୍ୱ ଯେ ଗୁପତ ହୋଇଣ ଅଛି ।

ତମଭ୍ରମ ମୋହ ମୁଁକାର ଯଗିଆ କେ ଅଣା ତହିଁକି ଗଛି ।୧୧୨।

ଶୁଣ ବ୍ରଜସୁତ କହିବା ଚରିତ ଯେମନ୍ତ ପାତିଛି ଛନ୍ଦ ।

ଅକ୍ଷରେ ଜଗତ ବ୍ୟାପିଣ ଅଛଇ ଶୂନ୍ୟରେ ପାତିଛି ବନ୍ଧ ।୧୧୩।

ଅନାମରୁ ନାମ ଜନମ ହୋଇଣ ପ୍ରଣବକୁ କଲା ମୂଳ ।

ପଞ୍ଚ ବୀଜ ସଙ୍ଗେ ପରଚେ ହୋଇଲେ ହେବୁ ଅଣାକାରେ ଠୁଳ ।୧୧୪।

ଆକାରଟି ହରେ ହରି ଅଂ ବୀଜରେ ହକାର ଏ ବୀଜ ହେଜ ।

ଜନ ବେନି ପ୍ରେମ ଷୋଡ଼ଶ ରୂପେଣ ପ୍ରଣବେ କୁଣ୍ଡଳି ବୁଝ ।୧୧୫।

 

ଉକାର ସେ ରାମ ଶ୍ଳୀଂ ବୀଜ ଶମ ସକାର ଏହି ବୀଜରେ ।

ଗୋପୀ ମନ୍ତ୍ରରାଜ ବେନି ମଧ୍ୟେ ହେଜ ତାର ଓଁକାର ଆଦ୍ୟରେ ।୧୧୬।

ଏକାରଟି ବିଷ୍ଣୁ କ୍ଳୀଂ ବୀଜ ବ୍ରହ୍ମ କଳାରେ ଏ ବିଜେ ଦେଖ ।

ବଲ୍ଲଭାୟ ଆପ ଘେନିଣ ଦଣ୍ଡକ ପ୍ରଣବ ମଧ୍ୟରେ ଲେଖ ।୧୧୭।

ଈକାରଟି ଶ୍ୟାମ ଅଟେ ହରି ନାମ ଧ୍ଳୀଂ ବୀଜ ଧକାରଟି ।

ସ୍ୱାହା ମନ୍ତ୍ରରାଜ ବାଇବାକୁ ହେଜ ପ୍ରଣବେ ଅର୍ଦ୍ଧକ ପେଟି ।୧୧୮।

ଅକାର ସେ କୃଷ୍ଣ ଶବଦ ବ୍ରହ୍ମ ସେ ପ୍ଳୀଂ ବୀଜ ପ୍ରକାର ରସେ ।

ମନ୍ତ୍ରରାଜ ସ୍ୱାହା ଅକ୍ଷର ଆକାଶ ପ୍ରଣବେ ବିନ୍ଦବ ଯେସେ । ୧୧୯।

ଓଁକାର ମଧ୍ୟ ଯେ ନାମ ବ୍ରହ୍ମ ସାଧ୍ୟ ମିଶିଣ ପାତିଛି ଛନ୍ଦ ।

ଏମନ୍ତେ ଯେ ବୀଜ ବ୍ରହ୍ମ ଏକଆତ୍ମା ଚିହ୍ନିଲେ ତୁଟଇ ଧନ୍ଦ ।୧୨୦।

 

ବୀଜକୁ ଚିହ୍ନିଲେ ନାମକୁ ଭେଟିବୁ ନାମେ ଅନାଦି ନିବାସ ।

ସେ ନାମ ବ୍ରହ୍ମ ଯେ ଅଟେ ଜ୍ୟୋତିବ୍ରହ୍ମ ଅନାମ ତହିଁ ପ୍ରକାଶ ।୧୨୧।

ନାମକୁ ବୋଲିଟି ଜ୍ୟୋତି ବୋଲି ଜାଣ ଅନାମ ଅଟେ ଶବଦ ।

ଶବଦ ଘଟିଲେ ପ୍ରମାଦ କାଟିବୁ ପାଇବୁ ଗୋଲେଖ ଠାବ ।୧୨୨।

କାୟା ମଧ୍ୟେ ଛାୟା ଅବାଡ଼ ଜ୍ୟୋତି ଏ ଅଟନ୍ତି ସାଧନା ମୂଳ ।

ଅଣକ୍ଷର ମନ୍ତ୍ର ତତ୍ତ୍ୱରେ ଭଜିଲେ ସକଳ ହୋଇ ଠୂଳ ।୧୨୩।

ଛାୟା ବ୍ରହ୍ମ ଦେଖ ଉଦିତ ହୋଇଛି ହାନିଲାଭ ବୁଝିବାକୁ ।

ପରଚେ ହୋଇଲେ ବାଦୀ ନ ଥିବ ଯେ ଜଞ୍ଜାଳ ତୋ ସୁଝିବାକୁ ।୧୨୪।

କାୟା ଟଳିଗଲେ ବ୍ରହ୍ମ ମୋ ଲୁଚିବ ଶୁଣ ହୋ ବ୍ରଜକୁମର ।

ଏଣୁକରି ତତ୍ତ୍ୱ ଗୁରୁ ସେବା କରି ଛାୟା ମନ୍ତ୍ରକୁ ସୁମର ।୧୨୫।

 

କାୟା ଗଲେ ଛାୟା ଗୋଟି ସେ ଯେ ପୁଣ କାୟାରେ ପ୍ରକାଶ ଥାଇ ।

ବ୍ରହ୍ମ ଗଲେ ଛାୟା କେବଣ ପ୍ରକାରେ ଶବଦରେ ପ୍ରକାଶଇ ।୧୨୬।

ଏମନ୍ତ ବୋଲିଣ ମନରେ ସଂଶୟ କରିବୁ ବ୍ରଜ ତନୟ ।

ବୁଝାଇ ତୋ ଆଗେ ତାହା କହିଦେବା ଫେଡ଼ିବା ମନୁ ସଂଶୟ ।୧୨୭।

ଜଗତଯାକରେ ଜୀବ ସ୍ୱରୂପରେ ବ୍ରହ୍ମ ପ୍ରକାଶିଛି ଆସି ।

ଜୀବ ଗଲେ କାୟା ମୃତ୍ୟୁ ବୋଲିଣ ଯେ ଜଗତେ ନିଗମେ ଭାସି ।୧୨୮।

ଶବଦରେ ବ୍ରହ୍ମନାମ ବିରାଜିଣ ତେଣୁ ଛାଇ ତହିଁ ଦିଶେ ।

ଏ ଜୀବ ସେ କାୟା ମୃତ୍ୟୁ ଗୋଟି ସେ ଯେ ବୋଲିଣ ନିଗମେ ଭାଷେ ।୧୨୯।

ସମୟକୁ ଦୂର କରିଣ କେବଳ ଅନାମରେ କର ଠଣା ।

ସଂଶୟକୁ ଛେଦ ନାମ କୁଠାରରେ ହୋଇବ ନାଶ କଳ୍ପନା ।୧୩୦।

 

ଅବାଡ଼ ଦେଖି ମାୟାବାଡ଼ କାଟିବୁ ଉଦୟ ଅଛଇ ହୋଇ ।

ରେହ ଜନାର୍ଦ୍ଦନ ନାମ ପରଂବ୍ରହ୍ମ ଦୃଷ୍ଟି ମାତରେଣ ଥାଇ ।୧୩୧।

ଜ୍ୟୋତି ବ୍ରହ୍ମ ଦେଖ ତାଠାରେ ଉଦୟ ଦର୍ଶନେ ଦୁରିତ ନାଶ ।

ଶ୍ୱେତ ପୀତ ନୀଳ ଲୋହିତ କୁଙ୍କୁମ ପଞ୍ଚ ବର୍ଣ୍ଣେ କରେ ବାସ ।୧୩୨।

ସେ ଜ୍ୟୋତି ଦର୍ଶନେ ଅନେକ କଳ୍ମଷ ଇଷତରେ ନାଶ ଯାଇ ।

ଅଣାକାର ବ୍ରହ୍ମ ଆକାରରେ ମିଶି ଅବାଢ଼ ମଧ୍ୟରେ ରହି ।୧୩୩।

ଏଥିପରେ ଅଣାକାର ବ୍ରହ୍ମ ଉଦେ ନୁହଇ ଦୃଷ୍ଟି ଗୋଚର ।

ଶ୍ରୀଗୁରୁ କୃପାରେ ଜାଣିଣ ପାରିଲେ ଶୁଭଇ ଭୂରୁ ମଧ୍ୟର ।୧୩୪।

ସେ ଧୂନି ଶୁଭିଲେ ସରିବ ଜଞ୍ଜାଳ ଜନମ ସୁଫଳ ହେବ ।

ମରିବା ଜିଇବା ନିଷ୍ଠା ପ୍ରତିଷ୍ଠା ଯେ ଶୁଭ ଅଶୁଭ ନ ଥିବ ।୧୩୫।

 

ତତ୍ତ୍ୱ କରି ତୋତେ କହିଲୁ କୁମର ସାଧନା ମତ ବିଚାର ।

ସଦଗୁରୁ ସେବି ଶ୍ରୀକୃଷ୍ଣ ନାମକୁ ନିରତେ ବସି ଉଚ୍ଚାର ।୧୩୬।

ଆସନରେ ସିଧି ଆଦି ନାନାବିଧି ଅଙ୍ଗ ଶୁଦ୍ଧିମାନ ତ୍ୟଜ ।

ଅକର୍ମମାନ କରିଥିଲେ ତରଇ ସେ ନାମବ୍ରହ୍ମକୁ ଭଜ ।୧୩୭।

ଏଥୁଁ ଆନମତ ଯେତେ ଭ୍ରମ ଚିତ୍ତ କହିଲୁଁ ତୋ ଆଗେ ଫେଡ଼ି ।

ଏହି ଭାବରେଣ ଅନ୍ଧକାର ନାଶ ଅଥଳେ ନ ମର ବୁଡ଼ି ।୧୩୮।

ଲକ୍ଷେକ ଗ୍ରନ୍ଥରେ ଏ ଗ୍ରନ୍ଥଟି ସାର କହିଲୁଁ ବ୍ରଜକୁମାର ।

ଶୋଳକ ସ୍ମୁରତି ପଦ୍ୟ ଗଦ୍ୟାବଳି ଅଟଇ ଏଥିଭିତର ।୧୩୯।

ରାମଚନ୍ଦ୍ର ଦାସ ବୋଲଇ ଭୋଦେବ ପରମବ୍ରହ୍ମ ଗୋସାଇଁ ।

ସେ ନାମ ବ୍ରହ୍ମର ଭଜନ କେମନ୍ତେ କହିବ ମୋତେ ବୁଝାଇ ।୧୪୦।

 

କେଉଁଠାରେ ଉଦେ କେଉଁ ମାତ୍ରା ଘେନି କେଉଁ ଭାଗକୁ ଚଳଇ ।

କେମନ୍ତ ପ୍ରକାରେ ଭଜିଲେ ତାହାକୁ ଶବଦ ବ୍ରହ୍ମେ ମିଶଇ ।୧୪୧।

ଶ୍ରୀମୁଖରୁ ଆଜ୍ଞା ହୋଇଲେ ସଂଶୟ ମୋ ମନୁ ହେବ ବିନାଶ ।

ଶ୍ରୀଗୁରୁ ଚରଣେ ଦଣ୍ଡବତ କରି ପଚାରଇ ରାମଦାସ ।୧୪୨।

ବୋଲନ୍ତି ଶ୍ରୀଗୁରୁ ଶୁଣ ବ୍ରଜସୁତ ଅଣଅକ୍ଷର ଭଜନ ।

ସତ ତତ୍ତ୍ୱ ନାମ ତୋ ଆଗେ କହିବା ଶ୍ରୀଗୁରୁ ଭଣ୍ଡାର ଧନ ।୧୪୩।

ଅଦ୍ଭୁତରୁ ନାମ ପ୍ରକାଶ ହୋଇଣ ଅନାଦି କୋଳରେ ରହି ।

ଆଦିମୂଳ ଏକ କରିଣ ବିନ୍ଦିଲେ ଓହୋଁସ୍ୱରେ ନାମ ଥାଇ ।୧୪୪।

ସେ ନାମ ଅକାର ଧୁନି ଅନହତ ନାଦ ଅଦ୍ଭୁତରେ ମିଶେ ।

ପଶଇ ମିଶଇ ଯାଇଣ ଆସଇ ସମୁଦ୍ର ଲହରୀ କି ସେ ।୧୪୫।

 

ଏମନ୍ତେ ଦ୍ୱାଦଶ ସପତ ସ୍ୱରରେ ଆତଯାତ ହୋଇ ରହେ ।

ଶ୍ରୀଗୁରୁ ଭଣ୍ଡାର ଅମୂଲ୍ୟ ଏ ଧନ ଅନାମିକା ବୋଲି କହେ ।୧୪୬।

ଗୁପତହିଁ କର ମନୁ ତାପ ହର ତୋ ଆଗେ କହିଲୁ ଫେଇ ।

ତୁ ଯେଣୁ ଆମ୍ଭର ବିଶ୍ୱାସଭକତ ଅଣାକ୍ଷର ଦେଲୁ କହି ।୧୪୬।

ନାନା ପାତକ କରିଥିଲେ ତରଇ ନାମର ଏଡ଼େ ମହିମା ।

ନାମ ଭଜ ନିଶ୍ଚେ ଇଷିତେ ତରିବୁ ଯମ ଯାତନା ବଡ଼ିମା।୧୪୮।

ଏଥପରେ ଆଉ ଯେ ଅବା କହିବ ତା ପାଦେ ଶରଣ ମୋର ।

ପାମର ଅଚ୍ୟୁତ ରାମଚନ୍ଦ୍ର ଆଗେ କହେ ବ୍ରହ୍ମତତ୍ତ୍ୱ ସାର ।୧୪୯।

ଯେତେକ ଶାସ୍ତ୍ର ପଢ଼ିବୁ ବ୍ରଜ ସୁତ ସବୁ ଏଥିର ଭିତରେ ।

ସିଦ୍ଧାନ୍ତ ଯୋଗାନ୍ତ ଯେତେ ବିଧିମତ କହିଲୁ ତୋର ଆଗରେ ।୧୫୦।

 

ଅଳପ ଶାସ୍ତ୍ର ବୋଲିଣ ମନରେ ନ କରଇ ଶ୍ରୀକୃଷ୍ଣ ଦାସ ।

ଅତିବଡ଼ ମତ୍ତହସ୍ତୀକୁ ଆୟତ୍ତ କରଇ ଯେହ୍ନେ ଆଙ୍କୁଶ ।୧୫୧।

ଏ ଗ୍ରନ୍ଥ ଗୁପତ କରିଣ ରଖିବୁ କହିଲେ ପାଇବୁ ଖେଦ ।

କୃଷ୍ଣ ଭକ୍ତ ଉଦେ ହୋଇଲା ବେଳକୁ ପାଇବେ ଏଥିର ଭେଦ ।୧୫୧।

ପାମର ଅଚ୍ୟୁତ ଶ୍ରୀକୃଷ୍ଣଙ୍କ ଭୃତ୍ୟ ଶ୍ରୀହରି କରୁଣା ଯେଣୁ ।

ନେମ୍ୱାଳ ଗ୍ରାମେଣ ପଦ୍ମବନ ନାମେ ନିବାସ ପାଇଲି ତେଣୁ ।୧୫୩।

ଚତ୍ରୋତ୍ପଳା ନଦୀ ଉତ୍ତର କୂଳରେ ଜନ୍ମେ ଜନ୍ମେଣ ନିବାସ ।

ଶ୍ରୀହରି ଚରଣେ ଶରଣ ପଶିଲା ପାମର ଅଚ୍ୟୁତ ଦାସ ।୧୫୪।

ରାମଦାସ ମନେ ହରଷ ହୋଇଣ ସଂଶୟ ମନୁ ତେଜିଲା ।

ପୂଜାବିଧି କରି ଶ୍ରୀଗୁରୁଚରଣେ ଅଣଅକ୍ଷର ଭଜିଲା ।୧୫୫।

 

ଅଣଅକ୍ଷର ଏ ଶ୍ରୀବ୍ରହ୍ମ ସଂହିତା ଗ୍ରନ୍ଥମାନଙ୍କରେ ସାର ।

ଶ୍ରୀକୃଷ୍ଣ ଚରଣେ ଶରଣ ପଶିଲା ଦୀନ ଅଚ୍ୟୁତ ପାମର ।୧୫୬।

ଛତିଶ ସଂହିତା ଅଠସ୍ତରି ଗୀତା ବଂଶାନୁ ସପ୍ତବିଂଶରେ ।

ଉପବଂଶାନୁ ଦ୍ୱାଦଶ ଖଣ୍ଡ ବେନି ଭବିଷ୍ୟ ଶତ ଖଣ୍ଡରେ ।୧୫୭।

ପଦ ପଦ୍ୟାବଳି ଲକ୍ଷେକ ଯେ ଗ୍ରନ୍ଥ ସବୁ ଶ୍ରୀକୃଷ୍ଣ ମହିମା ।

ତୋ ଆଗେ କହିଲୁଁ ବରଜକୁମାର ବ୍ରହ୍ମ ସାରସ୍ୱତ ସୀମା ।୧୫୮।

ଏ ଗ୍ରନ୍ଥ ଗୁପତ କରିଣ ରଖିଲୁଁ ବେଳକୁ ହେବ ପ୍ରକାଶ ।

ଶ୍ରୀକୃଷ୍ଣ ଚରଣେ ଶରଣ ପଶିଲା ପାମର ଅଚ୍ୟୁତ ଦାସ ।୧୫୯।

ବ୍ରଜକୁଳ ତାରି ଆପଣେ ତରିବି ଶ୍ରୀକୃଷ୍ଣ ଆଜ୍ଞା ହୋଇଛି ।

ଅବ୍ୟକତ ହୋଇ ଅଣାକାର ଘରୁ ତେଣୁ ପଦ କ୍ଷରୁଅଛି ।୧୬୦।

 

ସାଧୁ ଜନମାନେ ଦୋଷ ମୋ ନ ଧର ଶ୍ରୀକୃଷ୍ଣ ଭକତି ହେଉ ।

ପାମର ଅଚ୍ୟୁତ ଅଣାକାର ଭଜି ଶ୍ରୀକୃଷ୍ଣ ଚରଣେ ରହୁ ।୧୬୧।

ବ୍ରହ୍ମ ଉପଦେଶେ ପାଇ ରାମଦାସ ଆନନ୍ଦେ ହେଲା ହରଷ ।

ଅଣାକାର ବ୍ରହ୍ମ ସଂହିତା ଭଣଇ ପାମର ଅଚ୍ୟୁତ ଦାସ ।୧୬୨।

ଇତି ଶ୍ରୀଅଣାକାର ସଂହିତା ସଦାଜୟେ ସମ୍ପୂର୍ଣ୍ଣ ।

————————

 

ସମାପ୍ତ

 

୧ମ କଳ୍‌ପ

 

ଘଟେ = ଶରୀରରେ (ଅଣାକାରବ୍ରହ୍ମ ପ୍ରକୃତିର ଉପରେ ଅବସ୍ଥିତ, ତାଙ୍କର ଛାୟା ସମସ୍ତ ପ୍ରକୃତିର ଶରୀରରେ ଦେଖା ଯାଉଅଛି ।

କାମ ଆଶ୍ରିତେ = ଫଳବାଞ୍ଛା କରି ।

ସୁର = ଦେବତା ।

ନିଜବୃତ୍ତି = ନିଜର ସ୍ୱରୂପ - ବ୍ରହ୍ମତ୍ୱ ।

ଅନନ୍ତ ଅବ୍ୟକ୍ତ ବେହାରୀ = ଶୂନ୍ୟରେ ବିହାର କରୁ ।

ନିଷ୍କାମ = କାମନା (ଫଳବାଞ୍ଛା) ରହିତ ।

ନିର୍ବେଦ = ବେଦ କର୍ମ୍ମ ଶିକ୍ଷା ଦିଏ । ସେହି କର୍ମ୍ମ (ଫଳଜଡ଼ିତ) ଶୂନ୍ୟ ।

ବ୍ରହ୍ମପରଚେ = ବ୍ରହ୍ମଙ୍କୁ ଜାଣିବାପାଇଁ ।

ଉକତେ = ପ୍ରକାଶ ହୁଅନ୍ତେ ।

ପିତାମହ = ବ୍ରହ୍ମା (ବ୍ରହ୍ମାଙ୍କର ମାନସ ପୁତ୍ର ବଶିଷ୍ଠ=ସ୍ଥିରମନ) ।

ପ୍ରଚଣ୍ଡ = ଗୋଟିଏ କାକ, ଚୈତନ୍ୟ (ତ୍ରିକାଳଦର୍ଶୀ) ।

ସିଦ୍ଧାଙ୍ଗ = ସିଦ୍ଧପୁରୁଷ ହେବାର ପ୍ରକାଶ ହୋଇଅଛି ।

ଶୁକ୍ଳାମ୍ୱର = ଶୁଦ୍ଧ ସତ୍ୱମୟ ।

କଳ୍ପବୃକ୍ଷ = ଗୋଲୋକର ବାହାରେ ଥିବା ବୃକ୍ଷ (ତାଳୁକୁ କହି କଳ୍ପବଟ) ତାଳୁ । ବି, ଗୀ ।

ଫୁଟି = କ୍ଳାନ୍ତ ହୋଇ ।

ସେ ବ୍ରହ୍ମଜ୍ଞାନର.......ସବୁକଥା = ମନର ସ୍ଥିରତାରେ ବ୍ରହ୍ମଜ୍ଞାନ ଲାଭ ହୁଏ ‘‘ଯଦି ଏ ମନ ସୁଗତିକି ପାଇ, ବଦ୍ଧବିନାଶ ମୋକ୍ଷଗତି ପାଇ ।’’ ଚାରିଖାନି ।

ସମ୍ଭର୍ବ = ଆୟୋଜନ, ଯୋଗାଡ଼ ।

ଏ ସର୍ବ ଧର୍ମ୍ମ....ଗଛି = ବେଦ ସଂସାରର ସ୍ଥିତି ପାଇ କର୍ମ୍ମର ଉପଦେଶ ଦେଇଥାଏ କିନ୍ତୁ ସେ ସବୁ କର୍ମ୍ମଦ୍ୱାରା ବ୍ରହ୍ମର ଉପଲବ୍ଧି ହୁଏ ନହିଁ ।

କାମକର୍ମ୍ମେ...=ଫଳ କାମନା କରି କାର୍ଯ୍ୟ କଲେ ମୁକ୍ତିଲାଭ ହୁଏ ନାହିଁ । ସେ କାର୍ଯ୍ୟମାନଙ୍କଦ୍ୱାରା ଯେଉଁ ସ୍ୱର୍ଗ ବା ନରକ ଲାଭ ହୁଏ-ତାହା ଅଳ୍ପଦିନ ରହେ । କାର୍ଯ୍ୟର ଫଳ ଶେଷ ହେଲେ ପୁଣି ସଂସାରରେ ଜନ୍ମି ଧନ୍ଦି ହେବାକୁ ହୁଏ ।

ଆତ୍ମାଗତି= ଆତ୍ମତତ୍ତ୍ୱ ।

ଅକର୍ମ୍ମ= ଫଳକାମନାଶୂନ୍ୟ କର୍ମ୍ମ ।

ଧନି= ଧନ୍ୟ ।

ପ୍ରସନ୍ନ=ପ୍ରସନ୍ନତା ।

ଅଣାକ୍ଷର=ଅରୂପ ଅଣାକାର (ଅକ୍ଷର = ପ୍ରଣବାତ୍ମକ, ରୂପଯୁକ୍ତ) ।

ରାଉ ରାଉ = ଶବ୍ଦ ବ୍ରହ୍ମ ।

ମ ଅକ୍ଷର = ଉପାଧିବିଶିଷ୍ଟ ଆତ୍ମା=ଜୀବ ବା ରୂପ ।

ମ ରା ଶବଦେ ମିଳାଇ = ପରମରେ ଜୀବକୁ ଲୀନ କରି ବା ରୂପକୁ ଅରୂପରେ ମିଳାଇ ।

ମରିବାଠାରେ...=ନିଶ୍ଚଳଭାବରେ-ସମାଧିରେ ମନ ରଖି ।

ରା = ଅଣାକାର = ଅରୂପ ।

ମ = ସରୂପ ।

ଓଁ କାର = ସଗୁଣ ।

ପାଦ = ବ୍ରହ୍ମପାଦ ।

ଅପାନ = ଗୁହ୍ୟବାୟୁ

ପ୍ରାଣ = ହୃଦୟ,,

{ହ୍ୟଦି ପ୍ରାଣଃ ସ୍ଥିତୋ ନିତ୍ୟ ମପାନୋ ଗୁଦମଣ୍ଡଳେ । ସମାନୋ ନାଭିଦେଶେ ତୁ}

ସମାନ = ନାଭି,,

ଉଦାନ = କଣ୍ଠ,,

{ଉଦାନଃ କଣ୍ଠମଧ୍ୟଗଃ । ବ୍ୟାନଃ ସର୍ବଶରୀରେ ତୁ ପ୍ରଧାନାଃ ପଞ୍ଚବାୟବଃ ।}

ବ୍ୟାନ = ଆକାଶ (ବ୍ରହ୍ମରନ୍ଧ୍ର)ର ବାୟୁ = ସର୍ବଶରୀରରେ ବ୍ୟାପିଥାଏ ।

ଧରି = ବାୟୁକୁ ଉପରକୁ ତୋଳି ।

ଇଡ଼ା ଭଗବତୀ ଗଙ୍ଗା ପିଙ୍ଗଳା ଯମୁନା ନଦୀ

ଇଡ଼ା ପିଙ୍ଗଳୟୋ ମଧ୍ୟେ ସୁଷୁମ୍ନା ଚ ସରସ୍ୱତୀ ।

 

ତନ୍ତ୍ରସାର

 

ତ୍ରିବେଣୀ = ଇଡ଼ା ପିଙ୍ଗଳା ସୁଷୁମ୍ନା ତିନିନାଡ଼ି (ଯମୁନା ବାମନାସା ବାଇ, ଦକ୍ଷିଣା ପୁଡ଼ା ଗଙ୍ଗା ହୋଇ) । ଏଥି ମଧ୍ୟରେ ସରସ୍ୱତୀ-ଏମନ୍ତେ କ୍ରୟ ବଙ୍କୁନାଳର ଶିରପରେ ନଦୀସ୍ଥିତି (ବି, ଗୀ) = ନାସିକା ରନ୍ଧ୍ରର ମୂଳଶିଖ = ତ୍ରିକୂଟ ।

‘‘କପାଳ ବାଙ୍କୁନାଳ ହୋଇ ।’’ ବି, ଗୀ ।

କମାରଶାଳ = ତ୍ରିକୂଟ = ଅର୍ଦ୍ଧମାତ୍ରାର ଉପର ସ୍ଥାନରେ ।

ଠଣା = ସ୍ଥାନ, ବାସ

ମହାଶୂନ୍ୟ = ତାଳୁ (ତାଳୁକୁ କହି ମହାଶୂନ୍ୟ, ବି, ଗୀ) ମଧ୍ୟସ୍ଥିତ ମହାକାଶ ।

ସୁରସିଦ୍ଧଙ୍କୁ = ଦେବତା ଓ ସିଦ୍ଧଲୋକମାନଙ୍କୁ ।

ଅଦୃଷ୍ଟି ଭୂମି-ଦୃଷ୍ଟିର ଅଗୋଚର ଭୂମି=ଭ୍ରୁଲତା=ଆଖି ଟେକି ।

ଅତୋଳି = ପ୍ରଶ୍ୱାସ ପବନକୁ ।

ତୋଳି = ରୋଧ କରି, ଟେକି ।

ଅମୀୟ ସୁଧା = ଜିହ୍ୱାମୂଳରୁ କ୍ଷରୁଥିବା ।

ଅମାପ = ବାୟୁକୁ ସଂଯମ କରିବା ।

ଅଭକ୍ଷ୍ୟ ଦ୍ରବ୍ୟ = ପ୍ରଶ୍ୱାସ ପବନ ।

————————

 

୨ୟ କଳ୍‌ପ

 

ସପ୍ତାଙ୍ଗ ଯୋଗ = ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା ଏବଂ ଧ୍ୟାନ ।

ଶବ୍ଦକୁ = ନାଦକୁ ଚିତାରେ ରଖି । ଅବ୍ୟକ୍ତ ଧ୍ୱନି । ମନ ନିର୍ବିଷୟ ହେଲେ ଧ୍ୟାନାବସ୍ଥାରେ, ଅବ୍ୟକ୍ତ ଶବ୍ଦମାନ ଶୁଣାଯାଏ -

ଯଥା-ଜଳଧି, ଜୀମୃତ, ଭେରୀ, ନିର୍ଝର, ମର୍ଦ୍ଦଳ, କାହାଳ ଇତ୍ୟାଦି । ବ୍ରହ୍ମ ଓ ପ୍ରଣବର ସନ୍ଧିସ୍ଥଳ ଏବଂ ତାହା ଜ୍ୟୋତିର୍ମ୍ମୟ ।

 

ଲୟାଙ୍ଗେ = ମନ ସେଠାରେ ଲୟ ହୁଏ-ତାହାହିଁ ଆତ୍ମାର ସ୍ଥାନ, ସେଠାରେ ଶବ୍ଦ ପ୍ରବର୍ତ୍ତିତ ହେଉଥିବାରୁ-ତାହା ଆକାଶ ରୂପ । କିଛି ସମୟ ପରେ ସେ ଶବ୍ଦ ଶୁଣାଯାଏ ନାହିଁ । ତହିଁ ର ପରେ ନିଃଶବ୍ଦ ସ୍ଥାନରେ ପ୍ରବେଶ କଲେ ମହାକାଶ ସ୍ୱରୂପ ସ୍ଥାନ ମିଳେ । ତାହାହିଁ ପରମାତ୍ମାର ଘର ପରବ୍ରହ୍ମ; ସେ ଅବସ୍ଥା ଲାଭକଲେ ମୁକ୍ତାବସ୍ଥା ଲାଭ ହୁଏ ।

 

ନିୟାମନସର୍ଥୋଽୟଂ ନିନାଦୋ ନିଶିତାଙ୍କୁଶଃ ।

ନଦୋଽନ୍ତରଙ୍ଗ ସାରଙ୍ଗ ବନ୍ଧନେ ବାଗୁରାୟତେ ।

ଅନ୍ତରଙ୍ଗସମୁଦ୍ରସ୍ୟ ରୋଧେ ବେଳାୟତେଽପିବା ।

ବ୍ରହ୍ମପ୍ରଣବସଂଲଗ୍ନ-ନାଦୋ ଜ୍ୟୋତିର୍ମ୍ମୟାତ୍ମକଃ ।

 

ମନସ୍ତତ୍ର ଲୟଂ ଯାତି ତବ୍ଦିଷ୍ଣୋଃ ପରମଂ ପଦମ୍‌ ।

ତାବଦାକାଶସଂକଳ୍ପୋ ରାବଚ୍ଛବ୍ଦଃ ପ୍ରବର୍ତ୍ତତେ ।

ନିଃଶବ୍ଦଂ ତତ୍‌ପରଂ ବ୍ରହ୍ମ ପରମାତ୍ମା ସମୀୟତେ ।

ନାଦୋ ଯାବନ୍ମନ ସ୍ତାବନ୍ମାଦାନ୍ତୋଽପି ମନୋନ୍ମନୀ ।

 

ସଂଶବ୍ଦ ସ୍ୱାକ୍ଷରେ କ୍ଷୀଣେ ନିଃଶବ୍ଦଂ ପରମଂ ପଦମ୍‌ ।

ସଦା ନାଦାନୁସନ୍ଧାନାତ୍‌ ସା କ୍ଷୀଣା ବାସନା ତୁ ଯା ।

ନିରଞ୍ଜନେ ବିଲୀୟେତେ ମନୋବାୟୁ ନ ସଂଶୟଃ ।

ନାଦକୋଟିସହସ୍ରାଣି ବିନ୍ଦୁକୋଟିଶତାନିଚ ।

 

ସର୍ବେ ତତ୍ର ଲୟଂ ଯାନ୍ତି ବ୍ରହ୍ମପ୍ରଣବନାଦକେ ।

ସର୍ବାବସ୍ଥାବିନିର୍ମୁକ୍ତଃ ସର୍ବଚିନ୍ତାବିବର୍ଜ୍ଜିତଃ ।

ମୃତବିତ୍ତିଷ୍ଠତେ ଯୋଗୀ ସଯୁକ୍ତୋ ନାତ୍ର ସଂଶୟଃ ।

ଶଙ୍ଖ ଦୁନ୍ଦୁଭିନାଦଂ ଚ ନ ଶୃଣୋତି କଦାଚନ ।

ନାଦବିନ୍ଦୂପନିଷଦ୍‌

 

ଦିବାନିଶି = ବାଆଁ ଓ ଡାହାଣ ପୁଡ଼ାର ବାୟୁ ମିଳି ଏକହୋଇ ।

ଅମନସୂତ୍ରରେ=ଶୂନ୍ୟ-ବିନ୍ଦୁ ଘରରେ-ଆକାଶରେ ମନ ଓ ବାୟୁ ଲୀନ ହୁଏ ।

ସେ ପାଦ = ବ୍ରହ୍ମସ୍ଥାନ-ମହାକାଶ ବର୍ଣ୍ଣଶୂନ୍ୟ ଓ ଚିହ୍ନଶୂନ୍ୟ ଓ ସୁମନ = ମନର ବିଷୟ ବାସନା କ୍ଷୀଣାବସ୍ଥା । ମନ ବାସନାଶୂନ୍ୟ ନିଶ୍ଚଳ ହୋଇ । ସୁମନଃପବନାରୁଢ଼ଃ ସରଜୋ ନିର୍ଗୁଣସ୍ତଥା-ବ୍ରହ୍ମବିଦ୍ୟୋପନିଷଦ୍‌ ।

ଚେତାଦ୍ୱାରେ...= ଚିନ୍ମୟ ପରଂବ୍ରହ୍ମର ଦ୍ୱାର ରଖି ।

ପବନକୁ = ନାସାବାୟୁ ଉପରକୁ ଉଠାଇ ।

ତ୍ରିକୂଟ = ଇଳା ପିଙ୍ଗଳା ଓ ସୁଷମ୍ନାର ମିଳନ ସ୍ଥାନ ।

ସେବାତ...=ପ୍ରଶ୍ୱାସ ଉପରକୁ ଉଠିଲେ ।

ରାଜଦଣ୍ଡ ପଥ=ବ୍ରହ୍ମରନ୍ଧ୍ରକୁ ପଥ ।

ପରମ ସଙ୍ଗେ...=ଜୀବନ ନିଶ୍ୱାସବାୟୁ, ପରମ ପ୍ରଶ୍ୱାସ ବାୟୁ, ନିଶ୍ୱାସ ପ୍ରଶ୍ୱାସ ସହିତ ମିଳି ଏକ ହେଲେ ତ୍ରିଗୁଣ (ସତ୍ୱ ରଜ ତମ ଓ ଈଳା ଫିଙ୍ଗିଳା ଏବଂ ସୁଷୁମ୍ନା ତିନି ନାଡ଼ିର ଭାବ)

ଅଜୟଗଡ଼ = ମହାକାଶ ଲାଭ ହେବ ।

ଅଲେଖ = ଚିହ୍ନଶୂନ୍ୟ ।

ଶ୍ରୀରାମ = ବୁଦ୍ଧି ଆଗରେ ।

ବିଷ୍ଣୁ ମାୟାରେ = ସକାମ କର୍ମରେ = ଧର୍ମ୍ମାର୍ଥ କାମ ଲାଭ କରିବାରେ ସାଧ୍ୟ = ନିଜର ଅଧୀନ ।

ସଦାନନ୍ଦ = ଶିବ ।

କାଶୀ = ଶିବ ।

ତ୍ରିକୂଟରେ = କୈଳାସ =ଇଳ ପିଙ୍ଗଳା ଏବଂ ସୁଷୁମ୍ନା ମିଳନ ସ୍ଥାନରେ ଶିବ ଅଛନ୍ତି ।

ଅଣାକାର ଭକ୍ତ ହର = ଶିବ ଅଣାକାର ବ୍ରହ୍ମକୁ ଭଜନ କରନ୍ତି ।

ଚେତାକୁ...=ଚିନ୍ମୟକୁ ପାଇବାପାଇଁ ଉପାୟ ଖୋଜିବ। ।

ବକତା = ବ୍ୟକ୍ତ ହୁଅନ୍ତି ।

ଠୂଳକର = ଠିକକର ।

ହେତୁ ପଥ = ଜ୍ଞାନର ମାର୍ଗକୁ ।

ସୂତ୍ରରେ = ବିଧି ଅନୁସାରେ ଧର ।

କୁମନ = ତେଜ ।

ବିମନ = ବାୟୁ ।

ସୁମନ = ଜଳ ।

ମନ = ପୃଥିବୀ ।

ଅମନ = ଆକାଶ ।

ହରିବ = ଆଉ କେଉଁଆଡ଼େ ନ ଦେଇ । ଏକାଗ୍ର କରି ବାମ ଅଙ୍ଗ....=ବାଁପାଖ ରୋଧକଲେ ଦକ୍ଷିଣର ବାଟ ଖୋଲିବ ।

ଜୀବ ପବନକୁ = ନିଶ୍ୱାସକୁ

ମନ...=ମନ ନିଶ୍ଚଳ କରି ତ୍ରିକୂଟରେ ରଖିବ ।

ଓଁ =...ରଞ୍ଜ = ଓଁକାର ରୂପ ଧ୍ୟାନ କରି । ପରମ ପବନରେ ଖଞ୍ଜ-ପ୍ରଶ୍ୱାସ ପବନ ସହିତ ମିଳିତ କରାଅ ।

ଅନାହତ ନାଦ=ଅବ୍ୟକ୍ତ ଶବ୍ଦ ଅନୁଭବ କରି ବାୟୁକୁ ଉପରକୁ ଉଠାଇବ ।

କାଉଁରୀ ମଣ୍ଡଳେ = କପାଳ (କପାଳ କାଉଁରୀ ପାଟଣା ବି. ଗୀ) ।

ହେତୁ...=ଜ୍ଞାନକୁ ପ୍ରବୁଦ୍ଧ ଚୈତନ୍ୟ ସହିତ ମିଳାଇ ମହାଶୂନ୍ୟରେ ଲୟ କରିବ ।

ମହାଶୂନ୍ୟ = ପବନର ଗତି ନାହିଁ ଏହା ସର୍ବଦା ନିର୍ବାତ ।

ପରମ = ପ୍ରଶ୍ୱାସ

କଳ୍ପାନ୍ତୀ = କଳ୍ପ ପର୍ଯ୍ୟନ୍ତ ରହିବ ।

————————

 

୩ୟ କଳ୍‌ପ

 

ଚନ୍ଦ୍ର ସୂର୍ଯ୍ୟରେ...=ବାଆଁପୁଡ଼ା ବାୟୁକୁ ଚନ୍ଦ୍ର ଏବଂ ଡାହାଣ ପୁଡ଼ା ବାୟୁକୁ ସୂର୍ଯ୍ୟ କହନ୍ତି ।

ତ୍ରିକୂଟ ଦୂଆରୁ = ସୁଷୁମ୍ନାଦେଇ ବାୟୁ ବହେ । ଏହା ସେ ଦୁଇ ବାୟୁର ମଧ୍ୟସ୍ଥାନ ।

ସେ ପାଦେ...=ସିଷୁମୁନା ରନ୍ଧ୍ର ଦେଇ ବିନ୍ଦୁ କ୍ଷରେ ।

ଟେକନ୍ତା ଅର୍ଦ୍ଧପାଦ = ନିଶ୍ୱାସ = ଜୀବ ଉଲଟ ଭାବରେ ଉପରକୁ ବହୁଅଛି ।

ଚନ୍ଦ୍ରକାନ୍ତି = ବାମାଙ୍ଗ ଆଦି ।

ପରମ ପୁରୁଷ = ପ୍ରଶ୍ୱାସ ।

ଆହୁଟ = ସାତ ।

ଭବକୁ = ସଂସାରକୁ ।

ଚନ୍ଦ୍ରଅଙ୍ଗେ = ବାମାଙ୍ଗରେ ସ୍ଥିତ ।

ବାମ ଅଙ୍ଗରେ...=ବାଆଁରେ ନିଶ୍ୱାସ ବହିବା ବେଳେ ବାୟୁକୁ ଉପରକୁ ତୋଳିବ ।

ମାନସସେବାର୍ଚ୍ଚ ନେ =ମାନସ ପୂଜା-ମନେ ମନେ ପୂଜା କରିବ ।

ଦକ୍ଷିଣ ଭଜନ = ସୂର୍ଯ୍ୟଙ୍କ ରୂପ ଦର୍ଶନ = ଡାହାଣ ପବନ ।

ଗାଲଟିବ = ବାଆଁ ପୁଡ଼ାର ପବନ ଡାହାଣରେ ଫେରିବ ।

ଆଦିମାତା । ଅର୍ଦ୍ଧମାତ୍ରା = ସୁଦର୍ଶନ ।

ଅକଟି = ସ୍ଥିର ।

ପବନେ...=ପବନ ସ୍ଥିର ହୋଇଯିବ ।

ସୂର୍ଯ୍ୟ ଅଙ୍ଗରେ = ଡାହାଣ ପୁଡ଼ାର ବାୟୁ (ଦକ୍ଷିଣାବର୍ତ୍ତକ ବାୟୁ)

ମାତାଙ୍କୁ = ଚନ୍ଦ୍ରକାନ୍ତି = ବାମ = ପରମ ।

ଶିଶୁଶବଦେ = ବିନ୍ଦୁରେ ।

ଅରୁନ୍ଧତୀପ୍ରାଣନାହା = ବଶିଷ୍ଠ = ମନ ।

ସରାଗ = ସ୍ନେହଯୁକ୍ତା

ହେତୁ ଶାଙ୍କୋଳି = ଜ୍ଞାନକୁ ବାନ୍ଧି ।

————————

 

୪ର୍ଥ କଳ୍‌ପ

 

ବିରାଟ ଶରୀରେ = ପିଣ୍ଡରେ ।

ଅମନ ଶିଖେ = ବିନ୍ଦୁଉପରେ ଅଲେଖପୁର, ମହାଶୂନ୍ୟରେ ।

ନିର୍ବିକଳ୍ପ = ବିଷୟଶୂନ୍ୟ

ଅବନା = ଅବର୍ଣ୍ଣ ମଣ୍ଡଳ, ଅ ଅକ୍ଷରର ମଣ୍ଡଳ ବା ବର୍ଣ୍ଣଶୂନ୍ୟ

ଶଶାଙ୍କ...=ଚନ୍ଦ୍ରପରି କୋମଳ ରୂପ ।

ପରମ = ଆତ୍ମା

ସେ ଭୂତ...=ସେ ଆତ୍ମାଭୂତମାନଙ୍କର ମହାନ୍‌ ଈଶ୍ୱର ।

ଚନ୍ଦ୍ର ସୂର୍ଯ୍ୟରେ = ବାଁ ଡାହାଣରେ ଓ ମଧ୍ୟରେ (ସୁଷୁମ୍ନାରେ) ।

ପାଦରେ = ଆସ୍ଥାନରେ ।

ତିନିତତ୍ତ୍ୱ = ହରେ ରାମ କୃଷ୍ଣ ।

ନିବୃତ୍ତି...= ମହାତେଜରେ ନିବୃତ୍ତି ହୋଇ (ପରିଣତ) ସିଦ୍ଧ ଅଛି ।

ଯେଉଁ ପାଦ = ସୁଷୁମ୍ନା ।

ପରମ ପୁରୁଷ = ଶବ୍ଦ ବ୍ରହ୍ମ । ହଂସ = ସୋଽହଂ ।

କଳ୍ପ = କଳ୍ପକାଳସ୍ଥାୟୀ ।

ଟେକନ୍ତା ପାଦ = ନିଶ୍ୱାସ

ଚନ୍ଦ୍ରକାନ୍ତିକି = ବାଁ ଅଙ୍ଗକୁ ପାଲଟାଇ ବସ ।

ସୂର୍ଯ୍ୟ ଅଙ୍ଗରେ = ଜ୍ୟୋତି ମଣ୍ଡଳରେ ।

ପାଞ୍ଚମନ = ଅମନ, ସୁମନ, କୁମନ, ବିମନ, ମନ ।

ବାହନ୍ତା ନଦୀ = ପ୍ରଶ୍ୱାସ

ତ୍ରିକୂଟେ = ତ୍ରିକୂଟକୁ (ଏହି ତିନି ନାଡ଼ିର ମିଳନସ୍ଥାନକୁ) ନିରୋଧ କରି ।

କଣ୍ଠ ଘଟିକା = ଉପର ପାଟିର ରନ୍ଧ୍ରକୁ ।

ମେରୁ ଦ୍ୱାରରେ = ତ୍ରିକୂଟର ମେରୁଦ୍ୱାରରେ ସମ୍ୱନ୍ଧ ଅଛି

ମୁଦ୍ରା ପାଡ଼ି = ରୋଧ କରି ।

ସେ ନିର୍ଝର = ବାୟୁ ।

ବ୍ରହ୍ମ = ଅଚ୍ୟୁତନାନ୍ଦଙ୍କ ମତରେ ପରମ ଉପରେ ବ୍ରହ୍ମ ।

ଭାରତ = କପାଳ, ପରମ ସାଧନ ଭୂଇଁ ।

ସିଷ...ଦେଖା = ସୁଷୁମ୍ନା ସାମାନ୍ୟରେ ରୋଧ କରିବ ଯେପରି ପୂର୍ଣ୍ଣ ଭାବରେ ନ ହୁଏ ।

ଇଡ଼ା ପିଙ୍ଗଳାରେ କ୍ଷୀଣଭାବରେ ବାଇ ଚାଲିଥିବ-ତାକୁ ମଧ୍ୟ ସମୟରେ ରୋଧିବ ତହୁଁ ଘଟୁଆଳ = ପରମ ଦେଖାହେବ । ସେ ଅଲେଖକୁ ଦେଖାଇବ ।

ଅନାମ ବୃକ୍ଷ = ଅବାୟୁମଣ୍ଡଳ ।

ବ୍ରହ୍ମରୁ ପରମ ଜନ୍ମ ।

ସେ ହଂସ = ଜୀବ ପରମ ପ୍ରଶ୍ୱାସ ଓ ନିଶ୍ୱାସ ।

କୁଣ୍ଡଳୀ ଚକ୍ର = ଅର୍ଦ୍ଧମାତ୍ରା ।

ତିନି ତିହୁଡ଼ୀ = ତ୍ରିବେଣୀ ।

ତହିଁ =ତ୍ରିକୂଟରେ ।

ରାକାରେ = ଶବ୍ଦ ବ୍ରହ୍ମ ।

ମହାମାୟୀ = ଜ୍ୟୋତିର୍ମ୍ମୟୀ-ଅର୍ଦ୍ଧମାତ୍ରା ।

————————

 

୫ମ କଳ୍‌ପ

 

ଠୂଳ = ଅର୍ଦ୍ଧମାତ୍ରା, ଜ୍ୟୋତି ।

ଅନନ୍ତ = ସପ୍ତଫଣୀ-୨କର୍ଣ୍ଣ+୨ ନାସା + ୨ ଚକ୍ଷୁ + ମୁଖ = ୭ ।

ଚୋରକୁ = ପ୍ରଶ୍ୱାସ ପବନକୁ ।

ଦ୍ୱାର = ତ୍ରିକୂଟ ଉପରେ ମହାମାୟାଙ୍କର ସ୍ଥାନ ।

ବାଛିବୁ = ଦୋଷ ନ ଦେବୁ ।

ଅଭକ୍ଷ ଦ୍ରବ୍ୟ = ପ୍ରଶ୍ୱାସ ପବନ ।

ପରଚେ...=ଶରୀରର ସ୍ଥାନଯାକ ଚିହ୍ନିବାଯାଏ = ଘଟ ଯୋଗ ।

ନଦୀତଟ = ତ୍ରିକୂଟର ପାଖରେ ଗିରି କନ୍ଦରରେ ।

ଆହାର = ବାୟୁ ।

ସ୍ୱବୃତ୍ତି = ଜୀବନ ମୂଳତତ୍ତ୍ୱ =ବ୍ରହ୍ମ ।

ବିଳାପ = ଭାବନା ।

ସିଦ୍ଧକଳ୍ପ = ସିଦ୍ଧଦେହୀ ।

ବୃତ୍ତି = ବ୍ରହ୍ମତ୍ଵ ।

ନିଗମେ =ଅମନରେ ।

ଆହାର = ବାୟୁ = ବୃତ୍ତି ।

ହଂସ = ଜୀବ ।

ହଂସା = ନିଶ୍ୱାସ ଓ ପ୍ରଶ୍ୱାସ ।

ନିର୍ଝର = ପ୍ରଶ୍ୱାସ ।

ତରୁଣିମଣି = ଯୋଗମାୟା ।

ପଉଡ଼ିଣ = ପୋଡ଼ିଣ, ନାଶକରି ।

ଚନ୍ଦକୁ...=ବାଆଁରେ ବାୟୁ ବହିଲା ବେଳେ ଆରମ୍ଭ କରି ପୁଣି ଦକ୍ଷିଣକୁ ଫେରାଇବ ।

ବାଇ = ପ୍ରଶ୍ୱାସ ।

ନୟାଙ୍ଗ = ଲୟାଙ୍ଗ, ଅଙ୍ଗାଦିର ଜ୍ଞାନ ସବୁ ଲୀନ କରି ।

ଅକ୍ଷରମାନଙ୍କୁ = ଯନ୍ତ୍ର ମନ୍ତ୍ରାଦିଙ୍କୁ ।

ଚନ୍ଦ୍ର...ନାଦ = ଚନ୍ଦ୍ରରେ ଆରମ୍ଭ କରି ସୂର୍ଯ୍ୟକୁ ଫେରାଇ ପବନକୁ ଉପରକୁ ଟେକିବ-ମନକୁ ନିଶ୍ଚଳ କରିବ । ତହିଁ ନାଦ ଶୁଣି ପାରିବ ।

ଆଦିତ୍ୟ...ନାଶ = ସୂର୍ଯ୍ୟକୁ ଲେଉଟାଇଲୋ-ତା ତେଜରେ ରୂପର । ଜ୍ଞାନ ନାଶ ହେବ ।

ନାସା...ଛନ୍ଦି = ନିଶ୍ୱାସ ଓ ପ୍ରଶ୍ୱାସ ରୋଧ କଲେ ।

ଅଗ୍ନି ପାଣିକି = ଚନ୍ଦ୍ର ସୂର୍ଯ୍ୟକୁ ।

ପାଣି = ଚନ୍ଦ୍ର-ବାଆଁର ପବନ ।

ସରୋବର = ତ୍ରିକୂଟରେ ।

ଚୋର-କାଳ ।

ପଶ୍ଚିମ..ନାବ = ପବନକୁ ପଛେଇ ପଛେଇ ନେଇ ।

ଭାଇ ବୋହୁକୁ = ପ୍ରଶ୍ୱାସକୁ ।

ଜେଠାଶୁର = ମନ ।

ଡେଣାରୁ...ନାଶ =ପ୍ରଶ୍ୱାସ ରୋଧକରି ।

ଭ୍ରମର = ମନ ।

କମଳରେ = ବ୍ରହ୍ମ ରନ୍ଧ୍ରରେ ।

ଦୁଇ = ଜୀବ ପରମ = ନିଶ୍ୱାସ ଓ ପ୍ରଶ୍ୱାସ ।

ଅଦେଖାଭୂଇଁ = ଅମନ ପୁର, ମହାକାଶ ।

————————

 

ଷଷ୍ଠ କଳ୍‌ପ

 

ହେବୁ ମେଳା = ମିଶିବୁ ।

ନିଷ୍ପତ୍ତି ଯୋଗ = ସମାଧିର ପର ଅବସ୍ଥା ।

ନିର୍ଧୂମ ଅଗ୍ନି = ଜ୍ୟୋତିରୂପ ।

ଶିଖେ = ତ୍ରିକୂଟ ଉପରେ ।

ତ୍ରିଗୁଣ = ସତ୍ଵ, ରଜ, ତମ ।

ହାଦେ = ନିଶ୍ଚୟ ।

ନୟନ...=ବାହ୍ୟ ପଦାର୍ଥ ଗୋଚର ହେବ ନାହିଁ ସମାଧି ଅବସ୍ଥା ।

ଅସାଧନେ = ବାୟୁ ।

ବାମାଙ୍ଗେ...=ବାମଦିଗ ବନ୍ଦ କରି ।

ମେରୁ ପଥରେ = ତ୍ରିକୂଟରେ ।

ଶିଳା = ଶାଳଗ୍ରାମ ଶିଳା ।

ଶୋଚନା = ଖାତିରି ।

ଉଦୟ...=ଡାହାଣ ବାୟୁ ଉଦୟରୁ ଶେଷ ପର୍ଯ୍ୟନ୍ତ ।

ରବିରେ...ସାଜି=ଚନ୍ଦ୍ର (ବାଆଁ ପବନକୁ) ନେଇ ସୂର୍ଯ୍ୟାୟଣ (ଡାହାଣ ପବନ) କରିବ ।

କାଳବଳ = ପଲକ, ମୃତ୍ୟୁ ।

ଚନ୍ଦ୍ରସୂର୍ଯ୍ୟ = ଡାହାଣ ବାମ ବାୟୁକୁ ଏକ କଲେ ।

ଉଜାଣି = ଉପରକୁ ଉଠାଇବାକୁ ।

ପାଣି = ପବନ ।

କ୍ଷେପିବ = ତୋଳିବ ।

ଶିଖେ = ତ୍ରିକୂଟ ଉପରେ ।

ଆଦିମୂଳ = ଶବ୍ଦବ୍ରହ୍ମ ।

ବାରି ନ ଦିଶୁଛି = ଜଣା ନ ଯାଉଛି ।

ବାସନା ବାରି = କର୍ମ୍ମ ବାସନା ତ୍ୟାଗକରି ।

ହେତୁ = ଜ୍ଞାନରେ ହୋମ କରିବ = ଜ୍ଞାନ ଅବଲମ୍ୱନ କରିବ ।

ମତ୍ତାଙ୍ଗେ = ମଦରେ ନ ମିଳାଇ ।

ନିଜବୃତ୍ତି = ବ୍ରହ୍ମତ୍ଵ ।

ନିଷ୍ଠା = ନିଶ୍ଚୟ ।

ଥାଇ...=ମିଶି ନ ମିଶିଲା ହୋଇ = ଅନାସକ୍ତ ଭାବରେ କାର୍ଯ୍ୟରେ ପ୍ରବର୍ତ୍ତି ।

ପରମ ରସ = ପ୍ରଶ୍ୱାସ ।

କଳ୍ପ ବିଭୂତି = କଳ୍ପକାଳ ରହିବାର ଔଷଧ ।

ତ୍ରିଗୁଣ = ତ୍ରିକଟୁ, ତ୍ରିଫଳା ।

ହରି କେଶର = ପଦ୍ମ କେଶର ।

ଲାଇ = ମିଳାଇ ।

ୠଷିଫଳ = ହରିଡ଼ା ।

ଈଶାନେ = ଶିବ ।

ହେମ = ମୃତ୍ୟୁ, କାଳ ।

ଝର = ପବନ ।

————————

 

୮ମ କଳ୍‌ପ

 

ପଞ୍ଚାଶ ଦଳ = ଲଲାଟ ଚକ୍ରର ତଳ ଦେଶ ।

ଜଳ = ଚନ୍ଦ୍ରମଣ୍ଡଳକୁ ବାୟୁ = ବାଆଁ ପାଖରୁ ।

ସୂର୍ଯ୍ୟ ମଣ୍ଡଳେ = ଡାହାଣେ ପାଖରେ ।

ନିଶ୍ରେଣୀ = ସାଧନମାର୍ଗର ପଥ ।

ବାମ...ଦେବ= ବାମ ଓ ଡାହାଣ ପବନକୁ ଏକ କରିବ ।

ଡମ୍ୱରୁ = ନାସିକାର ଅବନତ ସ୍ଥାନ ।

ଗୁଝ୍ୟେ = ଗୁଦ ।

ଇନ୍ଦ୍ରି ଚକ୍ର = ଲିଙ୍ଗ ଚକ୍ର ।

ଗିରି = ତ୍ରିକୂଟ ।

ସରସ୍ୱତୀ = ସିଷୁମୁନା ନାଡ଼ିରେ ।

ଏଠି ଛଡ଼ଚକ୍ର ଓ ତହିଁର ପବନ ଓ ଦେବତା କଥାକୁ ।

ଏ ଛଡ଼ଚକ୍ରରେ ଅଣଚାଶ ପବନ ଅଛି ।

ମନୁନ୍ଦ୍ର ପୁର-ମନର ଭୁବନ; ବୈଚନ୍ଦ୍ର ଗୀତା ୩ୟ ଅଧ୍ୟାୟ ଦ୍ରଷ୍ଟବ୍ୟ ।

କାଉଁରୀ ମଣ୍ଡଳୀ = କପାଳ, ନାଦ ମଣ୍ଡଳ, ଅର୍ଦ୍ଧମାତ୍ରା ।

ଉଲଟ = ପ୍ରଶ୍ୱାସ ବାୟ

————————

 

୯ମ କଳ୍‌ପ

 

ଆତ୍ମା = ପ୍ରଶ୍ୱାସ ପବନ ।

ବିଷମ ଅର୍ଗଳି = ବ୍ରହ୍ମରନ୍ଧ୍ର ।

ଶୟଳେ = ସଂସାରରେ ।

ଏକପାଦ = ଆତ୍ମା, ହଂସ = ପ୍ରଶ୍ୱାସ ବାୟୁ ।

ବନା...ବନାଇ = ପ୍ରଶ୍ୱାସ ବାୟୁକୁ ଉପରକୁ ନ ତୋଳି ।

ଉଲଟ = ପ୍ରଶ୍ୱାସ ପବନ ।

ହେତୁରେ = ଜ୍ଞାନରେ, ଚୈତନ୍ୟରେ ।

————————

 

୧୦ମ କଳ୍‌ପ

୧ମରେ ମାତୃଗର୍ଭ ବର୍ଣ୍ଣନା

 

ବିନ୍ଦୁ-ବୀର୍ଯ୍ୟ ।

ଚନ୍ଦ୍ର ସୂର୍ଯ୍ୟ ଦ୍ୱାରେ = ସ୍ତ୍ରୀର ବାମ ପୁଡ଼ାରେ ଏବଂ ପୁରୁଷର ଡାହାଣ ପୁଡ଼ାରେ ବାୟୁ ଯିବାବେଳେ ଗର୍ଭ ସଞ୍ଚାର ହୁଏ ।

‘‘ରତ୍ୟାରମ୍ଭେ ରବିଃ ପୁଂସଃ ସ୍ତ୍ରୀଣାଂ ଚୈବ ସୁଧାକରଃ ।

ଉଭୟୋଃ ସଙ୍ଗମେ ପ୍ରାପ୍ତେ ବନ୍ଧ୍ୟା ପୁତ୍ରମବାପ୍ନୁୟାତ୍‌ ।’’

ତାର = ଆତ୍ମାର ।

ସୁସଂଗୀତ = ଯୁକ୍ତ ।

ମେରୁ = ତ୍ରିକୁଟ ।

ପ୍ରଣବଦ୍ୱାରେ = ମାତୃଗର୍ଭରେ

ସୁମନ ପରମର ଡୋର କୌପୁନୀ ଅଟେ ।

ପ୍ରକୃତ...ପ୍ରକୃତି (ମାୟା) ବଳରୁ ଏକ ବୋଲି ଜ୍ଞାନ ହୁଏ ନାହିଁ ।

ଜାତକୃତବିଧି = ଜନ୍ମକର୍ମ୍ମ ବିଷୟ ।

ଚନ୍ଦ୍ରାର୍କ କାନ୍ତି = ବାଆଁ ଡାହାଣର ବାୟୁକୁ ।

————————

 

୧୧ଶ କଳ୍‌ପ

 

ଧାପ = ତେଜ, ସ୍ଥାନ ।

ଗଳି ପଡ଼ଇ = କ୍ଷୟ ହୁଏ ।

ଏ...ଶୋଧି = ଏହି ନବଦ୍ୱାରୁ ନେଇ ମନ ବୁଦ୍ଧିକୁ ତାଳୁକାକୁ ଚାଳିଲେ ।

ଦିବାନିଶି = ବାମ ଓ ଡାହାଣର ବାୟୁକୁ ।

ତ୍ରିଗୁଣ = ସତ୍ୱରଜତମ ବା ଇଡ଼ା ପିଙ୍ଗଳା ସୁଷୁମ୍ଣାକୁ ଏକ କରି ।

ସୂତ୍ରେ = ବାଟରେ ।

ଚୋର = କାଳ ମାୟା ।

ତାକୁ = ପବନକୁ ।

ବହନ୍ତା = ପ୍ରଶ୍ୱାସକୁ

ଅମନ ଶିଖ = ଅବାଇ ମଣ୍ଡଳ, ମହାଶୂନ୍ୟ ।

ବଙ୍କୁନାଳରେ = ନାସିକାରେ ।

ତତୁ = ତତ୍ତ୍ୱ ।

ତ୍ରିଗୁଣ ସୂତ୍ର = ସତ୍ୱ ରଜ ଓ ତମର ବନ୍ଧନ ।

ଅରେହ = ଅରେଖ = ଅଲେଖ ବ୍ରହ୍ମ ।

ରଜ...=ସ୍ତ୍ରୀମାନେ ରଜଗୁଣପ୍ରଧାନ ।

ତମ ଓ ରଜଗୁଣ ପ୍ରାଣୀଙ୍କର ଉପଯୁକ୍ତ ଧର୍ମ୍ମ ନୁହେ ।

ସାତୁକ୍ୟମୟ = ସତ୍ୱଗୁଣପ୍ରଧାନ ।

ଅଖଣ୍ଡ =ପୂର୍ଣ୍ଣବ୍ରହ୍ମକୁ ।

ଅନ୍ତେ = ଭିତରେ ।

ବାରକୁ ବାର....=୧୨ ଆଙ୍ଗୁଳି ନିଶ୍ୱାସ + ୧୨ ବାରଆଙ୍ଗୁଳି ପ୍ରଶ୍ୱାସ, ମୋଟରେ ୨୪ ଆଙ୍ଗୁଳି ।

————————

 

୧୨ଶ କଳ୍‌ପ

ଇନ୍ଦ୍ରିୟ...କରି = ଇନ୍ଦ୍ରିୟଙ୍କୁ ସନ୍ତୋଷ ନ କରି = ସଂଯମକରି ।

ବତ୍ରିଶ କଳା = ଚନ୍ଦ୍ର ୧୬ କଳା + ସୂର୍ଯ୍ୟ ୧୨ + ଊମ୍ମ + ଧୂର୍ମ୍ମ + ଜ୍ୟୋତି + ଜ୍ୱାଳା = ୩୨ ।

ବହନ୍ତା = ପ୍ରଶ୍ୱାସ ପବନ ।

ଉଜାଣି...=ଜୋରରେ ପବନ ଉପରକୁ ତୋଳିବୁ ନାହିଁ ।

କଳ୍ପ = କଳ୍ପକାଳ ବଞ୍ଚିବାପାଇଁ ଔଷଧ ବିଶେଷ ।

ଧୂର୍ମ୍ମ = ନାସିକାର କଳା ।

ଶରୀ = ଶରୀର ।

————————

 

ଅଣାକାର ସଂହିତା

 

ନାମବ୍ରହ୍ମ = ଜ୍ୟୋତିଃ = ରୂପ ।

ନାମ = ରୂପବାଚକ ଶବ୍ଦ ।

ଅନାମ = ଅଣକ୍ଷର = ଅଣାକାରବ୍ରହ୍ମ ।

ନାମତତ୍ତ୍ୱ = ନାମର ମୂଳ କାରଣ ।

ତହିଁପରକୁ = ତାହାର ଉପରକୁ ।

ବରୁଣ ଆଳରେ = ସମୁଦ୍ରରେ ।

ଅନାମିକାକୁଟି = ନାମଶୂନ୍ୟକୁ = ଅଣାକାରକୁ ।

ନାମ = ବ୍ରହ୍ମ = ଜ୍ୟୋତିର୍ବ୍ରହ୍ମ ।

ଅରୂପାନନ୍ଦର = ଅଣାକାର ଏବଂ ଆନନ୍ଦମୟଙ୍କୁ ।

ଅନାମ = ଶବ୍ଦବ୍ରହ୍ମ ।

କହ୍ନା = କୃଷ୍ଣ

ପଦ୍ମବନରେ = ଲେମ୍ୱାଳରେ ।

ମୃତ୍ୟୁ ହୋଇଛି = ଶରୀର ଜ୍ଞାନ ନାହିଁ ।

ଆରମ୍ଭେ = ପ୍ରାରବ୍ଧ କର୍ମ ଯୋଗୁଁ ।

ବେଦର ଅନ୍ତ = ଉପନିଷଦ୍‌ ଯାକ ।

ପରିଚେ = ପ୍ରତ୍ୟୟ ହେଲେ ।

ଜଞ୍ଜାଳ ଦୋରେହା = ଦୁଃଖ ଭଗାରୀ ।

ତମ = ଅଜ୍ଞାନାନ୍ଧକାର ।

ସାମବେଦ = ନାସିକା ।

ଯଜର୍ବେଦ = ମୁଖ

ର = ଚକ୍ଷୁ ।

ସ୍ତୁ = କର୍ଣ୍ଣ ।

ଓଝା = ଉପାଧ୍ୟାୟ, ଗୁରୁ ।

ତନମନ = ତନ୍ମନ ହୋଇ ।

ଦାଇବୁ = କାଟିବୁ ।

୧ମ ରେ-ଶବ୍ଦବ୍ରହ୍ମ ବିନ୍ଦୁରୂପରେ ପ୍ରକାଶିତ । ଅଣାକାର ମନ୍ତ୍ରର ବସାଣ ଏଠାରେ ବର୍ଣ୍ଣିତ ଅଛି- ଗୁରୁଠାରୁ ତାହା ଜାଣିବ ।

ଛାୟା ଅବାଡ଼ ଜ୍ୟୋତି-ସାଧନାରେ ତିନୋଟି ଅବସ୍ଥା ।

ଶୁ, ସଂ ୬ ଅଧ୍ୟାୟ ଓ ଛାୟାଜ୍ୟୋତି ଅବାଡ଼ ଅଛି ଦେଖ ।

—————